୧୯୭୨ ମସିହା ଜୁନ୍‌ ୫ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍ବିଡେନ୍‌ ରାଜଧାନୀ ଷ୍ଟକ୍‌ହୋମ୍‌ ଠାରେ ମନୁଷ୍ୟକୃତ କାର୍ଯ୍ୟକଳାପ ଓ ପରିବେଶ ଉପରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହା ବିଶ୍ବର ପ୍ରଥମ ଆନୁଷ୍ଠାନିକ ପରିବେଶ ମାନସ ମନ୍ଥନ ଥିଲା। ଏଥିରେ ୧୧୩ ଦେଶର ପ୍ରତିନିଧି ମୁଖ୍ୟତଃ ଶାସନ ମୁଖ୍ୟ ଓ ପ୍ରାୟ ୪୦୦ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଆମ ଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ଏଥିରେ ଭାଗ ନେଇ ବିଶ୍ବ ସମୁଦାୟକୁ ପରିବେଶ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ। ଫଳସ୍ବରୂପ ସଂଯୁକ୍ତ ରାଷ୍ଟ୍ର ପରିବେଶ କାର୍ଯ୍ୟକ୍ରମ (United Nations Environment Programme)ର ଆରମ୍ଭ ହେଲା।

Advertisment

ଜନ ଜାଗରଣ ସୃଷ୍ଟି ଓ ବାର୍ଷିକ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ପାଇଁ ପ୍ରତିବର୍ଷ ଜୁନ୍‌ ୫ ତାରିଖକୁ ବିଶ୍ବ ପରିବେଶ ଦିବସ ଭାବରେ ପାଳନ କରାଗଲା। ପ୍ରଥମ ବିଶ୍ବ ପରିବେଶ ଦିବସ ୧୯୭୪ ଜୁନ୍‌ ୫ ତାରିଖରେ ବିଧିବଦ୍ଧ ଭାବରେ ଆମେରିକାରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ବର୍ଷର ବିଷୟବସ୍ତୁ ଥିଲା ‘କେବଳ ଏକ ଧରିତ୍ରୀ’ (Only One Earth)। ପ୍ରତ୍ୟେକ ବର୍ଷ ପାଇଁ ଏକ ଆୟୋଜକ ଦେଶ ଓ ପରିବେଶ କୈନ୍ଦ୍ରିକ ବିଷୟବସ୍ତୁ ସ୍ଥିର କରାଯାଇ ସମସ୍ତ ଦେଶ ଏହାକୁ ପାଳନ କରି ଆସୁଛନ୍ତି। ଏହିପରି ୪୮ଟି ପରିବେଶ ଦିବସ ପାଳନ ହୋଇ ସାରିଲାଣି ଓ ଚଳିତ ୨୦୨୨ରେ ୪୯ତମ ଦିବସ ପାଳନ ହେବ। ସଂଯୋଗବଶତଃ ଏ ବର୍ଷର ବିଷୟବସ୍ତୁ ମଧ୍ୟ ‘କେବଳ ଏକ ଧରିତ୍ରୀ ଓ ପ୍ରକୃତି ସହିତ ଚିରକାଳ ସୁସହବାସ’। ଆୟୋଜକ ଦେଶ ସ୍ବିଡେନ୍। ଦୀର୍ଘ ପଚାଶ ବର୍ଷ ଧରି ଆଜି ପର୍ଯ୍ୟନ୍ତ ବ‌ାର୍ଷିକ ପରିବେଶ ଦିବସ ପାଳନ ବ୍ୟତୀତ ଅନେକ ବିଶ୍ବ ସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଇ ପରିବେଶ ଉନ୍ନତି ନିମନ୍ତେ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି। ତନ୍ମଧ୍ୟରୁ ନିମ୍ନରେ ବର୍ଣ୍ଣିତ ତିନିଟି ରାଜିନାମା ବିଶ୍ବ ପ୍ରୟାସର ମାଇଲଖୁଣ୍ଟ।

ଷ୍ଟକ୍‌ହୋମ୍‌ ସମ୍ମିଳନୀ ପରେ ସଚେତନତା ବୃଦ୍ଧି ପାଇଥିଲେ ମଧ୍ୟ ପରିବେଶର ଉନ୍ନତି ନ ଘଟି ବରଂ ଅବକ୍ଷୟ ଆଡ଼କୁ ଅଗ୍ରସର ହେଉଥିବାର ଦେଖାଗଲା। ୧୯୯୭ ମସିହାରେ ଜାପାନର କ୍ୟୋଟୋ ସହରରେ ୧୯୨ ଦେଶର ପ୍ରତିନିଧିମାନେ ତର୍ଜମା କରି ଜାଣିବାକୁ ପାଇଲେ ଯେ ସହରୀକରଣ ଓ ଶିଳ୍ପୋନ୍ନତି ଯୋଗୁଁ ସବୁଜ ଗୃହ ଗ୍ୟାସ୍‌ ଯଥା- ଅଙ୍ଗାରକାମ୍ଳ, ମିଥେନ୍‌, ନାଇଟ୍ରସ୍‌ଅକ୍‌ସାଇଡ଼୍‌, ହାଇଡ୍ରୋଫ୍ଲରୋ କାର୍ବନ୍‌, ପର୍‌ଫ୍ଲ୍ୟୁରୋ କାର୍ବନ୍‌ ଓ ନାଇଟ୍ରୋଜେନ୍‌ ଟ୍ରାଇଫ୍ଲୋରାଇଡ୍‌ ଇଦ୍ୟାଦିର ମାତ୍ରାଧିକ ନିର୍ଗମନ ଦ୍ବାରା ପୃଥିବୀ ଉତ୍ତପ୍ତୀକରଣ ପରିବେଶ ଅବନତିର ପ୍ରଧାନ କାରଣ। ତେଣୁ ୪୧ଟି ଶିଳ୍ପୋନ୍ନତ ଦେଶ ଓ ୟୁରୋପୀୟ ଦେଶଗୁଡ଼ିକ ପାଇଁ ଏହି ଗ୍ୟାସ୍‌ର ମାତ୍ରା ୧୯୯୦ ମସିହା ସ୍ତର ଠାରୁ ୫.୨% ହାସ କରିବା ପାଇଁ ଏକ ଲକ୍ଷ୍ୟଭିତ୍ତିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇ Kyoto Protocol ନାମରେ ଆଇନଗତ ସ୍ବୀକୃତି ଦିଆଯାଇଥିଲା।

ବିଡ଼ମ୍ବନାର ବିଷୟ ଯେ ଶିଳ୍ପୋନ୍ନତ ଦେଶଗୁଡ଼ିକ ନିଜର ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ବ ଦେଇ ଏହାକୁ କାର୍ଯ୍ୟକାରୀ କଲେ ନାହିଁ। ଅପର ପକ୍ଷରେ ଉନ୍ନତମୁଖୀ ଦେଶଗୁଡ଼ିକ ଉପରେ ଦୋଷାରୋପ କରି କଟକଣା ଲଗାଇବାକୁ ଦାବି କଲେ।

ଏହି ବାଦାନୁବାଦରେ ପ୍ରାୟ ଦୁଇ ଦଶନ୍ଧି ବିତିଗଲା। ତାପମାତ୍ରା କ୍ରମାଗତ ବୃଦ୍ଧି ପାଇ ଜଳବାୟୁ ପରିବର୍ତ୍ତନ ଦ୍ବାରା ଅନେକ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେଲା। ୨୦୧୫ ମସିହାରେ ୧୯୫ଟି ଦେଶର ପ୍ରତିନିଧିମାନେ ଫ୍ରାନ୍‌ସ ରାଜଧାନୀ ପ୍ୟାରିସ୍‌ରେ ମିଳିତ ହୋଇ ନିର୍ଦ୍ଧାରଣ କଲେ ଯେ, ଭୂପୃଷ୍ଠରେ ମାନବଜାତି ତିଷ୍ଠି ରହିବା ପାଇଁ ତାପମାତ୍ରା ବୃଦ୍ଧିକୁ ୧.୫°C ଭିତରେ ସୀମିତ ରଖିବା ଅପରିହାର୍ଯ୍ୟ। ଏଥିପାଇଁ ସବୁଜ ଗୃହ ଗ୍ୟାସ୍‌ ଅଥବା ପ୍ରକାରାନ୍ତରେ କାର୍ବନ ପରିମାଣ ହ୍ରାସ ନିମନ୍ତେ ପ୍ରତ୍ୟେକ ରାଷ୍ଟ୍ର ୫ ବର୍ଷୀୟ ଯୋଜନା ୨୦୨୫ ଓ ୨୦୩୦ ପାଇଁ ନିଜ ତରଫରୁ ପ୍ରସ୍ତୁତ କରିବେ।

ଏହି ରାଷ୍ଟ୍ରଧାର୍ଯ୍ୟ ଅବଦାନର ଫଳାଫଳ ସ୍ବଚ୍ଛ ବିବରଣୀ ପ୍ରଦାନ କରିବା ସହିତ ଆନ୍ତର୍ଜାତିକ ନିରୀକ୍ଷଣ ସଂସ୍ଥା ଦ୍ବାରା ବାଧ୍ୟତାମୂଳକ ମୂଲ୍ୟାୟନକୁ ସ୍ବୀକାର କରିବେ। ଅନୁନ୍ନତ ଓ ଆର୍ଥିକ ଅନଗ୍ରସର ଦେଶଗୁଡ଼ିକୁ ଏହି କାର୍ଯ୍ୟ ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ ପାଇଁ ସ୍ଥିର କରାଯାଇଥିଲା। ଆମେରିକା ପରବର୍ତ୍ତୀ ସମୟରେ ଏହି ପ୍ୟାରିସ୍‌ ଏଗ୍ରିମେଣ୍ଟ୍‌ରୁ ଓହରି ଯିବାରୁ ଏହାର ବିଶେଷ ଅଗ୍ରଗତି ହୋଇପାରିଲା ନାହିଁ। ଅବଶ୍ୟ ବର୍ତ୍ତମାନର ବାଇଡେନ୍‌ ସରକାର ଏହି ରାଜିନାମାକୁ କାର୍ଯ୍ୟକାରୀ କରିବା ପାଇଁ ପୁନଶ୍ଚ ସ୍ବୀକୃତି ଦେଇଛନ୍ତି।

ପରିସ୍ଥିତିରେ ଉଲ୍ଲେଖନୀୟ ସୁଧାର ନ ଆସିବାରୁ ୨୦୨୧ ମସିହା ନଭେମ୍ବର ମାସରେ ୧୨୦ରୁ ଊର୍ଦ୍ଧ୍ବ ରାଷ୍ଟ୍ରନାୟକମାନେ ବ୍ରିଟେନ‌୍ର ଗ୍ଲାସ୍‌ଗୋ ସହରରେ ଏକାଠି ହୋଇ ୨୦୨୦-୨୦୩୦ ଦଶନ୍ଧିକୁ ଜଳବାୟୁ କାର୍ଯ୍ୟକ୍ରମ ଓ ସହାୟତାର ଦଶନ୍ଧି ଭାବେ ଗ୍ରହଣ କରି ତାପମାତ୍ରା ବୃଦ୍ଧିକୁ ୧.୫°C ଭିତରେ ସୀମିତ ରଖିବା ପାଇଁ ପୁନର୍ବାର ପ୍ରତିଶ୍ରୁତିବଦ୍ଧ ହେଲେ। ଆର୍ଥିକ ଦୁର୍ବଳ ଦେଶଗୁଡ଼ିକ ପାଇଁ ବାର୍ଷିକ ୧୦୦ ବିଲିୟନ ଡଲାର ସହାୟତା ରାଶି ସ୍ଥିର ହେଲା। ଦ୍ବିବାର୍ଷିକ ମୂଲ୍ୟାୟନ ପଦ୍ଧତି ସ୍ଥିର କରିବା ସହିତ ପର୍ଯ୍ୟାୟକ୍ରମେ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍‌ ଉତ୍ପାଦନର ଅପସାରଣ ଓ ମାଟିତଳ ଇନ୍ଧନର ସରକାରୀ ସହାୟତା ପ୍ରତ୍ୟାହାର କରି ୨୦୫୦ ସୁଦ୍ଧା ପୃଥିବୀକୁ ଶୂନ୍ୟ କାର୍ବନ ସ୍ଥିତି‌େର ପହଂଚାଇବା ପାଇଁ ଉଦ୍ୟମ ଅବ୍ୟାହତ ରଖିବାକୁ ଗ୍ଲାସ୍‌ଗୋ ସମ୍ମିଳନୀରେ ନିଷ୍ପତ୍ତି ହେଲା।

ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ମୌଳିକ କର୍ତ୍ତବ୍ୟ। ଉପରୋକ୍ତ ସରକାରୀ ପଦକ୍ଷେପ ବ୍ୟତୀତ ଆମେ କାର୍ବନ ଉତ୍ପାଦନ ଜଡ଼ିତ ଜୀବନଶୈଳୀରେ ପରିବର୍ତ୍ତନ ସହିତ ବ୍ୟାପକ ବୃକ୍ଷରୋପଣ କରି ପରିବେଶ ଅବନତିକୁ ଅନେକାଂଶରେ ରୋକିପାରିବା। ଏହି ଅବସରରେ ଆମେ ନିଜକୁ ପରିବେଶ ସୁରକ୍ଷା ସୈନିକ ଭାବରେ ଏକ ସୁସ୍ଥ, ସବୁଜ ଓ ସୁନ୍ଦର ବିଶ୍ବ ପରିବେଶ ଗଠନ ପାଇଁ ସଂକଳ୍ପ ନେବା ଉଚିତ।
(ଜୁନ୍ ୫ ବିଶ୍ବ ପରିବେଶ ଦିବସ ଉପଲକ୍ଷେ)
ମୋ: ୯୪୩୭୦୮୦୨୩୩