୧୯୨୭ ସେପ୍‌ଟେମ୍ବର ୪ ତାରିଖରେ ମାଡ୍ରାସ ‘ୟଙ୍ଗ୍ ମେନସ୍ ଖ୍ରୀଷ୍ଟିଆନ୍ ଆସୋସିଏସନ’ର ଏକ ବିଶେଷ ଅଧିବେଶନରେ ଗାନ୍ଧୀଜୀ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଧର୍ମ ଓ ଜନମଙ୍ଗଳ ବିଷୟରେ କହିବାକୁ ଗାନ୍ଧୀଙ୍କୁ କୁହାଯାଇଥିଲା। ଏ ଅଧିବେଶନର ଅଧ୍ୟକ୍ଷଙ୍କୁ ପ୍ରାରମ୍ଭରେ ଗାନ୍ଧୀ ସ୍ପଷ୍ଟ କରିଦେଲେ, ତାଙ୍କ ଧର୍ମ ତାଙ୍କୁ କେବଳ ଜନମଙ୍ଗଳ କଥା ହିଁ ଶିଖାଏ। ଭାଷଣ ପ୍ରସଙ୍ଗରେ ଗାନ୍ଧୀଜୀ ଓଡ଼ିଶା, ପୁରୀ ଓ ଜଗନ୍ନାଥଙ୍କ କଥା ସେଠି ଉଠାଇଲେ। ଉକ୍ତ ଅଧିବେଶନରେ ଗାନ୍ଧୀଙ୍କ ବକ୍ତବ୍ୟ ଥିଲା- ‘ମୁଁ ଏହି ନଭେମ୍ବରରେ ଓଡ଼ିଶା ଯାଉଛି। ଓଡ଼ିଶା ଭ୍ରମଣ ଭିତରେ ମୁଁ ପୁରୀ ଯିବି। ଆପଣମାନେ ଯିଏ ଚାହାନ୍ତି, ମୋ ସହ ଓଡ଼ିଶା ଯାତ୍ରାରେ ଯୋଗ ଦେଇପାରନ୍ତି। ଆମେ ପୁରୀ ଯିବା। ପୁରୀ ଏକ ପବିତ୍ର ତୀର୍ଥସ୍ଥଳ। ଏହାର ଜଳବାୟୁ ଖୁବ୍ ସ୍ୱାସ୍ଥ୍ୟକର। ପୁରୀ ଏକ ଉତ୍ତମ ପ୍ରାକୃତିକ ଆରୋଗ୍ୟ କେନ୍ଦ୍ର। ଗ୍ରୀଷ୍ମ ଦିନେ ସେଠି ରହିବା ନିମନ୍ତେ ରାଜ୍ୟପାଳଙ୍କ ପାଇଁ ସ୍ଥାୟୀ ନିବାସ ଅଛି। ବଡ଼ବଡ଼ ସେନା ଅଧିକାରୀମାନେ ଗ୍ରୀଷ୍ମଛୁଟି କାଟିବାକୁ ପୁରୀ ଆସନ୍ତି। ଅଥଚ ପୁରୀର ଦଶ ମାଇଲ ପରିଧି ଭିତରେ ରହୁଥିବା ଲୋକଙ୍କ ଅବସ୍ଥା ବେଶ୍ ଗୁରୁତର। ଆପଣମାନେ ସେଠାରେ ଅସଂଖ୍ୟ ଅନାହାର ପୀଡ଼ିତ ଲୋକଙ୍କୁ ଦେଖିବେ। ଦେହର ହାଡ଼ ଗଣି ହେଉଥିବ ସେମାନଙ୍କର। ହାତ ଥରୁଥିବ। ଛିଣ୍ଡା କନାରେ ଗଣ୍ଠି ପକାଇ ବାନ୍ଧି ରଖିଥିବା ପୋଡ଼ା ମୁଢ଼ିକୁ ମୁଁ ମୋ ନିଜ ହାତରେ ଖୋଲି ଦେଖିଛି। ଆପଣମାନେ ତାଙ୍କୁ ଆପଣଙ୍କ ଈଶ୍ୱର ଏବଂ ଆପଣଙ୍କ ତଥାକଥିତ ଆଧୁନିକ ବିକାଶ କଥା କହିପାରନ୍ତି। ତାଙ୍କୁ ଦୋଷ ଦେଇ ଉପହାସ ବି କରି ପାରନ୍ତି। ସେମାନେ କିଛି ବିପରୀତ ପ୍ରତିକ୍ରିୟା ଦେବେନି। କିନ୍ତୁ ଆପଣମାନେ ଯେବେ ତାଙ୍କ ଠାକୁର (ଜଗନ୍ନାଥ) ସମ୍ପର୍କରେ କହିବେ, ସେମାନେ ଖୁସି ହୋଇଯିବେ। ଆପଣଙ୍କ ସହ ବନ୍ଧୁତା କରିବେ। ଆପଣଙ୍କୁ ଆପଣାଇ ନେବେ। ସମସ୍ତ ଦାରିଦ୍ର୍ୟ ସତ୍ତ୍ବେ ଓଡ଼ିଶାର ଲୋକମାନେ ଶିଷ୍ଠାଚାର, ଭଦ୍ରତା ଭୁଲି ନାହାନ୍ତି, ଯାହାର ଅଭାବ ଆଧୁନିକ ବୋଲି ଦାବି କରୁଥିବା ଆମମାନଙ୍କ ଭିତରେ ଅଛି। ସେମାନେ କିନ୍ତୁ ଆତଙ୍କ ସୃଷ୍ଟି କରୁଥିବା ଈଶ୍ୱରଙ୍କୁ ଜାଣନ୍ତି। ନିଷ୍ଠୁର ଶାସକଙ୍କୁ ଚିହ୍ନନ୍ତି। କମ୍ ବସ୍ତ୍ର ପିନ୍ଧିଥିଲେ ବି ସେମାନଙ୍କ ହୃଦୟ ସ୍ବଚ୍ଛ, ନିର୍ମଳ। ବଡ଼ ବଡ଼ ସମ୍ଭ୍ରାନ୍ତ ପୋଷାକ ଏବଂ ନଅ ଗଜିଆ ସିଲ୍‌କ ଶାଢ଼ି ପିନ୍ଧିଥିଲେ ବି ଆମ ଭିତର କିନ୍ତୁ ଖୋଲା ନୁହେଁ। ମୁଁ ସେଇଥିପାଇଁ ବାରମ୍ବାର ଓଡ଼ିଶା ଯାଉଛି। ଓଡ଼ିଶାର ଲୋକଙ୍କ ସହ ସିଧା କଥା ହେଉଛି। ଆତ୍ମିକ ସମ୍ପର୍କ ରଖିଛି। ଦାରିଦ୍ର୍ୟ ଦୂରୀକରଣର ସ୍ଥାୟୀ ଉପାୟ ଖୋଜୁଛି।’

Advertisment

ପ୍ରାକ୍ ସ୍ୱାଧୀନତା କାଳରେ ଓଡ଼ିଶା ସମ୍ପର୍କରେ ଗାନ୍ଧୀଜୀଙ୍କ ସେଦିନ ଏପରି ଅଭିବ୍ୟକ୍ତି ଥିଲା ପ୍ରକୃତରେ ଅନନ୍ୟ।

ମାଡ୍ରାସର ସେ ସମ୍ଭ୍ରାନ୍ତ ସମ୍ମିଳନୀରେ ଗାନ୍ଧୀ ଏମିତି ଏକ ପ୍ରସଙ୍ଗର ଅବତାରଣା କଲେ କାହିଁକି? କାରଣ ହେଉଛି, ସମ୍ମିଳନୀରେ ଧର୍ମ ଏବଂ ଦାନ (ଚାରିଟି)ର ସମ୍ପର୍କ ନେଇ ଆଲୋଚନା ହେଉଥିଲା ଏବଂ ବଦାନ୍ୟତା ଈଶ୍ୱର ପ୍ରାପ୍ତିର ମାଧ୍ୟମ ବୋଲି ଯୁକ୍ତି ଆସୁଥିଲା, ଯେମିତି ସବୁ ଧାର୍ମିକ ସମ୍ମିଳନୀରେ ହୁଏ। ଏକ ଅପାତ୍ରଗତ ଦାନ ଯେ ଦାରିଦ୍ର୍ୟ ଦୂରୀକରଣର ସାଧନ ନୁହେଁ, ଗାନ୍ଧୀ ସୂଚେଇ ଦେଇଥିଲେ। ସେ କହିଥିଲେ, ସକାଳେ ଭଲ ଜଳଖିଆ ଖାଇ ମଧ୍ୟାହ୍ନର ଭୁରି ଭୋଜନକୁ ଅପେକ୍ଷା କରିଥିବା ଧର୍ମ ପ୍ରଚାରକଟି ଯେତେବେଳେ ଭୋକିଲା ଲୋକଙ୍କୁ ଈଶ୍ୱରଙ୍କ ସମ୍ପର୍କରେ ପ୍ରବଚନ ଦେଉଥାଏ, ଭୋକରେ ଥିବା ମଣିଷ ଉପରେ ତା’ର କିଛି ପ୍ରଭାବ ନଥାଏ। ଭୋକିଲା ପାଇଁ ଭୋକ ଏକ ଅସୁର; ଖାଦ୍ୟ ହିଁ ତା’ ପାଇଁ ଈଶ୍ୱର।

ଦରିଦ୍ର ନାରାୟଣ ସେବା ନାମରେ ମାଗଣା ତଥା ଭିକାରି ଭୋଜନକୁ ନେଇ ଗାନ୍ଧୀଙ୍କ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ପଚରାଯିବାରୁ ଗାନ୍ଧୀ ବହୁତ ତୀକ୍ଷ୍‌ଣ ଓ ତିର୍ଯ୍ୟକ୍‌ ଉତ୍ତର ଦେଇଥିଲେ। ଗାନ୍ଧୀ କହିଥିଲେ ଯେ ଦାରିଦ୍ର୍ୟ ଓ ଅର୍ଦ୍ଧ ଅନାହାର ଭିକାରି ସୃଷ୍ଟି କରେ। ସେ କିନ୍ତୁ କୌଣସି ମାଗଣା ଭୋଜନ କାର୍ଯ୍ୟକ୍ରମକୁ ସମର୍ଥନ କରନ୍ତି ନାହିଁ। ଶ୍ରମ ନ କରି ଏବଂ ଦେହର ଝାଳ ନ ବୁହାଇ ସବଳ ଲୋକ ଖାଦ୍ୟ ଖାଇବା ଗାନ୍ଧୀଙ୍କ ମତରେ ଏକ ପାପ। ଗାନ୍ଧୀଙ୍କ ଅହିଂସା ଅଭ୍ୟାସର ଏହା ପରିପନ୍ଥୀ। ତାଙ୍କର ଯୁକ୍ତି ଯେ ମାଗଣା ଆବଣ୍ଟନ କେବେ ଦେଶ ହିତରେ ନ ଥାଏ। ଦେଶର ନୈତିକ ତଥା ଆର୍ଥିକ ଅଭିବୃଦ୍ଧିରେ ଏହାର କିଛି ଅବଦାନ ମଧ୍ୟ ନ ଥାଏ।
ମାଗଣା ଭୋଜନ ନେଇ ଗାନ୍ଧୀ ଅନେକ ସମୟରେ ଏକ ଉଦାହରଣ ଦେଉଥିଲେ। ଗାନ୍ଧୀ ଥରେ କଲିକତାର ‘ମାର୍ବଲ୍ ହାଉସ୍’ ଯାଇଥିଲେ। ମାର୍ବଲ ହାଉସ୍ ମାଲିକ ଗାନ୍ଧୀଙ୍କ ସମ୍ମାନର୍ଥେ ଭିକାରି ଭୋଜନର ବ୍ୟବସ୍ଥା କରିଥିଲେ। ଗାନ୍ଧୀଜୀ ଯେ ଗରିବଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ସହ ବନ୍ଧୁତ୍ୱ ରଖନ୍ତି, ଏହାର ପ୍ରମାଣ ଦେବାକୁ ମାଗଣା ଭୋଜନର ଆୟୋଜନ ହୋଇଥିଲା ବୋଲି ଆୟୋଜକଙ୍କ ସଫେଇ ଥିଲା। କ୍ଷୁଧାର୍ତ୍ତମାନେ ଦୁଇ ଧାଡ଼ି ହୋଇ ବସିଥିଲେ। ଗାନ୍ଧୀଙ୍କୁ ଧାଡ଼ି ମଝିରେ ଚାଲିଯିବାକୁ ଅନୁରୋଧ କରାଯାଇଥିଲା। ଗାନ୍ଧୀ ଏଥିରେ ଅପାମାନିତ ଅନୁଭବ କରିଥିଲେ। ତାଙ୍କ ଖେଦୋକ୍ତି ଥିଲା ଯେ ଭିକାରିଙ୍କ ସାମୂହିକ ଭୋଜନକୁ ସାମନା କରି ଛିଡ଼ା ହୋଇଥିବା ମାର୍ବଲର ବିଶାଳ ସୌଧ ମିଛ ଦାତାପଣକୁ ନିଶ୍ଚୟ ସେଦିନ ତାଚ୍ଛଲ୍ୟ କରୁଥିଲା।

ଗାନ୍ଧୀ କିନ୍ତୁ ମୋଫତ ଭୋଜନ ଓ ମାଗଣା ବଣ୍ଟନକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରୁ ନ ଥିଲେ। ଦୃଷ୍ଟିହୀନ, ଦିବ୍ୟାଙ୍ଗ ଏବଂ ଅସମର୍ଥ ବୃଦ୍ଧ ବୃଦ୍ଧାମାନଙ୍କ ନିମନ୍ତେ ଏ ସବୁ ଦରକାର ବୋଲି ଗାନ୍ଧୀ କହୁଥିଲେ। ମାଗଣା ଭୋଜନରେ ଯେ ସବଳ ବ୍ୟକ୍ତି ଭିତରେ ଆଳସ୍ୟ, ଉଦାସୀନତା ସୃଷ୍ଟି ହୋଇଥାଏ ଏବଂ ବେଳେବେଳେ ଅପରାଧ ବି ଜନ୍ମ ନେଇଥାଏ, ଏ ଥିଲା ଗାନ୍ଧୀଙ୍କ ତର୍କ।

ଅନାହାରଜନିତ ମୃତ୍ୟୁ ରୋକିବା ଲାଗି ଗାନ୍ଧୀଙ୍କ ପ୍ରସ୍ତାବ ହେଉଛି- ଯେଉଁ ଧନୀ ବ୍ୟକ୍ତିମାନେ ମାଗଣାରେ ଖାଦ୍ୟ ବାଣ୍ଟୁଛନ୍ତି, ସେମାନେ ଅନୁଷ୍ଠାନମାନ ଗଢ଼ି ଲୋକଙ୍କୁ କାମ ଯୋଗାଇ ପାରନ୍ତେ; କାମ ବଦଳରେ ଲୋକଙ୍କୁ ଖାଇବାକୁ ଦେଇ ପାରନ୍ତେ। ଏ କାମ ରାଷ୍ଟ୍ର ବି କରିପାରନ୍ତା। ମାଗଣା ବଣ୍ଟନ ପ୍ରକ୍ରିୟା ଧନୀଙ୍କୁ ଧନୀ ଏବଂ ଗରିବଙ୍କୁ ଗରିବ କରି ରଖୁଛି। ଧନୀ ଦରିଦ୍ର ଭିତରେ ପାର୍ଥକ୍ୟ ଦୀର୍ଘ ଦିନ ଲାଗି ରହିଲେ, ସମାଜରେ ଅସୂୟା ଭାବ ସୃଷ୍ଟିହୁଏ। ଅସୂୟା ଏକ ହିଂସା।
ମୋ: ୯୮୬୧୪୬୯୩୨୮