ଅଧିକ ଗଣ୍ଡ ନଦୀଗୁଡ଼ିକୁ ବିପଜ୍ଜନକ କଲାଣି

ପ୍ରତି ବର୍ଷ ସେପ୍‌ଟେମ୍ବର ଶେଷ ରବିବାରକୁ ବିଶ୍ବ ନଦୀ ଦିବସ ରୂପେ ପାଳନ କରାଯାଉଛି। ଏ ବର୍ଷ ଗତ ୨୫ ତାରିଖରେ ତାହା ପାଳିତ ହୋଇଛି। ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି ନଦୀର ସୁରକ୍ଷା ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ପଦକ୍ଷେପ ଗ୍ରହଣ କରିବା। ନଦୀ କେବଳ ଜଳର ଉତ୍ସ ନୁହେଁ, ଏହା ବ୍ୟକ୍ତି ସହିତ ଶାରୀରିକ, ମାନସିକ, ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ସ୍ତରରେ ଜଡ଼ିତ। ନଦୀ ଉପରେ ମଣିଷର ସଂପର୍କ ଯୁଗଯୁଗର।

ଏବେ କିନ୍ତୁ ନଦୀ ପଠାରୁ ଅବିଚାରିତ ବାଲି ଉଠାଣ ହେତୁ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାହା ହେଲା ନଦୀଗୁଡ଼ିକରେ ଅନେକ ଗଣ୍ଡର ସୃଷ୍ଟି। ବାଲି ଉଠାଣ ପରେ ନଦୀର କୂଳ ଗଭୀର ହୋଇଯିବା ଫଳରେ ବର୍ଷାରେ ପାଣି ଭରିଗଲେ ତାହା ଗଣ୍ଡରେ ପରିଣତ ହୋଇ ଏ ବିଷୟରେ ଜାଣି ନ ଥିବା ଲୋକଙ୍କ ସକାଶେ କାଳ ପାଲଟିଛି। ନଦୀ କୂଳର ଅଗଭୀର ସ୍ଥାନ ହଠାତ୍‌ ଗଣ୍ଡରେ ପରିଣତ ହୋଇଥିବାରୁ ନଦୀ ଓ ନଦୀ କୂଳରେ ବାସ କରୁଥିବା ମଣିଷମାନଙ୍କ ମଧ୍ୟରେ ପାରଂପରିକ ଭାବେ ରହି ଆସିଥିବା ବିଶ୍ବାସର ସଂପର୍କରେ ଭଟ୍ଟା ପଡ଼ିଛି। ଏଣୁ ନଈ ପଠାରୁ ଅବିଚାରିତ ବାଲି ଉଠାଣକୁ ବନ୍ଦ କରାଯାଉ।
ବିଶ୍ବଜିତ ପରିଡ଼ା
ବୋଲକଣା, ଡେଲାଙ୍ଗ, ପୁରୀ

ସମ୍ବନ୍ଧିତ ଖବର