୧୯୪୭ ମସିହା ଫେବ୍ରୁଆରି ୨୬ ତାରିଖ। ସ୍ଥାନ ନୂଆଖାଲିର ହୈମଚାର। ସକାଳ ପ୍ରାର୍ଥନା ସଭାରେ ଗାନ୍ଧୀଜୀଙ୍କୁ ଜଣେ ପ୍ରଶ୍ନ କଲେ, “ବାପୁ, ଆପଣଙ୍କ ରାମରାଜ୍ୟ କ’ଣ ହିନ୍ଦୁରାଷ୍ଟ୍ର?” ୧୯୪୦ ଦଶକର ଶେଷ ଆଡ଼କୁ ଯେତେବେଳେ ଭାରତର ସ୍ୱାଧୀନତା ପାଇବାର ଆଶା ଉଜ୍ଜ୍ବଳ ହୋଇଥିଲା, ସେତେବେଳେ ରାମରାଜ୍ୟର ସ୍ୱରୂପ ନେଇ ଏମିତି କିଛି ପ୍ରଶ୍ନ ଗାନ୍ଧୀଙ୍କୁ ପଚରା ଯାଉଥିଲା। ପ୍ରାୟ ସବୁ ସମ୍ପ୍ରଦାୟର ଲୋକ ଗାନ୍ଧୀଙ୍କଠାରୁ ଏଥିନେଇ ସ୍ପଷ୍ଟୀକରଣ ଚାହୁଁଥିଲେ। ତେଣୁ ହୈମଚାରରେ ସେ ପ୍ରଶ୍ନ ଗାନ୍ଧୀଙ୍କୁ ନୂଆ ଲାଗି ନଥିଲା। ଗାନ୍ଧୀ ଉତ୍ତର ଦେଲେ, “ମୋ ରାମରାଜ୍ୟ ‘ହିନ୍ଦୁରାଜ’ ନୁହେଁ। ଯଦି କିଏ ଭାବୁଥାଏ, ମୁଁ ରାମରାଜ୍ୟ ଆଳରେ ହିନ୍ଦୁରାଜ କଥା କହୁଛି, ସେ ଭାବନା ସେ ପାସୋରିଦେବା ଦରକାର। ମୋ’ର ଯିଏ ରାମ, ସେ ଆଲ୍ଲା, ସେ ହିଁ ଈଶ୍ୱର। ମୋ ରାମରାଜ୍ୟ ଧରା ପୃଷ୍ଟରେ ଏକ ଈଶ୍ୱରୀୟ ସାମ୍ରାଜ୍ୟ। ମୋ ରାମରାଜ୍ୟରେ କେବଳ ଭାରତୀୟଙ୍କ ମଙ୍ଗଳ କାମନା ନଥାଏ। ସମଗ୍ର ମାନବ ଜାତିର ଶୁଭ ଚିନ୍ତା ଏଥିରେ ଥାଏ।’’
ଗାନ୍ଧୀ ତାଙ୍କ ଆଦର୍ଶ ଶାସନର ନାଁ ଦେଇଥିଲେ ରାମରାଜ୍ୟ। ରାମରାଜ୍ୟର ସ୍ୱରୂପ, ଗୁଣ ଓ ଚରିତ୍ର ନେଇ ବର୍ଣ୍ଣନା ଗାନ୍ଧୀ ନିଜେ ତାଙ୍କର ଅନେକ ଭାଷଣ ଓ ପ୍ରବନ୍ଧମାନଙ୍କରେ ଦେଇଛନ୍ତି। ଗାନ୍ଧୀ କହନ୍ତି, ତାଙ୍କ ରାମରାଜ୍ୟ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଯାହା ଶୁଦ୍ଧ ନୈତିକତା ଉପରେ ଆଧାରିତ। ବ୍ୟକ୍ତି ସ୍ୱାଧୀନତାକୁ ଏଠି ଗୁରୁତ୍ୱ ଦିଆଯାଏ। ରାମରାଜ୍ୟରେ ଥାଏ ଏକ ଶୋଷଣହୀନ ଶାସନ। ନ୍ୟାୟ ପ୍ରଦାନ ତୁରନ୍ତ ଏବଂ ନିରପେକ୍ଷ ହୋଇଥାଏ ରାମରାଜ୍ୟରେ। ନ୍ୟାୟଦାନ ପ୍ରକ୍ରିୟା ଦୀର୍ଘ ହୋଇ ନଥାଏ। ରାମରାଜ୍ୟ କିନ୍ତୁ ଧର୍ମ ଶୂନ୍ୟ ରାଷ୍ଟ୍ର ନୁହେଁ। ବିଭିନ୍ନ ଧର୍ମର ସହାବସ୍ଥାନ ରାମରାଜ୍ୟରେ ଥାଏ। ରାଷ୍ଟ୍ର ଏଠି ‘ସର୍ବଧର୍ମ ସମାନତ୍ୱ’ ନୀତିକୁ ଆବୋରି ନେଇଥାଏ। ଗାନ୍ଧୀ କିନ୍ତୁ ସ୍ପଷ୍ଟ କରି ଦିଅନ୍ତି, ତାଙ୍କ ରାମରାଜ୍ୟ କୌଣସି ଧର୍ମଭିତ୍ତିକ ରାଷ୍ଟ୍ର ନୁହେଁ।
୧୯୨୫ ମସିହା ଜାନୁଆରି ୧୬ ତାରିଖରେ ଗୁଜୁରାଟର ‘ସୋଜିତ୍ର’ ଠାରେ ଆୟୋଜିତ ଏକ ମହିଳା ସମ୍ମିଳନୀରେ ଗାନ୍ଧୀ ଉଦ୍ବୋଧନ ଦେବାବେଳେ ରାମରାଜ୍ୟର ଅନ୍ୟ ଏକ ବିସ୍ତୃତ ଚିତ୍ର ଦେଇଥିଲେ। ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି ଥିଲା ତାଙ୍କ ରାମରାଜ୍ୟରେ ଜାଗ୍ରତ ତଥା ସମୃଦ୍ଧ ମହିଳା ସମାଜଟିଏ ଥିବ। ମହିଳାମାନେ ସୀତାଙ୍କ ପରି ନିର୍ଭୀକ, ସହିଷ୍ଣୁ ଓ ଦୟାଶୀଳ ହୋଇଥିବେ। ସ୍ପୃଶ୍ୟ-ଅସ୍ପୃଶ୍ୟ ଭାବ ରାମରାଜ୍ୟରେ ନଥିବ।
ଗାନ୍ଧୀଙ୍କ ଚିନ୍ତାର ରାମରାଜ୍ୟ କେବଳ ସ୍ୱରାଜ ନୁହେଁ। ଏହା ସ୍ୱରାଜ ଠାରୁ ଅଧିକ। ବ୍ରିଟିସ୍ ହାଉସ୍ ଅଫ୍ କମନ୍ସ, ଅଥବା ଇଟାଲିର ଫାସିବାଦ, ରୁଷ୍ର ସାମ୍ୟବାଦ ବା ଜର୍ମାନିର ନାଜି ଶାସନକୁ ଅନୁକରଣ କରି ଭାରତରେ କିନ୍ତୁ ରାମରାଜ୍ୟ ହେବନି। ଭାରତର ବିଭିନ୍ନ ଚଳଣି, ସଂସ୍କୃତି, ଭାଷା, ଜାତି, ଧର୍ମ ସ ଅନୁକୁଳ ହେବା ପରି ରାମରାଜ୍ୟ ଭାରତୀୟମାନେ ନିଜେ ଗଢ଼ିବେ। ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟ ପ୍ରତିଷ୍ଠା ଏବଂ ଅସମାନତା ଦୂରୀକରଣ ରାମରାଜ୍ୟର ମୂଳ ପିଣ୍ଡ ହେବ।
ଗାନ୍ଧୀଜୀ ତାଙ୍କ କଳ୍ପିତ ରାମରାଜ୍ୟ ପାଇଁ ପ୍ରେରଣା ପାଇଥିଲେ ଗୋସ୍ୱାମୀ ତୁଳସୀ ଦାସଙ୍କ ରାମାୟଣରୁ। ତୁଳସୀ ରାମାୟଣର ଉତ୍ତରାକାଣ୍ଡରେ ରାମରାଜ୍ୟର ବର୍ଣ୍ଣନା ଅଛି। ସନ୍ଥ ତୁଳସୀ ଦାସ କହନ୍ତି, ଲଙ୍କା ଯୁଦ୍ଧ ପରେ ଅଯୋଧ୍ୟା ଫେରି ପ୍ରଭୁ ଶ୍ରୀରାମ ଯେଉଁ ଶାସନ ପ୍ରତିଷ୍ଠା କରିଥିଲେ, ତା’ର ନାଁ ଥିଲା ରାମରାଜ୍ୟ। ରାମରାଜ୍ୟରେ ଭୋକ, ଭୟ, ଦୁଃଖ ନଥିଲା। ଅପମୃତ୍ୟୁ ନଥିଲା। ବରିଷ୍ଠ ଓ ବିଜ୍ଞମାନଙ୍କୁ ସମ୍ମାନ ମିଳୁଥିଲା। ନଦୀମାନେ ପୂର୍ଣ୍ଣଗର୍ଭା ଥିଲେ। ଋତୁଚକ୍ର ସ୍ୱାଭାବିକ ଥିଲା। ସମୁଦ୍ର କୂଳ ଲଂଘୁ ନଥିଲା। ଘନ ଜଙ୍ଗଲ ଥିଲା। ପଶୁ ପକ୍ଷୀମାନେ ଚଳଚଞ୍ଚଳ ଥିଲେ।
ରାମରାଜ୍ୟର ଉଲ୍ଲେଖ କଲାବେଳେ ତୁଳସୀ ଦାସ ଏ କଥା ବି କହନ୍ତି, ସବୁ ଦ୍ରବ୍ୟର ସମୁଚିତ ଉପଲବ୍ଧି ଥିଲା ରାମରାଜ୍ୟରେ। ସାମର୍ଥ୍ୟ ଅନୁସାରେ ବ୍ୟକ୍ତି କାମ କରୁଥିଲା; ଆବଶ୍ୟକତା ଅନୁଯାୟୀ ଦ୍ରବ୍ୟ ପାଉଥିଲା। ନଗରରୁ ଜନପଦ ପର୍ଯ୍ୟନ୍ତ ସବୁଠି ସୁଖ ଥିଲା। ସର୍ବସମ୍ପନ୍ନ ଏବଂ ପରିପୂର୍ଣ୍ଣ ଶାସନଟିଏ ଥିଲା ରାମରାଜ୍ୟ। ରାମରାଜ୍ୟ ପ୍ରସଙ୍ଗ ଆଲୋଚନାକୁ ଆସିଲେ ରାମରାଜ୍ୟର ଏମିତି ଛବି ସାମ୍ନାକୁ ଆସେ।
୧୯୪୭ ମସିହା ନଭେମ୍ବର ୧୫ ତାରିଖରେ ଅନୁଷ୍ଠିତ ଅଖିଳ ଭାରତୀୟ କଂଗ୍ରେସ କମିଟି ବୈଠକରେ ଭାରତର ରାମରାଜ୍ୟ ପାଇଁ ଧର୍ମନିରପେକ୍ଷ ରାଷ୍ଟ୍ରଟିଏ ଯେ ଏକାନ୍ତ ଜରୁରି ଗାନ୍ଧୀ ଏଥିନେଇ ଏକ ପ୍ରସ୍ତାବ ପାରିତ କରିଦେଇଥିଲେ।
ପ୍ରଶ୍ନ ହୁଏ, ଭାରତରେ ରାମରାଜ୍ୟ ସ୍ଥାପନ ପାଇଁ ହିନ୍ଦୁରାଷ୍ଟ୍ର ଦରକାର, ନା ଚଳନ୍ତି ଭାରତ ସମ୍ବିଧାନ ଯଥେଷ୍ଟ? ପ୍ରଚଳିତ ସମ୍ବିଧାନର ସପକ୍ଷବାଦୀଙ୍କ ଯୁକ୍ତି ଏ ସମ୍ପର୍କରେ ବେଶ୍ ଶାଣିତ। ଯୁକ୍ତି ହୁଏ, ସମ୍ବିଧାନ ପ୍ରଣେତାମାନେ ଗାନ୍ଧୀଙ୍କ ରାମରାଜ୍ୟ ଚିନ୍ତାକୁ କାର୍ଯ୍ୟକାରୀ କରିବାକୁ ଭାରତ ସମ୍ବିଧାନରେ ବ୍ୟବସ୍ଥିତ କରି ରଖିଛନ୍ତି। ଭାରତ ସମ୍ବିଧାନର ମୁଖବନ୍ଧ ଏବଂ ରାଷ୍ଟ୍ର ନିର୍ଦ୍ଦେଶାବଳୀ ବା ଡାଇରେକ୍ଟିଭ୍ ପ୍ରିନସିପଲ୍ ଅଫ୍ ଷ୍ଟେଟ୍ ପଲିସିରେ ଏକ ଜନକଲ୍ୟାଣ ରାଷ୍ଟ୍ର ପାଇଁ ପ୍ରାବଧାନ ରହିଛି। ଭାରତ ସମ୍ବିଧାନର ମୁଖବନ୍ଧ ସୂଚାଇ ଦିଏ, ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ରାଷ୍ଟ୍ର ଯେଉଁଠି ସମସ୍ତ ନାଗରିକଙ୍କୁ ସାମାଜିକ ଆର୍ଥିକ ଏବଂ ରାଜନୈତିକ ନ୍ୟାୟ ମିଳୁଥିବ; ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଏବଂ ଉପାସନାରେ ସ୍ୱତନ୍ତ୍ରତା ରହିଥିବ; ବ୍ୟକ୍ତିର ପ୍ରତିଷ୍ଠା ତଥା ସୁଯୋଗର ସମାନତା ଥିବ; ବ୍ୟକ୍ତିର ଗରିମା ଏବଂ ରାଷ୍ଟ୍ରର ଏକତା ତଥା ଅଖଣ୍ଡତା ସୁନିଶ୍ଚିତ କରିବାକୁ ବନ୍ଧୁତ୍ୱ ଥିବ। ଆର୍ଥିକ ସମବଣ୍ଟନ, ମଜୁରୀରେ ସମାନତା, ଶାସନର ବିକେନ୍ଦ୍ରୀକରଣ ଏବଂ ନିଶାଶୂନ୍ୟ, ଜାତିଶୂନ୍ୟ ଓ ସ୍ୱାବଲମ୍ବୀ ସମାଜର ପ୍ରତିଷ୍ଠା ନିମନ୍ତେ ସମସ୍ତ ଉପାଦାନ ବି ଅଛି ଭାରତ ସମ୍ବିଧାନରେ।
ରାମରାଜ୍ୟ ବନାମ ହିନ୍ଦୁରାଷ୍ଟ୍ରର ସଂଘାତ ଭିତରେ ତେଣୁ ବହୁ କଷ୍ଟଲବ୍ଧ ଭାରତ ସମ୍ବିଧାନ ଅସୁରକ୍ଷିତ ହୋଇ ନ ଯାଉ।
ମୋ: ୯୮୬୧୪୬୯୩୨୮