‘ତେନ ତ୍ୟକ୍ତେନ ଭୁଞ୍ଜୀଥା’

ଆଲୋକର ସନ୍ଧାନେ - ଅଭୟ ଦ୍ୱିବେଦୀ

ପବିତ୍ର ଶୁକ୍ଳ ଯଜୁର୍ବେଦର ୪୦ତମ ଅଧ୍ୟାୟରେ ଚମତ୍କାର ମନ୍ତ୍ର ଅଛି – ‘ଇଶା ବାସ୍ୟମିଦଂ ସର୍ବଂ/ଯତ୍‌କିଞ୍ଚ ଜଗତ୍ୟାଂ ଜଗତ୍‌/ତେନ ତ୍ୟକ୍ତେନ ଭୁଞ୍ଜୀଥା/ ମା ଗୃଧଃ କସ୍ୟ ସ୍ୱିଦ୍ଧନମ୍।’ ମନ୍ତ୍ରର ସରଳ ଅର୍ଥ ହେଉଛି – ‘ଏହି ଅଖିଳ ବ୍ରହ୍ମାଣ୍ଡର ପ୍ରତିଟି ଅଣୁ ପରମାଣୁରେ ଈଶ୍ୱର ବିଦ୍ୟମାନ ଏବଂ ସାରା ସଂସାର ଉପଭୋଗ ନିମନ୍ତେ ଉଦ୍ଦିଷ୍ଟ। ଲୋଭ ପରିହାର କରି ତ୍ୟାଗପୂର୍ବକ ଭୋଗ କର।’ ଏହି ମନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି – ‘ତେନ ତ୍ୟକ୍ତେନ ଭୁଞ୍ଜୀଥା’; ଅର୍ଥାତ୍‌ ତ୍ୟାଗପୂର୍ବକ ଭୋଗ କର। ଏଥିରେ ସଂସାରକୁ ଉପଭୋଗ କରିବା ପାଇଁ ବାରଣ କରାଯାଇନାହିଁ, ବରଂ ଭୋଗର ସୀମା ନିର୍ଣ୍ଣୟ କରାଯାଇଛି ଏବଂ ତାହା ହିଁ ହେଉଛି ଯଥାର୍ଥ ଜୀବନର ପରିଭାଷା। ଯଦି ଚାରି ଖଣ୍ଡ ରୋଟିରେ ଜଣେ କ୍ଷୁଧାତୁର ବ୍ୟକ୍ତି ପରିତୃପ୍ତ ହୁଅନ୍ତି, ଚାଳିଶ ଖଣ୍ଡ ରୋଟି ଦଶ ଗୁଣ ସନ୍ତୋଷ ପ୍ରଦାନ କରିବ ନାହିଁ; ବରଂ ଶରୀର ପୀଡ଼ାର କାରଣ ପାଲଟିଯିବ।

ଯଦି ଶୀତ ପରିହାର ନିମନ୍ତେ ଖଣ୍ଡିଏ ବସ୍ତ୍ର ଯଥେଷ୍ଟ, ଦଶଟି ଶୀତ ବସ୍ତ୍ର ଦଶ ଗୁଣ ସୁଖ ଦେବ ନାହିଁ; ବରଂ ଯନ୍ତ୍ରଣାକୁ ଆମନ୍ତ୍ରଣ କରିବ। ଅମୃତମୟ ପ୍ରକୃତି ଏହିଭଳି ଆମ ଉପଭୋଗର ସୀମା ନିର୍ଦ୍ଧାରଣ କରିଛନ୍ତି ଏବଂ ଆର୍ଯ୍ୟ ଋଷିମାନେ ଏହି ଜୀବନାଦର୍ଶ, ଅଭିନବ ଛନ୍ଦରେ ପରିପ୍ରକାଶ କରିଛନ୍ତି। କହିଛନ୍ତି – ସଂସାରର ଯେ କୌଣସି ପ୍ରାନ୍ତରେ ଶିଶୁଟିଏ ଜନ୍ମ ନେଲେ, ତା’ ମୁଣ୍ଡରେ ତିନିଟି ଋଣ ଆପଣା ଛାଏଁ ଥାପି ହୋଇଯାଏ। ସେ ଋଣର ଏପରି ଗୁଣ ଯାହା ଧର୍ମ, ସଂପ୍ରଦାୟ, ପରଂପରା, ବର୍ଣ୍ଣ, ଲିଙ୍ଗ ଆଦି କୌଣସି ଭେଦଭାବରେ ବିଶ୍ୱାସ କରେନାହିଁ। ତିନିଟି ଋଣ ହେଲା: ମାତୃ-ପିତୃ ଋଣ, ଦେବ ଋଣ ଏବଂ ଋଷି ଋଣ। ଆର୍ଯ୍ୟ ଋଷିମାନେ ସେହି ଋଣକୁ ଦିବ୍ୟ ଆଶୀର୍ବାଦର ସ୍ୱରୂପ ଭାବେ ବର୍ଣ୍ଣନା କରିବା ସହିତ ସମଗ୍ର ଜୀବନ ଓ ଜୀବନର ସାମଗ୍ରିକ ବେଉଷଣକୁ ଋଣ ପରିଶୋଧ ପ୍ରକ୍ରିୟା ଭାବେ ଅଭିହିତ କରିଛନ୍ତି। ବ୍ୟାବସାୟିକ ଋଣ ପରିଶୋଧ କରି କାଙ୍ଗାଳ ହୋଇଯିବାର ଦୃଷ୍ଟାନ୍ତ ରହିଛି। କିନ୍ତୁ ଦିବ୍ୟ ଋଣ ଯେତେ ପରିଶୋଧ ହେଉଥାଏ, ଜୀବନ-ଭଣ୍ଡାର ସେତେ ବେଶୀ ପରିପୂର୍ଣ୍ଣ ହେଉଥାଏ। ସମସ୍ତ ଋଣ ପରିଶୋଧ ହୋଇଗଲେ ଆମେ ମୁକ୍ତ ହୋଇଯାଉ, ଆମକୁ ମୁକ୍ତି ମିଳେ।

ଦିବ୍ୟ ଋଣ ପରିଶୋଧ ଅତି ସହଜ ଓ ସରଳ। ଜନ୍ମଗ୍ରହଣ କରିବା ମାତ୍ରେ ଆମେ ମାତା-ପିତାଙ୍କ ଠାରେ ଋଣୀ ରହୁ। ସେମାନଙ୍କ ସେବା ଯତ୍ନରେ ଋଣ ପରିଶୋଧ ପ୍ରକ୍ରିୟା ଆରମ୍ଭ ହୁଏ ଏବଂ ସନ୍ତାନ ଜନ୍ମ ଦେଇ ଶିକ୍ଷା, ସଂସ୍କାରଯୁକ୍ତ ଲାଳନପାଳନରେ ଚୂଡ଼ାନ୍ତ ରୂପ ନିଏ। ସନ୍ତାନଟିଏ ଜନ୍ମ ନେଲେ ଘର ଆନନ୍ଦରେ ପୂରି ଉଠେ ଏବଂ ଯୋଗ୍ୟ ସନ୍ତାନର ସାମର୍ଥ୍ୟରେ ଜୀବନ ଧନ୍ୟ ହୋଇଯାଏ। ପ୍ରକୃତି ଓ ସମାଜର ଅନୁକଂପାରେ ଜୀବନ ଧାରଣ ସମ୍ଭବ ହୋଇଛି। ଯାବତୀୟ କର୍ଷଣ ସତ୍ତ୍ୱେ, ସର୍ବଂସହା ପୃଥିବୀ ଆମକୁ କୋଳରେ ଧାରଣ କରିଥିବାରୁ, ସକଳ ଶକ୍ତିର ଉତ୍ସ ସୂର୍ଯ୍ୟ ପ୍ରତିଦିନ ପୃଥିବୀ ପୃଷ୍ଠକୁ ଆଲୋକ ଓ ଉତ୍ତାପରେ ପରିପୁଷ୍ଟ କରୁଥିବାରୁ, ପ୍ରତି ମୁହୂର୍ତ୍ତରେ ବାୟୁ ଆମ ବଞ୍ଚିବାର ଉପାଦାନ ଯୋଗାଇ ଦେଉଥିବାରୁ, ଜଳ ଆମକୁ ଜୀବନୀ ଶକ୍ତି ପ୍ରଦାନ କରୁଥିବାରୁ – ଆମେ ଜୀବନ ଧାରଣ ପାଇଁ ସମର୍ଥ ହୋଇଛୁ।

ଆହୁରି ଆନନ୍ଦର କଥା, ଜନ୍ମ ନେବାର ବହୁ ପୂର୍ବରୁ ଅଖିଳ ବ୍ରହ୍ମାଣ୍ଡ ପତି ପରମ କଲ୍ୟାଣମୟ ପ୍ରଭୁ ଆମ ସେବା ନିମନ୍ତେ ଏ ସମସ୍ତ ସେବାକାରୀ ଉପାଦାନ ସତେ ଯେମିତି ଖଞ୍ଜି ଦେଇଛନ୍ତି। ଜନ୍ମଗ୍ରହଣ ପରେ ଖାଦ୍ୟ, ବସ୍ତ୍ର ଏବଂ ବଞ୍ଚିବାର ସମସ୍ତ ସାଧନ ସମାଜରେ ମିଳିଯାଉଛି। ଏହି ଅନୁଗ୍ରହରେ ଜୀବନ ଧାରଣ ସମ୍ଭବ ହୋଇଥିବାରୁ ଆର୍ଯ୍ୟ ଋଷିମାନେ ଏହି ସମସ୍ତ ସେବାକାରୀ ଉପାଦାନଙ୍କୁ ଦେବତା ଆସନରେ ଅଧିଷ୍ଠିତ କରିଛନ୍ତି। ଏହି ଦେବଗଣଙ୍କ ପାଦପଦ୍ମରେ ଆମେ ସର୍ବଦା ଋଣୀ ରହିଥାଉ। ପ୍ରକୃତି, ପରିବେଶ ଓ ସମାଜ ପ୍ରତି ତମାମ ଜୀବନ ଦୟା, କ୍ଷମା, ତ୍ୟାଗ, ଶ୍ରଦ୍ଧା ଆଦି ମାନବୀୟ ଗୁଣ ଆଚରଣରେ ଦେବ ଋଣ ପରିଶୋଧ ହୁଏ। କ୍ରାନ୍ତିଦର୍ଶୀ ଋଷି ଓ ଦିବ୍ୟଦ୍ରଷ୍ଟା ବିଜ୍ଞାନୀଙ୍କ ତପସ୍ୟା ଓ ସାଧନା ବଳରେ ସଂସାର ଅନନ୍ତ ଜ୍ଞାନଗର୍ଭାରେ ପରିଣତ ହୋଇଛି। ସେଥିରୁ କେତେଟି ରେଣୁ ସାଉଁଟି ପାରିଲେ ଜୀବନ ଧନ୍ୟ ହୋଇଯାଏ। ଜ୍ଞାନ ଆଲୋକର ଗୋଟିଏ ଦୀପରୁ ପ୍ରଜ୍ଜ୍ବଳିତ ଅଗଣିତ ଆଲୋକବର୍ତ୍ତିକା ସଂସାରରୁ ଅଜ୍ଞାନ ଦୂର କରେ। ଜ୍ଞାନ ବିତରଣରେ ଋଷି ଋଣ ପରିଶୋଧ ହୁଏ। ଋଣ ପରିଶୋଧର ପ୍ରକ୍ରିୟା ସ୍ମରଣ ରଖିବା ପାଇଁ ଆର୍ଯ୍ୟ ଋଷିମାନେ ସୁନ୍ଦର ବ୍ୟବସ୍ଥା ପ୍ରଚଳନ କରିଥିଲେ। ଶିକ୍ଷା ଦାନ ପ୍ରାରମ୍ଭରେ ଶିଷ୍ୟଶିଷ୍ୟା ଉଭୟଙ୍କୁ ଆଚାର୍ଯ୍ୟ ତିନି ଖିଅ ପଇତା ପ୍ରଦାନ କରୁଥିଲେ ଏବଂ ପ୍ରତୀକ ଭାବେ ତିନି ଋଣ ପରିଶୋଧ ନିମନ୍ତେ ସେମାନେ ସଂକଳ୍ପ ନେଉଥିଲେ। କିନ୍ତୁ ଆଜି ବ୍ରତୋପନୟନ ସଂସ୍କାର ଅନ୍ତର୍ନିହିତ ଗୁରୁତ୍ୱ ହରାଇ ଭୋଜିଭାତ, ଚାକଚକ୍ୟ ଉପହାରରେ ସଙ୍କୁଚିତ ହୋଇଯାଇଛି।

ଆମ ଆଗରେ ଏଭଳି ସମୃଦ୍ଧ, ପରିବ୍ୟାପ୍ତ ଜୀବନଚର୍ଯ୍ୟାର ଦୃଷ୍ଟାନ୍ତ ରହିଥିବା ବେଳେ ଆଜି ଏହାର ବ୍ୟତିକ୍ରମ କାହିଁକି? କ୍ଷମତାର ଲୋଭ ଓ ଅର୍ଥର ମୋହରେ ମଣିଷ ଆଜି ସୀମାବଦ୍ଧ କାହିଁକି? ଭିକ୍ଷା ମାଗିବା ଆଳରେ ଜଣେ ସୁନ୍ଦରୀ ମହିଳାଙ୍କୁ ଜଙ୍ଗଲରୁ ଅପହରଣ କରିବେ, ଏହା ସ୍ଥିର କରିବା ପରେ ପରାକ୍ରମଶାଳୀ ରାବଣ ନିଜକୁ ଭିକ୍ଷୁକ ବେଶରେ ସଜାଇଥିଲେ। ସମ୍ରାଟଙ୍କୁ ଭିକାରୀ ବେଶରେ ଦେଖି ମହାରାଣୀ ମନ୍ଦୋଦରୀ ପଚାରିଥିଲେ- ମହାରାଜ! ଏ ବେଶ କାହିଁକି? ତ୍ରିଭୂବନଜୟୀ ରାବଣ ଉତ୍‌ଫୁଲ୍ଲିତ ହୋଇ କହିଥିଲେ- ଏହି ବେଶରେ ଜଙ୍ଗଲରୁ ଜଣେ ନାରୀଙ୍କୁ ଅପହରଣ କରିବି। ଥମଥମ ଗଳାରେ ମହାରାଣୀ ପ୍ରଶ୍ନ କରିଥିଲେ- ମହାରାଜ! ଯେଉଁ ଅପକର୍ମ ଚିନ୍ତା କରିବା ମାତ୍ରେ ଆପଣ ସମ୍ରାଟରୁ ଭିକାରୀ ପାଲଟିଗଲେ, ସେହି ଅପକର୍ମ ସମାପନ ପରେ ଆପଣ ଆଉ ସମ୍ରାଟ ହୋଇ ରହିବେ ତ? ଏ ସୁବର୍ଣ୍ଣପୁରୀ ଲଙ୍କା ଆଉ ସ୍ୱର୍ଣ୍ଣମୟୀ ହୋଇ ରହିବ ତ? ଯେଉଁ ଅପକର୍ମ ଚିନ୍ତା କରିବା ମାତ୍ରେ ଦିଗ୍‌ବିଜୟୀ ରାବଣ ସମ୍ରାଟରୁ ଭିକାରୀ ପାଲଟି ଯାଇଥିଲେ, ସେହି ସମସ୍ତ କୁକର୍ମ ଆଜି ସାମାଜିକ ପ୍ରତିଷ୍ଠାର ମାନଦଣ୍ଡରେ ପରିଣତ ହୋଇଯାଇଛି କେମିତି?

କିଛି ବର୍ଷ ପୂର୍ବେ ବେଙ୍ଗାଲୁରୁ ବିମାନବନ୍ଦରରେ ଅପେକ୍ଷା କରିଥିବା ବେଳେ ଜଣେ ମହିଳା ପାଦ ଛୁଇଁ ପ୍ରଣାମ କଲେ। ଦୋ ଦୋ ଚିହ୍ନା ଆଖିରେ ତାଙ୍କୁ ଚାହିଁ ରହିଥିବା ବେଳେ, ସେ ନିଜର ପରିଚୟ ଦେବା ପରେ ମୁଁ ଆନନ୍ଦରେ ଆତ୍ମହରା ହୋଇଗଲି। ମୋର ଅନ୍ତରଙ୍ଗ ବନ୍ଧୁଙ୍କ କନ୍ୟା, ସାତ ବର୍ଷ ପୂର୍ବେ ଯାହାଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲି। ଏହା ପରେ ଜଣେ ସୌମ୍ୟଦର୍ଶନ ଯୁବକ ଆସି ନମସ୍କାର କଲେ। ଜାଣିବାକୁ ଆଉ ବାକି ରହିଲା ନାହିଁ। ତଥାପି ମୋ ନଜର ଘୂରି ବୁଲୁଥାଏ। ସ୍ୱାଭାବିକ ଢଙ୍ଗରେ ସନ୍ତାନ ସଂପର୍କରେ ପ୍ରଶ୍ନ କରିବାରୁ ଦୁଇ ଜଣ ଅପ୍ରସ୍ତୁତ ଜଣାପଡ଼ିଲେ। ମୁହୂର୍ତ୍ତକ ମଧ୍ୟରେ ନିଜକୁ ସଜାଡ଼ି ନେଇ ଯୁବକ ଜଣକ କହିଲେ- ‘ସନ୍ତାନକୁ ସଂସାରକୁ ଆଣିବା ପାଇଁ ଏ ପର୍ଯ୍ୟନ୍ତ ଯଥେଷ୍ଟ ଅର୍ଥ ସଞ୍ଚୟ କରିପାରିନୁ। ଦୁଇ ବର୍ଷ ପୂର୍ବେ ଯୋଜନା କରିଥିଲୁ। କିନ୍ତୁ ସେୟାର ମାର୍କେଟ୍‌ ଅକସ୍ମାତ୍‌ ପତନ ହେବାରୁ ସବୁ କିଛି ବିଗିଡ଼ିଗଲା।’ ଏତିକି କହିବା ବେଳେ ସେମାନଙ୍କ ଅନ୍ତରର ଉତ୍ତେଜନା ଅନୁଭବ କରିପାରୁଥିଲି। ଦୀର୍ଘ ବର୍ଷ ଧରି ସ୍ତମ୍ଭ-ସାହିତ୍ୟ ରଚନା କରୁଥିବାରୁ ରାଜନୀତି, ଅର୍ଥନୀତି, ସମାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ମୋର ସାମାନ୍ୟତମ ପ୍ରବେଶ ରହିଛି। କିନ୍ତୁ ସେୟାର ମାର୍କେଟ୍‌ ପତନ ସହିତ ସନ୍ତାନ ଜନ୍ମର ସଂପର୍କ ମୋ ପାଇଁ ରହସ୍ୟମୟ ହୋଇ ରହିଗଲା। ସେ ସମୟରେ ଉଭୟ ମାସିକ ଅନ୍ୟୂନ ତିନି ଲକ୍ଷ ଟଙ୍କରୁ ଊର୍ଦ୍ଧ୍ୱ ଦରମା ପାଉଥିଲେ। ଏହା ସତ୍ତ୍ୱେ ଅର୍ଥର ଅଭାବ ଆଳରେ ସନ୍ତାନ ଜନ୍ମ ଦେବା ପାଇଁ ସେମାନେ କୁଣ୍ଠିତ ଥିଲେ।

‘ଏତିକି ଯଥେଷ୍ଟ ନୁହେଁ’- ଆଜି ଏହା ଯେମିତି ମହାମନ୍ତ୍ରରେ ପରିଣତ ହୋଇଯାଇଛି ଏବଂ ସନ୍ତାନର ଜନ୍ମ ମୁହୂର୍ତ୍ତରୁ ଆମେ ସେହି ମନ୍ତ୍ର ତା’ କାନରେ ଫୁଙ୍କିବାକୁ ଲାଗିଛୁ। ଅନେଶତ ପ୍ରତିଶତ ନମ୍ବର ଯଥେଷ୍ଟ ନୁହେଁ, କୋଟିଏ ଟଙ୍କାର ଚାକିରି ଯଥେଷ୍ଟ ନୁହେଁ, ଗୋଟିଏ ସହରରେ ଘରଟିଏ ଯଥେଷ୍ଟ ନୁହେଁ। ଆଇଆଇଟି ଓ ଆଇଏମ୍‌ଏ ଭଳି ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ପଢ଼ାଇ ଅଧିକ ଅର୍ଥ ଉପାର୍ଜନର ପନ୍ଥା ସିନା ଶିଖାଇ ଦେଉଛୁ, କିନ୍ତୁ ଖର୍ଚ୍ଚ କରିବାର କଳାକୌଶଳ କେବେ ଶିଖାଇନାହୁଁ। କେବେହେଲେ କହିନାହୁଁ, ତା’ ରୋଜଗାରରେ ଅନ୍ୟମାନଙ୍କର ମଧ୍ୟ ଅଂଶ ଅଛି। କେଉଁ ଅପନ୍ତରା ଅଞ୍ଚଳରେ ଭୋକ ଓପାସରେ ଆଉଟୁପାଉଟୁ ଶିଶୁଟିର ମଧ୍ୟ ତା’ ରୋଜଗାରରେ ଅଧିକାର ଅଛି, ବାଡ଼ିରେ ଥିବା ପିଜୁଳି ଗଛରେ, ଆମର ଯେତିକି ଅଧିକାର, ନିଶାର୍ଦ୍ଧରେ ଘୂରି ବୁଲୁଥିବା ବାଦୁଡ଼ିର ମଧ୍ୟ ସେତିକି ଭାଗୀଦାରି ଅଛି। ସବୁବେଳେ କହିଲୁ, ସମସ୍ତ ରୋଜଗାର ପରିବାର ପାଇଁ। ଛୁଆଟି ବେଳେ ସେ ପଢ଼ିଥିଲା- ପିତାମାତା ଓ ସନ୍ତାନ ହେଉଛନ୍ତି ପରିବାର। ଅନ୍ୟମାନେ ଯୌଥ ପରିବାରର ଅଂଶ। ତେଣୁ ବିବାହ ପରେ ନିଜ ପରିବାରରେ ସୀମିତ ରହି ବୃଦ୍ଧ ପିତାମାତାଙ୍କୁ ଭୁଲି ଯିବା ପାଇଁ ବାଧ୍ୟ ହେଲା। ଆଜି ଅନେକ ପରିବାରରେ ଏହି ଅଭିଯୋଗ- ପିଲାମାନେ ବୃଦ୍ଧ ପିତାମାତାଙ୍କୁ ଭୁଲି ଯାଉଛନ୍ତି। ସେହି ବୃଦ୍ଧ ପିତାମାତାମାନେ ଏ ପ୍ରସଙ୍ଗରେ କେବେ ନିଜକୁ ପ୍ରଶ୍ନ କରିଛନ୍ତି କି?

ଅନ୍ଧକାରର ଗହ୍ୱରରୁ ଦୁଇ ପତ୍ର ମେଲି କଅଁଳି ଆସୁଥିବା ଚାରା, ସିନ୍ଦୂରା ଫାଟିବା ମୁହୂର୍ତ୍ତରେ ଆଲୋକର ସମ୍ଭାର ଦେଖି ଶିହରି ଉଠିଛି। ଦୂର ଦିଗନ୍ତରୁ ଉଇଁ ଆସୁଥିବା ସୂର୍ଯ୍ୟ, ଶିଶୁଦ୍ରୁମକୁ ସ୍ନେହରେ ଡାକିଛି- ଆ, ମୋ’ ପାଖକୁ ଆ। ସେହି ଆହ୍ୱାନରେ ପୁଲକିତ ହୋଇ ଶିଶୁଦ୍ରୁମ ଆଲୋକର ଯାତ୍ରା ଅବ୍ୟାହତ ରଖିଛି। କ୍ରମେ ଶାଖାପ୍ରଶାଖା ମେଲାଇ ଫଳପୁଷ୍ପରେ ପରିପୂର୍ଣ୍ଣ ହୋଇଛି। କେତେ କ୍ଳାନ୍ତ ପଥିକଙ୍କୁ ଶୀତଳ ପଣତରେ ଆଶ୍ରା ଦେଇଛି। ଭୋକିଲା ଅସହାୟଙ୍କୁ ଫଳଦାନ କରି ପରିତୃପ୍ତି ଲଭିଛି। ଦୂର ଦିଗବଳୟକୁ ଛୁଇଁ ଯାଉଥିବା ଶାଖା ପ୍ରଶାଖା ପକ୍ଷୀଙ୍କର ବାସସ୍ଥଳୀରେ ମୁଖରିତ ହୋଇଛି। ପୃଥିବୀର ବାସ୍ନାରେ ମହକି ଉଠିଛି ତା’ ପ୍ରାଣ। ଆକାଶର ପ୍ରଶାନ୍ତିରେ ପୁଲକି ଉଠିଛି ପ୍ରାଣ। ପରିପକ୍ୱ ବିଶ୍ୱସନୀୟତାରେ ଅନ୍ତର ପରିପୂର୍ଣ୍ଣ ହୋଇଛି। କେବେ ବି ସେ ଅଭିଯୋଗ କରିନି। ସର୍ବଦା ନତମସ୍ତକ ରହି ସୂର୍ଯ୍ୟଦେବଙ୍କ ପ୍ରତି କୃତଜ୍ଞତା ଅର୍ପଣ କରିଛି। ଦେହର ଶକ୍ତି କ୍ରମଶଃ କ୍ଷୀଣ ହୋଇଛି। ଗତିର ବେଗ ହ୍ରାସ ପାଇଛି। ସୂର୍ଯ୍ୟକୁ ଛୁଇଁବା ସମ୍ଭବ ହୋଇନି। ଦିନେ ଅସୁମାରି ସାହସରେ ସୂର୍ଯ୍ୟଙ୍କୁ କହିଛି- ‘ମୁଁ ସିନା ପାରିଲିନି। ମୋର ସମସ୍ତ ଶକ୍ତି ଭରି ଦେଇଛି ମୋ ଫୁଲରେ, ସେ ଦିନେ ଫଳ ହେବ। ଫଳ ଭିତରେ ଭରିଦେଇଛି ବୀର୍ଯ୍ୟ, ମାଟି ମା’ ତା’କୁ ଆଦରିନେବ। ସେ ଜନ୍ମ ନେବ ମୋ’ରି ରୂପରେ। ମୁଁ ସିନା ଥକିଗଲି, ସେ କିନ୍ତୁ ତୁମ ପାଖରେ ନିଶ୍ଚୟ ପହଞ୍ଚିବ।’ ପ୍ରକୃତିର ଏହି ଜୟଯାତ୍ରା ଅବ୍ୟାହତ ରହିଛି। ଆମେ ହତଭାଗା ଏତିକି ବୁଝିବା ପାଇଁ ଅସମର୍ଥ।
ମୋ-୯୪୩୭୧୯୧୩୫୦

ସମ୍ବନ୍ଧିତ ଖବର