ମୋଦୀଙ୍କ ଭାରତ

ଆପଣ ତାଙ୍କୁ ଭଲ ପାଇପାରନ୍ତି ବା ଘୃଣା କରିପାରନ୍ତି; ମାତ୍ର ତାଙ୍କୁ ଏଡ଼ାଇ ଯାଇପାରିବେ ନାହିଁ- ଏଭଳି କଥାଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ˚ପର୍କରେ ନିର୍ବିବାଦରେ କୁହାଯାଇପାରେ। ଗତ ଆଠବର୍ଷ ଭିତରେ ସେ ନିଜର ଯେଉଁ ଅଦ୍ଭୁତ ପ୍ରକାର ବ୍ୟକ୍ତିତ୍ବ ପ୍ରତିଷ୍ଠା କରିଛନ୍ତି, ତାହା ପୂର୍ବବର୍ତ୍ତୀ ପ୍ରଧାନମନ୍ତ୍ରୀମାନଙ୍କ ବ୍ୟକ୍ତିତ୍ବ ତୁଳନାରେ ଭଲ କିମ୍ବା ଖରାପ, ସେ କଥା ବିବଦମାନ ହେଲେ ମଧୢ ତାହା ଯେ ଭିନ୍ନ ଏଥିରେ ଦ୍ବିରୁକ୍ତି ନାହିଁ। ତାଙ୍କ ଦ୍ବିତୀୟ ପାଳି ପ୍ରଧାନମନ୍ତ୍ରିତ୍ବର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ସେ ନିଜ ରାଜ୍ୟ ଗୁଜୁରାଟ ଗସ୍ତରେ ଯାଇ ଦୃଢ଼ତାର ସହିତ କହିଛନ୍ତି ଯେ, ଗତ ଆଠବର୍ଷ ଭିତରେ ତାଙ୍କ ସରକାର ଏଭଳି କିଛି କରିନାହିଁ, ଯାହାପାଇଁ ଦେଶବାସୀଙ୍କ ମୁଣ୍ତ ତଳକୁ ହୋଇଯିବ। ସେ ତାଙ୍କ ଶାସନର ମନ୍ତ୍ର ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ପ୍ରୟାସ’କୁ ଆଉ ଥରେ ଦୋହରାଇ ପୂର୍ବବର୍ତ୍ତୀ ସରକାର କିଭଳି ପ୍ରଗତିର ରଥ ରୋକିଥିଲା ତାହା ପ୍ରକାଶ କରିଛନ୍ତି। ଭବିଷ୍ୟତର ବହୁ ବିକାଶମୂଳକ ଯୋଜନା ଭିତରେ ଭାରତର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜର ପ୍ରତିଷ୍ଠା ଠାରୁ ନେଇ ସାଧାରଣ ପ୍ରଶାସନରୁ ଦୁର୍ନୀତିର ମୂଳୋତ୍ପାଟନ ଲାଗି ଡିଜିଟାଲ୍‌ ସେବା କଥା ସେ ଆଉ ଥରେ ଦୋହରାଇଛନ୍ତି। ଏଥିରେ ଦ୍ବିମତର ଅବକାଶ ନାହିଁ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ବକ୍ତବ୍ୟ ପଛରେ ତଥ୍ୟ ଓ ଅଙ୍ଗୀକାର ଥିବା କଥା ସେ ବିଶ୍ବାସ କରନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଠବର୍ଷ ଶାସନର ସଫଳତା ସ˚ପର୍କରେ ଭାରତବର୍ଷର ବିଭିନ୍ନ ସମ୍ବାଦପତ୍ରରେ ବଡ଼ ବଡ଼ ପ୍ରବନ୍ଧମାନ ପ୍ରକାଶିତ ହୋଇଛି। ଏହା ହେବା ଆବଶ୍ୟକ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଫଳତା ସ˚ପର୍କରେ ଯେଉଁମାନଙ୍କର ବଡ଼ ବଡ଼ ପ୍ରବନ୍ଧ ସମ୍ବାଦପତ୍ରଗୁଡ଼ିକର ପୃଷ୍ଠାମଣ୍ତନ କରିଛି ସେମାନେ ସମସ୍ତେ ତାଙ୍କ ମନ୍ତ୍ରୀମଣ୍ତଳର ସହଯୋଗୀ ନ ହେଲେ ଅଧସ୍ତନ ଅଧିକାରୀ। ଏଇ କ୍ଷେତ୍ରରେ ଅନ୍ୟ ପ୍ରଧାନମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ମୋଦୀଙ୍କ କାର୍ଯ୍ୟଧାରା ଭିତରେ ମୌଳିକ ପାର୍ଥକ୍ୟ ଅନୁଭୂତ କରିହୁଏ। ଯଦି ପ୍ରଧାନମନ୍ତ୍ରୀ ବିଶ୍ବାସ କରୁଛନ୍ତି ଯେ ଯାହାସବୁ କାର୍ଯ୍ୟ ହୋଇଛି ତାହା ଭଲ କାମ ତାହାହେଲେ ସେକଥା ଅନ୍ୟ ବୁଦ୍ଧିଜୀବୀ, ଅର୍ଥନୀତିଶାସ୍ତ୍ରୀ କିମ୍ବା ବୈଜ୍ଞାନିମାନଙ୍କ ଦ୍ବାରା ନ କୁହାଇ ନିଜ ସହଯୋଗୀ ମନ୍ତ୍ରୀମାନଙ୍କ ମାଧୢମରେ କୁହାଇବା ପଛରେ ଯୁକ୍ତିଟି କ’ଣ? ସ୍ବରାଷ୍ଟ୍ରମନ୍ତ୍ରୀ କ’ଣ ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମାଲୋଚନା କରିପାରିବେ ନା ବିଦେଶମନ୍ତ୍ରୀ ଅନ୍ୟ ଦେଶ ସହ ଆମର ବୈଦେଶିକ ସଂପର୍କର ଅନାସକ୍ତ ମୂଲ୍ୟାୟନ କରିପାରିବେ? ଏ ସଂପର୍କରେ ଯୁକ୍ତି ହୋଇପାରେ, ପ୍ରଧାନମନ୍ତ୍ରୀ କୌଣସି ରିସ୍କ ନେବାକୁ ଚାହାନ୍ତି ନାହିଁ ଅଥବା ଆଠବର୍ଷର ଶାସନ ଭିତରେ ତାଙ୍କ ମତାଦର୍ଶରେ ଉଦ୍‌ବୁଦ୍ଧ ଏକ ବୁଦ୍ଧିଜୀବୀ ମଣ୍ତଳୀ ସେ ଗଠନ କରିପାରିନାହାନ୍ତି।

ପୂର୍ବରୁ ‘ଏକ ଭିନ୍ନ ପ୍ରକାର ଦଳ’ ଭାବେ ନିଜର ସ୍ବାତନ୍ତ୍ର୍ୟ ଜାହିର କରୁଥିବା ଭାରତୀୟ ଜନତା ପାର୍ଟି ମୋଦୀ-ଶାହଙ୍କ ଶାସନରେ ତା’ର ଚେହେରା ଓ ଚରିତ୍ର ଉଭୟରେ ନାନା ପରିବର୍ତ୍ତନ ଆଣିସାରିଛି। ଆଜି ମୋଦୀଙ୍କ ପାଇଁ ତାଙ୍କର ଚରମ ଶତ୍ରୁ କ˚ଗ୍ରେସ ଦଳର କୌଣସି ନେତା, ଗାନ୍ଧୀ ପରିବାରର ତ୍ରିମୂର୍ତ୍ତିଙ୍କୁ ଛାଡ଼ି, ଅସ୍ପୃଶ୍ୟ ନୁହନ୍ତି। ମହାଭାରତର ମୁଖ୍ୟନାୟକ ଥିଲେ ଶ୍ରୀକୃଷ୍ଣ। ଶାନ୍ତି ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ସତ୍ତ୍ବେ ବିଫଳ ହେବାରୁ ମହା‌ଭାରତ ଯୁଦ୍ଧ ଅନିବାର୍ଯ୍ୟ ହୋଇପଡ଼ିଥିଲା ଏବ˚ ଏହି ଯୁଦ୍ଧରେ, ବାସ୍ତବ ଅର୍ଥରେ ଶ୍ରୀକୃଷ୍ଣ ବିଜୟୀ ହୋଇଥିଲେ। ମୁହୂର୍ତ୍ତକ ପାଇଁ ଧରି ନିଆଯାଉ ଯେ ମହାଭାରତର ଶ୍ରୀକୃଷ୍ଣ ଭୂମିକାରେ ପ୍ରଧାନମନ୍ତ୍ରୀ ମୋଦୀ ଅବତୀର୍ଣ୍ଣ ହୋଇଥା’ନ୍ତେ। ତାହା ହେଲେ ମୂଳରୁ ଯୁଦ୍ଧ କରିବା ପ୍ରୟୋଜନ ପଡ଼ିନଥା’ନ୍ତା, କାରଣ ଶ୍ରୀକୃଷ୍ଣ ରୂପୀ ମୋଦୀ କୌଶଳ ପ୍ରୟୋଗ କରି ଜଣକ ପରେ ଜଣେ, କେବଳ ଧ୍ରୁତରାଷ୍ଟ୍ର ଓ ଦୁର୍ଯ୍ୟୋଧନଙ୍କୁ ଛାଡ଼ି, ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କୃପାଚାର୍ଯ୍ୟ ପ୍ରମୁଖ ସମସ୍ତଙ୍କୁ ନିଜ ପକ୍ଷକୁ ନେଇ ଆଣିଥାଆନ୍ତେ।

ଏହାପରେ ଆଉ ଯୁଦ୍ଧର ପ୍ରୟୋଜନ ହିଁ ପଡ଼ିନଥା’ନ୍ତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁରେ କ˚ଗ୍ରେସକୁ ଭର୍ତ୍ସନା କରୁଥିଲେ ମଧୢ ସେହି ଦଳରୁ ନେତା ଆମଦାନି କରିବାରେ ଆଦୌ କୁଣ୍ଠା ପ୍ରକାଶ କରିନାହାନ୍ତି କିମ୍ବା ଆଠ ଆଠ ଜଣ କ˚ଗ୍ରେସୀ ନେତାଙ୍କୁ ସେ ନିଜ ଦଳରେ ଦୀକ୍ଷିତ କରାଇ ମୁଖ୍ୟମନ୍ତ୍ରୀ ପଦ ଅର୍ପଣ କରିବାରେ ସାମାନ୍ୟ ଅନିଚ୍ଛା ପ୍ରଦର୍ଶନ କରିନାହାନ୍ତି। ଏ କ୍ଷେତ୍ରରେ ମୋଦୀ-ଶାହଙ୍କ ଭାରତୀୟ ଜନତା ପାର୍ଟି ବାଜପେୟୀ-ଆଡଭାନୀଙ୍କ ଭାରତୀୟ ଜନତା ପାର୍ଟି ଠାରୁ ଯେ ଭିନ୍ନ, ଏକଥା ବୁଝାଇ କହିବା ଅନାବଶ୍ୟକ। ଆସାମରୁ ନେଇ ଅରୁଣାଚଳ ପ୍ରଦେଶ, ତ୍ରିପୁରା ଏପରି କି କର୍ଣ୍ଣାଟକରେ ସୁଦ୍ଧା ଏହି ନେତା ଆମଦାନି ନୀତି ସଫଳ ହୋଇଛି ଏବ˚ ନିକଟରେ ଯେତେବେଳେ ଟାଣୁଆ କ˚ଗ୍ରେସ ନେତା ସ୍ବର୍ଗତ ବଳରାମ ଝାକରଙ୍କ ପୁତ୍ର ସୁନୀଲ ଝାକରଙ୍କୁ ଭାରତୀୟ ଜନତା ପାର୍ଟିରେ ମିଶାଗଲା ସେତେବେଳେ ଏହା ଏକ ବ୍ୟତିକ୍ରମ ନୁହେଁ ବର˚ ଏକ ନୀତିଗତ କୌଶଳ ବୋଲି ଜଣାପଡ଼ିଗଲା। ଏହି ଆମଦାନି ବ୍ୟବସ୍ଥା ଦୁଇଟି କଥାକୁ ଦର୍ଶାଉଛି।

ପ୍ରଥମ ହେଲା, ମୋଦୀ-ଶାହଙ୍କର କ˚ଗ୍ରେସ ପ୍ରତି ଘୃଣା କେବଳ ସୋନିଆ-ରାହୁଳ-ପ୍ରିୟଙ୍କାଙ୍କ ପର୍ଯ୍ୟନ୍ତ ଉଦ୍ଦିଷ୍ଟ। ତାହା ନ ହେଲେ କ˚ଗ୍ରେସ ନେତାମାନଙ୍କର ପ୍ରଶାସନିକ ଦକ୍ଷତାକୁ ସେ ମନ ମଧୢରେ ଗ୍ରହଣ କରିଛନ୍ତି ଏବ˚ ଏହାଠାରୁ ବଡ଼ କଥା ହେଲା ସବୁ ପ୍ରକାର ପ୍ରଚାର ଓ ହିନ୍ଦୁତ୍ବବାଦୀ ଆଗ୍ରହ ସତ୍ତ୍ବେ ଭାରତୀୟ ଜନତା ପାର୍ଟି ଶାସନ ଚଳେଇବା ବା ମୁଖ୍ୟମନ୍ତ୍ରୀ ହେବା ଭଳି ନେତା ତିଆରି କ୍ଷେତ୍ରରେ ବିଫଳ ହୋଇଛି। ୨୦୨୪ର ନିର୍ବାଚନ ଯେତିକି ପାଖେଇ ପାଖେଇ ଆସିବ, କ˚ଗ୍ରେସ ଦଳରୁ ଅଧିକରୁ ଅଧିକ ନେତା ଭାରତୀୟ ଜନତା ପାର୍ଟି ଛଡ଼େଇ ନେଇ ଆସିବ ଏବ˚ ଏ କାର୍ଯ୍ୟ ଆଦୌ କଷ୍ଟକର ହେବନାହିଁ। କାରଣ, ଭାରତୀୟ ଜନତା ପାର୍ଟି ନିକଟରେ ଅଭିଜ୍ଞ ନେତାଙ୍କର ଅଭାବ ଥିବାବେଳେ କ˚ଗ୍ରେସ ପାର୍ଟି ନିକଟରେ ଭଲ ନେତାଙ୍କ ପ୍ରତି ସମ୍ମାନ ଓ ଆଦରର ଅଭାବ ରହିଛି।

ଆମେମାନେ ଆଉଥରେ ପ୍ରଧାନମନ୍ତ୍ରୀ କହିଥିବା ତାଙ୍କର ବକ୍ତବ୍ୟ ନିକଟକୁ ଫେରିଯିବାକୁ ଚାହୁଁଛୁ। ଗତ ଆଠବର୍ଷ ଭିତରେ ବାସ୍ତବରେ କ’ଣ ଏଭଳି କୌଣସି ଘଟଣା ଘଟିନାହିଁ ଯାହା ଦେଶବାସୀଙ୍କୁ ମର୍ମାହତ-ହନ୍ତସନ୍ତ କରିନାହିଁ। ବିମୁଦ୍ରୀକରଣରେ କ’ଣ ଲକ୍ଷ ଲକ୍ଷ ସାଧାରଣ ଲୋକ ନିର୍ଯାତିତ ହୋଇନାହାନ୍ତି? କୋଭିଡ ସଂକ୍ରମଣର ପ୍ରାରମ୍ଭିକ ମାସ ଗୁଡ଼ିକରେ ସରକାରଙ୍କ ଦୂରଦୃଷ୍ଟିହୀନତାକୁ ଭୁଲିଯିବା କ’ଣ ସତରେ ସହଜ ହେବ? ଲକ୍ଷ ଲକ୍ଷ ଶ୍ରମିକଙ୍କର ଦୟନୀୟ ଘରବାହୁଡ଼ା, ହଜାର ହଜାର ବେୱାରିସ ଶବଗୁଡ଼ିକର ସମ୍ମାନଶୂନ୍ୟ ଗଣସମାଧି କ’ଣ ବେଦନାଦାୟକ ନୁହେଁ? ଯଦି ଏକଥା ଗୁଡ଼ିକ ଗୁରୁତ୍ବହୀନ ତାହାହେଲେ ଏକପ୍ରକାର ଏକାଧିକ ଘଟଣା ଭିତରୁ ଆଉ ଗୋଟିଏ କଥା ମନେ ପକାଇ ଦେବାକୁ ଚାହିଁବୁ।

ଗତ ମେ ମାସରେ ମଧୢପ୍ରଦେଶରେ ସେଓନିରେ ଦରିଦ୍ର ଆଦିବାସୀ ଧନସା ଇନବାତିର ଜଘନ୍ୟ ହତ୍ୟା ସମ୍ବେଦନଶୀଳ ନାଗରିକମାନଙ୍କୁ ମର୍ମାହତ କରିବ ନା ନାହିଁ? ଦରିଦ୍ର ଆଦିବାସୀ ଲୋକଟି ଘରେ ଗୋ ମା˚ସ ଥିବାର ଅଭିଯୋଗ ଆଣି, ତାହା ପ୍ରମାଣିତ ହେବା ଆଗରୁ, ପନ୍ଦରରୁ କୋଡ଼ିଏ ଜଣ ଲୋକ ତାକୁ ଘରୁ ‌େଘାଷାଡ଼ି ନେଇ ପିଟି ପିଟି ମାରିଦେଲେ। ଧନସା ଇନବାତି ପରି ନାଗରିକ କ’ଣ ଭାରତର ନାଗରିକ ନୁହନ୍ତି? ପ୍ରଧାନମନ୍ତ୍ରୀ ସବୁ ସମୟରେ ଦେଶର ବିକାଶ କଥା କହିବା ବେଳେ ‘ସବ୍‌କା ସାଥ୍‌’ ବୋଲି କହିଥା’ନ୍ତି। ଏହି ‘ସବ୍‌କା’ ଶବ୍ଦ ମଧୢରେ ଭାରତର ସ˚ଖ୍ୟାଲଘୁ, ଆଦିବାସୀ, ଭିନ୍ନମତାବଲମ୍ବୀମାନେ ମଧୢ ଅଛନ୍ତି ନା ନାହିଁ? ଜ୍ଞାନବାପି ମସ୍‌ଜିଦ ପରି ଘଟଣା ଦେଶବାସୀଙ୍କ ମନରେ ଆଉଥରେ ଅଯୋଧୢା ମସ୍‌ଜିଦ ଭଙ୍ଗା ପରବର୍ତ୍ତୀ ଦିନଗୁଡ଼ିକ କଥା ମନେ ପକାଇ ଦେବା ସ୍ବାଭାବିକ। ଆରଏସ୍‌ଏସ୍‌ର ମୁଖ୍ୟ ମୋହନ ଭାଗବତଙ୍କ ଅତ୍ୟନ୍ତ ଅଭିନନ୍ଦନୀୟ ‘ସବୁ ମସ୍‌ଜିଦରେ କାହିଁକି ଶିବଲିଙ୍ଗ ଖୋଜୁଛ’ ପରି ପ୍ରଶ୍ନ ସତ୍ତ୍ବେ ଆଗକୁ ଏପରି ଏକାଧିକ ଘଟଣା ଆସିବା ଜଳଜଳ ଦିଶୁଛି।

ଏକଥା ସତ ଯେ, ଅନେକ ଉପାସନା ସ୍ଥଳରେ ମୁସଲିମ୍‌ ଶାସକମାନେ ନ କରିଥିବା କାର୍ଯ୍ୟ କରିଥିଲେ। ସେଗୁଡ଼ିକ ଅତ୍ୟନ୍ତ ଜଘନ୍ୟ ଏବଂ ରୁଚିହୀନ। ମାତ୍ର ବର୍ତ୍ତମାନର ଭାରତ ଯଦି ଅତୀତ ଭାରତର ପ୍ରତିଟି ଭୁଲ୍‌କୁ ଖୋଜି ଖୋଜି କରି ତାହାର ଏ ପ୍ରକାର ସଂଶୋଧନ କରିବାକୁ ବସେ, ତାହାହେଲେ ତାହା ଦ୍ବାରା ‘ସବ୍‌କା ସାଥ୍‌, ସବ୍‌କା ବିକାଶ’ ସ୍ବପ୍ନ ଚରିତାର୍ଥ ହେବ କି? ପ୍ରଧାନମନ୍ତ୍ରୀ ମୋଦୀ ଜଣେ ଦୃଢ଼ମନା ନେତା ଭାବେ ପରିଚିତ। ସେଥିପାଇଁ ତାଙ୍କ ପାଖରେ ଭିନ୍ନମତ ଶୁଣିବାର ମାନସିକତା ସାଙ୍ଗକୁ ଅନ୍ଧକାରମୟ ଅତୀତର ରକ୍ତାକ୍ତ ବ୍ୟବଚ୍ଛେଦ ବଦଳରେ ଅରୁଣାଭ ଭବିଷ୍ୟତ ଦିଗରେ ଦୃପ୍ତ ପଦପାତ ପାଇଁ ଆଗ୍ରହ ଦେଶବାସୀ ଆଶା ରଖନ୍ତି।

ସମ୍ବନ୍ଧିତ ଖବର