ଋଷି ସୁନାକ୍ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବାକୁ ଯାଉଛନ୍ତି କି ନାହିଁ, ଏହି ପ୍ରଶ୍ନ ବର୍ତ୍ତମାନ ବ୍ରିଟେନ୍ବାସୀଙ୍କୁ ଯେତିକି ଆନ୍ଦୋଳିତ କରୁନାହିଁ, ତା’ଠାରୁ ବୋଧହୁଏ ଅଧିକ ଉତ୍ସୁକତା ସୃଷ୍ଟି କରୁଛି ଭାରତରେ ଓ ଭାରତ ବାହାରେ ଥିବା ଭାରତୀୟମାନଙ୍କ ମଧୢରେ। ଏହାର କାରଣ ବୁଝିବା କଷ୍ଟକର ନୁହେଁ। ସାଧାରଣତଃ କର୍ମଫଳରେ ଓ ପୁନର୍ଜନ୍ମରେ ବିଶ୍ବାସ କରୁଥିବା ଭାରତୀୟମାନେ ଏହାକୁ ବ୍ରିଟେନ୍ର ଅନିବାର୍ଯ୍ୟ କର୍ମଫଳ ରୂପେ ବିଚାର କରିପାରୁଥାନ୍ତି। ସାତ ସମୁଦ୍ର ସେପଟୁ ଆସି ଯେଉଁମାନେ ଦିନେ ଭାରତୀୟମାନଙ୍କୁ ଦୀର୍ଘ କାଳ ଧରି ଶାସନ କରିଥିଲେ, ଇତିହାସର ଚକ ଘୂରି ଯାଇ ସେଇମାନେ ବର୍ତ୍ତମାନ ଜଣେ ଭାରତୀୟ ବ˚ଶୋଦ୍ଭବଙ୍କ ଶାସନ ସ୍ବୀକାର କରିବାର ସମ୍ଭାବନା ଦେଖା ଦେଇଛି। ଶାସକ ହେବେ ଶାସିତ।
ତେବେ ଆମେ ଛାପାଖାନାକୁ ଯିବା ସମୟରେ ଏହା ଏକ ସମ୍ଭାବନା ମାତ୍ର ହୋଇ ରହିଛି, ଯାହା ଭାରତ ହୋଇଥିଲେ ଏତେବେଳକୁ ବାସ୍ତବତାରେ ପରିଣତ ହୋଇ ସାରିଥାନ୍ତା; କାରଣ ଶାସକ ଜାଠ ଦଳ (କନ୍ସର୍ଭେଟିଭ୍ ପାର୍ଟି)ର ସର୍ବାଧିକ ସ˚ଖ୍ୟକ ସା˚ସଦ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନାକଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀତ୍ବ ପ୍ରତି ସମର୍ଥନ ଜ୍ଞାପନ କରିଛନ୍ତି। ଯଦି ଭାରତରେ ପ୍ରଚଳିତ ବ୍ୟବସ୍ଥା ଭଳି ସେଠାରେ ଶାସକ ଦଳର ସା˚ସଦମାନେ ଯାହାଙ୍କୁ ସ˚ଖ୍ୟାଗରିଷ୍ଠ ସମର୍ଥନ ପ୍ରଦାନ କରି ସେମାନଙ୍କର ନେତା ରୂପେ ନିର୍ବାଚିତ କରନ୍ତେ, ସେ ହିଁ ଶାସନମୁଖ୍ୟ ଅର୍ଥାତ୍ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତେ, ତେବେ ଋଷି ସୁନାକ୍ ସେମାନଙ୍କର ପ୍ରଥମ ପସନ୍ଦ ଭାବରେ ପ୍ରଧାନମନ୍ତ୍ରୀ ପଦ ମଣ୍ତନ କରିସାରନ୍ତେଣି। କିନ୍ତୁ ଭାରତୀୟ ଶାସନ ବ୍ୟବସ୍ଥା ମୁଖ୍ୟତଃ ବ୍ରିଟିସ୍ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅନୁସରଣ କରୁଥିଲେ ହେଁ, ନିକଟ ଅତୀତରେ ପ୍ରଧାନମନ୍ତ୍ରୀ ଚୟନ ପଦ୍ଧତିରେ ସେଠାରେ ଏଭଳି ଏକ ବିକୃତି ପ୍ରବେଶ କରିଛି, ଯାହା ଯୋଗୁଁ ସୁନାକ୍ଙ୍କ ପ୍ରଧାନମନ୍ତ୍ରୀ ପଦ ଲାଭ କରିବା ସମ୍ଭାବନାର ସେଇ ସମ୍ଭାବନାରେ ହିଁ ଅନ୍ତ ଘଟିପାରେ। ସା˚ସଦମାନଙ୍କ ପସନ୍ଦ ତାଲିକାର ପ୍ରଥମ ସ୍ଥାନରେ ଥିବା ପ୍ରାର୍ଥୀ ଜଣକ ପ୍ରଧାନମନ୍ତ୍ରୀ ହେବା ପରିବର୍ତ୍ତେ ତାଙ୍କ ଠାରୁ କମ୍ ସ˚ଖ୍ୟକ ସା˚ସଦଙ୍କ ସମର୍ଥନ ଲାଭ କରି ଦ୍ବିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀ ଜଣେ ପ୍ରାଧନମନ୍ତ୍ରୀ ହୋଇଯାଇପାରନ୍ତି।
୨୦୦୧ ଠାରୁ ଅନୁସରଣ କରାହୋଇ ଆସୁଥିବା ଏହି ପଦ୍ଧତି ଅନୁସାରେ ବ୍ରିଟିସ୍ ପାର୍ଲିଆମେଣ୍ଟର ‘ହାଉସ୍ ଅଫ୍ କମନ୍ସ’ (ଆମର ଲୋକସଭା)ରେ ନିର୍ବାଚିତ ସଦସ୍ୟ ଥିବା ଜାଠ ଦଳର ସା˚ସଦମାନେ ଏକାଧିକ ଥର ମତଦାନ ମାଧୢମରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧୢରୁ ଶେଷରେ ଦୁଇ ଜଣଙ୍କୁ ଚୟନ କରନ୍ତି। ଶେଷରେ ଏହି ଦୁଇ ଜଣଙ୍କ ମଧୢରୁ ଜଣେ ହେବେ ପ୍ରଧାନମନ୍ତ୍ରୀ। କିନ୍ତୁ ସେ ଭାଗ୍ୟବାନ୍ ଜଣକ କିଏ ହେବେ, ତାହାର ନିର୍ଣ୍ଣୟ ଅଧିକାର ଉପରୋକ୍ତ ସା˚ସଦମାନଙ୍କ ହାତରେ ନ ଥାଏ। ଆଶ୍ଚର୍ଯ୍ୟଜନକ ଭାବରେ ଏ ଅଧିକାର ବ୍ରିଟିସ୍ ପାର୍ଲିଆମେଣ୍ଟକୁ ଅତିକ୍ରମ କରିଯାଇ ସ୍ଥାପିତ ହୋଇଛି କନ୍ସର୍ଭେଟିଭ୍ ପାର୍ଟିର ଦଳୀୟ ଦପ୍ତରରେ। ଏହା କହିଲେ ଭୁଲ୍ ହେବ ନାହିଁ ଯେ ଯାହା ହେଉଛି ସ୍ବାଭାବିକ ଭାବରେ ପାର୍ଲିଆମେଣ୍ଟର ଅଧିକାର, ତାହାକୁ ଛଡ଼ାଇ ନେଇଛି ସମ୍ପୃକ୍ତ ରାଜନୈତିକ ଦଳ। କାରଣ ଯେଉଁମାନେ ମତଦାନ କରି ଉପରୋକ୍ତ ଦୁଇ ଜଣଙ୍କ ମଧୢରୁ ଜଣକୁ ପ୍ରଧାନମନ୍ତ୍ରୀ ରୂପେ ଚୟନ କରିବେ ସେମାନେ ହେଉଛନ୍ତି କନ୍ସର୍ଭେଟିଭ୍ ପାର୍ଟିର ବିଧିବଦ୍ଧ ସଦସ୍ୟମାନେ, ଯେଉଁମାନେ ଏଥିପାଇଁ ଆବଶ୍ୟକ ‘ଫି’ ଦାଖଲ କରି (ବର୍ତ୍ତମାନ ୨୫ ପାଉଣ୍ତ୍) ପାର୍ଟିର ସଦସ୍ୟ ପଦ ଲାଭ କରିଥାନ୍ତି। ସେମାନଙ୍କର ସ˚ଖ୍ୟା ହେଉଛି ବର୍ତ୍ତମାନ ପ୍ରାୟ ୧ ଲକ୍ଷ ୮୦ ହଜାର।
ଏହି ପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ଅନୁସୃତ ହୋଇ ପ୍ରଧାନମନ୍ତ୍ରୀ ପଦ ଲାଭ କରିଥିବା ସର୍ବପ୍ରଥମ ରାଜନେତା ହେଉଛନ୍ତି ବର୍ତ୍ତମାନର ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍। ସେଥିପାଇଁ ରହସ୍ୟରେ କୁହାଯାଇଥାଏ, ବୋରିସ୍ ଜନ୍ସନ୍ ହେଉଛନ୍ତିି ବ୍ରିଟେନ୍ର ପ୍ରଥମ ରାଷ୍ଟ୍ରପତି; କାରଣ ସେ ହେଉଛନ୍ତି ବ୍ରିଟେନ୍ର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସିଧାସଳଖ ମତଦାତାମାନଙ୍କ ଦ୍ବାରା ନିର୍ବାଚିତ ହୋଇଛନ୍ତି, ଯଦିବା ଏହି ମତଦାତାମାନେ ହେଉଛନ୍ତି ଦେଶର ସମୁଦାୟ ମତଦାତାମାନଙ୍କର ଏକ କ୍ଷୁଦ୍ରାତିକ୍ଷୁଦ୍ର ଅ˚ଶ ମାତ୍ର।
ଆମର ସୁପରିଚିତ ସ˚ସଦୀୟ ପ୍ରତିନିଧିମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଚୟନ ପ୍ରକ୍ରିୟା ପରୋକ୍ଷ ହୋଇଥିବା ବେଳେ (ମତଦାତାମାନଙ୍କ ଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ଲୋକପ୍ରତିନିଧିମାନେ ପ୍ରଧାନମନ୍ତ୍ରୀ ଚୟନ କରିଥାନ୍ତି), ବ୍ରିଟେନ୍ରେ ଅନୁସୃତ ଏହି ପ୍ରତ୍ୟକ୍ଷ ଚୟନ ପଦ୍ଧତି କେବଳ ଯେ ବେଖାପ ହୋଇଥାଏ, ତାହା ନୁହେଁ, କେତେକ ଗୁରୁତର ଅସ˚ଗତିକୁ ମଧୢ ଜନ୍ମ ଦେଇଥାଏ। ଉଦାହରଣ ସ୍ବରୂପ ମନେ କରାଯାଉ ଜାଠ ଦଳ ହେଉଛି ଏକ କ୍ଲବ୍, ଯେଉଁଥରେ ୨୫ ପାଉଣ୍ତ ଲେଖାଏଁ ‘ଫି’ ପୈଠ କରି ପ୍ରାୟ ଦୁଇ ଲକ୍ଷ ସଦସ୍ୟ ରହିଛନ୍ତି। ଯେକୌଣସି କ୍ଲବ୍ ଜଣାଶୁଣା ଭାବରେ ତା’ର ସଦସ୍ୟମାନଙ୍କୁ କେତେକ ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିବା ଭଳି ବ୍ରିଟେନ୍ର ଜାଠ ଦଳ ରୂପକ ଏହି କ୍ଲବ୍ ତା’ର ଏହି ସଦସ୍ୟମାନଙ୍କୁ ଏପରି ଏକ ସୁଯୋଗ ପ୍ରଦାନ କରିଥାଏ, ଯାହା ହେଉଛି ଅତୁଳନୀୟ: ବ୍ରିଟେନ୍ର ପ୍ରଧାନମନ୍ତ୍ରୀଙ୍କୁ ବାଛିବାର ଅଧିକାର। ଯଦି କୁହାଯାଏ ଯେ ବ୍ରିଟେନ୍ରେ ବର୍ତ୍ତମାନ ଜଣେ ଚାହିଲେ ୨୫ ପାଉଣ୍ତ ଚାନ୍ଦା ଦେଇ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ଅ˚ଶ ଗ୍ରହଣ କରିପାରିବ, ତାହା ଭୁଲ୍ ହେବ ନାହିଁ।
ଏହି ପଦ୍ଧିତର ଅସ˚ଗତି ଜଳଜଳ ହୋଇ ଦେଖାଯାଇଥାଏ, ଯେତେବେଳେ ମନେ ପକାଇ ଦିଆଯାଏ ଯେ ବ୍ରିଟେନ୍ର ମୋଟ ପ୍ରାୟ ସାତ କୋଟି ଲୋକସ˚ଖ୍ୟା ଓ ପାଖାପାଖି ପାଞ୍ଚ କୋଟି ମୋଟ ମତଦାତା ସ˚ଖ୍ୟା ତୁଳନାରେ ଏହି ‘ଜାଠ କ୍ଲବ୍’ର ସଦସ୍ୟ ସ˚ଖ୍ୟା ହେଉଛି ଅତ୍ୟନ୍ତ ନଗଣ୍ୟ; କିନ୍ତୁ ଏଇମାନେ ହିଁ ଦେଶର ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରୁଛନ୍ତି। ସେତିକି ନୁହେଁ, ଏମାନେ ଚାହିଲେ ସା˚ସଦମାନଙ୍କର ପ୍ରଥମ ପସନ୍ଦ ପ୍ରାର୍ଥୀଙ୍କୁ ପ୍ରତ୍ୟାଖ୍ୟାନ କରି ସେମାନେ ପ୍ରତ୍ୟାଖ୍ୟାନ କରିଥିବା ପ୍ରାର୍ଥୀଙ୍କୁ ଦ୍ବିତୀୟ ସ୍ଥାନରୁ ଉଠାଇ ଆଣି ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେଇପାରନ୍ତି। ଏହାର ଏକ ପ୍ରମାଣ ସ୍ବରୂପ ଋଷି ସୁନାକ୍ ଏପର୍ଯ୍ୟନ୍ତ ସା˚ସଦମାନଙ୍କର ପ୍ରଥମ ପସନ୍ଦ ହୋଇ ଆବିର୍ଭୂତ ହେଉଥିବା ବେଳେ ଦ୍ବିତୀୟ ସ୍ଥାନରେ ରହୁଥିବା ପୂର୍ବତନ ବାଣିଜ୍ୟମନ୍ତ୍ରୀ ପେନି ମର୍ଡାଣ୍ଟ ଶେଷରେ ଜାଠ ଦଳ ସଦସ୍ୟମାନଙ୍କର ବିପୁଳ ସ˚ଖ୍ୟାଗରିଷ୍ଠ ସମର୍ଥନ ହାସଲ କରିବେ ବୋଲି ସର୍ବେକ୍ଷଣମାନଙ୍କରୁ ପ୍ରକାଶ ପାଉଛି।
ଏହା ସ˚ସଦୀୟ ଗଣତନ୍ତ୍ରର ଏକ ମୌଳିକ ନୀତି ପ୍ରତି କୁଠାରାଘାତ ସଦୃଶ ହୋଇଥାଏ। ସ˚ସଦୀୟ ଗଣତନ୍ତ୍ରରେ ଦେଶର ଆଇନ ପ୍ରଣୟନର କ୍ଷମତା ନ୍ୟସ୍ତ ହୋଇଥାଏ ଲୋକମାନଙ୍କର ପ୍ରତିନିଧି ସା˚ସଦମାନଙ୍କ ହାତରେ, ଯେଉଁ ଆଇନ ମାନି ଚଳିବା ଦେଶବାସୀଙ୍କ ପାଇଁ ବାଧୢତାମୂଳକ ହୋଇଥାଏ। କିନ୍ତୁ ଏହି ଆଇନକୁ କାର୍ଯ୍ୟକାରୀ କରିବାର ମୁଖ୍ୟ ଦାୟିତ୍ବ ନିର୍ବାହକାରୀ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚିତ କରିବାର ଅଧିକାର ସେଇ ସା˚ସଦମାନଙ୍କ ଠାରୁ ଛଡ଼ାଇ ନିଆଯାଇ କେତେକ ହାତଗଣତି ଅଣନିର୍ବାଚିତ ବ୍ୟକ୍ତିମାନଙ୍କ ହାତରେ ସମର୍ପଣ କରି ଦିଆଯିବା ଏକ ସୁସ୍ଥ ଗଣତନ୍ତ୍ରିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ପରିପନ୍ଥୀ ନୁହେଁ କି?
ଏହାର ଏକ ଅରୁଚିକର ପରିଣତି ସ୍ବରୂପ ସା˚ସଦମାନେ ଅନ୍ତିମ ଦୁଇ ଜଣ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ଚୟନ କଲା ପରେ ସେ ଦୁଇ ଜଣ ଦେଶ ସାରା ବୁଲି, ଏହି ଜାଠ କ୍ଲବ୍ର ସଦସ୍ୟ ମାନଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରି ସେମାନଙ୍କୁ ଖୋସାମତ କରି ପ୍ରଭାବିତ କରିବାକୁ ସବୁମନ୍ତେ ଚେଷ୍ଟା କରିବାର ଦୃଶ୍ୟ ନିଶ୍ଚିତ ରୂପେ ଏକ ରୁଚିକର ଦୃଶ୍ୟ ହୋଇନଥାଏ। ଏଇ ଅଭିଯାନ ସମୟରେ ଆଶାୟୀ ପ୍ରାର୍ଥୀମାନଙ୍କର ପରସ୍ପର ଉପରେ ଖୋଲାଖୋଲି କାଦୁଅ ଫିଙ୍ଗାଫିଙ୍ଗି ଦୃଶ୍ୟ ଏଭଳି ନୀଚ ସ୍ତରର ହୋଇଥାଏ ଯେ ଏକ ସମୟରେ ସେଠାରେ ସେମାନଙ୍କ ମଧୢରେ ଟେଲିଭିଜନ୍ ବିତର୍କକୁ ବାତିଲ କରିବାକୁ ପଡ଼ିଛି। ଏସବୁ ସତ୍ତ୍ବେ ଯଦି ଋଷି ସୁନାକ୍ ଶେଷରେ ଦୌଡ଼ ଜିତନ୍ତି, ତେବେ ତାହାକୁ ଇତିହାସ ଚକର ଅପ୍ରତିହତ ଘୂର୍ଣ୍ଣନ ବୋଲି ସ୍ବୀକାର କରିବାକୁ ହେବ!