ଜଣେ ଅତ୍ୟନ୍ତ ଜ୍ଞାନୀ ବ୍ରାହ୍ମଣ ଥିଲେ। ଜଣେ ଯୁବକ ତାଙ୍କ ପାଖକୁ ଆସି ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବାକୁ ଚାହିଁଲା।

Advertisment

ସେ କହିଲା- ମୁଁ ଜଣେ ମୂର୍ଖ ଯୁବକ। ଧନୁତୀର ବ୍ୟବହାର କରି ଶିକାର କରି ଚଳେ। କେଜାଣି କାହିଁକି ଏ ସବୁରେ ମନ ମାନୁନାହିଁ। ଭାବିଲି ଟିକିଏ ଜ୍ଞାନ ମାର୍ଗରେ ଯିବି। ମୋତେ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।
ଏହା ଶୁଣି ବ୍ରାହ୍ମଣ କହିଲେ- ତୁମ କଥାରେ ମୁଁ ରାଜି। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। ମୁଁ ପିଲାଟି ଦିନରୁ ଶସ୍ତ୍ର ଚାଳନା ପ୍ରତି ଗଭୀର ଆଗ୍ରହୀ ଥିଲି। କିନ୍ତୁ ସୁଯୋଗ ମିଳି ନ ଥିଲା। ଏବେ ମୁଁ ତୁମକୁ ଜ୍ଞାନ ମାର୍ଗରେ ନେବି ଏବଂ ତା’ ବଦଳରେ ତୁମେ ମୋତେ ତୀର ଚାଳନା ଶିକ୍ଷା ଦେବ।

ଶବର ଯୁବକ ରାଜି ହେଲା। ତା’ ପରେ ଉଭୟ ପରସ୍ପରକୁ ଶିକ୍ଷା ଦେବାରେ ଲାଗିଲେ। କିନ୍ତୁ ଯୁବକଟି ବ୍ରାହ୍ମଣଙ୍କ ଠାରୁ ଜ୍ଞାନ ଲାଭ କରିବାରେ ସମର୍ଥ ହେଉଥିବା ବେଳେ ବ୍ରାହ୍ମଣ ଜଣକ ତୀର ଚାଳନା ବିଦ୍ୟାରୁ କାଣିଚାଏ ହେଲେ ମଧ୍ୟ ଶିଖି ପାରିଲେ ନାହିଁ। ଦିନେ ବ୍ରାହ୍ମଣ କହିଲେ- ମୋ ଦେଇ ଆଉ ତୀର ଚାଳନା ହେବ ନାହିଁ। ସୁତରାଂ, ଆଜି ଠାରୁ ତାହା ବନ୍ଦ। କିନ୍ତୁ ଦେଖୁଛି ତୁମେ ଅନାୟାସରେ ମୋ ଠାରୁ ଜ୍ଞାନ ଲାଭ କରିବାରେ ସଫଳ ହେଉଛ! ସତରେ ତୀର ଚାଳନା ଏକ କଷ୍ଟକର ବ୍ୟାପାର।

ଏବେ ଯୁବକ କହିଲା- ମହାଭାଗ, କଥାଟିଏ କହିବି, କିଛି ମନେ କରିବେ ନାହିଁ। ଆପଣଙ୍କ ଠାରୁ ପାଇଥିବା ଜ୍ଞାନ ହେତୁ ମୁଁ ଏହା କହୁଛି। କଥା ହେଲା ମୁଁ ନିଜକୁ ମୂର୍ଖ ବୋଲି ଭାବି ଆପଣଙ୍କ ପାଖରେ ଯେମିତି ନିଜକୁ ସମର୍ପିତ କରି ଦେଲି, ଆପଣ ମୋ ପାଖରେ ନିଜକୁ ଶିଷ୍ୟ ତୁଳ୍ୟ ସମର୍ପଣ କରି ପାରିନାହାନ୍ତି। ତା’ ନ ହେଲେ ତୀର ଚାଳନା ଆଦୌ ଏକ କଷ୍ଟକର ବ୍ୟାପାର ହୁଅନ୍ତା ନାହିଁ।