ଛନ୍ଦାଛନ୍ଦିର ଜୀବନ

ଆମ ଭାଷାରେ ଏକ ଅତ୍ୟନ୍ତ ଲୋକପ୍ରିୟ ପ୍ରଶ୍ନ: ‘ହଇରେ ଫୁଲ ଗଛ କାହିଁକି ତୁ ମଲୁ?’ର ତତ୍‌କ୍ଷଣାତ୍‌ ଉତ୍ତର ‘ମାଳୀ ପାଣି ଦେଲା ନାହିଁ’ ବୋଲି ହୋଇଥିବା ସତ୍ତ୍ବେ ଏହି ଉତ୍ତର ଭିତରେ ଲୁକ୍କାୟିତ ଥିବା ପୁଣି ଏକ ପ୍ରଶ୍ନ ଓ ତା’ର ଉତ୍ତର ଏବ˚ ସେହି ଉତ୍ତରରେ ଲୁଚି ରହିଥିବା ଆଉ ଏକ ପ୍ରଶ୍ନ ଓ ତା’ର ଉତ୍ତର ଆଦି ଖୋଜିବା ଭିତରେ ପରିଶେଷରେ ଯେଉଁ ଉତ୍ତର ‘ଶିକୁଳି’ଟି ସୃଷ୍ଟି ହୋଇଥାଏ, ତା’ର ଶେଷ କଡ଼ିରେ ହିଁ ରହିଥାଏ ଫୁଲଗଛଟି ମରିବା ପଛରେ ରହିଥିବା ମୂଳ କାରଣ; ଯାହା ହେଲା ଭୂଇଁ ତଳେ ବାସ କରୁଥିବା ଜନ୍ଦାଟିଏ କଅଁଳ ମାଉଁସ ସନ୍ଧାନରେ ଥାଇ ମାଳୀର ସାଆନ୍ତାଣୀଙ୍କ ଶିଶୁ ପୁତ୍ରକୁ କାମୁଡ଼ି ଦେବା ଜନିତ ତା’ର ବିକଳ କ୍ରନ୍ଦନ ଏବ˚ ସେହି ବ୍ୟସ୍ତତାରୁ ଜାତ ବିଭିନ୍ନ ବିଭ୍ରାଟର ଏକ ଶୃଙ୍ଖଳ! ଏହି ବିଷୟଟି ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ‘ଛନ୍ଦାଛନ୍ଦି ହୋଇ ରହିଥିବା ଜୀବନ’ର ଏକ ଚିତ୍ର ପ୍ରଦାନ; ଯେଉଁଠି ଘଟଣାଗୁଡ଼ିକର ପାରସ୍ପରିକ ନିର୍ଭରଶୀଳତା ଅକଳ୍ପନୀୟ ଭାବେ ସୁଦୂରପ୍ରସାରୀ ପ୍ରଭାବ ପକାଇପାରେ।

ତେଣୁ ସେହି ଦୃଷ୍ଟିରୁ ଗଲା ଗୁରୁବାର ଦିନ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସଙ୍କ ଦ୍ବାରା ଇସ୍ତଫା ପ୍ରଦାନର ତତ୍କାଳ କାରଣ ରୂପେ ତାଙ୍କର ‘ଟିକସ ନୀତି’କୁ ସ୍ବାଭାବିକ ଭାବେ ଦର୍ଶାଯାଉଥିବା ବେଳେ ଅନେକ ବିଜ୍ଞ ବ୍ୟାଖ୍ୟାକାର ଏହାର ମୂଳ କାରଣଟିକୁ ଦେଖନ୍ତି ରୁଷିଆ ଏବ˚ ୟୁକ୍ରେନ ମଧୢରେ ଚାଲିଥିବା ଯୁଦ୍ଧରେ, ଯାହା ୟୁରୋପରେ ମୁଦ୍ରାସ୍ଫୀତି ଏବ˚ ଶକ୍ତି ସ˚କଟ ସୃଷ୍ଟି କରି ସେଠାରେ ଜନ ଅସନ୍ତୋଷକୁ ତୀବ୍ର କରିବାରେ ଲାଗିଥିଲା, ଯେଉଁଠି ଟ୍ରସ୍‌ଙ୍କ ଏକ ପ୍ରତିଶ୍ରୁତି ପୂରଣର ପ୍ରୟାସ ବ୍ୟାପକ ବିଭ୍ରାଟ ସୃଷ୍ଟି କରି ତାଙ୍କ ପଦ ପରିତ୍ୟାଗର କାରଣ ହେଲା। ତେବେ, ଏଠାରେ ଆଲୋଚ୍ୟ ବିଷୟ ଟ୍ରସ୍‌ଙ୍କ ଇସ୍ତଫା ନୁହେଁ: ଏହାର ଅବତାରଣାର ମୁଖ୍ୟ ଉଦ୍ଦେଶ୍ୟ ହେଲା ‘ଜଗତ୍‌କରଣ’ ବା ‘ଗ୍ଲୋବାଲାଇଜେସନ୍‌’ ଅଧୀନସ୍ଥ ପରିବେଶରେ ବିଶ୍ବ ଜୀବନ କିଭଳି ଛନ୍ଦାଛନ୍ଦି ହୋଇ ରହିଛି, ତାହା ଏକ ସଦ୍ୟ ଘଟିତ ଘଟଣାର ଦୃଷ୍ଟାନ୍ତ ବଳରେ ଉଜାଗର କରିବା।

ଏଠାରେ ଆଲୋଚନାର ବିଷୟଟି ହେଲା, ଏଭଳି ଛନ୍ଦାଛନ୍ଦି ଜୀବନ ପରିପ୍ରେକ୍ଷୀରେ ଯୁଦ୍ଧ ହେଉ ବା ପାନ୍‌ଡେମିକ୍‌ ବା ଜଳବାୟୁ ପରିବର୍ତ୍ତନ; କୌଣସି ଦୁର୍ବିପାକରେ ପୃଥିବୀର ସମସ୍ତ ରାଷ୍ଟ୍ର କିଭଳି ଊଣାଅଧିକେ ଆକ୍ରାନ୍ତ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି ବା ଧନୀ ବା ସମୃଦ୍ଧ ରାଷ୍ଟ୍ରଗୁଡ଼ିକ କୌଣସିମତେ ତହିଁରୁ ବର୍ତ୍ତି ଯିିବାର ବିଶେଷ ସୁଯୋଗ କିଭଳି ରହୁନାହିଁ; ତାହା ହୃଦ୍‌ବୋଧ କରିବା ଏବ˚ ସେହି କ୍ରମରେ ବିଭିନ୍ନ ରାଷ୍ଟ୍ର ଏବ˚ ବିଶେଷ କରି ଧନୀ ରାଷ୍ଟ୍ରଗୁଡ଼ିକର ଆଭିମୁଖ୍ୟରେ କିପରି ପରିବର୍ତ୍ତନମାନ ଆସିବା ଆବଶ୍ୟକ, ସେ ବିଷୟରେ ଏକ କ୍ଷୁଦ୍ର ଆଲୋଚନା କରିବା।

ଏହି ସ˚ଦର୍ଭରେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ଦ୍ବାରା ଆୟୋଜିତ ବକ୍ତୃତାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ପ୍ରଦାନ କରିଥିବା ଏକ ଭାଷଣ ଏକ ସୂତ୍ର ଯୋଗାଇଥାଏ, ଯାହାର ମୂଳ ବିଷୟବସ୍ତୁ ଥିଲା ଜଳବାୟୁ ପରିବର୍ତ୍ତନଜନିତ ସ˚କଟ ପରିପ୍ରେକ୍ଷୀରେ ‘ଗ୍ଲୋବାଲାଇଜେସନ୍‌’ର ଭୂମିକା। ତାଙ୍କର ବକ୍ତବ୍ୟ ଯାହା ଇଙ୍ଗିତ କରିଥିଲା, ତାହା ହେଲା ‘ଗ୍ଲୋବାଲାଇଜେସନ୍‌’ ଅନ୍ତର୍ଗତ ଛନ୍ଦାଛନ୍ଦି ଜୀବନ ଯେମିତି ଉଭୟ ଦରିଦ୍ର ଏବ˚ ଧନୀ ରାଷ୍ଟ୍ରଙ୍କୁ ଲାଭା˚ଶରେ ଅ˚ଶୀଦାର କରିଥାଏ ସେମିତି ବିପର୍ଯ୍ୟୟର ମଧୢ ଭାଗୀଦାର କରିଥାଏ। ଉଦାହରଣ ସ୍ବରୂପ ଯୁକ୍ତରାଷ୍ଟ୍ର ଆମେରିକାରେ ନିର୍ମିତ ହେଉଥିବା ବିଜୁଳି ଚାଳିତ ‘ଟେସଲା’ ମୋଟର ଗାଡ଼ି ପରିବେଶ ପ୍ରଦୂଷଣ ହ୍ରାସ ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କିନ୍ତୁ ଏହି କାର‌୍‌ରେ ବ୍ୟବହୃତ ହେଉଥିବା ବ୍ୟାଟେରି ନିର୍ମାଣ ଲାଗି ଆବଶ୍ୟକ ଲିଥିଅମ ବା କୋବାଲ୍‌ଟ ମିଳିଥାଏ କଙ୍ଗୋ ରିପବ୍ଲିକ୍‌ ବା ଉପ-ସାହାରୀୟ ଆଫ୍ରିକାରେ; ସୁତରା˚, ଯଦି କୌଣସି କାରଣରୁ ଏହି ଦରିଦ୍ର ଏବ˚ ଯୁଦ୍ଧ ଜର୍ଜର ଅଞ୍ଚଳରୁ ଲିଥିଅମ ବା କୋବାଲ୍‌ଟ ଆଦି ଉପଲବ୍‌ଧ ହୋଇ ନ ପାରେ, ତେବେ ତାହା ‘ଟେସଲା’ କାର୍‌ ଉତ୍ପାଦନରେ ବ୍ୟାଘାତ ପହଞ୍ଚାଇବା ସମ୍ଭବ।

ଏହାର ତାତ୍ପର୍ଯ୍ୟ, ସା˚ପ୍ରତିକ ପୃଥିବୀରେ ଉଭୟ ସମୃଦ୍ଧ ଏବ˚ ଦରିଦ୍ର ରାଷ୍ଟ୍ର ଅନେକ କ୍ଷେତ୍ରରେ ପରସ୍ପର ଉପରେ ଅତ୍ୟନ୍ତ ନିର୍ଭରଶୀଳ। ସେହି ଦୃଷ୍ଟିରୁ ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ମଧୢ ଏଭଳି ନିର୍ଭରଶୀଳତା ସହାୟକ ହୋଇଥାଏ; ଯାହାର ଉଦାହରଣ ବିକଶିତ ଦେଶଙ୍କ ଦ୍ବାରା ପ୍ରସ୍ତୁତ ଓ ପ୍ରେରିତ ଔଷଧ ବା ପ୍ରତିଷେଧକ ବା ଚିକିତ୍ସା ଉପକରଣ ଦ୍ବାରା କୋଭିଡ୍‌ ପାନ୍‌ଡେମିକ୍‌ର ମୁକାବିଲା କ୍ଷେତ୍ରରେ ଦରିଦ୍ର ରାଷ୍ଟ୍ରଗୁଡ଼ିକ ସଫଳ ହୋଇପାରିବା। ରାଜନଙ୍କ ମତରେ ଜଳବାୟୁ ପରିବର୍ତ୍ତନ ସ˚କଟ ପରିପ୍ରେକ୍ଷୀରେ ମଧୢ ଏଭଳି ଦୃଶ୍ୟ ଦିଶିବା ଆବଶ୍ୟକ, ଯାହା ହୋଇପାରିନାହିଁ।

ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ଦ୍ବାରା ଦାରିଦ୍ର୍ୟ ପ୍ରପୀଡ଼ିତ ଦକ୍ଷିଣ ଏସୀୟ ବା ଆଫ୍ରିକୀୟ ରାଷ୍ଟ୍ରେଗୁଡ଼ିକ ଅପେକ୍ଷାକୃତ ଭାବେ ଅଧିକ କଷଣ ଭୋଗିବାରେ ଲାଗିଛନ୍ତି। କାରଣ ଏହାର ମୁକାବିଲା ଲାଗି ଏଭଳି ରାଷ୍ଟ୍ରରେ ସ˚ସାଧନର ଅଭାବ। ନିକଟରେ ପାକିସ୍ତାନ ସମ୍ମୁଖୀନ ହୋଇଥିବା ବନ୍ୟା ବିତ୍ପାତ ଏହାର ଏକ ଉଦାହରଣ। ଉଲ୍ଲେଖଯୋଗ୍ୟ ଯେ ଏକ ସମତୁଲ ସ୍ଥିତିରେ କୌଣସି ସମୃଦ୍ଧ ରାଷ୍ଟ୍ରରେ ପାକିସ୍ତାନତୁଲ୍ୟ ହାହାକାରମୟ ସ୍ଥିତି ପରିଦୃଷ୍ଟ ହୁଅନ୍ତା ନାହିଁ। କିନ୍ତୁ ଏଣେ ଯେଉଁ ପରିବେଶ ପ୍ରଦୂଷଣ କାରଣରୁ ଭୟାବହ ପ୍ରାକୃତିକ ଦୁର୍ବିପାକ ସ˚ଘଟିତ ହେଉଛି, ତହିଁରେ ପାକିସ୍ତାନ ଭଳି ରାଷ୍ଟ୍ରଗୁଡ଼ିକର ଭୂମିକା ଅତ୍ୟନ୍ତ କମ୍‌; ଯେମିତି କି ପାକିସ୍ତାନର ବାର୍ଷିକ ମୁଣ୍ତ ପିଛା କାର୍ବନ ଉତ୍ସର୍ଜନର ପରିମାଣ ୧ ଟନ୍‌ରୁ କମ୍‌ ହୋଇଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ବାର୍ଷିକ ମୁଣ୍ତ ପିଛା କାର୍ବନ ନିର୍ଗମନର ପରିମାଣ ହେଉଛି ୧୬ ଟନ୍‌। ସୁତରା˚, ଏହା ସତ ନୁହେଁ କି ଯେ ଧନୀ ରାଷ୍ଟ୍ରଙ୍କ ଉପଭୋଗକୈନ୍ଦ୍ରିକ ବିଳାସରୁ ସୃଷ୍ଟ ପରିବେଶ ପ୍ରଦୂଷଣର ଅଭିଶାପ ଦରିଦ୍ର ରାଷ୍ଟ୍ରଗୁଡ଼ିକୁ ତଳିତଳାନ୍ତ କରିବାରେ ଲାଗିଛି? ଏହି ଦୃଷ୍ଟିରୁ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଦରିଦ୍ର ଏବ˚ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ତାଗିଦ କରିବା ସମୃଦ୍ଧ ରାଷ୍ଟ୍ରଙ୍କ ପକ୍ଷରେ ସ˚ପୂର୍ଣ୍ଣ ଅଯୌକ୍ତିକ ନୁହେଁ କି? ବର˚, ଏହାର ସମାଧାନର ପନ୍ଥା ଛନ୍ଦାଛନ୍ଦିର ଜୀବନରେ ପରିଦୃଷ୍ଟ ପାରସ୍ପରିକ ନିର୍ଭରଶୀଳତାରେ ଅନ୍ବେଷଣ କରିବା ଉଚିତ ହେବ ନାହିଁ କି?

ଉଦାହରଣ ସ୍ବରୂପ ରଘୁରାମ ରାଜନଙ୍କ ପୂର୍ବାନୁମାନ କହିଥାଏ ଯେ ଜଳବାୟୁ ପରିବର୍ତ୍ତନଜନିତ ଦୁର୍ବିପାକ ଦରିଦ୍ର ରାଷ୍ଟ୍ରଗୁଡ଼ିକରେ ଅସ˚ଖ୍ୟ ‘ଜଳବାୟୁ ଶରଣାର୍ଥୀ’ (କ୍ଲାଇମେଟ୍‌ ରିଫ୍ୟୁଜି)ଙ୍କୁ ସୃଷ୍ଟି କରିବ, ଯେଉଁମାନେ ପ୍ରପୀଡ଼ିତ ଅଞ୍ଚଳଗୁଡ଼ିକୁ ପରିତ୍ୟାଗ କରି ସମୃଦ୍ଧ ରାଷ୍ଟ୍ରମାନରେ ଆଶ୍ରୟ ଲୋଡ଼ିବେ। ତାଙ୍କ ମତରେ ସେତିକି ବେଳେ ଏମାନଙ୍କ ପଥରୋଧ କରିବା ଲାଗି ଧନୀ ରାଷ୍ଟ୍ରଗୁଡ଼ିକ ଉଦ୍ୟମ କରିବା ଅପରିଣାମଦର୍ଶୀ ହେବ; ବର˚, ସେମାନଙ୍କୁ ଦକ୍ଷ ମାନବ ସମ୍ବଳରେ ପରିଣତ କରି ଏହି ସମୃଦ୍ଧ ଦେଶଗୁଡ଼ିକ ନିଜ ସ୍ବାର୍ଥରେ ବିନିଯୁକ୍ତ କରିବା ଅଧିକ ଶ୍ରେୟସ୍କର ହୋଇପାରେ। ତାଙ୍କ ମତରେ ଜ୍ଞାନ, ପ୍ରବିଧି ବା ପ୍ରଯୁକ୍ତି, ସୁଚନା ଏବ˚ ମାନବ ସମ୍ବଳର ଗତିଶୀଳତା ହେଉଛି ‘ଗ୍ଲୋବାଲାଇଜେସନ୍‌’ର ମୂଳ ବିଭବ; ଯାହା ମାଧୢମରେ ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ବିଭିନ୍ନ ବିପର୍ଯ୍ୟୟର ସମାଧାନ କରାଯିବା ସମ୍ଭବ।

ଏହା ନିଃସନ୍ଦେହ ଯେ ଦରିଦ୍ର ବା ବିକାଶଶୀଳ ରାଷ୍ଟ୍ରଙ୍କ କଷଣ ମୋଚନର ଉପାୟ ନିର୍ଦ୍ଧାରଣ ନ କରି ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ପକ୍ଷରୁ କେବଳ ନିର୍ଦ୍ଦିଷ୍ଟ ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶନାମା ଜାରି କରିଦେବା ହିଁ ‘ରିଓ କନ୍‌ଭେନସନ୍‌’ ଭଳି ଜଳବାୟୁ ସ˚କଟର ମୁକାବିଲାର ପ୍ରୟାସଗୁଡ଼ିକୁ ବିଫଳ କରିଛି। ଏ ସ˚ଦର୍ଭରେ ରାଜନଙ୍କ ପ୍ରଦତ୍ତ ପରାମର୍ଶ ହେଲା ସମୃଦ୍ଧ ରାଷ୍ଟ୍ରଗୁଡ଼ିକ ଠାରୁ ସେମାନଙ୍କ ଦ୍ବାରା ଉତ୍ସର୍ଜିତ ବାର୍ଷିକ ମୁଣ୍ତ ପିଛା କାର୍ବନ ପରିମାଣ ଆଧାରରେ ଟିକସ ଆଦାୟ କରାଯାଇ ସେହି ଅର୍ଥକୁ ଦରିଦ୍ର ରାଷ୍ଟ୍ରଗୁଡ଼ିକରେ ପରିବେଶ ଅନୁକୂଳ ପ୍ରବିଧି ବିକାଶରେ ବ୍ୟୟ କରାଯିବା ଏକ ଗୁରୁତ୍ବପୂର୍ଣ୍ଣ ଉଦ୍ୟମ ହୁଅନ୍ତା। ଏହା ଏକ ବିଡ଼ମ୍ବନା ଯେ ଦରିଦ୍ର ରାଷ୍ଟ୍ରଗୁଡ଼ିକର ଅଧିବାସୀମାନେ ଅଧିକ ପ୍ରକୃତି ଅନୁକୂଳ ଜୀବନ ଜିଇ ପରିବେଶ ପ୍ରଦୂଷଣଜନିତ ପାପରେ କମ୍‌ ଭାଗୀଦାର ହୋଇଥିବା ସ୍ଥଳେ ଜଳବାୟୁ ପରିବର୍ତ୍ତନଜନିତ ସ˚କଟର ତାଡ଼ନା ଅଧିକ ସହିବାକୁ ବାଧୢ ହୁଅନ୍ତି। ଏଭଳି ସ୍ଥଳେ ଜଗତ୍‌କରଣର ମୂଳ ଆଦର୍ଶ ‘ଛନ୍ଦାଛନ୍ଦିର ଜୀବନ’ ସେମାନଙ୍କ ଲାଗି ବରଦାନ ରୂପେ ସାବ୍ୟସ୍ତ ହେବା ଉଚିତ।

ସମ୍ବନ୍ଧିତ ଖବର