ହାତୀ ଭଳି ବଡ଼ ଜନ୍ତୁଙ୍କ ସୁରକ୍ଷା ଜରୁରୀ କାହିଁକି?

ଜିତଶତ୍ରୁ ମହାନ୍ତି

ଭାରତୀୟ ସମ୍ବିଧାନର ଧାରା ୫୧ ଏ(ଜି) ଅନୁସାରେ ବନ୍ୟଜୀବ ପ୍ରତି ସମ୍ବେଦନଶୀଳତା ଓ ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ। ସେମିତି ଧାରା ୪୮ ‘ଏ’ରେ ଜଙ୍ଗଲ ଓ ବନ୍ୟ ଜୀବ ନିରାପତ୍ତା ଓ ସମୃଦ୍ଧିକୁ ରାଷ୍ଟ୍ରୀୟ ଦାୟିତ୍ବ ଭାବରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଅନେକ ଆଇନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଦ୍ବାରା ପ୍ରଣୀତ ହୋଇ ବନ୍ୟ ଜନ୍ତୁ ସଂରକ୍ଷଣର ଉଦ୍ୟମ କରାଯାଉଛି। କିନ୍ତୁ ପରିତାପର ବିଷୟ ଯେ ବନ୍ୟ ଜୀବମାନଙ୍କ ଜୀବନ ବିପଦାପନ୍ନ ହୋଇ ରହିଛି। ପୃଥିବୀ ଭୂଗୋଳର ମାତ୍ର ୨ ପ୍ରତିଶତ ଅଂଶ ଭାରତରେ ଥିବା ବେଳେ ପୃଥିବୀର ୭ ପ୍ରତିଶତ ଜୀବ ଜାତି ଏଠାରେ ବାସ କରନ୍ତି। ସେହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ବିଭିନ୍ନ ସ୍ବତନ୍ତ୍ର ଯୋଜନା ବେଶ୍‌ ପ୍ରଶଂସନୀୟ। ଏହା ଦ୍ବାରା କେତେକ ପ୍ରଧାନ ପ୍ରାଣୀଙ୍କ ବଂଶ ବୃଦ୍ଧି ସଫଳ ହୋଇଛି ବା ଫଳବତୀ ହେବାର ସଂକେତ ଦେଖାଉଛି। ସେହି ଯୋଜନାଗୁଡ଼ିକ ମଧ୍ୟରେ ୧୯୭୦ ମସିହାରେ ହଙ୍ଗୁଲ, ୧୯୭୩ ମସିହାରେ ବାଘ, ୧୯୭୫ ମସିହାରେ କୁମ୍ଭୀର, ୧୯୯୨ ମସିହାରେ ହାତୀ ଓ ୨୦୦୯ ମସିହାରେ ତୁଷାରାଞ୍ଚଳ କଲରାପତରିଆ ବାଘ ପ୍ରକଳ୍ପ ପ୍ରମୁଖ।

ପ୍ରକୃତିର ସ୍ବରୂପ ବିବିଧ ଓ ବିଚିତ୍ର। ଏହାର ପ୍ରକାର ଭେଦକୁ ବର୍ଣ୍ଣନା କରିବା ପାଇଁ ବ୍ରିଟିସ୍‌ ଉଦ୍ଭିଦ ବିଜ୍ଞାନୀ ଏ. ଜି. ଟ୍ରାନ୍‌ଷ୍ଟେ ‘ପରିସଂସ୍ଥା’ ବା ‘ଇକୋସିଷ୍ଟମ୍‌’ ଶବ୍ଦର ପ୍ରୟୋଗ ୧୯୩୫ ମସିହାରେ ପ୍ରଥମେ କରିଥିଲେ, ଯାହାର ଅର୍ଥ କୌଣସି ଏକ ଅଞ୍ଚଳର ଜୈବିକ ଓ ଭୌତିକ ଉପାଦାନଗୁଡ଼ିକର ସମନ୍ବିତ ସହାବସ୍ଥାନର ସ୍ଥିତି। ୧୯୬୯ ମସିହାରେ ରବର୍ଟ ଏଲ୍‌ ପେନ୍‌ ନାମକ ଜଣେ ପ୍ରାଣୀ ବିଜ୍ଞାନୀ ଏହି ଅଭିବ୍ୟକ୍ତିର ଅଧିକ ବିସ୍ତାର କରିଥିଲେ। ତାଙ୍କ ମତାନୁସାରେ ମୁଖ୍ୟ ପ୍ରାଣୀ ଜାତିଗୁଡ଼ିକ ସଂଖ୍ୟା ଦୃଷ୍ଟିରୁ କମ୍‌ ହୋଇଥିଲେ ମଧ୍ୟ ସେମାନେ ପ୍ରାକୃତିକ ବ୍ୟବସ୍ଥାକୁ ଅଧିକ ପ୍ରଭାବିତ କରିଥାନ୍ତି। ସୁତରାଂ, ଏଭଳି ପ୍ରାଣୀମାନଙ୍କର ବିଲୁପ୍ତି ପରିସଂସ୍ଥାର ବିପର୍ଯ୍ୟୟ ଘଟାଇଥାଏ। ତେଣୁ ମୁଖ୍ୟ ଜୀବ ଜାତିର ସୁରକ୍ଷା ଏବଂ ସେମାନଙ୍କ ବଂଶ ବୃଦ୍ଧି ସର୍ବାଧିକ ପ୍ରମୁଖତା ଲାଭ କରିବା ଉଚିତ।

ଓଡ଼ିଶାର ଜଙ୍ଗଲ ପରିସଂସ୍ଥା ପାଇଁ ଏକ ମୁଖ୍ୟ ପ୍ରାଣୀ ଜାତି ହେଉଛି ହାତୀ। ଏହା ବୃହତ୍ତମ ସ୍ଥଳଚର ପ୍ରାଣୀ। ଏହା କିଭଳି ଜଙ୍ଗଲର ବୃକ୍ଷଲତା ଓ ଅନ୍ୟାନ୍ୟ ଜୀବମାନଙ୍କର ଜୀବନକୁ ପ୍ରଭାବିତ କରିଥାଏ, ଆସନ୍ତୁ ସେ ବିଷୟରେ ଜାଣିବା। ଶୁଷ୍କ ଓ ଜଳ-କ୍ଳେଶ ସମୟରେ ନିଜର ଦାନ୍ତ, ଶୁଣ୍ଢ ଓ ପାଦ ଦ୍ବାରା ସେ ଯେଉଁ ଜଳ ଉତ୍ସ ସୃଷ୍ଟି କରେ, ତାହା ଅନ୍ୟାନ୍ୟ ପଶୁଙ୍କ ଉପକାର କରିଥାଏ। ସେମିତି ନିଜର ମଳ ମାଧ୍ୟମରେ ହାତୀ ୫୦ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳରେ ବୀଜ ବିକ୍ଷେପ କରିଥାଏ, ଯାହା ଜଙ୍ଗଲ ସୃଷ୍ଟିରେ ସହାୟକ ହୋଇଥାଏ। ସେହିପରି ବଡ଼ବଡ଼ ଗଛର ଡାଳ ପତ୍ର ଭାଙ୍ଗି ପକାଉ ଥିବାରୁ ତାହା କ୍ଷୁଦ୍ରାକୃତି ତୃଣଭୋଜୀମାନଙ୍କୁ ଆହାର ଯୋଗାଇ ଥାଏ। ଏହା ଦ୍ବାରା ଜଙ୍ଗଲର ଉପର ଭାଗସ୍ଥ ଛତାରେ ଛିଦ୍ର ସୃଷ୍ଟି ‌େହାଇ ସୂର୍ଯ୍ୟାଲୋକ ପ୍ରବେଶର ପଥ ସୁଗମ କରିଥାଏ।

ସେହିପରି ରାଜ୍ୟର ୪୮୦ କିଲୋମିଟର ଦୀର୍ଘ ଉପକୂଳ ପରିସଂସ୍ଥା ପାଇଁ ଲୁଣା ଜଙ୍ଗଲରେ ପରିଦୃଷ୍ଟ ହେଉଥିବା ବୃକ୍ଷ ଯେମିତି କି ବନି, ସୁନ୍ଦରୀ, ଭୂଆଁ ଓ ହେନ୍ତାଳ ଇତ୍ୟାଦି ହେଉଛନ୍ତି ମୁଖ୍ୟ ଉଦ୍ଭିଦ ଜାତି। ଏହି ସବୁ ଗଛ ଉପକୂଳର କ୍ଷୟକୁ ରୋକିବା ସହିତ ସ୍ଥଳଭାଗକୁ ଜୁଆର, ବାତ୍ୟା ଓ ବନ୍ୟାରୁ ରକ୍ଷା କରିଥାଏ। ଏହି ସବୁ ଗଛର ମୂଳ ମାଛ ବା କଙ୍କଡ଼ା ଇତ୍ୟାଦି ଭଳି ଅନେକ ଜୀବଙ୍କର ଆଶ୍ରୟ ଓ ପ୍ରଜନନ ସ୍ଥଳୀ ମଧ୍ୟ। କହିବା ଅନାବଶ୍ୟକ ଯେ ଲୁଣା ଜଙ୍ଗଲରେ ପରିଦୃଷ୍ଟ ହେଉଥିବା ଜୈବ ବିବିଧତା ସବୁଠାରୁ ଅଧିକ ଏବଂ ତାହାର ମୂଳ କାରଣ ଏହି ଗଛମାନ।

ସେମିତି ଆମ ସାମୁଦ୍ରିକ ପରିସଂସ୍ଥାରେ ଡଲଫିନ୍‌ ମାଛର ଅବଦାନ ବେଶ୍‌ ଅଧିକ। ଗହୀରମଥା ସଲଗ୍ନ ସମୁଦ୍ରରେ ହଂପ୍‌ବ୍ୟାକ୍‌ ଡଲଫିନ୍‌ ବହୁଳ ଭାବରେ ଦେଖା ଯାଉଥିବା ବେଳେ ଚିଲିକାରେ ଇରାୱାଡ଼ି ଡଲଫିନ୍ ଅଧକ ସଂଖ୍ୟାରେ ଦେଖାଯାଆନ୍ତି। ରାଜ୍ୟ ବନ ବିଭାଗର ଉଦ୍ୟମରେ ଏମାନଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି।

ଏହି ଦୃଷ୍ଟିରୁ ପରିଶେଷରେ କେବଳ ଏତିକି କୁହାଯିବା ଜରୁରୀ ଯେ ମୁଖ୍ୟ ବନ୍ୟ ଜାତିଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ହାତୀ, ବାଘ, କଲରାପତରିଆ, କୁମ୍ଭୀର, ଡଲଫିନ୍‌ ଭଳି ପ୍ରାଣୀ ଜାତିଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ସାଧାରଣ ନାଗରିକମାନଙ୍କ ସହାୟତା ଲୋଡ଼ା ଯିବା ଆବଶ୍ୟକ ଏବଂ ଏ ନେଇ ସେମାନଙ୍କୁ ସଚେତନ କରାଯିବା ଉଚିତ। ଏକ ବିଡ଼ମ୍ବନା ସ୍ବରୂପ ହାତୀ ଏବଂ ମଣିଷ ଏବେ ପରସ୍ପରର ଶତ୍ରୁରେ ପରିଣତ ହେବା ଭଳି ସ୍ଥିତି ଉପୁଜିଛି। ଏହା ସୁଧୁରିବା ନିହାତି ଦରକାର। କ’ଣ ସବୁ ଉପାୟ କରାଗଲେ ଏହି ସଂଘାତମୟ ସ୍ଥିତିର ଅବସାନ ଘଟିବ, ସେ ଦିଗରେ ଗଭୀର ଚିନ୍ତନ ଏବଂ ବିଚାରବିମର୍ଶ କରାଯିବା ଉଚିତ।
ମୋ: ୮୯୧୭୫୬୦୪୧୮

ସମ୍ବନ୍ଧିତ ଖବର