ଅଭିବୃଦ୍ଧି ହେଉଛି, କିନ୍ତୁ ନିଯୁକ୍ତି କାହିଁ?

ନଳିନୀକାନ୍ତ ଧର

ନିୟମିତ ସମୟାନ୍ତରେ ଶ୍ରମ ଶକ୍ତିର ସର୍ବେକ୍ଷଣ କରି ପ୍ରକାଶିତ ହେଉଥିବା ରିପୋର୍ଟ ‘ପି.ଏଲ୍.ଏଫ୍.ଏସ୍’- ଏପ୍ରିଲ୍‌-ଜୁନ୍‌, ୨୦୨୧, ନିକଟରେ ପ୍ରକାଶିତ ହୋଇଛି, ଯାହା ଅନୁଯାୟୀ ଭାରତରେ ବେରୋଜଗାରୀ ହାର ହେଉଛି ୧୨.୪%। ସେଥିରେ ଅଛି ଯେ ଭାରତର ଶ୍ରମ ଶକ୍ତିରେ ୧୫ ବର୍ଷରୁ ଅଧିକ ବୟସର କାର୍ଯ୍ୟକ୍ଷମ ବ୍ୟକ୍ତିମାନଙ୍କ ଭାଗୀଦାରି ହାର ହେଉଛି ମାତ୍ର ୪୬.୮%, ଯାହା ପୂର୍ବ ବର୍ଷଗୁଡ଼ିକ ଠାରୁ କମ୍‌। କରୋନା ସମୟରେ ମହିଳାମାନେ ଅଧିକ ସଂଖ୍ୟାରେ ବେରୋଜଗାରୀର ଶିକାର ହୋଇଛନ୍ତି ଏବଂ ଶ୍ରମ ଶକ୍ତିରେ ସେମାନଙ୍କ ଭାଗୀଦାରି ହେଉଛି ମାତ୍ର ୧୬.୧%। କରୋନା ସମୟରେ କେବଳ ପର୍ଯ୍ୟଟନ ଶିଳ୍ପରେ ୨.୧୫ କୋଟି ବ୍ୟକ୍ତି ରୋଜଗାର ହରାଇଛନ୍ତି। ସେମିତି ବିମାନ ସେବା, କ୍ଷୁଦ୍ର ଶିଳ୍ପ, ହୋଟେଲ, ଗମନାଗମନ ଇତ୍ୟାଦି କ୍ଷେତ୍ର ମଧ୍ୟ ରୋଜଗାର ହାନି କରିଛି। ଏହି ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ କଥା ହେଲା ରୋଜଗାର ଓ ନିଯୁକ୍ତି କ୍ଷେତ୍ରରେ ଆମ ଦେଶର ସ୍ଥିତି ଆର୍ଥିକ ଭାବେ ସମତୁଲ ଅନ୍ୟାନ୍ୟ ରାଷ୍ଟ୍ରଙ୍କ ତୁଳନାରେ ଅଧିକ ହତାଶାଜନକ।

ତେବେ, ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ମାତ୍ରାଧିକ ନିଯୁକ୍ତିହୀନତାର କାରଣ କ’ଣ ସବୁ ହୋଇପାରେ? ଏହା ସମ୍ଭବ ଯେ ଏକ ସମାଜ ମଙ୍ଗଳ ରାଷ୍ଟ୍ର ଭାବେ ସରକାର ମାଗଣା ବଣ୍ଟନ ଉପରେ ଅଧିକ ଗୁରୁତ୍ବ ଦେଇ ଏକ ସର୍ବନିମ୍ନ ଦରିଦ୍ର ତୁଷ୍ଟୀକରଣ ନୀତି ଆପଣାଇଥିବାରୁ ରୋଜଗାର ବୃଦ୍ଧି ଲାଗି ସୁଯୋଗ ସୃଷ୍ଟି ପ୍ରତି ତତ୍ପର ହୋଇନାହାନ୍ତି। କିନ୍ତୁ ଦେଶର ଅର୍ଥନୀତିରେ ଶ୍ରମର ଯୋଗଦାନ କମ୍ ରହିବା ଶୁଭ ସଂକେତ ନୁହେଁ।
ଏହି କାରଣରୁ ବ୍ରାଜିଲ୍ ପରି ଏକ ବୃହତ୍‌ ଅର୍ଥନୀତି କିପରି ନିମ୍ନଗାମୀ ହୋଇଛି, ତାହାର ଦୃଷ୍ଟାନ୍ତ ଆମ ନିକଟରେ ଅଛି।

ଏହା ମଧ୍ୟ ସତ ଯେ ବିମୁଦ୍ରୀକରଣ ଦ୍ବାରା କ୍ଷୁଦ୍ର ଏବଂ ମଧ୍ୟମ ଶ୍ରେଣୀୟ ଉଦ୍ୟୋଗ ଗଭୀର ଭାବେ ଆକ୍ରାନ୍ତ ‌େହାଇ ବେରୋଜଗାରୀ ସମସ୍ୟାକୁ ତୀବ୍ର କଲା, ଯାହା ଏ ଯାବତ୍‌ ସଜାଡ଼ି ହୋଇପାରିନାହିଁ। ବରଂ ଜି.ଏସ୍.ଟିର ପ୍ରଚଳନ ଏହି ସ୍ଥିତିକୁ ଅଧିକ ବିଗାଡ଼ି ଦେଇଛି। ଜି.ଏସ୍.ଟି.ର ପ୍ରଚଳନ ପରେ ଭାରତର ଅସଂଗଠିତ ଉଦ୍ୟୋଗ କ୍ଷେତ୍ର ପ୍ରଭାବିତ ହୋଇ ନିଯୁକ୍ତି ହ୍ରାସ ଏବଂ ନିଯୁକ୍ତିହୀନତା ସୃଷ୍ଟି କରିଛି। ପ୍ରକାଶ ଥାଉ କି ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଅବଦାନ ସିନା ଭାରତୀୟ ଜି.ଡି.ପି.ର ୩୦%, ତାହା ୭୦% କର୍ମ ଯୋଗାଣ କରିଥାଏ। ତେବେ, ବିମୁଦ୍ରୀକରଣ ଓ ଜି.ଏସ୍‌.ଟି. ପରେ ଏହି ଉଦ୍ୟୋଗ କ୍ଷେତ୍ର ଉପରେ ତୃତୀୟ ଘାତକ ଆଘାତ ଦେଇଛି କରୋନା ପାନ୍‌ଡେମିକ୍‌।

କରୋନା ସମୟରେ ବିକଶିତ ଦେଶଗୁଡ଼ିକ ନିଜ ନିଜ ଜି.ଡି.ପି.ର ୧୦%ରୁ ଅଧିକ ରାଶିର ପ୍ରୋତ୍ସାହନ ପ୍ରଦାନ କରିଥିବା ବେଳେ ଭାରତ ପ୍ରତ୍ୟକ୍ଷ ଭାବରେ ଜି.ଡି.ପି.ର ମାତ୍ର ୨.୩ % ଦେଇଛି ଏବଂ ଆଉ ୭%ରୁ ୮% ବିଭିନ୍ନ ଗ୍ୟାରେଣ୍ଟି ଯୋଜନାରେ ସୀମିତ ରଖିଛି, ଯାହା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପାରିନାହିଁ। ଏହା ମଧ୍ୟ ପ୍ରଣିଧାନଯୋଗ୍ୟ ଯେ ଜି.ଏସ୍‌.ଟି.ର ବିଭିନ୍ନ ଜଟିଳତା କାରଣରୁ ଗୃହ ନିର୍ମାଣ, ଚମଡ଼ା, ବୟନ, ପର୍ଯ୍ୟଟନ ଭଳି କ୍ଷେତ୍ର ଆକ୍ରାନ୍ତ ହୋଇ ବେକାରି ସମସ୍ୟାକୁ ଅଧିକ ଉତ୍କଟ କରିଛନ୍ତି। କରୋନା ପରେ ଆମ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିଛି ସତ, କିନ୍ତୁ ତଦ୍ଦ୍ବାରା ଏ ପର୍ଯ୍ୟନ୍ତ ଅଧିକ ନିଯୁକ୍ତି ସୃଷ୍ଟିର ଚିତ୍ର ଦେଖିବାକୁ ମିଳିନାହିଁ।
ଆମ ଦେଶରେ ବେରୋଜଗାରୀର ଅନ୍ୟ ଏକ ମୁଖ୍ୟ କାରଣ ହେଲା ଘରୋଇକରଣକୁ ପ୍ରାଧାନ୍ୟ। ଘରୋଇ ଶିଳ୍ପ ସାଧାରଣତଃ ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ମା‌ନବ ସମ୍ବଳର କମ୍‌ ବିନିଯୋଗ ଚାହିଥାଏ। ତେଣୁ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର ଘରୋଇକରଣ ଦ୍ବାରା ହେଉଥିବା ଛଟେଇ ବେରୋଜଗାରୀ ସମସ୍ୟାକୁ ଅଧିକ କରୁଥିବା ଦେଖିବାକୁ ମିଳୁଛି।

ଆର୍ଥିକ ଭାବେ ନିମ୍ନରେ ଥିବା ଲୋକଙ୍କ ରୋଜଗାର ନିଶ୍ଚିତ କରିବା ପାଇଁ ‘ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା’ ବା ‘ମନରେଗା’ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ, କିନ୍ତୁ ଏହା ପ୍ରାୟତଃ ଗ୍ରାମାଞ୍ଚଳରେ ସୀମିତ। ଏହା ଶିକ୍ଷିତ ବେକାରଙ୍କୁ ଆକୃଷ୍ଟ କରି ପାରିନାହିଁ।

ଏହି ପରିପ୍ରେକ୍ଷୀରେ ଶିକ୍ଷିତ ଯୁବକଯୁବତୀମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ତୁଳନାରେ ନ୍ୟୂନତର କାର୍ଯ୍ୟ କରିବାକୁ ବାଧ୍ୟ ହେଉଥିବା ବିଷୟଟି ମଧ୍ୟ ଉଦ୍‌ବିଗ୍ନ କରିଥାଏ। ପ୍ରକାଶ ଥାଉ କି ଆମାଜନ ବା ସ୍ବିଗି ବା ଜମାଟୋ ଭଳି ସଂସ୍ଥ‌ାରେ ‘ଡେଲିଭରି ବୟ’ ରୂପେ କାମ କରୁଥିବା ଅନେକ ଯୁବକ ଶିକ୍ଷିତ ଏବଂ ଉଚ୍ଚ ଡିଗ୍ରୀଧାରୀ। ଏହି ବ୍ୟବସ୍ଥାକୁ ‘ଗିକ୍‌ ଇକୋନୋମି’ ବୋଲି କୁହାଯାଇଥାଏ, ଯହିଁରେ କର୍ମଚାରୀମାନେ କିଛି ଅର୍ଥ ରୋଜଗାର କରନ୍ତି ସିନା, ସେମାନଙ୍କ ଭବିଷ୍ୟତ୍‌ ସୁରକ୍ଷା ବା ରୋଜଗାରର ପରିମାଣ ନିଶ୍ଚିତ ହୋଇ ନ ଥାଏ। ଏହାକୁ ନିଯୁକ୍ତିି ବୋଲି ଆଖ୍ୟା ଦେବାର ଅର୍ଥ ସମସ୍ୟାକୁ ଏଡ଼ାଇ ଯିବା ଲାଗି ଉଦ୍ୟମ କରିବା ସହିତ ସମାନ।
ଅବଶ୍ୟ ଏହା ସତ ଯେ ସରକାର ଚଳିତ ବଜେଟ୍‌ରେ ଭିତ୍ତିଭୂମି ବିକାଶ ପାଇଁ ଏକ ରେକର୍ଡ ୭.୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ଏହା ଗତ ବ‌େଜଟ୍‌ରୁ ୩୩% ଅଧିକ। ଏବଂ ଏହା ଦ୍ବାରା ଅଧିକ ରୋଜଗାର ସୃଷ୍ଟି ହେବା ସହ ଏହା ସହିତ ସଂଶ୍ଳିଷ୍ଟ ଉଦ୍ୟୋଗ ଯେମିତି କି ସିମେଣ୍ଟ, ଲୁହା, ବୈଦ୍ୟୁତିକ ସଂରଜାମ, ରଙ୍ଗ ଇତ୍ୟାଦି ଚଳଚଞ୍ଚଳ ହୋଇ ଅଧିକ ନିଯୁକ୍ତି ସୃଷ୍ଟି କରିବାର ଆଶା ଉଜ୍ଜ୍ବଳ ହୋଇଛି। ସରକାର ନିକଟରେ ବୟନ, ଷ୍ଟିଲ୍, ଇଲେକ୍‌ଟ୍ରୋନିକ୍‌ସ, ଔଷଧ, ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍‌ସ, ଅଟୋମୋବାଇଲ୍, ସୌର ପରି ୧୫ଟି ଶିଳ୍ପ ପାଇଁ ବିପୁଳ ଅର୍ଥ ରାଶି (ପି.ଏଲ୍.ଆଇ. ଯୋଜନାରେ) ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏହା ମଧ୍ୟ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇପାରେ। ଭାରତ ଖୁବ୍‌ ଶୀଘ୍ର ପୃଥିବୀର ସର୍ବାଧିକ ଯୁବ ଶକ୍ତିକୁ ଧାରଣ କରିଥିବା ଦେଶ ହେବାକୁ ଯାଉଛି। ଏହି ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ କରାଯାଇ ନ ପାରିଲେ ଭାରତ ଏକ ବିରାଟ ସୁଯୋଗ ହାତଛଡ଼ା କରୁଛି ବୋଲି ବୁଝିବାକୁ ହେବ। କେବଳ ସେତିକି ନୁହେଁ ଅର୍ଥନୀତିରେ ଅଭିବୃଦ୍ଧି ହେଉଥିବା ସତ୍ତ୍ବେ ଯଦି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ନ ପାରିଲା ତେବେ ସେଭଳି ବିକାଶକୁ ଅନ୍ତଃସାରଶୂନ୍ୟ ବିକାଶ ବୋଲି ମଧ୍ୟ କହିବାକୁ ହେବ।
ମୋ- ୯୪୩୭୩୪୪୬୫୪

ସମ୍ବନ୍ଧିତ ଖବର