ଗତ ଜୁନ୍‌, ଜୁଲାଇ ଓ ଅଗଷ୍ଟ ମାସରେ ଘନଘନ ଗ୍ରୀଷ୍ମ ପ୍ରବାହରେ ଜର୍ଜର ୟୁରୋପୀୟ ଦେଶମାନଙ୍କରୁ ଲଗାତାର ଅନେକ ବିଭୀଷିକାର ଖବର ଉଭୟ ଇଲେକ୍‌ଟ୍ରୋ‌ନିକ୍‌ସ ଓ ଛପା ଗଣମାଧ୍ୟମରେ ଆଲୋଡ଼ନ ସୃଷ୍ଟି କରିଛି। ଅଣାୟତ୍ତ ବନାଗ୍ନି ମଧ୍ୟ ବହୁ ମୂଲ୍ୟବାନ ଅରଣ୍ୟ ସଂପଦକୁ ଭସ୍ମ କରିବା ସହିତ ଏହାର ଲେଲିହାନ ଶିଖା କ୍ଷିପ୍ର ଗତିରେ ସୁଦୂର ସହରାଂଚଳକୁ ଗ୍ରାସ କରିବାକୁ ବସିବା ଫଳରେ ସେଠାକାର ଅଧିବାସୀମାନେ ନିଜ ଘରଦ୍ବାର ଛାଡ଼ି ଜୀବନ ବଂଚାଇବା ପାଇଁ ସୁରକ୍ଷିତ ସ୍ଥାନକୁ ପଳାୟନ କଲେ। ବ୍ରିଟେନ୍‌, ଇଟାଲୀ ଓ ଫ୍ରାନ୍‌ସ ଇତ୍ୟାଦି ଭଳି ଦେଶଗୁଡ଼ିକ ଏଭଳି ଭୟାନକ ସ୍ଥିତିରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାକୁ ବାଧ୍ୟ ହେଲେ। ଇଟାଲୀର ଏକ ପ୍ରମୁଖ ଏବଂ ଦୀର୍ଘତମ ନଦୀ ‘ପୋ ରିଭର୍‌’ ସମ୍ପୂର୍ଣ୍ଣ ଭାବରେ ଶୁଖିଗଲା।

Advertisment

ୟୁରୋପ ମହାଦେଶର ଅନେକ ବୃହତ୍‌ ଓ ଚିରସ୍ରୋତା ନଦୀ ଯଥା ଲଇରୋ, ଦୁଆବ, ଡାନ୍ୟୁବ୍‌ ଓ ରାଇନ୍‌ ଇତ୍ୟାଦିରେ ଜଳ ପ୍ରବାହ ହ୍ରାସ ପାଇଲା ବା ଊଣାଅଧିକେ ବନ୍ଦ ହୋଇଗଲା। ଅନେକ ସହରରେ ପିଇବା ପାଣି ମଧ୍ୟ ମିଳିଲା ନାହିଁ। ପ୍ରଚଣ୍ଡ ଉତ୍ତାପକୁ ସହ୍ୟ କରି ନ ପାରି ଜର୍ମାନୀରେ ୮୦୦୦, ସ୍ପେନ୍‌ରେ ୩୦୦୦ ଓ ପର୍ତୁଗାଲ୍‌ରେ ୧୦୦୦ରୁ ଅଧିକ ନାଗରିକ ପ୍ରାଣ ହରାଇଲେ। ସାଧାରଣତଃ ଏହି ଶୀତପ୍ରଧାନ ଦେଶଗୁଡ଼ିକରେ ଉଚ୍ଚ ତାପମାତ୍ରାର ପ୍ରଚଣ୍ଡତା ସମସ୍ତଙ୍କୁ ଚକିତ କରିଦେଲା। ଜଳବାୟୁ ପରିବର୍ତ୍ତନ ଜନିତ ବିଭୀଷିକାର ପ୍ରକୋପ ଏତେ ଭୟଙ୍କର ହୋଇପାରେ ବୋଲି କେହି ଘୁଣାକ୍ଷରରେ କଳ୍ପନା ସୁଦ୍ଧା କରି ପାରି ନ ଥିଲେ।

ବୈଜ୍ଞାନିକ ଓ ଗବେଷକମାନଙ୍କ ଦ୍ବାରା ୬୭ ଦେଶରେ କରାଯାଇଥିବା ୩୪,୦୦୦ରୁ ଅଧକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଉତ୍ତପ୍ତୀକରଣର ପ୍ରଭାବ ପୃଥିବୀର ପ୍ରାୟ ସବୁ ପ୍ରାନ୍ତରେ ଅନୁଭୂତ ହେଲାଣି। ଆଶାତୀତ ଭାବରେ ଏହା ବଢ଼ି ଚାଲିଛି ମଧ୍ୟ। ସାରା ଜଗତ୍‌ ପାଇଁ ଏହା ଏକ ସତର୍କ ଘଣ୍ଟି ସଦୃଶ।

ଏହାର ଆଶୁ ପ୍ରତିକାର ନିମନ୍ତେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣକୁ ଯଥା ଶୀଘ୍ର ଓ ପାରୁ ପର୍ଯ୍ୟନ୍ତ ଅଧିକ ହ୍ରାସ କରିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। ବାୟୁମଣ୍ଡଳକୁ ଉତ୍ତପ୍ତ କରୁଥିବା ସବୁଜ ଗ୍ୟାସ୍‌ରେ ଅଙ୍ଗାରକାମ୍ଳର ଭାଗ ହେଉଛି ପ୍ରାୟ ୭୯ ପ୍ରତିଶତ। ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରାଧିକ ବୃଦ୍ଧି ପଛରେ ଥିବା କାରଣ ହେଉଛି ଅପରିଣାମଦର୍ଶୀ ମାନବୀୟ କାର୍ଯ୍ୟକଳାପ। ଜଣାପଡ଼ିଛି ଯେ ପରିବହନ କ୍ଷେତ୍ରରୁ ୩୩%, ବିଦ୍ୟୁତ୍‌ ଉତ୍ପାଦନରୁ ୩୧%, କଳକାରଖାନାରୁ ୧୬%, ଆବାସିକ ଓ ବ୍ୟାବସାୟିକ ପ୍ରତିଷ୍ଠାନରୁ ୧୨% ଓ ଅନ୍ୟାନ୍ୟ ସୂତ୍ରରୁ ୮% ଅଙ୍ଗାରକାମ୍ଳ ଉତ୍ସର୍ଜିତ ହୋଇ ବାୟୁମଣ୍ଡଳରେ ପ୍ରବେଶ କରୁଛି।

ଯଦିଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ରାଜିନାମା ଓ ପ୍ରସ୍ତାବ ପାରିତ ହୋଇ ଅଙ୍ଗାରକାମ୍ଳ ବା କାର୍ବନ ନିର୍ଗମନର ପରିମାଣକୁ ଯଥା ସମ୍ଭବ ନିମ୍ନଗାମୀ କରାଇ ‘ଶୂନ୍ୟ’ରେ ପହଞ୍ଚାଇବା ସକାଶେ ବିଭିନ୍ନ ରାଷ୍ଟ୍ରଗୁଡ଼ିକ ଉପରେ ଚାପ ପ୍ରୟୋଗ କରାଯାଉଛି, ବାସ୍ତବରେ ଏହା କମିବା ପରିବର୍ତ୍ତେ ଅଧିକ ପରିମାଣରେ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଉପରୋକ୍ତ ପ୍ରସ୍ତାବ ବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ କୌଣସି ବାଧବାଧକତା ବା ଆଇନଗତ ବ୍ୟବସ୍ଥା ନାହିଁ। ରାଷ୍ଟ୍ରମାନଙ୍କ ପାଇଁ ଏହା ଏକ ମୂଲ୍ୟବୋଧଭିତ୍ତିକ ପ୍ରସଙ୍ଗ ହୋଇଛି। ଡେନ୍‌ମାର୍କ, ସ୍ବିଡେନ୍‌ ଓ ନରୱେ ଭଳି ଦେଶ ଏହାକୁ ପାଳନ କରୁଥିବା ବେଳେ ପ୍ରମୁଖ ନିର୍ଗମନକାରୀ ଉନ୍ନତ ଓ ବିକଶିତ ରାଷ୍ଟ୍ରମାନଙ୍କର ଏ ଦିଗରେ ପ୍ରୟାସ ଅତ୍ୟନ୍ତ ନିରୁତ୍ସାହଜନକ। ଅନ୍ୟ ପକ୍ଷରେ ଆର୍ଥିକ ଅଭିବୃଦ୍ଧି ଓ ଆତ୍ମନିର୍ଭରଶୀଳତାରେ ସହାୟକ ହେଉଥିବା ଉତ୍ପାଦନ ପଦ୍ଧତି ଓ ଉଦ୍ୟୋଗ ବିପୁଳ ମାତ୍ରାରେ ଅଙ୍ଗାର ବା କାର୍ବନ ନିର୍ଗମନ କରୁଥିଲେ ସୁଦ୍ଧା ସେଗୁଡ଼ିକୁ ହଠାତ୍‌ ବନ୍ଦ କରି‌େଦବା ଆଦୌ ସମ୍ଭବ ନୁହେଁ। ‌େତଣୁ ବାୟୁମଣ୍ଡଳ ପ୍ରଦୂଷଣ ସହସା ହ୍ରାସ ପାଇବାର ଉପାୟ ମଧ୍ୟ ନାହିଁ।

ଆମ ଦେଶ ବିକାଶ ଓ ପରିବେଶ ମଧ୍ୟରେ ସମନ୍ବୟ ରକ୍ଷା କରି ପର୍ଯ୍ୟାୟ କ୍ରମେ ଶୂନ୍ୟ କାର୍ବନ ସ୍ଥିତିରେ ପହଞ୍ଚିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଏହାର ଏକ ଦୃଷ୍ଟାନ୍ତ। ସେମିତି ବିଜୁଳି ଚାଳିତ ମୋଟର ଗାଡ଼ିର ବ୍ୟବହାର ବା ଅନାବଶ୍ୟକ ଭାବେ ଗାଡ଼ିର ବ୍ୟବହାର ନ କରି ସାଇକେଲରେ ବା ପଦବ୍ରଜରେ ଯିବାଆସିବା କରିବାର ଅଭ୍ୟାସ, ବିଦ୍ୟୁତ୍‌ ଶକ୍ତିର ଉପଯୋଗ‌େର ମିତବ୍ୟୟିତା, ସୌର ବିଦ୍ୟୁତ୍‌ ଭଳି ଅକ୍ଷୟ ଶକ୍ତିର ଅଧିକ ବ୍ୟବହାର ଏବଂ ଆମିଷ ଭୋଜନ ତୁଳନାରେ ଶାକାହାରକୁ ପ୍ରାଧାନ୍ୟ ଭଳି କେତେକ ପଦକ୍ଷେପ ଅନେକାଂଶରେ କାର୍ବନ ବୋଝକୁ ଲାଘବ କରିପାରିବ। ୟୁରୋପରୁ ସତର୍କ ଘଣ୍ଟି ବାଜିଲାଣି! ତେଣୁ ଆମ ସମସ୍ତଙ୍କୁ ଖୁବ୍‌ ସାବଧାନ ‌ହେବାକୁ ପଡ଼ିବ।
ମୋ: ୯୪୩୭୦୮୦୨୩୩