ଗୋଟିଏ ଯୁଦ୍ଧରେ ଦୁଇ ପକ୍ଷର ସେନାପତିଙ୍କ ଭିତରେ ଘମାଘୋଟ ଯୁଦ୍ଧ ଚାଲିବା ପରେ ଜଣେ ଭୂପତିତ ହେଲେ। ତାଙ୍କ ଗଳାକୁ ବିଦ୍ଧ କରିବାକୁ ଆର ଜଣକ ଉଦ୍ୟତ ହେଉଥିଲା ବେଳେ ଅଟକି ଗଲେ। କାରଣ ପରାଜିତ ସେନାପତି ବି ଥିଲେ ଜଣେ ଚମତ୍କାର ଯୋଦ୍ଧା। ଏଇ ସମୟରେ ପରାଜିତ ସେନାପତି ହଠାତ୍‌ କହି ଉଠିଲେ- କଅଣ ଭାବୁଛ? ମୋତେ ହତ୍ୟା କରିବ କି ନାହିଁ?
କିନ୍ତୁ ଅଟକି ଯାଇଥିବା ସେନାପତିଙ୍କ ମୁଣ୍ତରେ ଦୁଇଟି ପ୍ରଶ୍ନ ଲହଡ଼ି ଭାଙ୍ଗୁଥିଲା। ସେଗୁଡ଼ିକ ହେଲା, ତାହାଙ୍କୁ ହତ୍ୟା କରି ଠିକ୍‌ କରିବି କି ଭୁଲ୍‌? ଭଲ କରିବି କି ମନ୍ଦ?

Advertisment

ସେ ସେଇ ପରାଜିତ ସେନାପତିଙ୍କୁ ଛାଡ଼ି ଦେଲେ କିନ୍ତୁ ମନରେ ଥିବା ଏ ପ୍ରଶ୍ନ ଦ୍ବୟର ଉତ୍ତର ଲାଗି ଗୁରୁଙ୍କ ପାଖକୁ ଗଲେ। ଗୁରୁ ଏହା ଶୁଣି କହିଲେ- ତୁମେ ଦୁଇ ଜଣ ଯେଉଁ ଦେଶ ଦୁଇଟି ପକ୍ଷରୁ ଲଢୁଥିଲ, ସେମାନେ ପରସ୍ପରର ଶତ୍ରୁ ହୋଇଥିବାରୁ ତୁମେ ତାଙ୍କୁ ହତ୍ୟା କରିଥିଲେ ତୁମେ ଠିକ୍‌ କାମଟି କରିଥାଆନ୍ତ। କିନ୍ତୁ, ଦେଶ ପ୍ରସଙ୍ଗକୁ ହଟାଇ ଦେଲେ ତାଙ୍କ ଓ ତୁମ ଭିତରେ ପ୍ରଭେଦ ନାହିଁ। ତୁମ ଭଳି ସେ ବି ଜଣେ ବୀର। ସେ ଜଣେ ମନୁଷ୍ୟ, ଯାହାଙ୍କ ପିଲା ପରିବାର ଓ ବନ୍ଧୁବାନ୍ଧବ ଥିବେ। ସେଇ ଦୃଷ୍ଟିରୁ ତୁମେ ଦୁହେଁ ପ୍ରାୟ ସମାନ। ତେଣୁ ଯୁଦ୍ଧର ବିଚାରରେ ତୁମେ ତାଙ୍କୁ ହତ୍ୟା କରି ହୁଏତ ଠିକ୍‌ କରିଥାଆନ୍ତ, କିନ୍ତୁ ଭଲ କାମଟିଏ କରି ନ ଥାଆନ୍ତ। ତେଣୁ, କର୍ତ୍ତବ୍ୟ ଲାଗି ଠିକ୍‌ ଓ ଭୁଲ୍‌ର ବିଚାର; କିନ୍ତୁ ଆତ୍ମା ଲାଗି ଭଲ ଓ ମନ୍ଦର ବିଚାର। ତେଣୁ ତୁମେ କେଉଁଭଳି ଦିଗରୁ ଘଟଣାକୁ ଦେଖୁଛ, ତା ଉପରେ ନିର୍ଭର କରିବ ତୁମ ନିଷ୍ପତ୍ତି। ତୁମେ ତାଙ୍କୁ ପ୍ରାଣ ଦାନ କଲ। ତେଣୁ ଭଲ କାମଟିଏ କଲ। ଯଦିଓ ତୁମ କର୍ତ୍ତବ୍ୟ ଦୃଷ୍ଟିରୁ ତାହା ଠିକ୍‌ ନ ଥିଲା।