ପ୍ରାଚୀନ ରୋମ୍ରେ ଜଣେ ଅତୁଳନୀୟ କମାର ଥିଲେ। ତାଙ୍କ ଦ୍ବାରା ନିର୍ମିତ ଲୌହ ଦ୍ରବ୍ୟ ଏଭଳି ଉଚ୍ଚ ମାନର ଥିଲା ଯେ ପୃଥିବୀ ସାରା ତା’ର କାରବାର ହେଉଥିଲା, ଯେଉଁ କାରଣରୁ ସେ ଅତ୍ୟନ୍ତ ଧନୀ ହୋଇ ଉଠିଥିଲେ। ତାଙ୍କ ଦ୍ବାରା ତିଆରି ଦ୍ରବ୍ୟରେ ତାଙ୍କର ଦସ୍ତଖତ ରହୁଥିଲା, ଯାହା ତା’ର ମୂଲ୍ୟକୁ ବହୁଗୁଣିତ କରୁଥିଲା।
ଥରେ ରୋମ୍ ଉପରେ ଶତ୍ରୁ ଆକ୍ରମଣ କଲେ। ସେମାନେ ନଗରୀର ଅତି ଧନୀକମାନଙ୍କୁ ବନ୍ଦୀ କରି ହାତ ଓ ଗୋଡ଼ରେ ଶୃଙ୍ଖଳ ପିନ୍ଧାଇ ଜଙ୍ଗଲ ମଧ୍ୟସ୍ଥ ଏକ ଗର୍ତ୍ତରେ ନିକ୍ଷେପ କଲେ, ଯେଉଁମାନଙ୍କ ମଧ୍ୟରେ ଥିଲେ ଏହି କମାର ଜଣକ। ମୃତ୍ୟୁ ଅବଶ୍ୟମ୍ଭାବୀ ଜାଣି ସମସ୍ତେ କାନ୍ଦିବାକୁ ଲାଗିଥିଲେ, କିନ୍ତୁ କମାର ଜଣକ ଥିଲେ ଶାନ୍ତ। ଜଣେ ଏ ନେଇ ତାଙ୍କୁ ପଚାରିବାରୁ ସେ କହିଲେ- ମୁଁ ଜୀବନ ସାରା ଲୁହା ସହିତ ଖେଳି ଆସିଛି। ମୁଁ ଜାଣିଛି େଯ ଶୃଙ୍ଖଳକୁ ଯୋଡ଼ୁଥିବା ଗୋଟିଏ ସ୍ଥାନରେ ତାହା ଦୁର୍ବଳ ଥାଏ। ତେଣୁ ମୁଁ ତାକୁ ଅବିଳମ୍ବେ ଠାବ କରି ଶୃଙ୍ଖଳକୁ ଭାଙ୍ଗିଦେବି ଓ ଆମେ ମୁକ୍ତ ହୋଇଯିବା।
ସମସ୍ତଙ୍କ ମୁହଁରେ ଏବେ ହସ ଫୁଟି ଉଠିଲା। ତେବେ ଶୃଙ୍ଖଳକୁ ପରୀକ୍ଷା କରିବା ପରେ କମାରଙ୍କ ମୁହଁ କିନ୍ତୁ ବିଷାଦରେ ଭରିଗଲା। ସେ ଏବେ କାନ୍ଦିବାକୁ ଲାଗିଲେ।
ଅନ୍ୟମାନେ ଉତ୍ସୁକ ହୋଇ ଏହାର କାରଣ ପଚାରିବାରୁ ସେ କହିଲେ- ଏଇ ଦସ୍ତଖତରୁ ଜାଣୁଛି ଯେ ଏହା ମୋ ଦ୍ବାରା ନିର୍ମିତ ଶୃଙ୍ଖଳ। ଏବଂ ଏହା ମଧ୍ୟ ଜାଣିଛି ଯେ ମୋ ଦ୍ବାରା ଗଢ଼ା ଦ୍ରବ୍ୟରେ କୌଣସି ଦୁର୍ବଳ ବିନ୍ଦୁ ହିଁ ନ ଥାଏ। ତେଣୁ ଆମେ ମୁକ୍ତ ହେବା ଅସମ୍ଭବ। ମୋର ବିଶେଷତ୍ବ ଯେ ମୋ ମୃତ୍ୟୁର କାରଣ ହେବାକୁ ଯାଉଛି, ଏହା ହିଁ ବିଡ଼ମ୍ବନା।