ପୁଣ୍ୟାତ୍ମାଙ୍କ ବିଦାୟ!

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦେହାନ୍ତରେ ପ୍ରଥମ ଶୋକବାର୍ତ୍ତା ମହାତ୍ମା ଗାନ୍ଧୀ ଲେଖିଥିଲେ ‘ୟଙ୍ଗ୍ ଇଣ୍ଡିଆ’ରେ। ବାର୍ତ୍ତାରେ ଗୋପବନ୍ଧୁଙ୍କ ସେବାର ବର୍ଣ୍ଣନା ଦେଇଥିଲେ ଗାନ୍ଧୀଜୀ। ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଅବର୍ତ୍ତମାନରେ ଗାନ୍ଧୀଙ୍କ ଲିଖିତ ଶ୍ରଦ୍ଧାଞ୍ଜଳି ପ୍ରକୃତରେ ବେଶ୍ ଭାବୋଦ୍ଦୀପକ ଥିଲା।

ଗୋପବନ୍ଧୁଙ୍କ ପାଇଁ ଗାନ୍ଧୀ ଲେଖିଥିବା ଶ୍ରଦ୍ଧାଞ୍ଜଳି ସାମାନ୍ୟ ଶୋକ ବାର୍ତ୍ତାଟିଏ ନଥିଲା। ଏହା ଥିଲା ଏକ ଚମତ୍କାର ବିଦାୟୀ ପ୍ରବନ୍ଧ। ଏହା ପୂର୍ବରୁ ଗାନ୍ଧୀଜୀ କେବେ ଏପରି ଶୋକ ପ୍ରବନ୍ଧ ଲେଖି ନଥିଲେ। ଏପରିକି ଗୋଖଲେଙ୍କ ଅକାଳ ମୃତ୍ୟୁରେ ବି ସେମିତି କୌଣସି ଲିଖିତ ଶୋକ ସନ୍ଦେଶ ନ ଥିଲା ଗାନ୍ଧୀଙ୍କର, ଯଦିଓ ଗୋଖଲେ ଥିଲେ ଗାନ୍ଧୀଙ୍କର ରାଜନୈତିକ ଗୁରୁ ଏବଂ ତାଙ୍କରି ପ୍ରେରଣାରେ ଗାନ୍ଧୀ ସବୁଦିନ ପାଇଁ ଦକ୍ଷିଣ ଆଫ୍ରିକା ଛାଡ଼ି ୧୯୧୫ ମସିହାରେ ଭାରତ ଚାଲି ଆସିଥିଲେ। ଗୋଖଲେଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ମାତ୍ର ତିନି ଧାଡ଼ିର ଲିଖିତ ଭାଷଣଟି ଦେଇ କହିଥିଲେ, “ଗୁରୁଜୀଙ୍କ ସେବାର ମୃତ୍ୟୁ ହୋଇନି। ମୃତ୍ୟୁ ହିଁ କେବଳ ମରିଛି। ଗୁରୁଜୀ ଏବେ ବି ଅଛନ୍ତି।” ଗୋପବନ୍ଧୁଙ୍କ ଦେହାନ୍ତରେ କିନ୍ତୁ ଗାନ୍ଧୀଜୀଙ୍କ ଶୋକ ସନ୍ଦେଶ ଥିଲା ଅନନ୍ୟ, ବିସ୍ତୃତ।

ପଣ୍ଡିତ ଗୋପବନ୍ଧୁଙ୍କ ଦେହାନ୍ତ ହୋଇଥିଲା ୧୯୨୮ ମସିହା ଜୁନ ୧୭ ତାରିଖ ସନ୍ଧ୍ୟାରେ। ସଂଯୋଗ କ୍ରମେ ସେଦିନ ଥିଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପୂର୍ବଦିନ, ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ। ଗୋପବନ୍ଧୁଙ୍କ ମୃତ୍ୟୁ ଖବର ଗାନ୍ଧୀଜୀ ପଣ୍ଡିତ ନୀଳକଣ୍ଠ ଦାସଙ୍କଠାରୁ ପାଇଥିଲେ। ନୀଳକଣ୍ଠ ଟେଲିଗ୍ରାମରେ ଏ ଖବର ଗାନ୍ଧୀଙ୍କୁ ଦେଇଥିଲେ। ନୀଳକଣ୍ଠଙ୍କଠାରୁ ଟେଲିଗ୍ରାମ ପାଇବା ବେଳେ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକା ପାଇଁ ଗାନ୍ଧୀଜୀ ତାଙ୍କର ନିୟମିତ ଲେଖା ଲେଖୁଥିଲେ। ପ୍ରବନ୍ଧ ଲେଖା ଅଧାରୁ ବନ୍ଦ କରି ଗାନ୍ଧୀ ଗୋପବନ୍ଧୁଙ୍କ ପାଇଁ ଶୋକବାର୍ତ୍ତା ଲେଖିଥିଲେ। ଏଇ ଶୋକବାର୍ତ୍ତା ‘ୟଙ୍ଗ୍ ଇଣ୍ଡିଆ’ରେ ପ୍ରକାଶ ପାଇଥିଲା ୧୯୨୮ ମସିହା ଜୁନ ୨୧ ତାରିଖରେ। ଶୋକବାର୍ତ୍ତାର ଶିରୋନାମା ଥିଲା ‘ଜଣେ ମହାନ ଆତ୍ମାର ବିଦାୟ’ (‘ଏ ନୋବଲ ସୋଲ୍ ଗନ୍’)।

ଗାନ୍ଧୀଙ୍କ ପାଇଁ ଖୁବ୍ ଆପଣାର ଥିଲେ ଗୋପବନ୍ଧୁ। ବୟସରେ ଗାନ୍ଧୀ ପ୍ରାୟ ଆଠ ବର୍ଷ ବଡ଼ ହୋଇଥିଲେ ବି ଗୋପବନ୍ଧୁଙ୍କୁ ସେ ଗୋପବନ୍ଧୁ ବାବୁ ବୋଲି ସମ୍ବୋଧନ କରୁଥିଲେ। ଗାନ୍ଧୀଙ୍କୁ ବେଶୀ ପ୍ରଭାବିତ କରିଥିଲା ଗୋପବନ୍ଧୁଙ୍କ ସାମାଜିକ ନିଷ୍ଠା ଓ ସରଳ ଜୀବନଯାପନ ଶୈଳୀ। ଖାସ୍ ସେଇଥିପାଇଁ ଗୋପବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଗାନ୍ଧୀ ପ୍ରଥମେ ଓଡ଼ିଶା ଭ୍ରମଣରେ ଆସିଥିଲେ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ। ଗୋପବନ୍ଧୁଙ୍କ ଖାଦ୍ୟ, ଅଳ୍ପ ଆହାର ଦେଖି ଗାନ୍ଧୀ ପ୍ରଶ୍ନ କରିଥିଲେ, ‘ଏଇ ଭାତ, ଡାଲି ଓ କିଛି ପୋଡ଼ା କିମ୍ବା ସିଝା ପରିବାର ସାମାନ୍ୟ ଖାଦ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ହାନି କରିବନି?’ ଗୋପବନ୍ଧୁ ଉତ୍ତର ଦେଇଥିଲେ, ‘ମୁଁ ସ୍ୱରାଜ ପ୍ରାପ୍ତି ପାଇଁ ଏତିକି କ’ଣ କରିପାରିବି ନାହିଁ?’ ଉତ୍ତର ଶୁଣି ଗାନ୍ଧୀ ଚୁପ୍ ହୋଇ ଯାଇଥିଲେ ଏବଂ ସ୍ୱଗତୋକ୍ତି କଲେ, ଜଣେ ବ୍ୟକ୍ତି ଯେତେବେଳେ ନିଜ କଷ୍ଟକୁ ସାମନା କରେ ଈଶ୍ୱର ତାକୁ ସହିବାକୁ ଶକ୍ତି ଦେଇଥାନ୍ତି। ଅନ୍ୟ କେହି ତାକୁ ବୁଝି ପାରିବେନି। ଗୋପବନ୍ଧୁଙ୍କୁ ନେଇ ଗାନ୍ଧୀଙ୍କ ଏଇ ଭାବନା ୧୯୨୧ ମସିହା ଏପ୍ରିଲ ୧୦ ତାରିଖ ଗୁଜୁରାଟୀ ‘ନବ ଜୀବନ’ରେ ପ୍ରକାଶ ପାଇଥିଲା।

ଗୋପବନ୍ଧୁଙ୍କ ଆକସ୍ମିକ ମୃତ୍ୟୁ ସମ୍ବାଦ ବେଶ୍ ବ୍ୟଥିତ କରିଥିଲା ଗାନ୍ଧୀଙ୍କୁ। ବାର୍ତ୍ତାରେ ଗାନ୍ଧୀ ଲେଖିଥିଲେ, “ମୁଁ ‘ୟଙ୍ଗ୍ ଇଣ୍ଡିଆ’ ପାଇଁ ମୋର ନିୟମିତ ଲେଖା ଲେଖୁଥିବା ବେଳେ ନୀଳକଣ୍ଠ ଦାସଙ୍କଠାରୁ ଟେଲିଗ୍ରାମଟିଏ ପାଇଲି। ନୀଳକଣ୍ଠ ବାବୁ ଲେଖିଥିଲେ, ସାକ୍ଷୀଗୋପାଳଠାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦେହାନ୍ତ ହୋଇଯାଇଛି। ଗୋପବନ୍ଧୁ ଦାସ ଥିଲେ ଓଡ଼ିଶାର ଜଣେ ମହାନ ବରପୁତ୍ର। ଦୁଃଖ ଓ କ୍ରନ୍ଦନର ଭୂଇଁ ଭାବେ ଓଡ଼ିଶା ଜଣା। ଗୋପବନ୍ଧୁ ବାବୁ ଓଡ଼ିଶା ପାଇଁ ତାଙ୍କର ସବୁ କିଛି ଦେଇ ଯାଇଛନ୍ତି। ଅସୀମ ତ୍ୟାଗ ସେ କରିଛନ୍ତି। ଗୋପବନ୍ଧୁ ବାବୁଙ୍କ ସ୍ବଭାବ ତଥା କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ପ୍ରଥମେ ମୁଁ ଠକର ବାପାଙ୍କ ଠାରୁ ଜାଣିଥିଲି। ୧୯୧୬ ମସିହାରେ ଓଡ଼ିଶାର ଦୁର୍ଭିକ୍ଷ ଏବଂ ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ନିମନ୍ତେ ଶ୍ରୀଯୁକ୍ତ ଠକରଙ୍କୁ ଓଡ଼ିଶା ପଠାଯାଇଥିଲା। ଅନେକ ପ୍ରତିକୂଳ ପରିସ୍ଥିତିରେ ଗୋପବନ୍ଧୁ ବାବୁ କିପରି ଦରିଦ୍ର ନାରାୟଣର ସେବା କରୁଥିଲେ ଶ୍ରୀଯୁକ୍ତ ଠକର ସବୁବେଳେ ମୋ ପାଖକୁ ଲେଖୁଥିଲେ।
ଅସହଯୋଗ ଆନ୍ଦୋଳନ ବେଳେ ଗୋପବନ୍ଧୁ ବାବୁ ତାଙ୍କ ନିଜ ଓକିଲାତି ଏବଂ ଓଡ଼ିଶା ବିହାର ବିଧାନ ପରିଷଦର ସଭ୍ୟ ପଦ ପରିତ୍ୟାଗ କରିଦେଇଥିଲେ। ଏ ପଦ ପୁଣି ପାଇବାକୁ ଆଉ କେବେ ସେ ଆଗ୍ରହୀ ନ ଥିଲେ। ସତ୍ୟବାଦୀ ସ୍କୁଲ ତାଙ୍କର ଏକ ଆଦରଣୀୟ ଅନୁଷ୍ଠାନ ଥିଲା। ସ୍କୁଲର ସ୍ଥାୟିତ୍ୱ ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ, ଯଦିଓ ତାଙ୍କର କିଛି ପାଖ ବନ୍ଧୁ ତାଙ୍କୁ ନିରୁତ୍ସାହିତ କରୁଥିଲେ। ଏହା ଏକ ତ୍ରୁଟି ବୋଲି ସେମାନେ କହୁଥିଲେ। ନିଜ ଆତ୍ମମର୍ଯ୍ୟାଦା ପାଇଁ ବେଶୀ ସଚେତନ ଥିଲେ ପଣ୍ଡିତ ଗୋପବନ୍ଧୁ ଦାସ। ଖଣ୍ଡ ବିଖଣ୍ଡିତ ହୋଇ ରହିଥିବା ଉତ୍କଳକୁ ଏକତ୍ର କରି ଏକ ସ୍ୱତନ୍ତ୍ର ଓଡ଼ିଶା ଦେଖିବାକୁ ଏକ ଅହେତୁକ ଇଚ୍ଛା ଥିଲା ଗୋପବନ୍ଧୁ ବାବୁଙ୍କର। ସେ ଅବଶ୍ୟ ଟିକିଏ ବିଳମ୍ବରେ ଲାଲା ଲାଜପତ ରାୟଙ୍କ ସୋସାଇଟିର ସଭ୍ୟ ହୋଇଥିଲେ। ବାତ୍ୟା ବିଧ୍ୱସ୍ତ ଓଡ଼ିଶାର ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଖଦିକୁ ଏକ ସାଧନ ଭାବେ ବ୍ୟବହାର କରିବାକୁ ସେ ଯୋଜନା ପ୍ରସ୍ତୁତ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିୟୋଗରେ ଏ ଦେଶ ଆହୁରି ଦରିଦ୍ର ହୋଇଗଲା। ଯଦିଓ ସଶରୀରେ ସେ ଆମ ଗହଣରେ ନାହାନ୍ତି, ତାଙ୍କ ଆତ୍ମା କିନ୍ତୁ ଆମ ପାଖେ ପାଖେ ଘୂରି ବୁଲୁଛି। ତାଙ୍କର ଏ ପବିତ୍ର ଆତ୍ମା ଆମ କର୍ମୀମାନଙ୍କୁ ଦିଗ୍‌ଦର୍ଶନ ଦେଉ। ସେ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଯାଆନ୍ତୁ। ବିଛାଡ଼ି ହୋଇ ପଡ଼ିଥିବା କର୍ମୀମାନଙ୍କ ମଧ୍ୟରେ ଏକତା ଆସୁ। ପ୍ରକୃତରେ ଦେଶ ଓ ଜନସେବା ପାଇଁ ଆମ ପାଖରେ ଆବଶ୍ୟକ ହେଉଥିବା କର୍ମୀମାନଙ୍କଠାରୁ କମ୍ କର୍ମୀ ଅଛନ୍ତି।

ଦିବଂଗତ ଆତ୍ମା ପ୍ରତି ମୁଁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଗୋପବନ୍ଧୁ ବାବୁଙ୍କ ପରିବାର ତଥା ତାଙ୍କର ସମସ୍ତ ଆତ୍ମୀୟ ଏବଂ ସମ୍ପର୍କୀୟଙ୍କ ପ୍ରତି ମୁଁ ମୋର ସମବେଦନା ଜ୍ଞାପନ କରୁଛି।”
ବାସ୍ତବରେ ଗାନ୍ଧୀଜୀଙ୍କ ଏହି ଶୋକବାର୍ତ୍ତରେ ଗୋପବନ୍ଧୁ ଦାସଙ୍କ ଜୀବନୀର ସାରାଂଶ ଉଲ୍ଲେଖ ଥିଲା। ଗୋପବନ୍ଧୁଙ୍କ ପ୍ରତି ଗାନ୍ଧୀଜୀଙ୍କ ଆତ୍ମିକ ଭାବନାର ଏକ ନିଚ୍ଛକ ଅବତାରଣା ମଧ୍ୟ ଥିଲା ଏଥିରେ। ଗାନ୍ଧୀ ଲେଖିଥିବା ଅଳ୍ପ କିଛି ଶୋକାବାର୍ତ୍ତାମାନଙ୍କ ଭିତରେ ଗୋପବନ୍ଧୁଙ୍କ ଦେହାନ୍ତରେ ଗାନ୍ଧୀଜୀ ଲେଖିଥିବା ଏ ଶୋକବାର୍ତ୍ତା ଏକ ଅବିସ୍ମରଣୀୟ ଶୋକଲେଖ (ଅବିଚୁଆରି) ବୋଲି ଗ୍ରହଣ କରାଯାଏ।
(ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥି ଉପଲକ୍ଷେ)
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର