ମନ ଥୟ ଥିଲେ କୁଆଡ଼େ ଗାଡ଼ିଆ ହିଁ ଗଙ୍ଗା ପରି ମନେ ହୋଇଥାଏ। ଆମେ ଏ କଥାକୁ ଶୁଣି ଆସିଛୁ ଓ ମାନି ଆସିଛୁ ମଧ୍ୟ। ଦିନେ ଆମେ ଏହି ବିଷୟକୁ ନେଇ ପାକଳା ପାକଳି କରି ଗୁଣୁଗୁଣଉଥିବା ବେଳେ ସେଇ ମନ ଗାଡ଼ିଆରେ କ’ଣ ସବୁ ଯେ କିଆଁ ଉବୁଟୁବୁ ହେଉଛନ୍ତି ଜାଣିବାକୁ ଆମ ମନ ବଳିଲା।

Advertisment

ସେତିକି ବେଳେ ପୁଣି ମନେ ପଡ଼ିଗଲା ଯେ ଏୟା ବି କହନ୍ତି ମନ କୁଆଡ଼େ ଆଇନା ପରି। ତ’ ନିମିଷେ ଆଖି ବୁଜି ଦେଲୁ ଏବଂ ସେଇ ମନ ଆଇନାରେ ଦେଖିଲୁ ଛୋଟ ପିଲାଟିଏ ଏକ ମନ ଏକ ଧ୍ୟାନ ହୋଇ ଗୁଡ଼ରେ ତିଆରି ମୁଢ଼ି ମୁଆଁଟେ ମହାନନ୍ଦେ ଚୋଷି ଚାଲିଚି। ମୁହଁରେ ତା’ର ସତେ ଅବା ବୋଳି ହୋଇ ଯାଇଛି ମୁଆଁ ଭିତରର ସବୁ ତକ ମିଠାର ମହୁ! ଯଦିଓ ଏମନ୍ତ ନୁହେଁ ଯେ ଏବେ ମୁଆଁ ଆମକୁ ମିଳିବ ନାହିଁ; କିନ୍ତୁ ସେଇ ପିଲାଟି ଭଳି କ’ଣ ଖାଇ ହେବ? ଏବେ ପରା ମିଠାଦିଙ୍କ ଠୁ ସର୍ବଦା ଦୂରେଇ ରହିବା ଲାଗି ଆକଟମାନ ମିଳିବାରେ ଲାଗିଛି, ନ ହେଲେ କୁଆଡ଼େ ମଧୁମେହ କୋମଳ ଆଲିଙ୍ଗନରେ ଭିଡ଼ି ଧରିବ! କିନ୍ତୁ ମନର ବିଚିତ୍ର ଗତି; କିମିତି ମୁଆଁ ଖାଇ ହେବ ସେ କଥା ଏବେ ଆମ ମନ ପାଞ୍ଚି ଚାଲିଲା।

ସେଇ ଭିତରେ ମନ କହିଲା ଯେ ଏମିତି ମନ ଆଇନାରେ ନିଜ ପିଲା ଦିନକୁ ଦେଖିବାର ବିଳାସ ଛାଡ଼ି ବରଂ ଥରୁଟେ ଏବେ ନିଜ ମୁହଁଟିକୁ ସତସତିକା ଆଇନାରେ ଦେଖ। ତେଣୁ ଆଖି ବନ୍ଦ କରି ବସିଥିବା ଅବସ୍ଥାରୁ ଉଠି ଆମେ ପହଞ୍ଚିଲୁ ସତସତିକା ଆଇନା ଆଗରେ। ତ’ ପହିଲେ ଆମ ଆଖି ଆଗରେ ଜଳଜଳ ହୋଇ ଦିଶିଗଲା ଆମ ନିର୍ବାଳ ମଥାଟି!

ଆଲୁଅ ପଡ଼ି ଚକଚକ କରୁଥିବା ଆମ ଚିକ୍କଣ ମଥାଟି ହିଁ ଯେମିତି ଦର୍ପଣକୁ ଚ୍ୟାଲେଂଜ କରୁଥିଲା! କିନ୍ତୁ, ସେଇ କ୍ଷଣି ଏକା ଥରକେ ଆମ ମନ ପହଞ୍ଚି ଯାଇଥିଲା ଗହଳ ଘନ କଳା କେଶ, ନାନାଦି ଭଙ୍ଗୀରେ କେଶ କଟାକଟି ସହିତ ହରରଙ୍ଗୀ ଯୌବନିଆ ହରକତ ସମ୍ବଳିତ ଆମ ଅତୀତ ଠାରେ। ଏବେ ସତ ଆଇନା ଆଗରେ ମୁଁ ସିନା ଛିଡ଼ା ହୋଇଥିଲି, କିନ୍ତୁ ଆଖିରେ ନାଚୁଥିଲା ମୋର ଅତୀତ ଯୌବନର ଚେହେରା। ହାୟରେ ମନ ତୁ’ କ’ଣ ହଉଚୁ? କୁଆଡ଼େ କୁଆଡ଼େ ଉଡ଼େଇ ନେଉଛୁ?

ଏବେ ମନ ପୁଣି କଡ଼ ଲେଉଟାଇଲା। ତୁରିତେ ଉଡ଼ି ଗଲା ସେଇ ଆଡ଼କୁ ଯେଉଁଠି ମନ କଥା ମନରେ ହିଁ ରହି ଯାଇଥିବାରୁ ଏକଦା ମୋ ମନ ଗୋଟାପଣେ ମନ୍ଥି ହୋଇ ଯାଇଥିଲା। ତା’ ପରେ ପଟୁଆରରେ ଆସିଲେ ଗୋଟିଏ ପରେ ଗୋଟିଏ ମନୋବାଞ୍ଛା ଯାହା ପୂରଣ ନ ହୋଇ ସେମିତି ରହିଯାଇ ମୋ‌େତ ମନ୍ଥି ଚାଲିଥିଲେ। ଏବେ ଖାଲି ଦୀର୍ଘଶ୍ବାସ ହିଁ ବାହାରୁ ଥିଲା- ଛାଡ଼, ମୋ ଭାଗ୍ୟ ହିଁ ଏମିତି! ମୋ ପାଇଁ କେହି ନାହିଁ, ମୋର କିଛି ନାହିଁ ଇତ୍ୟାଦି ଇତ୍ୟାଦି।

ହେଲେ ମନର ମର୍କଟକୁ ତ ଆପଣମାନେ ଜାଣନ୍ତି। କେଉଁଠି ଗୋଟାଏ ଜାଗରେ ଥୟ ଧରି ବସେ କି? ମନ ପୁଣି ଚାଲିଗଲା ସେଇଠାକୁ ଯେଉଁଠି ମନ ବିଚଳିତ ହେଲେ ଆଦରର ସାଉଁଳା ମିଳେ। ସେଠି ହଠାତ୍‌ ମୋତେ ଯେମିତି ଭିତରୁ ଶୁଭିଲା- ‘କପାଳ ତୋର ସେତେଟା ଫଟା ନୁହେଁରେ ମୂର୍ଖ; ତୋର ଏମିତି କ’ଣ ନାହିଁ ଯେ ଏମିତି ସକସକ ହେଉଛୁ? ତୋର ଯାହା ଅଛି ତାହା ନ ଥିବାରୁ କେତେ କେତେ ଭୀମ ଟଳି ପଡ଼ିଛନ୍ତି! ତୋଠି ଏବେ ବି ଯାହା ଅଛି, କେବେ ଦିନେ ଭାବିଥିଲୁ କି ସେତିକି ତୋତେ ମିଳିବ? ତ ମଥା ପିଟୁଛୁ କାହିଁକି?

ଏତିକି ବେଳକୁ ମନ ଗାଡ଼ିଆର ଗୋଳିଆ ପାଣିକୁ ଯେ ନିଜେ ହିଁ ଲାଗି ପଡ଼ି ଆହୁରି ଗୋଳିଆ କରି ଚାଲିଛି, ଏ କଥା ଜାଣି ସାରିଥିଲି। ସୁତରାଂ ମନେ ମନେ ଲାଜେଇବା ଆରମ୍ଭ କରିଛି କି ନାଇଁ, ମନ ପୁଣି ଚେଙ୍କାଏ ଦେଇ କହିଲା, ‘ଖାଲି ଅଳିଆ କଥା ଭାବି ଚାଲିଲେ କି ହେବ? ବରଂ ସେଇ ଯେଉଁ ଗୁଡ଼ ମୁଆଁ ମୁହଁରେ ଭରି ମିଠା ସୁଆଦକୁ ମନରେ ସାଇତିଚୁ, ତାକୁ ନେଇ ଏବେ ବି ମନେ ମନେ ମୁଆଁ ଖାଇବାକୁ କ’ଣ ମନା? ବରଂ କଥା ମାନ, ମନେ ମନେ ପୁଣି ସାନ ପିଲାଟେ ଭଳି ହୋଇଯାଅ। ମିଛିମିଛିକା ହେଉ ପଛେ ଗୁଡ଼ରେ ତିଆରି ମୁଢ଼ି ମୁଆଁଟେ ମୁହଁରେ ଭରି ଦେ। ଦେଖିବୁ କେମିତି ଛାଏଁ ମନ ମିଠା ମିଠା ମଧୁର ମୁହୂର୍ତ୍ତରେ ଭରି ଉଠିଛି!
ମୋ: ୯୪୩୭୯୦୯୬୭୫