ରାମନବମୀ ଏବଂ ହନୁମାନ ଜୟନ୍ତୀ ଉତ୍ସବ ପାଳନ ବେଳେ କେତେକ ରାଜ୍ୟରେ ସାଂପ୍ରଦାୟିିକ ହିଂସା ଘଟିଲା। ଯେ କୌଣସି ଉତ୍ସବ ହେଉ; ତାହା ଏକ ଆନନ୍ଦମୟ ବାତାବରଣ ସୃଷ୍ଟି କରିବା କଥା। ତେଣୁ କୌଣସି ଉତ୍ସବର ପାଳନ ବେଳେ ହିଂସା କଦାପି ଗ୍ରହଣୀୟ ନୁହେଁ। ଉତ୍ସବ ପାଳନ ଏଭଳି ଏକ ପରିବେଶ ସୃଷ୍ଟି କରିବା ଉଚିତ ଯେଉଁଠି ଜାତି, ଧର୍ମ, ଲିଙ୍ଗଗତ ପ୍ରାଚୀର ବା ଆର୍ଥିକ ସ୍ତର ବା ରାଜନୈତିକ ବିଶ୍ବାସର ପ୍ରଭେଦ ସବୁ କିଛି ତରଳି ଯାଉଥିବ।
କେତେକ ସ୍ଥାନରେ ଉପରବର୍ଣ୍ଣିତ ହିଂସାକାଣ୍ଡମାନ ଘଟୁଥିବା ବେଳେ ଏହା ମଧ୍ୟ ସତ ଯେ ଆଉ କେତେକ ସ୍ଥାନରେ ତାହାର ବିପରୀତଟି ମଧ୍ୟ ଘଟିଥିଲା। ମଧ୍ୟପ୍ରଦେଶର ଭୋପାଳରେ ବା ଉତ୍ତରପ୍ରଦେଶର ନଏଡ଼ାରେ ହନୁମାନ ଶୋଭାଯାତ୍ରା ଉପରେ ମୁସ୍‌ଲିମ ସଂପ୍ରଦାୟର ଲୋକେ ପୁଷ୍ପ ବୃଷ୍ଟି କଲେ; ଶୋଭ‌ାଯାତ୍ରାକାରୀଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଇଲେ, ପ୍ରତ୍ୟେକ ଅପରକୁ ଆଲିଙ୍ଗନ କଲେ। କହିବା ବାହୁଲ୍ୟ ଯେ ଏହା ଏକ ନୈସର୍ଗିକ ମଧୁର ଅନୁଭୂତି ସୃଷ୍ଟି କରିଥିବ।

Advertisment

ବାସ୍ତବତା ହେଲା ଜାତିଗତ ବା ସାଂପ୍ରଦାୟିକ ବିଭେଦ ସାମାଜିକ ଜୀବନଚର୍ଯ୍ୟାରେ ଯେତିକି ଦୃଷ୍ଟିଗୋଚର ହୋଇଥାଏ, ତା’ ଠାରୁ ଅଧିକ ପ୍ରାଂଜଳ ହୋଇଥାଏ ସାଂସ୍କୃତିକ ଜୀବନ-ଧାରାରେ। ସେହି ଦୃଷ୍ଟିରୁ ଭାରତୀୟ ଜନ ଜୀବନର ଅନନ୍ୟ ବିବିଧତା ଅନେକ ସମୟରେ କଠିନ ପରୀକ୍ଷାର ସମ୍ମୁଖୀନ ହୁଏ ତ କେତେବେଳେ କେତେବେଳେ ସମନ୍ବୟର ଅନନୁକରଣୀୟ ଦୃଷ୍ଟାନ୍ତ ମଧ୍ୟ ସ୍ଥାପନ କରିଥାଏ। ଆମ ଓଡ଼ିଶା‌ରେ ତା’ର ଦୃଷ୍ଟାନ୍ତ ଦେଖନ୍ତୁ। ଖୋର୍ଦ୍ଧା ମାଣିକଗୋଡ଼ାର ମୁସଲମାନ ଦଳବେହେରାମାନଙ୍କ ଭଳି ରାଜ୍ୟର ଅନେକ ସ୍ଥାନରେ ମା’ ଦୁର୍ଗାଙ୍କ ଦଶହରା ପର୍ବରେ ମୁସ୍‌ଲିମ ସଂପ୍ରଦାୟର ଲୋକେ ପ୍ରତ୍ୟକ୍ଷ ଭାବେ ସାମିଲ ହୁଅନ୍ତି। କଟକ ସହରର ଦୁର୍ଗା ପୂଜା ଏବଂ ଇଦ୍‌ ହେଉଛି ସାଂପ୍ରଦାୟିକ ଭ୍ରାତୃତ୍ବ ଭାବର ଚମକପ୍ରଦ ନିଦର୍ଶନ। ସେମିତି ଝାରସୁଗୁଡ଼ାର ଲଖନପୁର ବ୍ଲକ୍‌ର ରେମଣ୍ଡା ଗ୍ରାମରେ ହେଉଥିବା ଅନନ୍ୟ ରଥଯାତ୍ରା ବିଷୟ ଓଡ଼ିଶାର ଅନେକ ଲୋକ ଜାଣନ୍ତି। ସେହି ରଥଯାତ୍ରାରେ ଛେରା ପହଁରା କରି ଆସୁଛନ୍ତି ଗାଁର ମୁସ୍‌ଲିମ ସଂପ୍ରଦାୟର ଗଉନ୍ତିଆ ମହମ୍ମଦ ଜମିଉଲ୍ଲା। କୁହାଯାଏ ଯେ ଏହି ମୁସ୍‌ଲିମମାନେ ପ୍ରାୟ ଚାରିଶହ ବର୍ଷ ତଳେ ବାହାର ରାଜ୍ୟରୁ ଆସି ଏଠାରେ ବସବାସ କରିଥିଲେ। ହୀରାକୁଦ ବନ୍ଧ ନିର୍ମାଣ ବେଳେ ଲଖନପୁର ବ୍ଲକ୍‌ର ଅନେକ ଅଞ୍ଚଳ ବୁଡ଼ି ଯାଇଥିଲା। ସେତିକି ବେଳେ ‌େରମଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିରରେ ଥିବା ବିଗ୍ରହଙ୍କୁ ଜମିଉଲ୍ଲାଙ୍କ ପରିବାର ପକ୍ଷରୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ପୂଜାର ବ୍ୟବସ୍ଥା କରାଯାଇଥିଲା। ଏବେ ସେହି ସ୍ଥାନରେ ସଦ୍‌ଭାବନା ଶ୍ରୀକ୍ଷେତ୍ର ସ୍ଥାପନର ଉଦ୍ୟମ ଚାଲିଛି। ସପ୍ତଦଶ ଶତାବ୍ଦୀର ଭକ୍ତ ସାଲବେଗଙ୍କ ଦ୍ବାରା ରଚିତ ଶ୍ରୀଜଗନ୍ନାଥଙ୍କ କାଳଜୟୀ ଭଜନମାନ ବିଂଶ ଏବଂ ଏକବିଂଶ ଶତାବ୍ଦୀରେ ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ରସାଣିତ ହୋଇ ଅପୂର୍ବ ପୁଲକ ସୃଷ୍ଟି କରି ନ ଥାଏ କି? ଏଭଳି ଭାବନା ହେଉଛି ମିଳିତ ଭାବେ ଉତ୍ସବ ପାଳନର ଭିତ୍ତିଭୂମି, ଯାହାର ଉଦାହରଣ ଭାରତର ପ୍ରତ୍ୟେକ ପ୍ରାନ୍ତରେ ରହିଛି। ଏଭଳି ଭାବନା ହିଁ ଭାରତ ଭଳି ଦେଶରେ ଉତ୍ସବ ପାଳନକୁ ନୂତନ ଅର୍ଥ ପ୍ରଦାନ କରିଥାଏ।

ଏହି ସାଂସ୍କୃତିକ ସମ-ଭାବର ଆଉ ଏକ ନିଦର୍ଶନ ହେଉଛି ବାଂଲାଦେଶର ମୁସ୍‌ଲିମ ସଂପ୍ରଦାୟର ମହିଳାମାନଙ୍କ ଦ୍ବାରା କପାଳରେ ବିନ୍ଦି ଲଗାଯିବା। ଭାରତୀୟ ଉପମହାଦେଶର ଏକ ଅଂଶ ଭାବେ ଏହି ସାଂସ୍କୃତିକ ପ୍ରଭାବ ଏକ ଭିନ୍ନ ଦେଶରେ ପରିଣତ ହୋଇଥିବା ବାଂଲାଦେଶରେ ଏ ଯାବତ୍‌ ବଳବତ୍ତର ରହିଛି। ଯଦିଓ ବିନ୍ଦି ଓ ଚୁଡ଼ିକୁ ହିନ୍ଦୁ ମହିଳାମାନଙ୍କର ଏକ ଆଭୂଷଣ ବୋଲି ବିଚାର କରାଯାଏ, ଅନେକ ମୁସଲମାନ ମହିଳା ତାହା ପରିଧାନ କରନ୍ତି। ଭାରତୀୟଙ୍କ ସାଂସ୍କୃତିକ ଜୀବନ ଉପରେ ହୋଇଥିବା ଗୋଟିଏ ସର୍ବେକ୍ଷଣ କହିଥାଏ ଯେ ୮୪ ଭାଗ ହିନ୍ଦୁ ମହିଳା ବିନ୍ଦି ଲଗାଉଥିବା ବେଳେ ୭୮ ଭାଗ ବୌଦ୍ଧ, ୧୮ ଭାଗ ମୁସ୍‌ଲିମ, ୨୨ ଭାଗ ଖ୍ରୀଷ୍ଟିଆନ ଏବଂ ୨୯ ଭାଗ ଶିଖ୍‌ ମହିଳା ବିନ୍ଦି ଲଗାନ୍ତି। ବିବାହିତା ହିନ୍ଦୁ ମହିଳାମାନେ ମଥାରେ ସିନ୍ଦୂର ଲଗାନ୍ତି। ତେବେ ବିହାରରେ ଅନେକ ମୁସଲମାନ ନାରୀ ମଧ୍ୟ ମଥାରେ ସିନ୍ଦୂର ଧାରଣ କରୁଥିବା ଦେଖାଯାଏ। ଆମ ଦେଶରେ ମଙ୍ଗଳସୂତ୍ର ଏବଂ ଚୁଡ଼ି ମଧ୍ୟ ସାଂପ୍ରଦାୟିକ ସୀମା ଅତିକ୍ରମ କରି ଅନେକ ସ୍ଥାନରେ ଭାରତୀୟ ସାଂସ୍କୃତିକ ପରିଚିତିରେ ପରିଣତ ହୋଇଛି। ନିକଟରେ କର୍ଣ୍ଣାଟକର କିଛି ସ୍କୁଲ୍‌ରେ ହିଜାବ ପରିଧାନ ଉପରେ ନିଷେଧାଦେଶ ଲଗାଯିବା ପରେ ସେ ନେଇ ବିବାଦ ସୃଷ୍ଟି ହୋଇଛି। କିନ୍ତୁ ଉପର ବର୍ଣ୍ଣିତ ସର୍ଭେ ଅନୁଯାୟୀ ଅଧିକାଂଶ ହିନ୍ଦୁ, ମୁସ୍‌ଲିମ ଓ ଶିଖ୍‌ ମହିଳା ବାହାରକୁ ଗଲା ବେଳେ ମୁଣ୍ଡକୁ ଘୋଡ଼ାଇ ରଖିବାକୁ ପସନ୍ଦ କରନ୍ତି। ସ୍କୁଲ୍‌ରେ ୟୁନିଫର୍ମ ଭାବେ ହିଜାବ ରହିବା ଉଚିତ କି ନୁହେଁ, ତାହା ଏକ ଭିନ୍ନ ପ୍ରସଙ୍ଗ। କିନ୍ତୁ ଭାରତୀୟ ମହିଳାମାନେ ଯେଉଁ ସାଂସ୍କୃତିକ କାରଣରୁ ନିଜ ମୁଣ୍ଡ ଘୋଡ଼ାଇବାକୁ ପସନ୍ଦ କରନ୍ତି, ତାହା ହେଉଛି ସଂଭ୍ରମ ବୋଧ ।

ଭାରତ ଏଭଳି ଏକ ବୃକ୍ଷ ଯାହା ଅନେକ ଭାଷା, ଭାବ, ଚିନ୍ତନ, ପନ୍ଥ, ଦର୍ଶନ, ଭାଷା ଆଦିଙ୍କୁ ଛାୟା ପ୍ରଦାନ କରିଛି। ଏହି ବୃକ୍ଷର ଛାୟାରେ ସମସ୍ତେ ଏକାକାର ହୋଇ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ପୂର୍ବକ ନୃତ୍ୟ କରି ପାରିଲେ ଯାଇ ଆମ ସମଗ୍ର ରାଷ୍ଟ୍ର ଉତ୍ସବାୟିତ ହୋଇ ଉଠିବ।