ଠିକ୍ ମାସେ ତଳେ ଉତ୍ତରପୂର୍ବ ଭାରତର ପ୍ରବେଶ ଦ୍ବାର ଭାବେ ବିବେଚିତ ଗୌହାଟୀ ସହରର ରେଳ ଷ୍ଟେସନ୍ରେ ଓହ୍ଲେଇଲା ବେଳକୁ ବଡ଼ିି ଭୋର୍ ଚାରିଟା। ଚାରିଚକିଆ ଚାଳକ ଭାଇ ଜଣକ କହିଲେ- ସାଙ୍ଗେ ସାଙ୍ଗେ ଆଇଆଇଟି ନେଇଯିବି ଯେ, ହେଲେ ଘନ କୁହୁଡ଼ି କାରଣରୁ ବାଟରେ ପୋଲ ଉପରୁ ବ୍ରହ୍ମପୁତ୍ର ନଈକୁ ଭଲ ଭାବେ ଦେଖିପାରିବେନି। ଆମ କଥା ରହିଲା, ତାଙ୍କ କହିବା ସତ ହେଲା। ବ୍ରହ୍ମପୁତ୍ର ପୋଲ ଟପିଲା ବେଳେ ସିଏ ଆହୁରି ଯୋଡ଼ିଲେ- ବେଳେ ବେଳେ ବ୍ରହ୍ମପୁତ୍ରକୁ ମାନସ ଚକ୍ଷୁରେ ଦେଖିବାକୁ ପଡ଼ିଥାଏ। ହଁ, ଆମ ଆସାମରେ ରହଣି ବେଳେ ନିଶ୍ଚୟ ବ୍ରହ୍ମପୁତ୍ର, ଚା’ ବଗିଚା, କାଜିରଙ୍ଗା, ଦିଗ୍ବୋଇ ତୈଳ ବିଶୋଧନାଗାର, ନୀଳାଚଳ ପର୍ବତସ୍ଥିତ ଶକ୍ତି-ତନ୍ତ୍ରପୀଠ କାମାକ୍ଷା ମନ୍ଦିର, ସୁଧାକଣ୍ଠ ଭୂପେନ୍ ହଜାରିକାଙ୍କ ବାସସ୍ଥାନ, ସତ୍ତ୍ର ଓ ନାମଘର ଅତି କମ୍ରେ ଦେଖିବେ। ନିଜ ଘର ଭଳି, ଓଡ଼ିଶା ଭଳି ଲାଗିବ ଆସାମ ଆପଣଙ୍କୁ। ଏମିତି କ’ଣ ଗପି ଚାଲିଥିଲେ ସିଏ। ତା’ ଭିତରେ ଆସି ପହଞ୍ଚି ଯାଇଥିଲା ଆଇଆଇଟି ଅତିଥି ଭବନ ଯାହାର ଆଗରେ ଓ ପଛରେ ପୋଖରୀ, ଝରକା ଖୋଲିଲେ ଲମ୍ବା ଲନ୍, ପରିସରରେ ପାହାଡ଼ ପର୍ବତ ଏବ˚ ଅତି ପାଖରେ ବ୍ରହ୍ମପୁତ୍ର। ସୁଇଜରଲ୍ୟାଣ୍ତ୍ର ଭ୍ରମ ଜାତ ହୋଇପାରେ।
ଟାକ୍ସି ଡ୍ରାଇଭର୍ ବାବୁଙ୍କ ସବୁ କଥା ରଖି ହେଲାନି। ବ୍ରହ୍ମପୁତ୍ର ନଈର ଗୋଟିଏ ପଟୁ ଅନ୍ୟ ପଟକୁ ବଡ଼ ଡଙ୍ଗାରେ ଗଲା ବେଳେ ବୁଝି ହେଲା ବ୍ରହ୍ମପୁତ୍ରକୁ କାହିଁକି ଗଙ୍ଗା ସହ ତୁଳନା କରାଯାଏ ଏବ˚ ଭୂପେନ୍ ହଜାରିକାମାନେ ମହାବାହୁ ବ୍ରହ୍ମପୁତ୍ର ଗାଆନ୍ତି ଓ ବ୍ରହ୍ମପୁତ୍ରକୁ ବୁଢ଼ା ଲୋହିତ କହନ୍ତି, ବ୍ରହ୍ମର ପୁତ୍ରକୁ ମା’ ସମ୍ବୋଧନ କରନ୍ତି। ଭୂପେନ୍ ହଜାରିକାଙ୍କ ଗୌହାଟୀ ଘରେ ତାଙ୍କ ସ୍ମୃତିର ସନ୍ତକମାନ ଦେଖିଲେ ସଭିଏଁ କହିବେ ସିଏ ଖାଲି ମୁଁ ଯାଯାବର, ପାଲିଙ୍କିବାହକ, ମଣିଷର ମଣିଷପଣିଆ, ‘ରୁଦ୍ଦାଲି’ର ‘ଦିଲ୍ ହୁମ୍ ହୁମ୍ କରେ’, ଗଙ୍ଗା କାହିଁକି ବହିଯାଏ, ରତନପୁର ଚା’ ବଗିଚା ଓ କୋରାପୁଟ - କଳାହାଣ୍ତି ପ୍ରସଙ୍ଗ ଭିତ୍ତିକ ଗୀତ ଗାଇ ନଥିଲେ; ଗୀତରେ ଜୀବନ ଭରି ଦେଉଥିଲେ ଓ ଜୀବନକୁ ଗୀତରେ ପରିଣତ କରୁଥିଲେ- ଏମ୍.ଏଫ୍. ହୁସେନ୍ଙ୍କ ଭାଷାରେ ଗାଇବା ପ୍ରକ୍ରିୟାରେ ଭୂପେନ୍ ଆଙ୍କି ଚାଲିଥିଲେ।
କାଜିରଙ୍ଗା ପାର୍କ ଯାଇହେଲାନି; କିନ୍ତୁ କାମଚଳା ବିକଳ୍ପ ସ୍ବରୂପ ଆସାମ ଗଣପରିଷଦ ଅଫିସ୍ ପାଖ ବଜାରରୁ ଅଣାଗଲା କେତେଟି ଛୋଟିଆ ଛୋଟିଆ ହାତତିଆରି କାଠ ନିର୍ମିତ ରାଇନୋ ବା ଗଣ୍ତା ପ୍ରତିକୃତି। କାମାକ୍ଷା ମନ୍ଦିର କହେ ସେଭଳି ବହୁ ପ୍ରସ୍ଥ ବିଶିଷ୍ଟ ସ୍ଥାପତ୍ୟ ସମ୍ଭବ କରିବାରେ ମ୍ଲେଚ୍ଛ, ପଲାଶ, କୁଚ ଓ ଅହ˚ ରାଜୁତି କାଳର ଅବଦାନ କଥା ଏବ˚ ସାଙ୍ଗକୁ ଏକ ‘ସ୍ରାବ’ ମେଳା କଥା। ଗୌହାଟୀରେ, ଆସାମରେ ଚା ଖାଲି ଏକ ପାନୀୟ ନୁହେଁ; ବର˚ ଉଷ୍ଣ ତରଳ ଅନ୍ତରଙ୍ଗତା, ଏକାଠି ହେବାର ଅନ୍ୟ ନାମ- ‘ଟି-ଗାଦର୍ନେସ୍’। ବିଭିନ୍ନ ସମୟରେ ଦାବି ହୋଇଛି- ଯାହା ଭିତରେ ସାମିଲ ହୋଇଛନ୍ତି ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜାହ୍ନୁ ବଡୁଆ- ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ନିର୍ଦ୍ଧାରିତ ସମୟକୁ ଆଧାର କରି ଆସାମରେ ‘ଚାଏ ବାଗାନ୍ ଟାଇମ୍’ ଏକ ଅତିରିକ୍ତ ମାନକ ସମୟ ନିର୍ଘଣ୍ଟ ଲାଗୁ କରାଯାଉ ଚିରାଚରିତ ଇଣ୍ତିଆନ୍ ଷ୍ଟାଣ୍ତାର୍ଡ ଟାଇମ୍ ସହିତ ଓ ଜାଗାରେ; କାରଣ ଅନ୍ୟତ୍ର ୯ରୁ ୫ ଯାହା, ଅସାମରେ ୮ରୁ ୪ ତାହା।
ବଳିଷ୍ଠ ବୈଜ୍ଞାନିକ ଯୁକ୍ତି- ସୂର୍ଯ୍ୟକିରଣ ଶକ୍ତି ବା ଊର୍ଜାର କାମ ଦେବ, ଶ୍ରମଜୀବୀମାନେ ଅନ୍ଧାର ଘୋଟିବା ପୂର୍ବରୁ ଘରକୁ ବାହୁଡ଼ି ଯାଇଥିବେ। ଔପନିବେଶିକ ବ୍ରିଟିସ୍ ଶାସନ ଚା’ ବଗିଚାରେ କାମ କରୁଥିବା ଲୋକଙ୍କୁ ସେବେକାର ପୁଞ୍ଜିବାଦର ଦୟନୀୟ କୁଳରେ ରୂପାନ୍ତରିତ କରିଦେଇଥିଲା। ଆଉ ଦିଗ୍ବୋଇକୁ ନେଇ ଶୁଣାଯାଏ ଅନେକ ଉପାଖ୍ୟାନ। ୧୮୬୬-୬୭ ମସିହାର କଥା। ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷର ସମୟ। ଜଣେ ବିଦେଶୀ ଇ˚ଜିନିଅର୍ ଆସାମର ତିନିସୁକିଆ ଅଞ୍ଚଳର ମ୍ୟାଲେରିଆ ପ୍ରବଣ ଘଞ୍ଚ ଜଙ୍ଗଲରୁ ଫେରୁଥିବା ହାତୀ ପାହୁଣ୍ତରେ ଦେଖିଲେ ତେଲର ଦାଗ। କାମରେ ଲଗେଇ ଦେଲେ ଲୋକଙ୍କୁ। କହିଲେ- ଡିଗ୍ ବଏଜ୍, ଡିଗ୍। ଖୋଳି ଚାଲ ପିଲେ, ଖୋଳି ଚାଲ। ବାହାରିଲା ତେଲ, ନାହିଁ ନଥିବା ତେଲ। ଜାଗାର ନାଁ ହୋଇଗଲା ତେଣୁ ‘ଡିଗ୍-ବଏ’ରୁ ଦିଗ୍ବୋଇ।
ଓଡ଼ିଶା ସହ ଆସାମର ସମ୍ପର୍କ ପ୍ରାଚୀନ ଓ ଐତିହାସିକ। ଉଭୟ ଓଡ଼ିଶା ଓ ଆସାମ ଅଙ୍ଗେ ଅଙ୍ଗେ ଅନୁଭବ କରିଛନ୍ତି ଶାସନ, ପ୍ରଶାସନ, ସ˚ସ୍କୃତି ଓ ରାଜନୀତି ବାଟେ ବଙ୍ଗାଧିପତ୍ୟର ପ୍ରଭାବ, ସ୍ବଭାବ ଓ ସ୍ବରୂପ କ’ଣ! ପୁଣି ଆସାମର ଦୁଇ ମହା କି˚ବଦନ୍ତି ଓ ଲୋକପ୍ରତିମା - ଶଙ୍କରଦେବ ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ବ୍ୟକ୍ତିତ୍ବର ବିବର୍ତ୍ତନ ପଛରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ନାନକ, କବୀର ଓ ଚୈତନ୍ୟାଦିଙ୍କ ପ୍ରାୟ ଭକ୍ତି ଆନ୍ଦୋଳନର ପ୍ରବାହକୁ ସମୃଦ୍ଧ କରିଥିବା ତାଙ୍କ ଭାଗବତର ରଚୟିତା ଏବ˚ ଶରଣ-ସମର୍ପଣ ଦର୍ଶନ ଅବଲମ୍ବନ କରିଥିବା ଶ୍ରୀମନ୍ତ ଶଙ୍କରଦେବ ପୁରୀରେ ଅବସ୍ଥାନ କରିଥିଲେ ପ୍ରାୟ ବାର ବର୍ଷ। ଆଧୁନିକ ଅହମିଆ ସାହିତ୍ୟର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ରସରାଜ ଲକ୍ଷ୍ମୀନାଥ ବେଜବରୁଆ ସମ୍ବଲପୁର ମହାନଦୀ କୂଳ କଚେରି ଛକ ସାଧନା ଗୃହରେ ଥିବା ବେଳେ ସାରସ୍ବତ କର୍ମରେ ନିୟୋଜିତ ଥିଲେ ଦୁଇ ଦଶନ୍ଧି ଧରି।
ଶିଲ˚ ଓ ଗୌହାଟୀ ଭିତରେ କିଲୋମିଟରଗତ ଦୂରତା ମାତ୍ର ୧୦୦; କିନ୍ତୁ ମନ-ମିଟରରେ କେତେ କେଜାଣି? ସେ ମିଟରରେ ହୁଏତ ମାପି ହୁଏନି! ୧୯୭୨ରେ ମେଘାଳୟ ଜନ୍ମ ନେବା ପୂର୍ବରୁ ଅବିଭକ୍ତ ଆସାମର ରାଜଧାନୀ ଥିଲା ଶିଲ˚, ପ୍ରାଚ୍ୟର ସ୍କଟ୍ଲ୍ୟାଣ୍ତ୍। ସହର ଭିତରେ (ଓ ଆଖପାଖରେ) ହ୍ରଦ, ଗୁମ୍ଫା, ପାହାଡ଼ ପର୍ବତ, ଜଳପ୍ରପାତ, କାଥେଡ୍ରାଲ୍, ଡନ୍ବସ୍କୋ ଆଦିମ ଅଧିବାସୀ ସ˚ସ୍କୃତି କ୍ଷେତ୍ର, ପାର୍କ, ଗଲ୍ଫ ପଡ଼ିଆ। ଶିଲ˚ ଦିନେ ଟାଣି ଆଣିଥିଲା ରବୀନ୍ଦ୍ରନାଥ ଠାକୁର ଓ ବିବେକାନନ୍ଦଙ୍କୁ ଏବ˚ ବିଖ୍ୟାତ ନୃତତ୍ତ୍ବବିତ୍ ଭେରିଅର୍ ଏଲ୍ଵିନ୍ଙ୍କୁ।
ଏଲ୍ଵିନ୍ଙ୍କ କ୍ଷେତ୍ରରେ ତିନି ହେଁ ସମ୍ମତ ହୋଇଥିଲେ- ଗାନ୍ଧୀ ତାଙ୍କୁ ବାଛିଥିଲେ, ନେହରୁ ପଠେଇଥିଲେ ଉତ୍ତରପୂର୍ବ - ସେବେକାର ‘ନେଫା’ ଏବ˚ ପଟେଲ୍ କହିଥିଲେ ଜନଜାତିଙ୍କ କ୍ଷେତ୍ରରେ କାମ କରିବା ପାଇଁ। ଶିଲ˚ରେ ଭେରିଆର୍ଙ୍କ ଘର ଏଲ୍ଵିନ୍ ହୋମ୍ଷ୍ଟେରେ ଦେଖା ହୋଇଥିଲା ତାଙ୍କ ପୁଅ ଅଶୋକ ଏଲ୍ଵିନ୍ଙ୍କ ସହ ଯିଏ ତାଙ୍କ ପୂର୍ବ ବୃତ୍ତିରୁ ଅପସରି ଯାଇ ବାପାଙ୍କ ଉପଲବ୍ଧ ଓ ଦୁଷ୍ପ୍ରାପ୍ୟ କୃତିର ଡିଜିଟାଲ୍ ସ˚ରକ୍ଷଣରେ ମନୋନିବେଶ କରିଛନ୍ତି। ଆଳାପ-ଆଲୋଚନା କାଳରେ କହିଥିଲେ- ସେତେବେଳେ ଗମନାଗମନ ଅସୁବିଧା ସତ୍ତ୍ବେ ବାପା ଓଡ଼ିଶା ଯାଇଥିଲେ ଯାହା ମୁଁ ଏଯାଏ ପାରିନି। ସନ୍ଧ୍ୟାରେ ପୁଲିସ ବଜାର ଛକରେ ଖାସି-ଗାରୋ-ଜୟନ୍ତିଆ ଯୁବକଯୁବତୀ ମିଶି ପରିବେଷଣ କରୁଥିଲେ ଚମତ୍କାର କନ୍ସର୍ଟ। ଆଉ ରାତିରେ ଛାତ ଉପରୁ ଦେଖିଲେ ସାରା ଶିଲ˚ ସହର ଦିଶୁଥିଲା ଆଲୋକଖଚିତ ଅପରୂପ ଶୈଳନିବାସ ଭଳି ଯାହା ପାଇଁ ତାହା ସର୍ବତ୍ର ପ୍ରସିଦ୍ଧ। ଯେମିତି ଲକ୍ଷ ଲକ୍ଷ ଜହ୍ନ ଅଦୃଶ୍ୟ ଶିଡ଼ିରେ ଓହ୍ଲେଇ ଆସି ସବୁ ଘରେ, ସବୁ ପର୍ବତ ଶିଖରରେ ଖଞ୍ଜି ହୋଇ ଯାଇଛନ୍ତି। ଚେରାପୁଞ୍ଜି ଚାଲି ଚାଲି ଆସିଯାଇଛି ଶିଲ˚।
ସାହିତ୍ୟ କ୍ଷେତ୍ରକୁ ଶିଲ˚ର ଅବଦାନ କହିଲେ ନ ସରେ। ତିନି ଜଣ ପ୍ରତିନିଧିସ୍ଥାନୀୟ ଲେଖକ-ଲେଖିଲା ହେଲେ ‘ନ୍ୟାଙ୍ଗମ୍’ ମଣିପରରୁ ଆସି ଶିଲ˚ର ‘ନେହୁ’ରେ ଇ˚ରେଜୀ ପଢ଼ାଉଥିବା ପ୍ରଫେସର ରବୀନ୍, ଉତ୍ତରଭାରତରୁ ଆସି ଶିଲ˚ରେ ପଢ଼ି ଏବେ ବାଙ୍ଗାଲୋରରେ ରହୁଥିବା ଅ˚ଜୁମ୍ ହାସାନ୍ ଓ ଶିଲ˚ରେ ପଢ଼ିଥିବା ଅରୁଣାଚଳ ପ୍ରଦେଶର ପଦ୍ମଶ୍ରୀ ମାମ˚ ଦାଇ। ସଭିଙ୍କ ଲେଖାରେ ଭୂଗୋଳ, ସ୍ମୃତି, ସମୟ, ସ୍ଥାନ, କୋହ, ଝୁରି ହେବା, ଅତୀତଚାରୀ ମମତା, ପ୍ରକୃତିର ସୌନ୍ଦର୍ଯ୍ୟ ଓ ମଣିଷର ନୃଶ˚ସତା ଏବ˚ ପରିବର୍ତ୍ତନ ନୂଆ ନୂଆ ପରିପାଟୀରେ ପ୍ରତିଫଳିତ। ନର୍ଥ ଇଷ୍ଟର୍ନ ହିଲ୍ ୟୁନିଭର୍ସିଟି ପରିସରରେ ସେ ଦିନ ସନ୍ଧ୍ୟାରେ ରବୀନ୍ଙ୍କୁ ସାକ୍ଷାତ କଲା ବେଳେ ସିଏ ଅନ୍ୟମାନଙ୍କ ଭିତରେ କବି ଜୟନ୍ତ ମହାପାତ୍ରଙ୍କୁ, ତାଙ୍କ ପ୍ରେରଣା ଓ ପ୍ରୋତ୍ସାହନ ଭାବେ ମନେ ପକାଇଲେ।
ସବୁ ପ୍ରକାରର ହି˚ସାର ସିଏ ବିରୋଧ କରନ୍ତି; ପୁଣି ମନେ ପକାଇଦିଅନ୍ତି ରାଜନୀତିର ଭେଦଭାବ ଓ ଇତିହାସର ଅବହେଳା କଥା। କବି ଭାବେ ତାଙ୍କ କାମ ସାକ୍ଷ୍ୟ ପ୍ରଦାନ, ବୃତ୍ତାନ୍ତ ଲିଖନ ଓ ସାମୂହିକ ବିବେକର ଦାୟିତ୍ବ ନିର୍ବାହ। ଅ˚ଜୁମ୍ କହନ୍ତି - ବହିସବୁ ମାନଚିତ୍ର ଭଳି, ଯାହା ଆମକୁ ଗନ୍ତବ୍ୟ ଦର୍ଶେଇ ଦିଏ। ଲକ୍ଷ୍ୟ ସ୍ଥଳକୁ ନେଇଯାଏ ନାହିଁ। ବଦଳୁଥିବା ଶିଲ˚ ସମ୍ବନ୍ଧରେ ସିଏ ଲେଖନ୍ତି- ଆମ ରକ୍ତରେ ପାହାଡ଼ ପର୍ବତ/ କିନ୍ତୁ ସହରର ରାସ୍ତାଘାଟରେ ମୋଟାସୋଟା କାର୍ର ବାସ୍ନା/ ବର୍ଷାଧାର ତଳେ ତଳେ ଅଳିଆ ଆବର୍ଜନା। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ଭେରିଅର୍ ଏଲ୍ଵିନ୍ ଆଵାର୍ଡ ପ୍ରାପ୍ତ ମାମା˚ ଦାଇ ପୂର୍ଣ୍ଣକାଳୀନ ସାହିତ୍ୟ, ସାମ୍ବାଦିକତା, ଗବେଷଣା ଓ ସା˚ସ୍କୃତିକ କର୍ମପ୍ରବଣତାର ଆହ୍ବାନରେ ଭାରତୀୟ ପ୍ରଶାସନିକ ସେବା ଚାକିରି ଛାଡ଼ିଥିଲେ।
ଥରେ ସିଏ ଓଡ଼ିଶା ଆସିଥିଲା ବେଳେ କହିଥିଲେ- ଆମ ଅରୁଣାଚଳରେ ସଙ୍କଟ ସମୟରେ ଖାଦ୍ୟ ପଦାର୍ଥ ଓ ଅନ୍ୟ ଜିନିଷପତ୍ର ଆସି ପହଞ୍ଚିବାରେ ଜଣେ ଓଡ଼ିଆଙ୍କର ବଡ଼ ଭୂମିକା ଥିଲା। ବାପାମା’ କହନ୍ତି ସିଏ ହେଲେ ବିଜୁ ପଟ୍ଟନାୟକ। ତାଙ୍କର ଏକ କବିତା କହେ ଭାଷା ନକହି ପାରିଲେ ବି ଚଳିବ- ଗାଁରୁ ଆମ ଆଡ଼େ ଜଣେ ଆସିଥିଲେ/ ନଈ, ପାହାଡ଼, ଜଙ୍ଗଲ ଟପି/ ଆମ ଭାଷା କହିପାରୁ ନ ଥିଲେ/ ସାଙ୍ଗରେ ଆଣିଥିଲେ ମାଛଟିଏ/ ବଢ଼େଇ ଦେଲେ/ ଭାଷା ଅଧିକ କିଛି କରିପାରିଥାନ୍ତା କି? ମାମା˚ ଅବଶ୍ୟ ଉତ୍ତରପୂର୍ବ ପରିଭାଷା ବାବଦରେ ଭିନ୍ନ ମତ ପୋଷଣ କରନ୍ତି। ଉତ୍ତରପଶ୍ଚିମ ଯଦି ନାହିଁ, ତେବେ ଉତ୍ତରପୂର୍ବ କାହିଁକି?
୧୯୭୫ରେ ସିକିମ୍ ଭାରତରେ ମିଶିଲା। ସାତ ଭଉଣୀ କହିଲେ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ୍, ନାଗାଲାଣ୍ତ ଓ ତ୍ରିପୁରା। ସେମାନଙ୍କ ମେଳରେ ଜଣିଏ ଭାଇ ସିକିମ୍। ଗାଙ୍ଗ୍ଟକ୍ରେ ଭେଟ ହୋଇଥିବା ଅନେକ ସିକିମ୍ବାସୀଙ୍କ ମତ- ଆମେ ଦେଶରୁ ପ୍ରଦେଶ ହେବା ପରେ ଉଭୟ ମୁକ୍ତି ଓ ସ୍ବାଧୀନତା ଉପଭୋଗ କରିପାରିଛୁ। ଗାଙ୍ଗ୍ଟକ୍ ଅପେକ୍ଷାକୃତ ଅତି ଅଧିକ ସଫାସୁତୁରା, ଉଜ୍ଜ୍ବଳ ଓ ସ୍ପଷ୍ଟବାଦୀ। କାଞ୍ଚନଜଙ୍ଘା ସିଧା ନିଜ ଆଖିରେ ଅଳ୍ପ ଦୂରରୁ ଦେଖିହୁଏ। ଆଉ ଭାରତ-ଚୀନ୍ ସୀମାରେ ଅବସ୍ଥିତ ନାଥୁଲା ପାସ୍ ଗଲା ବେଳେ ଅତିକ୍ରମ କରିବାକୁ ପଡ଼େ ପବିତ୍ର ଚାଙ୍ଗୁ ହ୍ରଦ ଯାହାର ଜଳର ରଙ୍ଗ ଋତୁ ବଦଳିବା ସହ ବଦଳି ଚାଲେ। ପୁଣି ବାଟରେ ପଡ଼େ ବାବା (ହରଭଜନ) ମନ୍ଦିର।
ସୈନିକ ହରଭଜନ ମାତ୍ର ୨୬ ବର୍ଷ ବୟସରେ ସହିଦ ହୋଇଥିଲେ। ଅନେକ ବିଶ୍ବାସ କରନ୍ତି- ସିଏ ଏବେ ବି ବଞ୍ଚିଛନ୍ତି, ନାଥୁଲାରେ ତୁଷାରପାତ ହେଲେ ରାତିରେ ସାଥୀ ସୈନିକଙ୍କୁ କମ୍ବଳ ଯୋଗାଇ ଦେଉଛନ୍ତି, ତାଙ୍କ ନାଁ ଶୁଣିଲେ ଅନ୍ୟମାନଙ୍କ ଭିତରେ ଶତସି˚ହର ବଳ ସଂଚରି ଯାଉଛି। ନାଥୁଲା ପାସ୍ ପୂର୍ବରୁ ଉଡୁଥିବା କିଛି କାଉଙ୍କ ହଳଦିଆ ଥଣ୍ଟ ଦେଖି ଟ୍ୟାକ୍ସି ଡ୍ରାଇଭର୍ ସିକିମର ଚଳନ୍ତି ଭାଷାକୋଷ ଲଳିତ କହିଥିଲେ- ଏସବୁ ଚୀନ୍ର କାଉ। ପକ୍ଷୀମାନଙ୍କୁ ପାସ୍ପୋର୍ଟ ଓ ଭିସା ଲୋଡ଼ାପଡ଼େନି!
ଜାତିକୁ ଏକ ପରିକଳ୍ପିତ ସ˚ପ୍ରଦାୟ ବୋଲି ବିଖ୍ୟାତ ବିଦ୍ବାନ୍ ବେନେଡିକ୍ଟ ଆଣ୍ତରସନ୍ ମତ ଦିଅନ୍ତି। ସେଭଳି ପଳିକଳ୍ପନାକୁ ସମ୍ଭବ କରାଏ, ଗ୍ଲୋବ୍, ମାନଚିତ୍ର, ଜନଗଣନା, ସ˚ଗ୍ରହାଳୟ, ହ୍ରଦ, ପାହାଡ଼ ପର୍ବତ, ଗୁମ୍ଫା, ଶୃଙ୍ଗ, ଜଳପ୍ରପାତ, ଉପତ୍ୟକା, ପାର୍କ, ସା˚ସ୍କୃତିକ ବୈଚିତ୍ର୍ୟ, ଜୈବବିବିଧତା, ସମତଳ ଭୂମି ଓ ଜନଜୀବନର ପ୍ରାଣପ୍ରାଚୁର୍ଯ୍ୟ ଏବ˚ ‘ଚେରିବ୍ଲସମ୍’ ବା ଯେକୌଣସି ଆଦୃତ ଫୁଲ। ଏସବୁ ଉପାଦାନରେ ଉତ୍ତର-ପୂର୍ବରୁ ଆଠଟି ରାଜ୍ୟ- ସାତ ଭଉଣୀରେ ଜଣିଏ ଭାଇ- ଗୁଣ ଓ ପରିମାଣ ଦୃଷ୍ଟିରୁ ଭରପୂର, ସବୁଦିନ ସକାଶେ ସ୍ମୃତିରେ ବସା ବାନ୍ଧି ରହିଲା ଭଳି। ଏ ସାତ ଭଉଣୀ ଓ ଜଣିଏ ଭାଇ ପୁଣି ଭାରତର ବିବିଧତା ଭିତରେ ଏକତା ଭାବନାର ପ୍ରଭାବଶାଳୀ ନିଦର୍ଶନ।
ମୋ: ୯୪୩୭୩୦୭୦୭୯