ଐତିହ୍ୟର ନିର୍ମାଣ

ଭାରତୀୟ ରାଷ୍ଟ୍ରବାଦ - ଲୋକ କ୍ଷେତ୍ର: ହର ପ୍ରସାଦ ଦାସ

ଐତିହ୍ୟ କାହାର? ଅତୀତ ଉପରେ କାହାର ଅଧିକାର? ଏ ପ୍ରଶ୍ନର ଉତ୍ତର ନିର୍ଭର କରୁଚି ସଭ୍ୟତା ଓ ଇତିହାସର ଜୈବଧର୍ମ ଉପରେ। ୟୁନେସ୍କୋର ଅଜସ୍ର ଦସ୍ତାବିଜ, ବାର୍ତ୍ତା ବିନିମୟ, ପ୍ରଣାଳୀ ଓ ପ୍ରୋଟୋକୋଲ ମାନଙ୍କରେ ସଭ୍ୟତା ଓ ଇତିହାସକୁ ଦତ୍ତ ପଦାର୍ଥ ଭାବରେ ଚିନ୍ତା କରାଯାଇଚି, ଅର୍ଥାତ୍‌ ସଭ୍ୟତା ଓ ଇତିହାସ କାଳପ୍ରବାହର ପରିଚୟ ଭାବରେ ଚିହ୍ନିତ ହୋଇଚନ୍ତି। କିନ୍ତୁ ଇତିହାସ ଓ ସଭ୍ୟତା ଏ ଦୁଇଟି ଯାକ ତତ୍ତ୍ବ କିଭଳି ଭାବରେ ଗୋଟିଏ ଲୋକ ସ˚ପ୍ରଦାୟର ଜୀବନରେ ବା ଜୀବକୋଷରେ ପ୍ରବେଶ କରନ୍ତି ତା’ର ଆଲୋଚନା କରାଯାଇନାହିଁ।

ଲେଭି ଷ୍ଟ୍ରାଉସ୍‌ ‘ଗଭୀର ସ˚ରଚନା’ (ଡିପ୍‌ ଷ୍ଟ୍ରକ୍‌ଚର)ର ଆଲୋଚନା କଲାବେଳେ ସଭ୍ୟତା ଓ ଇତିହାସର ଜୈବଧର୍ମର ପାଖାପାଖି ଆସିଯାଇଥିଲେ, କିନ୍ତୁ ଜଣେ ନୃତତ୍ତ୍ବବିଦ୍‌ ଭାବରେ ତାଙ୍କର ଆଗ୍ରହ ସିଧାସଳଖ ଇତିହାସ ବା ସଭ୍ୟତା ସହିତ ମଣିଷର ସ˚ପର୍କରେ ନ ଥିଲା, ସେ ଲୋକ ସ˚ପ୍ରଦାୟରେ ଚୈତନ୍ୟ ନିର୍ମାଣର ଚିତ୍ରଗୁଣକୁ ଉଜାଗର କରିବାରେ ଆଗ୍ରହୀ ଥିଲେ। ଭାରତୀୟ ରାଷ୍ଟ୍ରବାଦର ପ୍ରସଙ୍ଗ ଆଲୋଚନା ବେଳେ ଏ ପ୍ରସଙ୍ଗକୁ ଉତ୍‌ଥାପିତ କରୁଚି ଏଇଥିପାଇଁ ଯେ ଭାରତୀୟଙ୍କ ଇତିହାସ ଓ ଐତିହ୍ୟ ବିଚାର ଦୁଇଟିଯାକରେ ଗୋଟିଏ ଜୈବଗୁଣ ଅଛି ଯାହା ରାଷ୍ଟ୍ରର ଅନୁମାନରେ ରହିବା ଜରୁରୀ। ଅନ୍ୟ ଭାବରେ କହିଲେ ରାଷ୍ଟ୍ର କେବଳ ଇତିହାସ ବା ଐତିହ୍ୟର ଦ୍ରଷ୍ଟା ନୁହେଁ, ରାଷ୍ଟ୍ରର ଅଧିକାର ବି ଅଛି। ରାଷ୍ଟ୍ରର ଏ ଅଧିକାର ଅଛି ଯେ ଉଭୟ ଇତିହାସ ଓ ଐତିହ୍ୟର ସୁରକ୍ଷା ଓ ପରିଚାଳନା ପାଇଁ ସେ କର୍ମଧାରା ଓ ନୀତି ନିର୍ଦ୍ଦେଶିକା ପ୍ରଣୟନ କରିପାରିବ। ଏ ଅଧିକାର ରାଜନୈତିକ ନୁହେଁ। କିନ୍ତୁ ଭାରତୀୟ ସଭ୍ୟତା ଓ ଇତିହାସର ତର୍ଜମା କରିଥିବା ବିଦ୍ବାନମାନେ ଜାଣନ୍ତି ଯେ ଭାରତରେ କାହିଁ କେଉଁ ପ୍ରାଚୀନ କାଳରୁ, ଅନ୍ତତଃ ଦଶମ-ଏକାଦଶ ଶତାବ୍ଦୀ ଠାରୁ ଶାସକମାନେ ଉଭୟ ଇତିହାସ ଓ ଐତିହ୍ୟକୁ ରାଜନୈତିକ ଉପାଦାନ ଭାବରେ ଗ୍ରହଣ କରିଚନ୍ତି।

ବର୍ତ୍ତମାନର ସବୁଠୁ ବଡ଼ ପ୍ରାସଙ୍ଗିକ ଉଦାହରଣ ଜ୍ଞାନବାପିର। ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମିଥକୀୟ ବିକ୍ରମାଦିତ୍ୟଙ୍କ ସମୟରୁ ସ୍ବାଧୀନ ଭାରତ ପର୍ଯ୍ୟନ୍ତ କାହିଁ କେତେକାଳର ଐତିହାସିକ ବିବର୍ତ୍ତନରେ ଏକ ଧର୍ମୀୟ-ସା˚ସ୍କୃତିକ-ରାଜନୈତିକ ଭଙ୍ଗାଗଢ଼ା ଭିତର ଦେଇ ଆଜି ସର୍ବୋଚ୍ଚ ନ୍ୟାୟାଳୟ ସାମ୍ନାରେ। ଜ୍ଞାନବାପି ଅର୍ଥାତ୍‌ ଜ୍ଞାନକୂପ ଏବେ ବି ଅଛି, ଏବେବି ୟାର ଜଳ ହିନ୍ଦୁଙ୍କ ପାଇଁ ପବିତ୍ର। ସେଇଠି ମନ୍ଦିର ଭାଙ୍ଗି ମସ୍‌ଜିଦ୍‌ ଓ ମସ୍‌ଜିଦ୍‌ ଭାଙ୍ଗି ମନ୍ଦିର ଗଢ଼ିବାର ବହୁ ନିଷ୍ପତ୍ତି ଭିତର ଦେଇ ଆସିବା ଭିତରେ ପ୍ରାଚୀନ ବିଶ୍ବେଶ୍ବର ଶିବମନ୍ଦିର, ଆଲମଗିରି ମସ୍‌ଜିଦ୍‌ରେ କିଭଳି ବଦଳିଲା ଓ ସବୁ ନାଁ ଲିଭିଗଲା ପରେ ଏ ଜ୍ଞାନବାପି ନାଁଟି କିଭଳି ରହିଗଲା, ସେଇଠି ରହିଲା ଐତିହ୍ୟର ଜୈବଗୁଣ।

ଏକଥା ସର୍ବଜନବିଦିତ ଯେ ସବୁ ଧର୍ମମାନଙ୍କର ପ୍ରାର୍ଥନାସ୍ଥଳଗୁଡ଼ିକ ସେହି ଧର୍ମାବଲମ୍ବୀଙ୍କ ଲୋକକ୍ଷେତ୍ର, ସେଗୁଡ଼ିକ ବ୍ୟକ୍ତିଗତ କ୍ଷେତ୍ର ନୁହନ୍ତି। ସେଇଠି ସନାତନୀ ଆର୍ଯ୍ୟ ବା ହିନ୍ଦୁମାନଙ୍କର ପ୍ରାର୍ଥନାସ୍ଥଳଗୁଡ଼ିକ ସାର୍ବଜନୀନ ଲାଗୁଥିଲେ ବି ସବୁ ପ୍ରାର୍ଥନାକାରୀଙ୍କର ବ୍ୟକ୍ତିକ୍ଷେତ୍ର ବି! ଆରାଧୢ ଇଷ୍ଟ ଦେବତା ଗୃହଦେବତା ହୋଇ ହିନ୍ଦୁ ଘରେ ପୂଜା ପାଆନ୍ତି ଓ ସାର୍ବଜନୀନ ପୂଜାସ୍ଥଳରେ ତାଙ୍କର ବୃହତ୍‌ ରୂପର ଆନୁଷ୍ଠାନିକତା ଚାକ୍ଷୁଷ କରାଯାଏ। ହିନ୍ଦୁ ଦେବଦେବୀ ସେହି ଧର୍ମାବଲମ୍ବୀଙ୍କର ଜୈବ ପ୍ରକୃତିର ଅ˚ଶ ହୋଇଯାଆନ୍ତି।

ଯେ ପର୍ଯ୍ୟନ୍ତ ଗୋଟିଏ ଧର୍ମୀୟ, ସା˚ସ୍କୃତିକ ବା ସା˚ପ୍ରଦାୟିକ ଐତିହ୍ୟ ଲୋକଚେତନାର ଜୀବକୋଷରେ ପରିଣତ ହୋଇନାହିଁ, ସେ ପର୍ଯ୍ୟନ୍ତ ସେ ଐତିହ୍ୟ ରାଷ୍ଟ୍ର ନିର୍ମାଣରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ ନାହିଁ। ଭାରତୀୟ ପରିପ୍ରେକ୍ଷୀରେ ମୁଁ ମୋ ଧର୍ମର ଐତିହ୍ୟ କଥା କହେଁ। ଜନ୍ମ ହେବା ସହିତ ଦେବଦେବୀ ଓ ସେମାନଙ୍କର ଅଲୌକିକ ଐଶ୍ବର୍ଯ୍ୟ ସହିତ ମୋର ଜୈବ ସ˚ପର୍କ। ମୋର ଧର୍ମଧାରଣା ଏକ ଜୈବ ନିର୍ମାଣ, ଅର୍ଗାନିକ୍‌ କନ୍‌ଷ୍ଟ୍ରକ୍‌ସନ୍‌। କହିପାରନ୍ତି ଯେ ଆର୍ଯ୍ୟ, ସନାତନୀ ହିନ୍ଦୁଙ୍କର ଆସ୍ଥା ରୂପରେ ପୌତ୍ତଳିକତା ଓ କଳ୍ପନାଶୀଳ ଐଶ୍ବର୍ଯ୍ୟର ବିସ୍ତାର, ଶକ୍ତି, ଅପଶକ୍ତି, ସୃଜନ ଓ ସ˚ହାରର ଭାଷାରେ ମୋର ଅସ୍ତିତ୍ବ ନିର୍ମିତ ହୋଇଚି। ଏଥିରେ ତର୍କ ନାହିଁ କି ବିଭେଦ ନାହିଁ। ତେଣୁ ହିନ୍ଦୁଙ୍କ ପାଇଁ ଗୋଟିଏ ମନ୍ଦିର ବା ଦେବାଳୟ ଏକ ଜୀବନ୍ତ ଐତିହ୍ୟ। ନିଶାର୍ଦ୍ଧରେ, ମନ୍ଦିର ପହଡ଼ ପଡ଼ିଲା ପରେ ମନ୍ଦିର ବେଢ଼ାରେ ଦେବଦେବୀଙ୍କର ଆତଯାତ ବିଷୟରେ ଲୋକମୁଖରେ ପ୍ରଚାରିତ ଅସ˚ଖ୍ୟ କଥା, କୁସ˚ସ୍କାରର ଉପଜ ନୁହନ୍ତି, ବର˚ ମାନବୀୟ କଳ୍ପନାର ଜୈନ ଅଭିବ୍ୟକ୍ତି।

ବିବିଧ ଅଦୃଶ୍ୟ ଶକ୍ତି ଓ ଅପଶକ୍ତିରେ ବିଶ୍ବାସ କରୁଥିବା ଆଉ କୌଣସି ଧର୍ମରେ ଏ ଅଭିବ୍ୟକ୍ତି ନାହିଁ। ସନାତନୀ ହିନ୍ଦୁ ଧର୍ମ ଏକମାତ୍ର ଏଭଳି ଧର୍ମ ଯାହାର ଐତିହ୍ୟ ହଜାର ହଜାର ବର୍ଷର ଜୈବ ସ˚ରଚନାର ପରିଣତି। ସ୍ମରଣରେ ରହୁ ଯେ ସନାତନୀ ହିନ୍ଦୁଙ୍କ ଶାସ୍ତ୍ର ୟାକୁ ଗଢ଼ି ନାହିଁ ବା କୌଣସି ପୁରାଣ ୟାକୁ ଗଢ଼ି ନାହିଁ। ଇଏ ଅନ୍ତତଃ ପାଞ୍ଚ ହଜାର ବର୍ଷର ଆସ୍ଥା-ବିବର୍ତ୍ତନର ଜୈବ ପରିଣତି। ଏଠି ମୋର ବକ୍ତବ୍ୟ ମାତ୍ର ଏତିକି ଯେ ଭାରତୀୟ ରାଷ୍ଟ୍ରର ‘ବହୁସ˚ଖ୍ୟକ ହିନ୍ଦୁ’ ରାଷ୍ଟ୍ରକୁ ଏକ ଜୈବ ଚରିତ୍ର ଦେଇଚନ୍ତି, ଯାହାକୁ ଧର୍ମ ନିରପେକ୍ଷତା ଅସ୍ବୀକାର କରେ ନାହିଁ। ଅର୍ଥାତ୍‌ ବହୁସ˚ଖ୍ୟକ ହିନ୍ଦୁଙ୍କ ଆରାଧନାର ସ୍ବାଧୀନତା, ଅଳ୍ପ ସ˚ଖ୍ୟକଙ୍କ ଆରାଧନାର ସ୍ବାଧୀନତା ଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ନ ହେଲେ ମଧୢ ସ୍ବୀକାର କରିବାକୁ ହେବ ଯେ ହିନ୍ଦୁଙ୍କ ଧର୍ମାନୁଷ୍ଠାନ ଓ ଧର୍ମପୀଠଗୁଡ଼ିକର ବିଶାଳତା ଓ ପ୍ରାଚୀନତା ସହିତ ଜୈବ ଚରିତ୍ର, ସେଗୁଡ଼ିକୁ ରାଷ୍ଟ୍ରୀୟ ଚରିତ୍ର ପ୍ରଦାନ କରିଚନ୍ତି। ଏହି ପରିପ୍ରେକ୍ଷୀରେ ଭାରତରେ ପ୍ରାଚୀନତମ ଆସ୍ଥାପୀଠ ବା ଧର୍ମପୀଠ ଗୁଡ଼ିକର ସୁରକ୍ଷା, ନିୟନ୍ତ୍ରଣ, ଆଧୁନିକୀକରଣ ଓ ସ୍ବାୟତ୍ତତା ନେଇ ବିବିଧ ବିବାଦ ଅତୀତରେ ଉପୁଜିଥିଲା, ଏବେ ମଧୢ ଚାଲିଚି।

ଏ ବିଷୟରେ ଗଣମାଧୢମରେ ଯେଉଁ ଆଲୋଚନା ଗୁଡ଼ିକ ଆମେ ଶୁଣୁଚେ ସେଥିରେ ବିଦ୍ବାନମାନେ କାହିଁକି କେଜାଣି ସତ୍ୟକୁ ସାମ୍ନା କରିବା ପାଇଁ ଭୟ କରୁଚନ୍ତି ବା ଅନ୍ୟ ଭାବରେ କହିଲେ ଭାରତର ସନାତନୀ ଧର୍ମୀୟ ଐତିହ୍ୟ ଏକ ଜୈୖବ ସ˚ରଚନା, ଏ କଥା ସ୍ବୀକାର ନ କରି ତାତ୍କାଳିକ ରାଜନୀତିର କଥା କହୁଚନ୍ତି। ଐତିହ୍ୟ ଏକ ରାଷ୍ଟ୍ର ସମ୍ପତ୍ତି ଓ ନିର୍ଣ୍ଣାୟକ ରାଷ୍ଟ୍ରଧର୍ମର ଉପାଦାନ, ଇଏ ତାତ୍କାଳିକ ରାଜନୀତିର ବିଷୟ ନୁହେଁ।

ୟୁନେସ୍କୋର ‘ବିଶ୍ବ ଐତିହ୍ୟ କନ୍‌ଭେନ୍‌ସନ୍‌’ ୧୯୭୨ରେ ସଦସ୍ୟ ରାଷ୍ଟ୍ରଙ୍କ ସହମତିରେ ଆନ୍ତର୍ଜାତିକ ନିୟମ ବା ବ୍ୟବସ୍ଥାରେ ପରିଣତ ହେଲା ଓ ୧୯୭୬ରୁ ଏପର୍ଯ୍ୟନ୍ତ ଗୋଟିଏ ‘ବିଶ୍ବ ଐତିହ୍ୟ କମିଟି’ ଓ ଗୋଟିଏ ‘ବିଶ୍ବ ଐତିହ୍ୟ ପାଣ୍ଠି’ ଏହାରି ଅନ୍ତର୍ଗତ କାର୍ଯ୍ୟ କରି ଆସୁଚନ୍ତି। ୨୦୨୧ ପର୍ଯ୍ୟନ୍ତ ଗାଇଡ୍‌ଲାଇନ୍‌ର ମୂଳ ପାଠରେ ବହୁ ନୂଆ ଦୃଷ୍ଟିକୋଣ ସମ୍ମିଳିତ ହୋଇଚନ୍ତି ଓ ସେଥିରେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥାଟିକୁ କୌଣସି କାରଣରୁ ଅସ୍ପଷ୍ଟ କରି ରଖାଯାଇଛି। ଆନ୍ତର୍ଜାତିକ ରାଜନୀତି ସେଥିପାଇଁ ଦାୟୀ ହୋଇପାରେ, କିନ୍ତୁ ଆମ ଭଳି ସାଧାରଣ ନାଗରିକଙ୍କ ଦୃଷ୍ଟିରେ ସେ ପାଠର ଆଲୋଚନା ଜରୁରୀ, କାରଣ ଏହି ପାଠଟି ଯୋଗୁ ଭାରତୀୟ ରାଷ୍ଟ୍ରର ସଭ୍ୟତାଗତ ଓ ଆସ୍ଥାଗତ ଐତିହ୍ୟର ସୁରକ୍ଷା ନେଇ ବିବିଧ ଅସ୍ପଷ୍ଟତା ଦେଖାଦେଇଚି।

ଐତିହ୍ୟର ସୁରକ୍ଷା ପାଇଁ ୟୁନେସ୍କୋର ଗାଇଡ୍‌ଲାଇନ୍‌ରେ ଗୋଟିଏ ବଡ଼ ପ୍ରସଙ୍ଗ: ବିଶ୍ବ ଐତିହ୍ୟ କାହାକୁ କରିବା? ଏ ଗାଇଡ୍‌ଲାଇନ୍‌ ଅନୁସାରେ ବିବିଧ ପ୍ରାକୃତିକ, ଭୌଗୋଳିକ, ମାନବ ନିର୍ମିତ, ପ୍ରକୃତିଦତ୍ତ, ବିବିଧତା ଓ ବିସ୍ମୟ ଉଦ୍ରେକକାରୀ ସନ୍ତକମାନଙ୍କ ମଧୢରେ ଅଛନ୍ତି ଏଭଳି କିଛି ସା˚ସ୍କୃତିକ ଆସ୍ଥା-ସଙ୍କେତ ‘ଆଉଟ୍‌ଷ୍ଟାଣ୍ତି˚ ୟୁନିଭର୍ସାଲ୍‌ ଭାଲ୍ୟୁ’ର ବାହକ। ‘ଆଉଟ୍‌ଷ୍ଟାଣ୍ତି˚ ୟୁନିଭର୍ସାଲ୍‌ ଭାଲ୍ୟୁ’ ଅର୍ଥାତ୍‌ ଅପ୍ରତିମ ସାର୍ବଜନୀନ ମୂଲ୍ୟବୋଧ କେବଳ ପ୍ରାକୃତିକ ବା ଭୌଗୋଳିକ ବିବିଧତା ବା ବୈଚିତ୍ର୍ୟ ନୁହନ୍ତି, ସା˚ସ୍କୃତିକ ଓ ମାନବୀୟ ମଧୢ ହୋଇପାରନ୍ତି। ଅପ୍ରତିମ ସାର୍ବଜନୀନ ମୂଲ୍ୟବୋଧର ବିଚାର ପାଇଁ ପ୍ରଦତ୍ତ ଗାଇଡ୍‌ଲାଇନ୍‌ର ଷଷ୍ଠ ନିର୍ଦ୍ଦେଶିକାର ଅନୁବାଦ ଏହିପରି ହେବ:

‘‘(୬) ଏଭଳି କିଛି ସନ୍ତକ ଯାହା ପ୍ରତ୍ୟକ୍ଷ ଭାବରେ ବା ପରୋକ୍ଷ ଭାବରେ ଏଭଳି କିଛି ଘଟଣା ବା ଜୀବନ୍ତ ପର˚ପରା ବା ବିଚାରଧାରା ବା ଆସ୍ଥାଧାରା ସହିତ ସ˚ପୃକ୍ତ ଥିବ, ଯାହାର ପ୍ରମାଣ ସାହିତ୍ୟ ଓ କଳାରେ ପ୍ରତିଭାତ ହେଉଥିବ ଓ ଯାହାର ସାର୍ବଜନୀନ ମୂଲ୍ୟବୋଧ ଥିବ, ସେଭଳି ସନ୍ତକ ବିଶ୍ବ ଐତିହ୍ୟରେ ସାମିଲ ହୋଇପାରିବ। କିନ୍ତୁ ଏଥିସହିତ ଅନ୍ୟ ଗାଇଡ୍‌ଲାଇନ୍‌ ଗୁଡ଼ିକର ସର୍ତ୍ତ ବି ପୂରଣ ହେଉଥିବ।’’
ୟାର ଅର୍ଥ ହେଲା ଏଇ ଯେ ‘ଜଗନ୍ନାଥ ମନ୍ଦିର ଓ ପୁରୀ’ କସ୍ମିନ୍‌କାଳେ ବିଶ୍ବ ଐତିହ୍ୟରେ ସାମିଲ ହୋଇପାରିବେ ନାହିଁ। ସ୍ମରଣରେ ରହୁ ଯେ କୋଣାର୍କ ବିଶ୍ବ ଐତିହ୍ୟରେ ସାମିଲ ହେବାର କାରଣ ସା˚ସ୍କୃତିକ ନୁହଁ ସ୍ଥାପତ୍ୟଗତ। ସା˚ସ୍କୃତିକ ଆସ୍ଥାପୀଠ ବା ପ୍ରାଚୀନ କାଳରୁ ବିବର୍ତ୍ତିତ ହୋଇ ହୋଇ ଏ ପର୍ଯ୍ୟନ୍ତ ବ˚ଚିଥିବା ପର˚ପରା (ଜୀବନ୍ତ ପର˚ପରା) ୟୁନେସ୍କୋର ‘ହେରିଟେଜ୍‌ ତାଲିକା’ରେ ଆସିବ କୋଉଠୁ? ଭାରତୀୟ ସଭ୍ୟତାର ଆସ୍ଥାପୀଠ ଗୁଡ଼ିକୁ ସା˚ସ୍କୃତିକ ପୀଠ ନ କହି ଧର୍ମପୀଠ ବୋଲି କହିବା ହେତୁ ଏଗୁଡ଼ିକ ବିଶ୍ବ ଐତିହ୍ୟରେ ପ୍ରବେଶ କରିପାରିଲେ ନାହିଁ। ‘ଜଗନ୍ନାଥ’ ଏକ ଠାକୁର ନୁହନ୍ତି, ସେ ଏକ ଧର୍ମର ନାମ, ଏକ ସ˚ସ୍କୃତିର ନାମ ଓ ଏକ ବିଶେଷ ସଭ୍ୟତାର ନାମ। ଏଥିପାଇଁ ସାହିତ୍ୟ ଓ ସା˚ସ୍କୃତିକ ରଚନାର ଅଭାବ ନାହିଁ। ଜଗନ୍ନାଥଙ୍କୁ ନେଇ ଏକ ସମ୍ପୂର୍ଣ୍ଣ ସଭ୍ୟତାର ନକ୍‌ସା ନିର୍ମାଣ କରାଯାଇପାରେ। ବିଶିଷ୍ଟ ବିଦ୍ବାନମାନେ ତାହା କହିଚନ୍ତି। କିନ୍ତୁ ତାହା ବିଶ୍ବ ଐତିହ୍ୟ ବିବେଚକଙ୍କ ସମ୍ମୁଖରେ ଉପସ୍ଥାପିତ ହୋଇନାହିଁ।

ଐତିହ୍ୟର ଯୋଡ଼ିଏ ଉପାଦାନ: ବ୍ୟାଖ୍ୟାନ ଓ ବିନ୍ୟାସ। ଅର୍ଥାତ୍‌ ନ କହିବା ଯାଏଁ ଐତିହ୍ୟ ନାହିଁ ବା ବିନ୍ୟାସ ନ ଦେଖେଇବା ଯାଏଁ ତା’ର ରଚନା ନାହିଁ। କଥା ଅତି ସହଜ, କିନ୍ତୁ ୟାର ସିଧାସଳଖ ଆଲୋଚନା ଲୋକକ୍ଷେତ୍ରରେ ହୋଇନାହିଁ। ଆମେ ‘ଜଗନ୍ନାଥ’ଙ୍କୁ ଓ ପୁରୀକୁ ବ୍ୟାଖ୍ୟାନର ଆଲୋକରେ ବିଶ୍ବସ୍ତରୀୟ କରିପାରନ୍ତେ, କିନ୍ତୁ କରିନାହେଁ। ସେହିଭଳି ‘ଜଗନ୍ନାଥ-ପୁରୀ’ର ବିନ୍ୟାସକୁ ତା’ର ମୌଳିକ ସ୍ବଭାବରେ ସୁରକ୍ଷିତ କରି ଆମେ ୟାକୁ ବିଶ୍ବସ୍ତରୀୟ ସା˚ସ୍କୃତିକ ଲୋକକ୍ଷେତ୍ର ବୋଲି କରିପାରିଥା’ନ୍ତେ, କିନ୍ତୁ ତାହା କରିପାରିନାହେଁ। ଏବେ ଶ୍ରୀମନ୍ଦିର ଚାରିଆଡେ଼ ପରିକ୍ରମା ନିର୍ମାଣକୁ ନେଇ ଯେଉଁ ବିବାଦ ସହିତ ଆମେ ରାଜନୈତିକ ସ୍ତରରେ ଏତେ ଯୁଝୁଚେ, ସେ ବିବାଦ କ’ଣ ପ୍ରକୃତରେ ରାଜନୈତିକ? ନା, ସେ ବିବାଦ ବୌଦ୍ଧିକ, ବିଧାରଧାରାଗତ; ଯାହାକୁ ଆମେ ଉପଯୁକ୍ତ ମର୍ଯ୍ୟାଦା ଦେଇପାରିନାହେଁ।

ଜଗନ୍ନାଥ ମନ୍ଦିର ପରିକ୍ରମା ନୁହଁ, ସମଗ୍ର ପୁରୀ ସହରକୁ ଆନ୍ତର୍ଜାତିକ ବା ବିଶ୍ବ ଐତିହ୍ୟର ସନ୍ତକ ଭାବରେ ଗଢ଼ିବାର ଯୋଜନା କରିଥିଲେ ଓଡ଼ିଶା ସରକାର ୨୦୧୬ରେ। ୨୦୧୯ରେ ପୁରୀ ସହରର ବିକାଶ ପାଇଁ ଏକ ଐତିହ୍ୟ ନିର୍ମାଣ ବ୍ଲୁ ପ୍ରିଣ୍ଟ୍‌ ବି ଉଦ୍‌ଘାଟିତ ହେଲା। ପୁରୀ ସହରରେ ନୂଆ ନିର୍ମାଣ କରି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର କଳ୍ପନା ‘ବିଶ୍ବ ଐତିହ୍ୟ’ର ନୁହେଁ, ପର୍ଯ୍ୟଟନର ବାଣିଜ୍ୟିକ ପରିଯୋଜନାର। ବ୍ଲୁ ପ୍ରିଣ୍ଟ୍‌ ନିର୍ମାଣ ପୂର୍ବରୁ ଦାୟିତ୍ବସ˚ପନ୍ନ ବ୍ୟକ୍ତିମାନେ ବିଶ୍ବ ଐତିହ୍ୟ ଗାଇଡ୍‌ଲାଇନ୍‌ ଦେଖିବାର ଥିଲା। ଏ ଗାଇଡ୍‌ଲାଇନ୍‌ ଅନୁସାରେ ଉଚିତ ହୋଇଥା’ନ୍ତା, ଯଦି ପୁରୀ ବା ନୀଳାଚଳକୁ କେନ୍ଦ୍ରରେ ରଖି ଦଶ କିଲୋମିଟର ଦୂରରୁ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ କରାଯାଇ ପୁରୀର ପ୍ରାଚୀନତା ଓ ଜଗନ୍ନାଥଙ୍କୁ ଅକ୍ଷୁଣ୍ଣ ଛାଡ଼ି ଦିଆଯାଇଥା’ନ୍ତା।

ହଁ, ଆମେ ବଡ଼ଦାଣ୍ତର ଧୂଳି ଦେଖେଇଥା’ନ୍ତେ, ଗୁଡ଼ିଆ ଚୁଲିର ଧୂଆଁ ଦେଖେଇଥା’ନ୍ତେ, ସିନ୍ଦୂର କଲି ମାରି ହେଣ୍ଟାଳ ମାରୁଥିବା ଷଣ୍ଢ ଦେଖେଇଥା’ନ୍ତେ, ଶିପଙ୍ଗମୁକାର ବଜାର ଦେଖେଇଥା’ନ୍ତେ, ଆବର୍ଜନା ସଫା କରି ଦରିଦ୍ର କିନ୍ତୁ ଜଗନ୍ନାଥ ପ୍ରାଣ ଭକ୍ତର ଗୁହାରି ଦେଖେଇଥା’ନ୍ତେ। ଜଗନ୍ନାଥ ସ˚ସ୍କୃତିକୁ ସାହିରେ ଓ ମଠରେ ବ˚ଚେଇ ଥା’ନ୍ତେ। ପୁରୀରେ ପ୍ରତି ସାହିରେ ସ˚ସ୍କୃତି, ପ୍ରତି ଘରେ ଗୋଟେ ପର˚ପରା, ଗୋଟେ ଅଲଗା ବୋଲି। ଦାଣ୍ତବୋଲି ଓ ଘରବୋଲି ଅଲଗା। ସେବାୟତମାନେ ପୁଣି ଠାକୁରଙ୍କ କୁଟୁମ୍ବ, ଠାକୁରଙ୍କ ମରଣ ହୁଏ, କୁଟୁମ୍ବର ଲୋକେ ଶୁଦ୍ଧ ହୁଅନ୍ତି। ୟାର ବ୍ୟାଖ୍ୟାନ ଓ ବିନ୍ୟାସ ଅଧିକ ଲୋଡ଼ା ଥିଲା। କେବଳ ଖୋଳି ପକେଇବାର କଣ୍ଟ୍ରାକ୍‌ଟରି ନିଷ୍ପତ୍ତି ସରକାରଙ୍କର ବିପୁଳ ଭବିଷ୍ୟତ ଦୃଷ୍ଟିର ଅନୁକୂଳ ନୁହେଁ। ସରକାର ଚାହିଁଥିଲେ ପୁରୀ ବିଶ୍ବ ଐତିହ୍ୟ ହେଉ। ୟାକୁ ପର୍ଯ୍ୟଟନ ପରିଯୋଜନାରେ ପରିଣତ କଲା କିଏ?

ଠିକ୍‌ କୋଇଠି ଗୋଟେ ଗ୍ରାଣ୍ତ୍‌ ଭିଜନ୍‌ ନଷ୍ଟ ହୋଇଗଲା, ସେଥିପାଇଁ କିଏ ଦାୟୀ? ସରକାର ତାଙ୍କ ନିଜ ସ୍ବପ୍ନ ଧ୍ବ˚ସ ହେବାର ଏ ଦୃଶ୍ୟ ପାଇଁ ଦାୟୀ କରିବାକୁ ଚାହିଁଲେ କେବଳ ୨୦୧୬ର ପ୍ରୋଜେକ୍‌ଟ ରିପୋର୍ଟ ଓ ୨୦୧୯ ପରର କର୍ମସୂଚି ତୁଳନା କରି ଦେଖିପାରିବେ। ବିସ୍ମୟର କଥା ଯେ କେନ୍ଦ୍ର ସରକାର ‘ବିଶ୍ବ ଐତିହ୍ୟ ପ୍ରୋଜେକ୍ଟ’ରେ ହସ୍ତକ୍ଷେପ ନ କରି ୟାକୁ ଚର୍ଚ୍ଚା ଓ ଆଲୋଚନାର ବିଷୟ କରି ଛାଡ଼ି ଦେଇଚନ୍ତି। ‘ଶ୍ରୀମନ୍ଦିର ଓ ପୁରୀ’ ରାଷ୍ଟ୍ରର ନିର୍ମାଣରେ ଏକ ଆସ୍ଥାର ରୂପକ ଭାବରେ ଚର୍ଚ୍ଚିତ ହୋଇନାହିଁ କାହିଁକି? ପୁରାତତ୍ତ୍ବ ବିଭାଗ ନୁହଁ ଭାରତ ସରକାରଙ୍କ ଶିକ୍ଷା ଓ ସ˚ସ୍କୃତି ମନ୍ତ୍ରାଳୟ ‘ବିଶ୍ବ ଐତିହ୍ୟ’ ବିବେଚନାରେ ନିର୍ଣ୍ଣାୟକ ଭୂମିକା ନିଅନ୍ତୁ, ତା’ହେଲେ ଯାଇ ଓଡ଼ିଶା ସରକାରଙ୍କର ପୁରୀକୁ ବିଶ୍ବ ଐତିହ୍ୟ ସହର ଭାବରେ ଗଢ଼ିବାର ସ୍ବପ୍ନ ସାର୍ଥକ ହେବ।

ଐତିହ୍ୟ ରାଷ୍ଟ୍ରର! ତେଣୁ କୁଣ୍ଠା କୋଉଠି? କହିବା ନିଷ୍ପ୍ରୟୋଜନ ଯେ ସରକାରଙ୍କ ସ୍ବପ୍ନ ବୌଦ୍ଧିକ ବିଚାରର ଦୃଢ଼ତା ଅଭାବରେ ବିଡ଼ମ୍ବିତ ଓ ବିବାଦିତ। ଏବେ ରାଷ୍ଟ୍ର ତା’ର ଭୂମିକା ନିର୍ବାହ କରୁ। ଐତିହ୍ୟର ପରିଚୟ ଦେବା ପାଇଁ ବହୁ ବିଦ୍ବାନ ଅଛନ୍ତି ପୁରୀରେ। ତାଙ୍କୁ ପଚାରନ୍ତୁ। ଐତିହ୍ୟର ନିବେଶ ଖୋଳତାଡ଼ କରି ହୁଏ ନାହିଁ, ଗଭୀର ଅଭିନିବେଶ ଓ ସମର୍ଥ ବ୍ୟାଖ୍ୟାନରେ ହୁଏ, ବିନ୍ୟାସର ସୁରକ୍ଷା ହୁଏ।
ମୋ- ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର