ଦର୍ପଣ: ସ୍ବାଧୀନ ଭାରତରେ ମହିଳା

ସ୍ବାଧୀନତା ହାସଲର ୭୫ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ ବେଳେ ଦେଶର ଅର୍ଦ୍ଧେକ ନାଗରିକ ଗୋଷ୍ଠୀ ଅର୍ଥାତ ମହିଳାଙ୍କ ସ୍ବାଧୀନତା, ଆତ୍ମସମ୍ମାନ, ସମାନ ଅଧିକାର ଓ ପ୍ରତିନିଧିତ୍ବ ଆଦିର ସ୍ଥିତି ସମ୍ପର୍କରେ ଆତ୍ମସମୀକ୍ଷା କରିବା ଗୁରୁତ୍ବପୂର୍ଣ୍ଣ ମନେ ହୁଏ। ସ୍ବାଧୀତନା ପ୍ରାପ୍ତିଠାରୁ କ୍ରମକ୍ଷୟିଷ୍ଣୁ ଲିଙ୍ଗ ଅନୁପାତ ଏକ ଚିନ୍ତାଜନକ ବିଷୟ ହୋଇରହିଛି। ତେବେ ବିଗତ ଦୁଇ ଦଶନ୍ଧିରେ ଲିଙ୍ଗ ଅନୁପାତରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି।

ପ୍ରତି ହଜାରେ ପୁରୁଷରେ ୨୦୦୧ରେ ୯୩୩ ମହିଳା ଥିବାବେଳେ ୨୦୧୧ରେ ଏହି ହାର ୯୪୩କୁ ବୃଦ୍ଧି ପାଇଥିଲା। ୨୦୨୧ରେ ପ୍ରଥମ ଥର ପାଇଁ ଦେଶରେ ପ୍ରତି ୧୦୦୦ ପୁରୁଷରେ ୧୦୨୦ ମହିଳା ଥିବା ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌)ରୁ ଜଣାପଡ଼ିଛି। ତଥାପି ଆଜି ବି ଲିଙ୍ଗ ନିରୂପଣ କରି ଅସୁରକ୍ଷିତ ଭାବେ କନ୍ୟା ଭ୍ରୂଣ ଗର୍ଭପାତ ଯୋଗୁଁ ପ୍ରତି ଦିନ ଭାରତରେ ଆଠ ଜଣ ମହିଳା ମୃତ୍ୟୁବରଣ କରୁଛନ୍ତି। ବ୍ରିଟିସ୍‌ ଦେଶ ଛାଡ଼ି ଯିବା ବେଳେ ଭାରତର ସାକ୍ଷରତା ହାର ୨୦%ରୁ କମ୍ ଥିଲା। ଏହି ହାରରେ ଉଲ୍ଲେଖନୀୟ ବୃଦ୍ଧି ଘଟିପାରିଛି, କିନ୍ତୁ ୨୦୧୧ ବେଳକୁ ନାରୀ ସାକ୍ଷରତା ହାର ଥିଲା ୬୫.୪୬% ଯାହା ବିଶ୍ବ ହାରାହାରି ଠାରୁ ୨୦% କମ୍। ସରକାରୀ ତଥ୍ୟ ଅନୁସାରେ ପ୍ରଜନନକ୍ଷମ ବୟସର ମହିଳାଙ୍କ ମଧ୍ୟରୁ ୨୦% ଅପପୁଷ୍ଟି ଭୋଗୁଛନ୍ତି। ୧୫-୪୯ ବର୍ଷର ମହିଳାଙ୍କ ମଧ୍ୟରୁ ପ୍ରାୟ ୬୦% ରକ୍ତହୀନତା ଭୋଗୁଛନ୍ତି; ଉଦ୍‌ବେଗଜନକ କଥା ହେଲା ଏ ସଂଖ୍ୟା ୨୦୧୫-୧୬ ଓ ୨୦୧୯-୨୦ ମଧ୍ୟରେ ୫୩ରୁ ୫୭%କୁ ବୃଦ୍ଧି ପାଇଛି। ଶିଶୁଙ୍କ ଉପରେ ଏସବୁର ସିଧାସଳଖ କୁପ୍ରଭାବ ପଡ଼ିଥାଏ।

ନାରୀ ସାକ୍ଷରତା ହାରରେ ବୃଦ୍ଧି ସତ୍ତ୍ବେ କର୍ମକ୍ଷେତ୍ରରେ ମହିଳାଙ୍କ ଭାଗୀଦାରି କ୍ରମେ ହ୍ରାସ ପାଇବାରେ ଲାଗିଛି। ୨୦୧୬-୧୭ରେ ୧୫% ମହିଳା ନିଯୁକ୍ତ ଥିଲେ ବା ଚାକିରି ସନ୍ଧାନ କରୁଥିଲେ, ଯେତେବେଳେକି ୨୦୨୧-୨୨ରେ ଏହି ହାର ମାତ୍ର ୯%କୁ ଖସିଆସିଛି। ମହାମାରୀ ଦ୍ବାରା ପୁରୁଷଙ୍କ ତୁଳନାରେ ମହିଳାମାନେ ଦୁଇଗୁଣରୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏହିସବୁ କାରଣରୁ ଵାର୍ଲଡ୍‌ ଇକୋନୋମିକ୍ ଫୋରମ୍‌ର ଲିଙ୍ଗ ବୈଷମ୍ୟ ରିପୋର୍ଟ-୨୦୨୨ରେ ଭାରତ ୧୪୬ ଦେଶ ମଧ୍ୟରେ ୧୩୫ତମ ସ୍ଥାନକୁ ଖସିଆସିଛି। ସ୍ବାଧୀନୋତ୍ତର ଭାରତରେ ନାରୀ ବିରୋଧୀ ହିଂସା ହ୍ରାସ ପାଇନାହିଁ, ବରଂ ହିଂସା, ଉତ୍ପୀଡ଼ନା, ଯୌନ ହିଂସା ଆଦିର ସଂଖ୍ୟା ବଢ଼ିଚାଲିଛି। ଏନ୍‌ଏଫ୍‌ଏଚ୍‌ଏସ୍‌-୫ ତଥ୍ୟ ଅନୁସାରେ ଦେଶରେ ତିନି ଜଣରୁ ଜଣେ ମହିଳା ଶାରୀରିକ ବା ଯୌନ ହିଂସା ଅଙ୍ଗେ ନିଭାଇଛନ୍ତି। ନୀତି ନିର୍ଦ୍ଧାରଣରେ ମହିଳାଙ୍କ ପ୍ରତିନିଧିତ୍ବ ଆଜି ବି ନଗଣ୍ୟ। ଲୋକସଭାର ମାତ୍ର ୧୪% ସଦସ୍ୟ ହେଉଛନ୍ତି ମହିଳା, ଯେତେବେଳେ କି ଏ କ୍ଷେତ୍ରରେ ବିଶ୍ବ ହାରାହାରି ହାର ହେଉଛି ୨୫%। ମହିଳାଙ୍କୁ ସମାନ ସ୍ବାଧୀନତା ଦେବାକୁ ବା ଲିଙ୍ଗ ସମତା ହାସଲ କରିବାକୁ ଭାରତକୁ ୧୩୪ ବର୍ଷ ଲାଗିଯିବ ବୋଲି ଏକ ବିଶ୍ବସ୍ତରୀୟ ରିପୋର୍ଟ ପୂର୍ବାନୁମାନ କରିଛି।

ସମ୍ବନ୍ଧିତ ଖବର