ଥରେ ଚାରି ଜଣ ଯୁବକ ଜଣେ ଗୁରୁଙ୍କ ପାଖରେ ପହଞ୍ଚି ତାଙ୍କ ଶିଷ୍ୟ ହେବାକୁ ଅନୁରୋଧ କଲେ। ଗୁରୁଙ୍କ ମିଜାଜ ଗରମ ଥିଲା। ସେ ଯୁବକମାନଙ୍କୁ କହିଲେ- ତୁମେ ସବୁ ତ ବିଦ୍ୟା ବିବର୍ଜିତ ମର୍କଟମାନଙ୍କ ଭଳି ଦିଶୁଛ, କି ଶିକ୍ଷା ନେବ? ଭାଗ।
ଯୁବକମାନେ ବେଶ୍ କିଛି ପ୍ରସ୍ତୁତି କରି ଆସିଥିଲେ। ଗୁରୁ ସେମାନଙ୍କର କୌଣସି ପରୀକ୍ଷା ନ କରି ଏମିତି କହିବା ସେମାନଙ୍କୁ ବାଧିଗଲା। ସେମାନେ ଚୁପ୍ଚାପ ଫେରିଗଲେ। ସେମାନଙ୍କ ଭିତରୁ ତିନି ଜଣ ଗୁରୁଙ୍କୁ ଅହ˚କାରୀ ବୋଲି ଆଖ୍ୟା ଦେଇ ଅନ୍ୟ ଗୁରୁଙ୍କ ସନ୍ଧାନରେ ଚାଲିଗଲେ। କିନ୍ତୁ ଜଣେ ଘରକୁ ଫେରିଗଲା।
ଘରେ ସେ ଆହୁରି ଜ୍ଞାନ ଅର୍ଜନରେ ମନୋନିବେଶ କଲା। କିଛି ଦିନ ପରେ ପୁଣି ସେ ଗୁରୁଙ୍କ ପାଖକୁ ଗଲା। ଏଥର ବି ଗୁରୁ ତାକୁ ତାଚ୍ଛଲ୍ୟ କରି କହିଲେ- ମୂଷା ଭଳି ହେଉଛୁ, ତୁ କ’ଣ ମୋର ଶିଷ୍ୟ ହେବୁ?
ଏଥର ବି ସେ ନିରବରେ ଫେରିଗଲା। କିନ୍ତୁ ଭାଙ୍ଗି ପଡ଼ିଲା ନାହିଁ। ପୁଣି ଦିନେ ଗୁରୁଙ୍କ ପାଖକୁ ଆସିଲା। ଏମିତି ଅନେକ ଥର ଅପମାନିତ ହୋଇ ଫେରିବା ପରେ ଥରେ ଗୁରୁ ତାକୁ କହିଲେ- ତୋ’ର ଶିକ୍ଷା ସମାପ୍ତ। ଆ, ତୋତେ ଏବେ ଆଶୀର୍ବାଦ କରେ।
ଯୁବକ କହିଲା- ମହାତ୍ମା, କିନ୍ତୁ ମୁଁ ଆପଣଙ୍କ ଶିଷ୍ୟତ୍ବ ନେଲି କେବେ?
ଗୁରୁ କହିଲେ- ମୋ ଠାରୁ ବାରମ୍ବାର ଅପମାନିତ ହୋଇ ଯିବା ପରେ ତୁ ପୁଣି ବାରମ୍ବାର ମୋ ପାଖକୁ ଫେରୁଥିଲୁ କାହିଁକି? ସେହି ପ୍ରକ୍ରିୟାରେ ତୁ ଯାହା ଶିଖିଲୁ, ତା’ର ଯେତିକି ଚିତ୍ତ ଶୁଦ୍ଧି ହୋଇଛି, ତା’ର ଆତ୍ମ ପ୍ରତ୍ୟୟ ଯେତିକି ବଢ଼ିଛି, ତାହା ତୋ’ର ଶିକ୍ଷା; ଯାହା ତୁ ଅର୍ଜନ କରିଛୁ। ଏବେ ତୁ ଯାଆ ଓ ନିଶ୍ଚୟ ଜୀବନରେ ସଫଳ ହେବୁ।