ଗୁରୁ ୟୁଜିକେ ଥରେ ଚରମ ଆଶାବାଦ ଉପରେ କହୁଥିଲେ। ସେ କହୁଥିଲେ କିଭଳି ଚରମ ଆଶାବାଦୀମାନେ ଏଭଳି ଅଲୌକିକତାରେ ବିଶ୍ବାସ କରନ୍ତି ଯେ ପରୀକ୍ଷା ନ ଦେଇ ମଧ୍ୟ ଫଳ ତାଲିକାରେ ନାମ ଖୋଜନ୍ତି; ଏଇ ଆଶାରେ ଯେ କାଳେ ସେମାନଙ୍କ ନାମ ରହିଯାଇଥିବ। ଏ ପୃଥିବୀରେ ସବୁ କିଛି ସମ୍ଭବ ବୋଲି ସେମାନେ ଭାବନ୍ତିି। ସେହି କଥା ଅବସରରେ ସେ ଏହି ଗପଟି କହିଲେ।

Advertisment

ମୁଲ୍ଲା ନସିରୁଦ୍ଦିନ ଥରେ ରେଳ ଯାତ୍ରା କରୁଥିଲେ। ହରବରରେ ଟ୍ରେନ ଚଢ଼ିଥିବାରୁ ଟିକେଟ କରିବାକୁ ଭୁଲି ଯାଇଥିଲେ। ତାଙ୍କର ଦୁର୍ଭାଗ୍ୟ, ସେହି ଦିନ ତାଙ୍କ ଡବାକୁ ଟିକେଟ ଚେକିଂ କରିବାକୁ ଅଧିକାରୀ ପହଞ୍ଚି ଗଲେ।
ସେ ମୁଲ୍ଲାଙ୍କୁ ଟିକେଟ ମାଗିଲେ। ମୁଲ୍ଲା ତାଙ୍କ ସାର୍ଟ, ପ୍ୟାଣ୍ଟ ଓ କୋଟର ସମସ୍ତ ପକେଟ ତନଖି ନେଲେ। କିନ୍ତୁ ଯାହା ହେବାର ଥିଲା ହେଲା। ଟିକେଟ ତ କରି ନାହାନ୍ତି, ମିଳନ୍ତା ବା କେଉଁଠୁ? କିନ୍ତୁ ମୁଲ୍ଲା ବାରମ୍ବାର ପକେଟରେ ହାତ ପୂରାଇ ଦେଖିବାରେ ବ୍ୟସ୍ତ।

ଏହା ଦେଖି ଟିକେଟ ନିରୀକ୍ଷକ କହିଲେ- ମୁଲ୍ଲା, ତୁମେ ସବୁ ପକେଟ ‌େଦଖି ସାରିଲଣି , କେବଳ ଗୋଟିକୁ ଛାଡ଼ି। ସେଇ ପକେଟ ଟିକିଏ ଦେଖ।
ମୁଲ୍ଲା କ୍ଷଣିଏ ରହିଗଲେ। ତା’ ପରେ ଧୀରେ କହିଲେ- ଆଉ ଯଦି ସେଥିରେ ନ ମିଳେ? ତାହା ହେଲେ ତ ସବୁ ସରିଗଲା! ସେଇ ଗୋଟାକରେ ମୋର ଆଶା ବଞ୍ଚିଛି। ସେଇଟା ବି ଚାଲିଯାଉ ବୋଲି ତୁମେ ଭାବୁଛ! ତାକୁ ତନଖିବା ଲାଗି ମୋତେ ଆଉ କୁହନାହିଁ!