“ଦେଖ୍ ଝିଅ, ଜିନ୍ସ ବଦଳେଇ ଶାଢ଼ିଟା ପିନ୍ଧିପକା। ପୁଅଘର ଆଜି ଦେଖିବାକୁ ଆସୁଛନ୍ତି ପରା! ସେମାନଙ୍କୁ ଯଥା ମାନ୍ୟ ଦେଖେଇବୁ। କଥାବାର୍ତ୍ତା ମାର୍ଜିତ ଢଙ୍ଗରେ କରିବୁ। ପ୍ରଥମ ଧାରଣାଟି ସେମାନଙ୍କର ଭଲ ହେବା ଦରକାର।” ବିବାହ ପ୍ରସ୍ତାବ ନେଇ ଦେଖାଚାହାଁ ହେବା ସମୟରେ ଝିଅକୁ ବାପାମା’ ଏମିତି ଉପଦେଶ ସବୁ ଦେଇଥାନ୍ତି। ପୁଅକୁ ମଧ୍ୟ ସମାନ ଧରଣର ଉପଦେଶ ମିଳେ। ଚାକିରି ପାଇଁ ସାକ୍ଷାତକାର ଦେବାବେଳେ ହେଉ ବା କୌଣସି ବ୍ୟାବସାୟିକ ବୈଠକ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆମେ ଆଶା କରିଥାଉ ଆମ ସଂପର୍କରେ ପ୍ରାଥମିକ ଧାରଣାଟି ସକାରାତ୍ମକ ହେଉ। କାରଣ ପ୍ରଥମ ଧାରଣା ଦୀର୍ଘସ୍ଥାୟୀ ହୋଇଥାଏ। ମତ ହୁଏତ ବଦଳିଯିବ, ପ୍ରଥମ ଧାରଣା ବଦଳିବା ସହଜ ନୁହେଁ, ଏହା ଆମର ବିଶ୍ୱାସ। ସେଥିପାଇଁ କୁହାଯାଏ ପ୍ରଥମ ଧାରଣାର ସୃଷ୍ଟି ପାଇଁ ଆଉ ଦ୍ବିତୀୟ ସୁଯୋଗ ମିଳେନି। କାହା ସଂପର୍କରେ ପ୍ରାଥମିକ ଧାରଣାଟିଏ ସୃଷ୍ଟି ହୋଇଗଲେ ସେ ବିଶ୍ବାସକୁ ସ୍ଥାୟୀ କରିବାକୁ ଯାଇ ଆମେ ଔଚିତ୍ୟର ସଂଧାନରେ ଲାଗିପଡୁ। ନୂଆ ବୋହୂଟି ଯଦି ଗୁରୁଜନଙ୍କ ପାଦ ଛୁଇଁବାକୁ ଭୁଲିଗଲା, ଆମର ସ୍ବତଃ ଧାରଣା ହୋଇଯାଏ ବାପାମା’ କିଛି ଶିଖାଇ ନାହାନ୍ତି। ପରେ ଯେତେବେଳେ ଝିଅଟି ଗୁଣର ବୋହୂ ବୋଲି ନିଜକୁ ପ୍ରମାଣିତ କରେ, ଆମେ ପୂର୍ବର ଧାରଣା ନବଦଳାଇ କହୁ, କିଛି ଶିଖିଥିଲା କି? ଏଇଠି ଶାଶୂ ଘରେ ଆସି ସବୁ ଶିଖିଲା ନା!
ପ୍ରାଥମିକ ଧାରଣା ଦୀର୍ଘସ୍ଥାୟୀ ହୁଏ କି? ଶକ୍ତିଶାଳୀ ଭାବାବେଗଗୁଡ଼ିକୁ ଆମେ ପ୍ରଥମେ ଗ୍ରହଣ କରିନେଇଥାଉ। ପ୍ରଥମ ସାକ୍ଷାତ, ପ୍ରଥମ କଥାବାର୍ତ୍ତା, ଶରୀର ଠାରୁ ନେଇ ଭାଷା, ବ୍ୟବହାର ଓ ପରିଧାନ ଆଦି ଆମକୁ ଅନ୍ୟର ସଂପର୍କରେ ପ୍ରାଥମିକ ଧାରଣାଟିଏ ସୃଷ୍ଟି ପାଇଁ ମୁଖ୍ୟ ଘଟକ ହୋଇଥାଏ। ବିପରୀତ କିଛି ନ ଘଟିବା ଯାଏଁ ପ୍ରଥମ ଧାରଣାଟି ବଳବତ୍ତର ରହିଯାଏ। ଏହା ଏତେ ଶକ୍ତିଶାଳୀ ହୋଇଥାଏ ଯେ, ତାହାକୁ ଭିତ୍ତି କରି ଆମେ ଆଉ କିଛି କାଳ୍ପନିକ ସିଦ୍ଧାନ୍ତରେ ମଧ୍ୟ ପହଞ୍ଚି ଯାଉ। ଯେମିତିକି, କାହାରିକୁ ଆକର୍ଷଣୀୟ ବ୍ୟକ୍ତିତ୍ବର ଅଧିକାରୀ ବୋଲି ଧାରଣା ହେଲେ ଆମେ ସ୍ବତଃ ନିର୍ଣ୍ଣୟ କରିନେଉ ଯେ ଲୋକଟି ମଧ୍ୟ ବିଜ୍ଞ ଓ ଚତୁର ହୋଇଥିବ। ଯଦିଓ ତା’ ପାଖରେ ବିଜ୍ଞତା କି ଚତୁରତା କିଛି ନଥିବ। ମନୁଷ୍ୟର ଏଇ ଦୁର୍ବଳତାକୁ ଅନେକ ଲୋକ ସୁଯୋଗ ଭାବରେ ନେଇ ନିଜର ସ୍ବାର୍ଥ ସାଧନ କରିଥାନ୍ତି। ତେଣୁ ବାହ୍ୟ ଚେହେରା ଓ କଥାବାର୍ତ୍ତାର ଆଧାରରେ ଚରିତ୍ର ସଂବନ୍ଧରେ ନିର୍ଣ୍ଣୟ ନେବା ଏକ ମାନସିକ ବିଭ୍ରାନ୍ତି। ଆଉ ଗୋଟିଏ କଥା ସାଧାରଣତଃ କୁହାଯାଏ ଯେ, ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଏ। ଇଏ ମଧ୍ୟ ସତ୍ୟ ନୁହେଁ। ପ୍ରଥମ ଦେଖାରେ ଆକର୍ଷଣ ସୃଷ୍ଟି ହୋଇପାରେ। ଆକର୍ଷଣ ବା ଆସକ୍ତିକୁ ପ୍ରେମ କୁହାଯାଏନି। ପ୍ରକୃତ ପ୍ରେମ ତ ସମୟର କ୍ଷେତରେ ଅମଳ ହୁଏ। ସେଥିପାଇଁ ବିଶ୍ବାସର ମଞ୍ଜି ବୁଣିବାକୁ ପଡ଼େ ଓ ସ୍ନେହର ଜଳ ସିଞ୍ଚନ କରିବାକୁ ହୁଏ।
ପ୍ରଥମ ଧାରଣା କଦାଚିତ ଦୀର୍ଘସ୍ଥାୟୀ ନୁହେଁ, ପରନ୍ତୁ ତାହା ତା’ର ପରବର୍ତ୍ତୀ ସିଦ୍ଧାନ୍ତର ଅପେକ୍ଷାରେ ରହିଥାଏ। କାରଣ ମାନବ ଚରିତ୍ରର ବିଭିନ୍ନ ସ୍ତରକୁ ଭେଦକରି କାହାରି ସଂପର୍କରେ ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବା ପାଞ୍ଚ କି ଦଶ ସେକେଣ୍ଡରେ ସମ୍ଭବ ନୁହେଁ। ମନୁଷ୍ୟ ସ୍ବଭାବତଃ ଏତେ ସନ୍ଦେହୀ ଯେ, ହଠାତ୍ ଏକ ନିଷ୍କର୍ଷରେ ପହଞ୍ଚି ଯାଏନି। ଅନ୍ୟର ଜୋତା ଗୋଡ଼ରେ ଗଳାଇ କିଛିବାଟ ନ ଚାଲିଲେ ତା’ ସଂପର୍କରେ ପ୍ରକୃତ ଧାରଣା ହେବ କେମିତି! ଉଦାହରଣଟି ଦେଖନ୍ତୁ: ଦିନେ ତୃଷାର୍ତ୍ତ ବାଟୋଇଟିଏ ଜଣେ ଗୃହସ୍ଥଙ୍କୁ ପାଣି ମାଗିଲା। ଗୃହକର୍ତ୍ତା କିଛି ଉତ୍ତର ନଦେଇ ଘର ଭିତରକୁ ଚାଲିଗଲେ। କିଛି ସମୟ ବିତିଗଲେ ମଧ୍ୟ ଘରୁ କେହି ବାହାରିଲେନି। ବାଟୋଇର ଗୃହକର୍ତ୍ତା ପ୍ରତି ଗୋଟିଏ ପ୍ରାଥମିକ ଧାରଣା ସୃଷ୍ଟି ହେଲା ଯେ ଲୋକଟି ନିର୍ଦ୍ଦୟ। କିଛି ସମୟ ପରେ ଗୃହକର୍ତ୍ତା ଆସି କହିଲେ, ଭାବିଲି ଖାଲି ପାଣି କ’ଣ ଦେବି ତେଣୁ ଲେମ୍ବୁ ସର୍ବତ ଟିକିଏ କରି ନେଇଆସିଲି। ଲେମ୍ବୁ ଘରେ ନଥିଲା, ଆଣିବାରେ ଡେରି ହୋଇଗଲା। ବାଟୋଇର ପ୍ରଥମ ଧାରଣାଟି ଖୁବ୍ କମ୍ ସମୟ ମଧ୍ୟରେ ବଦଳିଗଲା।
ସର୍ବତ ପିଇବା ବେଳେ ବାଟୋଇ ଅନୁଭବ କଲା ଯେ ସେଥିରେ ଚିନି ପଡ଼ିନି। ଏବେ ତା’ର ଧାରଣା ତୃତୀୟ ଥର ପାଇଁ ବଦଳିଲା। ଠିକ୍ ଏତିକି ବେଳେ ଗୃହକର୍ତ୍ତା ପୁଡ଼ିଆ ଗୋଟିଏ ବଢ଼ାଇଦେଇ କହିଲେ, ଆପଣ ଚିନି ଖାଆନ୍ତିକି ନାହିଁ ଏବଂ ଖାଉଥିଲେ ପରିମାଣ କେତେ ମୁଁ ଜାଣେନି, ସେଥିପାଇଁ ଚିନି ଅଲଗା ନେଇଆସିଛି। ଏବେ ବାଟୋଇର ଧାରଣା ଚତୁର୍ଥ ଥର ପାଇଁ ବଦଳିଲା। ଏ ହେଲା କାହାରି ସଂପର୍କରେ ଆମ ଧାରଣାର ତ୍ବରିତ ପରିବର୍ତ୍ତନ। ତେଣୁ ବହିର ମଲାଟକୁ ଦେଖି ବହି ବିଷୟରେ ନିର୍ଣ୍ଣୟ ନେବା ଯାହା, ପ୍ରାଥମିକ ଧାରଣାର ଆଧାରରେ କାର୍ଯ୍ୟ କରିବା ଠିକ୍ ସେହିପରି। ମନେ ରଖିବାର କଥା ଯେ, ବହିର ଏହା କେବଳ ମଲାଟ, ବହି ନୁହେଁ। ବହିର ମଲାଟ ଆକର୍ଷଣୀୟ ହୋଇଥିଲେ ବହିର ବିଷୟବସ୍ତୁ ଯେ ମନୋମୁଗ୍ଧକର ହୋଇଥିବ, ସେକଥା ଭୁଲ୍। ମଲାଟ ଅନାକର୍ଷଣୀୟ ହୋଇ ମଧ୍ୟ ବହିଟି ସୁଖପାଠ୍ୟ ହୋଇପାରେ। ଗଛକୁ ଦେଖିଦେଇ ଫଳ ବିଷୟରେ ଧାରଣା କରିବା କିମ୍ବା ମହୁଫେଣାକୁ ଦେଖି ମହୁ ବିଷୟରେ ଧାରଣା କରିବା ସଠିକ୍ ହୋଇ ନଥାଏ।
ସେଥିପାଇଁ ପ୍ରଥମ ଧାରଣା ସର୍ବଦା ଅବିଶ୍ବାସ୍ୟ। ପ୍ରାଥମିକ ଧାରଣାକୁ ସର୍ବଶ୍ରେଷ୍ଠ ଅଥବା ସର୍ବଶେଷ ଧାରଣା ଭାବରେ ବିଶ୍ୱାସକୁ ନେଲେ ପ୍ରତାରିତ ହେବା ଅନିବାର୍ଯ୍ୟ। ଏବେ ଆମ ସମାଜରେ ଯେତେ ସବୁ ପ୍ରତାରଣା ଜନିତ ଘଟଣାମାନ ଘଟୁଛି ତା’ର କାରଣ ହେଉଛି ଅନ୍ୟ ପ୍ରତି ଆମର ପ୍ରାଥମିକ ଧାରଣାରେ ରହୁଥିବା ତ୍ରୁଟି। ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ କିଛି ସମୟ ଅଟକିରହି ଦେଖନ୍ତୁ, ଆପଣଙ୍କ ଧାରଣା କେମିତି ବଦଳିବାରେ ଲାଗିବ। ମୀର୍ଜା ଗାଲିବ୍ ତ ସେଥିପାଇଁ କହିଛନ୍ତି ନା, “ମେରେ ବାରେ ମୈଁ କୋଇ ରାୟ ମତ୍ ବନାନା ଗାଲିବ୍, ମେରା ଵକ୍ତ୍ ଭି ବଦଲେଗା ତେରି ରାୟ ଭି”। ମୋ ସଂପର୍କରେ କିଛି ସିଦ୍ଧାନ୍ତରେ ପହଞ୍ଚି ଯାଅନି ଗାଲିବ୍, ମୋର ସମୟ ବି ବଦଳିବ, ତୁମର ସିଦ୍ଧାନ୍ତ ବି। ଏବେ ସତର୍କ ରହିବାର ପାଳି ଆପଣଙ୍କର।
[email protected]