ଜାପାନ୍‌ର ଟୋକିଓ ଠାରେ ଅନୁଷ୍ଠିତ ଚତୁର୍ଦ୍ଦେଶୀୟ ନିରାପତ୍ତା-ନିଶ୍ଚିତକାରୀ ଗୋଷ୍ଠୀ ‘କ୍ବାଡ୍’ (ଆମେରିକା, ଭାରତ, ଜାପାନ୍, ଅଷ୍ଟ୍ରେଲିଆ)ର ଶୀର୍ଷ ସମ୍ମିଳନୀରେ ମଇ ୨୩ ଦିନ ଏକ ନୂତନ ବହୁଦେଶୀୟ ଅର୍ଥନୈତିକ ଚୁକ୍ତିର ଜନ୍ମ ଘୋଷଣା କରାଯାଇଥିଲା। ‘କ୍ବାଡ୍‌’ର ଉଦ୍ଦେଶ୍ୟ ହେଉଛି ଭାରତ-ପ୍ରଶାନ୍ତ-ମହାସାଗରୀୟ ଅଞ୍ଚଳରେ ଚୀନ୍‌ର ଆକ୍ରମଣାତ୍ମକ ଆଚରଣକୁ ଅଙ୍କୁଶ ଦେଇ ନିରାପତ୍ତା ନିଶ୍ଚିତ କରିବା। ଏପରି ଏକ ମଞ୍ଚରେ ଏକ ଅର୍ଥନୈତିକ ଚୁକ୍ତିର ଆବିର୍ଭାବ ସ୍ବାଭାବିକ ଭାବରେ ଏକ ପ୍ରଶ୍ନ ଉଠାଇଥାଏ, ଏହି ନୂତନ ଚୁକ୍ତି ପ୍ରକୃତରେ ଏକ ଅର୍ଥନୈତିକ ପଦକ୍ଷେପ, ନା ‘କ୍ବାଡ୍‌’ର ଆଞ୍ଚଳିକ ନିରାପତ୍ତା ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପାର୍ଶ୍ବ ଉଦ୍ୟମ?

Advertisment

ଏପରି ଧାରଣାକୁ ଯାହା ଆହୁରି ଦୃଢ଼ୀଭୂତ କରିପାରେ, ତାହା ହେଲା, ଅଳ୍ପ ଦିନ ତଳେ ଚୀନ୍‌ର ଉଦ୍ୟମରେ ଗଠିତ ହୋଇ କାର୍ଯ୍ୟ କରିବାକୁ ଆରମ୍ଭ କରିଥିବା ଅନ୍ୟ ଏକ ଆଞ୍ଚଳିକ ଅର୍ଥନୈତିକ ସହଯୋଗ ଚୁକ୍ତି ଓ ଏହି ଚୁକ୍ତି ମଧ୍ୟରେ ପ୍ରତୀୟମାନ ହେଉଥିବା ସମ୍ମୁଖ ସମର ଭଳି ଏକ ଚିତ୍ର। ‘କ୍ବାଡ୍‌’ ସମ୍ମିଳନୀରେ ଘୋଷିତ ଏହି ନୂତନ ଚୁକ୍ତିର ନାମ ହେଉଛି ‘ଇଣ୍ଡୋପାସିଫିକ୍ ଇକନୋମିକ୍ ଫ୍ରେମ୍‌ୱର୍କ’ (‘ଆଇପିଇଏଫ୍’); ଏଥି ପୂର୍ବରୁ ଗଠିତ ଚୀନା ନେତୃତ୍ବାଧୀନ ମୁକ୍ତ-ବାଣିଜ୍ୟ ସଂଗଠନର ନାମ ହେଉଛି ‘ରିଜିଓନାଲ୍ କମ୍ପ୍ରିହେନ୍‌ସିଭ୍ ଇକନୋମିକ୍ ପାର୍ଟନର୍‌ସିପ୍’ (‘ଆର୍‌ସିଇପି’)। ଏମାନଙ୍କ ମଧ୍ୟରେ ସମ୍ମୁଖ ସମର ଧାରଣାର କାରଣ ହେଲା- ‘ଆଇପିଇଏଫ୍’ର ସଦସ୍ୟ ଥିବା ୧୩ଟି ଦେଶ ମଧ୍ୟରୁ କେବଳ ଦୁଇଟିକୁ ଛାଡ଼ି ବାକି ୧୧ଟି ଦେଶ ମଧ୍ୟ ହେଉଛନ୍ତି ‘ଆର୍‌ସିଇପି’ର ସଦସ୍ୟ। ଏହି ଦୁଇଟି ଦେଶ ହେଉଛନ୍ତି- ଭାରତ ଓ ଆମେରିକା। ‘ଆର୍‌ସିଇପି’ ହେଉଛି ବସ୍ତୁତଃ ଏକ ଅବାଧ ବାଣିଜ୍ୟ ଚୁକ୍ତି ଯାହା ବଳରେ ସ୍ବାକ୍ଷରକାରୀ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଆମଦାନି ରପ୍ତାନି କଟକଣା ଉଠାଇ ଦିଆଯାଇ ବା କୋହଳ କରାଯାଇ ପରସ୍ପର ମଧ୍ୟରେ ବାଣିଜ୍ୟକୁ ସୁଗମ କରାଯାଇଥାଏ।

‘ଆଇପିଇଏଫ୍’ ତା’ହେଲେ କ’ଣ? ଯେଉଁମାନେ ଘଟଣାକ୍ରମ ଉପରେ ନଜର ରଖିଥା’ନ୍ତି, ସେମାନଙ୍କ ମନରେ ଏକ ଧାରଣା ଜନ୍ମ ନେଇ ପାରିଥାଏ ଯେ ‘ଆଇପିଇଏଫ୍’ ହେଉଛି ପ୍ରାୟ ଅକାଳ ବିୟୋଗ ଘଟିଥିବା ଏଇଭଳି ଏକ ପୂର୍ବବର୍ତ୍ତୀ ଉଦ୍ୟମ, ‘ଟ୍ରାନ୍‌ସ-ପାସିଫିକ୍ ପାର୍ଟନର୍‌ସିପ୍’ (‘ଟିପିପି’) ନାମକ ୧୨ଟି ଦେଶ ସଦସ୍ୟ ଥିବା ଆଞ୍ଚଳିକ ଅବାଧ ବାଣିଜ୍ୟ ସଂଗଠନର ପୁନର୍ଜନ୍ମ ବା ନୂତନ ସଂସ୍କରଣ। ଆମେରିକାର ‘ଡେମୋକ୍ରାଟିକ୍ ପାର୍ଟି’ର ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ମାନସ ସନ୍ତାନ ‘ଟିପିପି’ରେ ଅବଶ୍ୟ ଭାରତ ଅନ୍ତର୍ଭୁକ୍ତ ନ ଥିଲା। ‘ରିପବ୍ଲିକ୍ ପାର୍ଟି’ର ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍ ଯେତେବେଳେ ୨୦୧୬ର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିଲେ, ସେତେବେଳେ ସେ କ୍ଷମତାକୁ ଆସିଲେ କାଳ ବିଳମ୍ବ ନ କରି ‘ଟିପିପି’ରୁ ବାହାରି ଆସିବେ ବୋଲି ପ୍ରତିଶ୍ରୁତି ଦେଇ ଚାଲିଥିଲେ। ୨୦୧୭ ଜାନୁଆରିରେ ରାଷ୍ଟ୍ରପତି ରୂପେ ଶପଥ ନେବାର ମାତ୍ର ତିନି ଦିନ ପରେ ଟ୍ରମ୍ପ୍ ନିଜର ପ୍ରତିଶ୍ରୁତି ରକ୍ଷା କରି ‘ଟିପିପି’ରୁ ଆମେରିକାର ପ୍ରସ୍ଥାନ ନିର୍ଦ୍ଦେଶ ସ୍ବାକ୍ଷର କରି ତାହାର ବସ୍ତୁତଃ ବିଲୟ ଘଟାଇଥିଲେ କହିଲେ ଚଳେ। ସଦସ୍ୟ ଦେଶମାନଙ୍କ ସହିତ ଆମଦାନି ରପ୍ତାନି କଟକଣା କୋହଳ ହେବା ଦ୍ବାରା ଆମେରିକାର ଅର୍ଥନୀତି କ୍ଷତିଗ୍ରସ୍ତ ହେବ ବୋଲି ଟ୍ରମ୍ପ୍ ବିଶ୍ବାସ କରୁଥିବାରୁ ସେ ଏହି ଚରମ ପଦକ୍ଷେପ ନେଇଥିଲେ।

ବର୍ତ୍ତମାନ ପୁଣି ‘ଡେମୋକ୍ରାଟିକ୍ ପାର୍ଟି’ର ଜଣେ ରାଷ୍ଟ୍ରପତି କ୍ଷମତାକୁ ଆସି ‘ଆଇପିଇଏଫ୍’ ରଚନା କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବାରୁ, ଏହା ବିଶ୍ବାସ କରିବା ସ୍ବାଭାବିକ ଯେ ଟ୍ରମ୍ପ୍‌ଙ୍କର ସେଇ ନିଷ୍ପତ୍ତିକୁ ନିଷ୍ଫଳ କରିବା ଉଦ୍ଦେଶ୍ୟରେ ‘ଟିପିପି’କୁ ନୂତନ ପୋଷାକ ପିନ୍ଧାଇ ‘ଆଇପିଇଏଫ୍’ ନାମ ଦିଆଯାଇଛି। କଥାଟି କିନ୍ତୁ ଏତେ ସହଜ ବା ସରଳ ନୁହେଁ। ଏହାର ଏକ ପ୍ରମାଣ ହେଉଛି- ଟ୍ରମ୍ପ୍ କ୍ଷମତା ଗ୍ରହଣର ମାତ୍ର ତିନି ଦିନ ମଧ୍ୟରେ ‘ଟିପିପି’ର ଜୀବନ୍ତ ମୃତ୍ୟୁ ଘଟାଇଥିବା ବେଳେ ଜୋ ବାଇଡେନ୍‌ଙ୍କୁ ଏହି ନୂତନ ଚୁକ୍ତିକୁ ଜୀବନ୍ୟାସ ଦେବା ପାଇଁ ଲାଗିଛି ସେ କ୍ଷମତା ଗ୍ରହଣ କରିବା ପରେ ୪୮୮ ଦିନ। ଟ୍ରମ୍ପ୍ ଏଥର ସିନା ନିର୍ବାଚନରେ ହାରି ଯାଇଛନ୍ତି, କିନ୍ତୁ ସେ ଆମେରିକୀୟ ଜନମାନସରେ ଏକ ଧାରଣା ସ୍ଥାପନ କରି ଦେଇ ଯାଇଛନ୍ତି ଯେ ‘ଟିପିପି’ ପରି ଅବାଧ ବାଣିଜ୍ୟ ଚୁକ୍ତିମାନ ହେଉଛନ୍ତି ଆମେରିକାର ଅର୍ଥନୈତିକ ସ୍ବାର୍ଥ-ବିରୋଧୀ। କୌଣସି ନୂତନ ଚୁକ୍ତିରେ ଯଦି ସେଭଳି ବ୍ୟବସ୍ଥା ରହେ, ତାହା ଆମେରିକାର କଂଗ୍ରେସ୍‌ରେ କାଟ ଖାଇବା ନିଶ୍ଚିତ। ସେତିକି ନୁହେଁ, ଆଗାମୀ ୨୦୨୪ ନିର୍ବାଚନରେ ଯଦି ଡୋନାଲ୍‌ଡ ଟ୍ରମ୍ପ୍ ପ୍ରାର୍ଥୀ ହୁଅନ୍ତି, ଏହା ତାଙ୍କ ପ୍ରଚାର ପାଇଁ ବାରୁଦ ଯୋଗାଇବ। ଆଉ ଟ୍ରମ୍ପ୍ ଯଦି କ୍ଷମତାକୁ ଲେଉଟନ୍ତି, ତାଙ୍କୁ ଏହି ନୂତନ ଚୁକ୍ତିକୁ ମଧ୍ୟ ପୂର୍ବ ଭଳି ଅକାମୀ କରିବା ପାଇଁ ତିନି ଦିନ ସମୟ ମଧ୍ୟ ଲାଗିବ ନାହିଁ।

ବାଇଡେନ୍ ପ୍ରଶାସନ ତେଣୁ ସାବଧାନତା ଅବଲମ୍ବନ କରି ନ୍ୟାୟୋଚିତ ସୀମା-ପାର ବାଣିଜ୍ୟକୁ ଏହି ନୂତନ ଚୁକ୍ତିର ଚାରିଟି ସ୍ତମ୍ଭ ମଧ୍ୟରୁ ଗୋଟିଏ ସ୍ତମ୍ଭରେ ପରିଣତ କରି ଯେଉଁ ଅନ୍ୟ ତିନିଗୋଟି ସ୍ତମ୍ଭ ଉପରେ ଏହାକୁ ଛିଡ଼ା କରାଇଛନ୍ତି, ସେଗୁଡ଼ିକ ହେଲେ: ସାବଲୀଳ ଯୋଗାଣ ଶୃଙ୍ଖଳ; ପ୍ରଦୂଷଣମୁକ୍ତ ଅର୍ଥନୀତି; ଡିଜିଟାଲ୍ ସଂଯୁକ୍ତ ଅବସ୍ଥା। ଏଥିରେ ସନ୍ଦେହ ନାହିଁ ଯେ ଏହି ଚାରିଟି ଯାକ ସ୍ତମ୍ଭର ଆଞ୍ଚଳିକ ନିରାପତ୍ତା ନିଶ୍ଚିତ କରିବା ଦିଗରେ ଅବଦାନ ରହିବ।

ନ୍ୟାୟୋଚିତ ସୀମା-ପାର ବାଣିଜ୍ୟ କାରବାର ଲାଞ୍ଚ କାରବାର, ଦୁର୍ନୀତି, ଅର୍ଥ ସଫେଇ ଅାଦିରୁ ମୁକ୍ତ ରହି ପ୍ରତ୍ୟେକ ସଦସ୍ୟ ଦେଶର ଅର୍ଥନୈତିକ ନିରାପତ୍ତାକୁ ବିପନ୍ନ କରୁଥିବା ଦୁଷ୍ଟଶକ୍ତିମାନଙ୍କୁ ପରାହତ କରିବାରେ ସହାୟକ ହେବ। ସଦସ୍ୟ ଦେଶମାନଙ୍କର ମିଳିତ ଉଦ୍ୟମ ଦ୍ବାରା ଏହା ସମ୍ଭବ ହେବା ସହଜ ହେବ। ସେମି କଣ୍ଡକ୍ଟର୍‌ରୁ ଆରମ୍ଭ କରି ଔଷଧପତ୍ର ଉତ୍ପାଦନ କ୍ଷେତ୍ରରେ ଯୋଗାଣ ଶୃଙ୍ଖଳ ଛିନ୍ନ ହେବା ଦ୍ବାରା କିପରି ଅଚଳାବସ୍ଥା ସୃଷ୍ଟି ହୋଇ ଅନେକ ଦେଶର ନିରାପତ୍ତା ବିପନ୍ନ ହୋଇଛି, କୋଭିଡ୍ ସମୟରେ ସାରା ଦୁନିଆ ସେହି ତିକ୍ତ ଅନୁଭୂତି ସଂଗ୍ରହ କରିଛି। କୁହାଯାଇଥାଏ ଏକ ଶୃଙ୍ଖଳର ଶକ୍ତି ହେଉଛି ତାହାର ଦୁର୍ବଳତମ କଡ଼ିଟିର ଶକ୍ତିରେ ସୀମିତ। ଯଦି କ୍ଷୁଦ୍ର ଯନ୍ତ୍ରାଂଶଟିଏ ଠିକଣା ସମୟରେ ଆସି ନ ପହଞ୍ଚେ ଏକ ଜଟିଳ ଯନ୍ତ୍ରଟିର ନିର୍ମାଣ ସମ୍ଭବ ହେବ ନାହିଁ- ମଟରଗାଡ଼ିରୁ କମ୍ପ୍ୟୁଟର୍ ପର୍ଯ୍ୟନ୍ତ। ଏକ ନିର୍ଦ୍ଦି‌ଷ୍ଟ ମଧ୍ୟବର୍ତ୍ତୀ ଉପାଦାନ ଉପଲବ୍‌ଧ ନ ହେଲେ ଏକ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ କରାଯାଇ ପାରିବ ନାହିଁ। ଏ ପର୍ଯ୍ୟନ୍ତ ଚୀନ୍ ଉପରେ ପ୍ରାୟ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଥିବା ଯୋଗାଣ ଶୃଙ୍ଖଳକୁ ସେଠାରୁ ସ୍ଥାନାନ୍ତରିତ କରି ସଦସ୍ୟ ଦେଶମାନଙ୍କରେ ସ୍ଥାପନ କରି ଶୃଙ୍ଖଳର କଡ଼ିଗୁଡ଼ିକୁ ମଜଭୁତ କରିବା ହେଉଛି ‘ଆଇପିଇଏଫ୍’ର ଅନୁଚ୍ଚାରିତ ଉଦ୍ଦେଶ୍ୟ।

ପୃଥିବୀର ପରିବେଶର ସୁରକ୍ଷା ବର୍ତ୍ତମାନ ମାନବ ଜାତିର ନିରାପତ୍ତାର ମୁଖ୍ୟ ଆଧାରରେ ପରିଣତ ହୋଇ ସାରିଛି। ଏହାକୁ ଦୃଷ୍ଟିରେ ରଖି ଅକ୍ଷୟ ଶକ୍ତିର ପ୍ରସାର ଓ ଅଣ-ଅଙ୍ଗାରୀକରଣକୁ ଏହି ଚୁକ୍ତିରେ ଏକ ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ରୂପେ ସ୍ଥାପନ କରାଯାଇଛି। ଏହି ଲକ୍ଷ୍ୟ ହାସଲ ନିମିତ୍ତ ଆବଶ୍ୟକ ଜ୍ଞାନ କୌଶଳ ପ୍ରତ୍ୟେକ ଦେଶ ସ୍ବାଧୀନ ଭାବରେ ଉଦ୍ଭାବନ କରିବା ସମ୍ଭବପର ନୁହେଁ। ଚୁକ୍ତିର ସଦସ୍ୟମାନଙ୍କ ମଧ୍ୟରେ ଏହି ଜ୍ଞାନ କୌଶଳର ଅବାଧ ଆଦାନ ପ୍ରଦାନ ଏହି ଲକ୍ଷ୍ୟ ହାସଲକୁ ସହଜ ଓ ତ୍ବରାନ୍ବିତ କରିବ। ସାଇବର୍ ଆକ୍ରମଣ ବର୍ତ୍ତମାନ ପ୍ରଧାନ ଜାତୀୟ ନିରାପତ୍ତା ବିପନ୍ନକାରୀ ଶତ୍ରୁ ଆକ୍ରମଣରେ ପରିଣତ ହେବାକୁ ଆରମ୍ଭ କଲାଣି। ‘ଆଇପିଇଏଫ୍’ର ସଦସ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ସହଯୋଗଭିତ୍ତିକ ଡିଜିଟାଲ୍ ସମ୍ପର୍କ ସ୍ଥାପିତ ହେଲେ ଏହି ବିପଦକୁ ଯଥାସମ୍ଭବ ସଂକୁଚିତ କରାଯାଇପାରିବ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି, ‘ଆଇପିଇଏଫ୍’ ଓ ‘ଆର୍‌ସିଇପି’ର ଅଧିକାଂଶ ସଦସ୍ୟ ସମାନ ହୋଇଥିବାରୁ ଏ ଦୁଇ ସଂଗଠନ ମଧ୍ୟରେ ସଂଘାତ ସୃଷ୍ଟି ହେବା ଅନିବାର୍ଯ୍ୟ କି? ଏଭଳି ଘଟିବା ସମ୍ଭାବନା କ୍ଷୀଣ। କାରଣ, ଆମେରିକା ସମ୍ମୁଖୀନ ହେଉଥିବା ଉପର ବର୍ଣ୍ଣିତ ଆଭ୍ୟନ୍ତରୀଣ ଚାପ ଯୋଗୁଁ ଆମଦାନି ରପ୍ତାନି କଟକଣା କୋହଳ ‘ଆଇପିଇଏଫ୍’ର ଲକ୍ଷ୍ୟ ହୋଇପାରିବ ନାହିଁ; କିନ୍ତୁ ତାହା ହିଁ ହେଉଛି ‘ଆର୍‌ସିଇପି’ର ମୁଖ୍ୟ ଲକ୍ଷ୍ୟ। ଏହା କିନ୍ତୁ ଭାରତର ଜାତୀୟ ସ୍ବାର୍ଥର ପରିପନ୍ଥୀ ହୋଇଥିବାରୁ ଭାରତ ସେତେବେଳେ ‘ଆର୍‌ସିଇପି’ରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଥିଲା। ‘ଆଇପିଇଏଫ୍’ ଯେହେତୁ ଭାରତର ଦୃଷ୍ଟିକୋଣରୁ ସେହି ଅସୁବିଧାରୁ ମୁକ୍ତ (‌େସ ଦୃଷ୍ଟିରୁ ଏହାକୁ ‘ମୁକ୍ତ-ବାଣିଜ୍ୟ ଚୁକ୍ତି’ ବୋଲି ନ କହି ‘ବାଣିଜ୍ୟ-ମୁକ୍ତ ଚୁକ୍ତି’ ବୋଲି କହିବା ଅଧିକ ଯୁକ୍ତିଯୁକ୍ତ ହେବ), ଏବଂ ଅପର ପକ୍ଷେ ଆଞ୍ଚଳିକକ ନିରାପତ୍ତା ଦୃଢ଼ୀକରଣକୁ ପ୍ରାଧାନ୍ୟ ଦେଇଥାଏ; ଏହି ସଂଗଠନରେ ଯୋଗଦାନ ଭାରତ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଏ।