ବାଡ଼ ଯଦି ଫସଲ ଖାଏ

ଶ୍ୟାମସୁନ୍ଦର ଅଗ୍ରୱାଲା

ବୁଲା ଗାଈଗୋରୁ, ଛେଳି ଓ ଷଣ୍ଢମାନଙ୍କ ଭଳି ପଶୁମାନଙ୍କ କବଳରୁ ଫସଲକୁ ରକ୍ଷା କରିବା ନିମନ୍ତେ କ୍ଷେତରେ ବାଡ଼ ଦିଆଯାଇଥାଏ। କିନ୍ତୁ ଏହି ବାଡ଼ ଗୁଡ଼ିକ ଯଦି ଫସଲ ଖାଇଯାଆନ୍ତି ତେବେ ଆପଣ କରିବେ କ’ଣ? ସରକାରୀ କର୍ମଚାରୀମାନଙ୍କ ଦୁର୍ନୀତି ରୋକିବା ପାଇଁ ଭିଜିଲାନ୍‌ସ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। କିନ୍ତୁ ଏହି ଭିଜିଲାନ୍‌ସ ଅଧିକାରୀମାନେ ଯଦି ଦୁର୍ନୀତିଗ୍ରସ୍ତ ହୋଇପଡ଼ନ୍ତି ତେବେ ଲୋକେ କରିବେ କ’ଣ? ଏବେ ନିକଟରେ ଆମ ଓଡ଼ିଶା ଭିଜିଲାନ୍‌ସ ବିଭାଗରେ ଏହିପରି ଏକ ଘଟଣା ଘଟିଯାଇଛି। କିନ୍ତୁ ପ୍ରଶ୍ନ ଉଠେ ତାଙ୍କୁ ଯିଏ ଧରିଲେ ସିଏ ଯଦି ଦୁର୍ନୀତିଗ୍ରସ୍ତ ହୋଇଥାଆନ୍ତେ, ତା’ ହେଲେ କ’ଣ ହୋଇଥାଆନ୍ତା? ଆମ ଦେଶରେ ଏ ଭଳି ଘଟିବା କୌଣସି ଆଶ୍ଚର୍ଯ୍ୟଜନକ କଥା ମଧ୍ୟ ନୁହେଁ। କଥାରେ ଅଛି ଖଜୁରି ଗଛର କି ଗୁଣ ଗାଇବି; ସେ ତ ମୂଳରୁ ପାହାଚ ପାହାଚ। ଏହି ଗୋଟିଏ ଘଟଣା କେମିତି ଚେନ୍‌ ଛିଣ୍ଡେଇ ବାହାରକୁ ପଳେଇ ଆସିଥିବାରୁ ସମସ୍ତେ ହୋ ହଲ୍ଲା କରୁଛନ୍ତି; କିନ୍ତୁ ଏମିତି କେତେ ଯେ ଲୁଚି ଯାଉଛି ତାହା କିଏ କହିବ?

ଏଇଠି କଥାଟିଏ ମନେ ପଡୁଛି। ବୈଦ୍ୟରାଜ ଜମିଦାରଙ୍କୁ ପ୍ରତ୍ୟହ ଦୁଇ ଲିଟର ଦୁଧର ଲହୁଣି ମାରି ଖାଇବାକୁ ଉପଦେଶ ଦେଲେ। ଜମିଦାର ଏହାର ଦାୟିତ୍ୱ ତାଙ୍କର ଜଣେ ବିଶ୍ୱସ୍ତ ଭୃତ୍ୟକୁ ଦେଲେ। ଦିନକର କଥା। ଲହୁଣି କେମିତି ଲାଗୁଛି ଚାଖୁ ଚାଖୁ ଭୃତ୍ୟ ଜଣକ ଚାରି ଭାଗରୁ ଭାଗେ ଲହୁଣି ଚାଟିଦେଲା। ସୁଆଦିଆ ଲାଗୁଥିବାରୁ ପ୍ରତ୍ୟହ ଖାଇ ଚାଲିଲା। ଜମିଦାରଙ୍କର ସନ୍ଦେହ ହେଲା। ତେଣୁ ସେ ତାକୁ ତଦାରଖ କରିବା ପାଇଁ ଆଉ ଜଣେ ଭୃତ୍ୟକୁ ନିଯୁକ୍ତି ଦେଲେ। ଦିନା କେତେ ପରେ ଦୁଇ ଜଣ ଯାକ ମିଶି ଭାଗେ ଭାଗେ ଏମିତି ଦୁଇ ଭାଗ ଅର୍ଥାତ୍‌ ଅଧେ ଲହୁଣି ଚାଟି ଦେଲେ। ଜମିଦାରଙ୍କ ସନ୍ଦେହ ଆହୁରି ବଢ଼ିଗଲା। ତୃତୀୟ ଭୃତ୍ୟକୁ ନିଯୁକ୍ତି ଦେଲେ। ଲାଭ କିଛି ହେଲାନି କାରଣ ସେମାନେ ମିଳିମିଶି ତିନି ଭାଗ ଲହୁଣି ଖାଇଗଲେ ଆଉ ବଳକା ମାତ୍ର ଭାଗଟିଏ ଲହୁଣି ଜମିଦାରଙ୍କୁ ଖାଇବାକୁ ଦେଲେ।

ଶେଷକୁ ଜମିଦାର ଜଣେ ବୟସ୍କ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇ ଏହି ତିନି ଜଣଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଲେ। ଦିନା କେତେ ଠିକ୍ ଚାଲିଲା। ତା’ପରେ ସେଇ ବି ଏମାନଙ୍କ ସହ ମିଶିଗଲା। ଦିନକର କଥା। ଚାରି ଜଣଯାକ ଲହୁଣି ଚାଟୁ ଚାଟୁ ଚାରି ଭାଗ ଅର୍ଥାତ୍‌ ପୂରା ଲହୁଣିତକ ଚାଟିଦେଲେ। ଜମିଦାରଙ୍କ ପାଇଁ ଆଉ କିଛି ଲହୁଣି ରହିଲା ନାହିଁ। କ’ଣ କରାଯିବ? ଜମିଦାର ରାତିରେ ଲହୁଣିକୁ ଅପେକ୍ଷା କରି କରି ବିରକ୍ତ ହୋଇ ଶୋଇପଡ଼ିଲେ। ଏମାନେ କ’ଣ କଲେ ନା ତାଟିଆରେ ଯେଉଁ ଟିକେ ଲହୁଣି ଲାଗିଥିଲା ତାକୁ ଆଙ୍ଗୁଠିରେ ପୋଛି ଦେଇ ଜମିଦାରଙ୍କ ମୋଟା ମୋଟା ନିଶ ଉପରେ ବୋଳିଦେଲେ। ସକାଳୁ ଉଠି ଜମିଦାର ଚିତ୍କାର କରି ରାତିରେ ଲହୁଣି କାହିଁକି ଦେଲ ନାହିଁ ବୋଲି ତାଗିଦ କରିବାରୁ ସମସ୍ତେ କହିଲେ, “ଆଜ୍ଞା, ଆମେ ଆପଣଙ୍କୁ ଲହୁଣି ଦେଇଛୁ। ଆପଣଙ୍କର ସ୍ମରଣ ଶକ୍ତି ଦୁର୍ବଳ ହୋଇଗଲାଣି। ଆପଣଙ୍କ ନିଶରେ ହାତ ମାରି ଦେଖନ୍ତୁ ଏବେ ବି ଲହୁଣି ଲାଗିଛି।” ଜମିଦାର ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ଦର୍ପଣରେ ଦେଖିଲେ ତାଙ୍କ ନିଶରେ ସତକୁ ସତ ଲହୁଣି ଲାଗିଛି ଓ ତା’ପରେ ଯାଇ ଆଶ୍ୱସ୍ତ ହେଲେ ଯେ ସେ ରାତିରେ ଲହୁଣି ଖାଇଛନ୍ତି, କିନ୍ତୁ ଭୁଲିଯାଇଛନ୍ତି।

ବନ୍ଧୁଗଣ, ବର୍ତ୍ତମାନ ଭାରତବର୍ଷରେ ଜନସାଧାରଣଙ୍କ ନିଶରେ କେବଳ ଲହୁଣି ଟିକେ ଟିକେ ଯାହା ଲାଗିଛି। ଜମିଦାରଙ୍କ କର୍ମଚାରୀଙ୍କ ସଦୃଶ ନିଜ ନିଜ ଭାଗ ଖାଇ ସମସ୍ତେ ପୂରା ରାଜକୋଷକୁ ସଫା କରି ସାରିଲେଣି। ଆଧୁନିକ ଯୁଗରେ ଏହି ଭାଗର ନାଁ ହେଉଛି ‘ପିସି’। ପ୍ରତି ବର୍ଷ ଅକ୍‌ସଫୋର୍ଡ ଶଦ୍ଦକୋଷ ତରଫରୁ କେତୋଟି ନୂତନ ଶବ୍ଦ ଅଭିଧାନରେ ଯୋଡ଼ା ଯାଇଥାଏ। ଏହି ବର୍ଷ ଏହି ଶବ୍ଦଟିକୁ ଏକ ବହୁଳ ବ୍ୟବହାର ଅତ୍ୟାଧୁନିକ ଶବ୍ଦ ହିସାବରେ ଯୋଡ଼ି ଦେବା ଉଚିତ ହେବ। ପିସି ଅର୍ଥାତ୍‌ ପର୍‌ସେେଣ୍ଟଜ୍ ଅର୍ଥାତ୍‌ ଶତାଂଶ। ଏହି ଶତାଂଶ ଏକ, ଦୁଇ, ତିନି କିମ୍ବା ଅତି ବେଶୀ ହେଲେ ପାଞ୍ଚ ପ୍ରତିଶତରେ ସୀମିତ ରହିଲେ ସହନୀୟ ହୋଇଥାଏ। କିନ୍ତୁ ଏବେ ଏହା ଜମିଦାରଙ୍କ କର୍ମଚାରୀମାନଙ୍କର ଲହୁଣି ଚାଟିଲା ପରି ବଢ଼ି ବଢ଼ି ତିରିଶ, ଚାଳିଶ ଏପରିକି ପଚାଶ ପ୍ରତିଶତରେ ପହଞ୍ଚିଗଲାଣି। ଅର୍ଥାତ୍‌ ଦିଅଁ ଖାଇ ଖଟୁଲି ଖାଇବା ପର୍ଯ୍ୟନ୍ତ ଗଲାଣି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠୁ ନେଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମଯୋଗାଣ ଯୋଜନା (ମନରେଗା), ଏମ୍‌ପି ଲାଡ୍‌ ଫଣ୍ଡ୍‌ ଠୁ ନେଇ ଏମ୍‌ଏଲ୍‌ଏ ଲାଡ୍‌ ଫଣ୍ଡ୍‌ ଯୋଜନା, ଛୋଟିଆ ପିଚୁ ରାସ୍ତାଟିଏ ଠୁ ନେଇ ବିରାଟକାୟ ପୋଲ ନିର୍ମାଣରେ ଏହି ପିସିର ପ୍ରାଦୁର୍ଭାବ ବର୍ତ୍ତମାନ ଏମିତି ବଢ଼ିଗଲାଣି ଯେ ଶେଷକୁ ଲୋକମାନଙ୍କ ନିଶରେ ଲହୁଣି ଟିକେ ଟିକେ ବୋଳି ଦେଇ ବାକି ସବୁ ଚାଟିକି ଏମାନେ ସଫା କରି ଦେଉଛନ୍ତି।

ପ୍ରଶ୍ନ ଉଠେ ଯଦି ଏମାନେ ଏତେ ଖାଉଛନ୍ତି, ତେବେ ଏମାନଙ୍କ ଶୀର୍ଷ ସ୍ଥାନରେ ଯେଉଁମାନେ ବସିଛନ୍ତି ସେମାନେ କେତେ ଖାଇ ଯାଉଛନ୍ତି ଆଉ ଏମାନେ ଯଦି ପ୍ରତିଦିନ ଧରା ପଡ଼ି ଦଣ୍ଡ ପାଉଛନ୍ତି, ସେମାନେ କାହିଁକି ମୁକ୍ତ ଆକାଶରେ ବିଚରଣ କରୁଛନ୍ତି! ରାଜାଙ୍କ ଦାସୀ ଦିନେ ରାଜାଙ୍କ ଶୟନ କକ୍ଷ ସଫା କରୁ କରୁ ପଲଙ୍କର ମୁଲାୟମ ଶେଯରେ ଶୋଇଲେ କେମିତି ଲାଗୁଛି ଭାବି ଟିକେ ଗଡ଼ିପଡ଼ିଲା। ଆଖି ଲାଗିଗଲା। ଘଣ୍ଟାଏ ପରେ ମହାରାଜ ପ୍ରବେଶ କଲେ ଓ ତାକୁ ପଲଙ୍କ ଉପରେ ଶୋଇଥିବାର ଦେଖି ଧରି ନେଇ ତା’ର ଉପଯୁକ୍ତ ବିଚାର କରି ଦଣ୍ଡ ଦେବା ପାଇଁ ଦେୱାନଙ୍କୁ ନିର୍ଦ୍ଦେଶ ଦେଲେ। ଦେୱାନ ସାହେବ ବିଚାର କରି ତାକୁ ଶହେ ବେତ୍ରାଘାତ ଦଣ୍ଡ ଦେବା ପାଇଁ ନିର୍ଦ୍ଦେଶ ଦେଲେ। ଦାସୀ ଜଣକ କର ହସ୍ତ ଯୋଡ଼ି ଦେୱାନଙ୍କୁ ପ୍ରଶ୍ନ କଲା, ‘ହଜୁର ମୁଁ ଯଦି ପଲଙ୍କରେ ଘଣ୍ଟାଏ ଶୋଇ ପଡ଼ିବାରୁ ମୋତେ ଶହେ ବେତ୍ରାଘାତ ଦଣ୍ଡ ଦେଲେ ତେବେ ଯିଏ ସେଠି ଦିନରାତି ଚବିଶ ଘଣ୍ଟା ଶୋଉଛି, ତାକୁ ଆପଣ କେତେ ବେତ୍ରାଘାତ ଦଣ୍ଡ ଦେବେ ଆଉ କେବେ ଦେବେ?’
ବନ୍ଧୁଗଣ, ଏ ପ୍ରଶ୍ନର ଉତ୍ତର ଆପଣମାନଙ୍କ ପାଖରେ ଅଛି କି?
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର