‘ବାସୁ’ର ଦେଶ

ଅଳ୍ପ ଦିନ ତଳେ ପ୍ରମୁଖ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନକାରୀ ସଂସ୍ଥା (‌େରଟିଙ୍ଗ୍‌ ଏଜେନ୍‌ସି) ‘ଏସ୍‌ଆଣ୍ଡ୍‌ପି’ର ମୁଖ୍ୟ ପଲ୍‌ ଗ୍ରୁନ୍‌ୱାଲ୍‌ଡ ବର୍ତ୍ତମାନର ମନ୍ଥର ଆନ୍ତର୍ଜାତିକ ଅର୍ଥନୈତିକ ପରିବେଶରେ ଭାରତ ହେଉଛି ଏକ ‘‘ଉଜ୍ଜ୍ବଳ ତାରକା’’ ବୋଲି ମନ୍ତବ୍ୟ ପ୍ରଦାନ କରି ବିଶ୍ବ ସମୁଦାୟ ସମ୍ମୁଖରେ ଭାରତ ପାଇଁ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ସୃଷ୍ଟି କରିଥିଲେ। ଗ୍ରୁନ୍‌ୱାଲ୍‌ଡ କହିଥିଲେ ଯେ ବର୍ତ୍ତମାନ ପୃଥିବୀରେ ପ୍ରାୟ ପ୍ରତ୍ୟେକ ଦେଶ ଯେତେବେଳେ ଅର୍ଥନୈତିକ ଧିମା ଅବସ୍ଥା ଦେଇ ଗତି କରୁଛି, ସେତେବେଳେ ଭାରତ ଚଳିତ ବିତ୍ତ ବର୍ଷରେ ୭ ଶତାଂଶରୁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିବାକୁ ଯାଉଛି ଓ ଆସନ୍ତା ବର୍ଷରେ ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବା ଥୟ। ଏହା ଭାରତକୁ ପୃଥିବୀର ଦ୍ରୁତତମ ଅଭିବୃଦ୍ଧି ହାସଲକାରୀ ବୃହତ ଅର୍ଥନୀତିରେ ପରିଣତ କରିଛି ବୋଲି ସେ ଘୋଷଣା କରିଥିଲେ। ଭାରତ ଏହି ଉଲ୍ଲେଖନୀୟ ସଫଳତା ହାସଲ କରିବା ପଛରେ ମୋଟାମୋଟି ଭାବରେ ଯେଉଁ କାରଣ ମାନ ନିହିତ ଅଛି ‌େବାଲି ଗ୍ରୁନ୍‌ୱାଲ୍‌ଡ ସୂଚାଇଥିଲେ, ସେଥିରେ ଅନ୍ତର୍ଭୁକ୍ତ ଅଛି ଭାରତ କାର୍ଯ୍ୟକାରୀ କରିଥିବା ଅର୍ଥନୈତିକ ସଂସ୍କାରମାନ, ନିବେଶକୁ ପ୍ରୋତ୍ସାହନ ପ୍ରଦାନ ପାଇଁ ସରକାର ନେଇଥିବା ପଦକ୍ଷେପମାନ ଓ ଏକ ବିଶାଳ ଘରୋଇ ବଜାର।

ଗ୍ରୁନ୍‌ୱାଲ୍‌ଡଙ୍କର ଏହି ମନ୍ତବ୍ୟ ଯଦି ଭାରତୀୟ ଅର୍ଥନୀତିର ଏଭଳି ଅବିଶ୍ବସନୀୟ ସଫଳତା ସମ୍ବନ୍ଧରେ ପାଶ୍ଚାତ୍ୟ ପର୍ଯ୍ୟବେକ୍ଷକମାନଙ୍କର ଭାବନାର ପ୍ରତିନିଧିତ୍ବ କରୁଥାଏ, ଏହାର କେତେ ଦିନ ପରେ ଠିକ୍‌ ସେଇଭଳି ଚିନ୍ତାଧାରାକୁ ଅତି ସଂ‌େକ୍ଷପରେ ବହନ କରି ଏକ କାର୍ଟୁନ୍‌ ପ୍ରକାଶ ପାଇବା ଦେଖାଯାଇଥିଲା ସ୍ପେନ୍‌ର ଏକ ପ୍ରତିଷ୍ଠିତ ସମ୍ବାଦପତ୍ର, ‘ଲା ଭାନ୍‌ଗାର୍ଡିଆ’ରେ। ତେବେ ଗ୍ରୁନ୍‌ୱାଲ୍‌ଡଙ୍କ ମନ୍ତବ୍ୟକୁ ଭାରତୀୟମାନେ ବ୍ୟାପକ ଭାବରେ ସ୍ବାଗତ କରିଥିବା ବେଳେ, ‘ଲା ଭାନ୍‌ଗାର୍ଡିଆ’ ତା’ର ପ୍ରଥମ ପୃଷ୍ଠାରେ ଛାପିଥିବା ଏହି କାର୍ଟୁନ୍ ଏକ ତୀବ୍ର ବିବାଦରେ ଛନ୍ଦି ହୋଇଯାଇଛି। ବିବାଦର କାରଣ ହେଲା ସମ୍ପୃକ୍ତ କାର୍ଟୁନ୍‌ରେ ବ୍ୟବହାର କରାଯାଇଥିବା ପ୍ରତୀକ- ଏକ ସାପୁଆ କେଳା।

ଯେଉଁମାନେ ଅର୍ଥନୈତିକ ଅଭିବୃଦ୍ଧିର ପ୍ରଦର୍ଶନ ନିମିତ୍ତ ବ୍ୟବହାର କରାଯାଉଥିବା ରେଖାଚିତ୍ର ବା ‘ଗ୍ରାଫ୍‌’ ସହିତ ପରିଚିତ, ସେମାନେ ଏହି କାର୍ଟୁନ୍‌ରେ ଯାହା ଦେଖିବାକୁ ପାଇବେ, ତାହା ହେଲା ଜଣେ ସାପୁଆ କେଳା ଗ୍ରାଫ୍‌ର ମୂଳ ସ୍ଥାନରେ ବସି ତା’ର ତୁମ୍ବି ବା ବିନ୍‌ ବାଦନ କରୁଛି ଓ ଅର୍ଥନୈତିକ ଅଭିବୃଦ୍ଧି ହାରର ପ୍ରତିନିଧିତ୍ବ କରୁଥିବା ରେଖା ବା ଗ୍ରାଫ୍‌ଟି ଶୂନ୍ୟରୁ ଉପରକୁ ଉଠି ଚାଲିଛି, ଯାହା ଅପ୍ରତିହତ ମନେ ହେଉଛି। ପୃଥିବୀ ବର୍ତ୍ତମାନ ସମ୍ମୁଖୀନ ହୋଇଥିବା ପ୍ରତିକୂଳ ଅର୍ଥନୈତିକ ପରିସ୍ଥିତି ପରିପ୍ରେକ୍ଷୀରେ ଏହି କାର୍ଟୁନ୍‌ର ପ୍ରାସଙ୍ଗିକତା ବୁଝିବା କଷ୍ଟକର ନୁହେଁ। ଚୀନା କରୋନା ଭୂତାଣୁ ଜନିତ ପାଣ୍ଡେମିକ୍‌ କୋଭିଡ୍‌-୧୯ରୁ ଆରମ୍ଭ କରି ଯୋଗାଣ ଶୃଙ୍ଖଳ ବିପର୍ଯ୍ୟୟ ଓ ମୁଦ୍ରାସ୍ଫୀତି ଆଦି ଭଳି ବିଷାକ୍ତ ଶକ୍ତିମାନ ଦ୍ବାରା ଜର୍ଜରିତ ଅର୍ଥନୈତିକ ଅଭିବୃଦ୍ଧି ହାରକୁ କାର୍ଟୁନ୍‌ରେ ଏକ ସାପ ସଦୃଶ ରେଖା ରୂପେ ପ୍ରଦର୍ଶିତ କରାଯାଇଛି। ପୃଥିବୀର ଅନ୍ୟ ସମସ୍ତ ଦେଶମାନଙ୍କର ଅର୍ଥନୈତିକ ପରିଚାଳକମାନେ ଏହି ବିଷାକ୍ତ ଶକ୍ତିମାନଙ୍କର ମୁକାବିଲା କରିବାର ଉପାୟ ଖୋଜି ପାଇପାରୁ ନ ଥିବା ବେଳେ ଯେଉଁ ଏକମାତ୍ର ଦେଶ ଏହି ବିଷଧର ସର୍ପକୁ ବଶ କରି ଅର୍ଥନୈତିକ ଅଭିବୃଦ୍ଧିର ପ୍ରତୀକ ସ୍ବରୂପ ତାକୁ ଊର୍ଦ୍ଧ୍ବମୁଖୀ କରିବାରେ ସଫଳ ହୋଇଛି, ସେ ଦେଶ ହେଉଛି ଭାରତ।

କିନ୍ତୁ ଏହି କାର୍ଟୁନ୍‌କୁ ଭାରତ ସମ୍ବନ୍ଧରେ ଏକ ପ୍ରଶଂସା ସୂଚକ ଚିତ୍ର ରୂପେ ଗ୍ରହଣ ନ କରି କେତେକ ମହଲରେ ଏହାକୁ ଭାରତ ପ୍ରତି ଏକ ବ୍ୟଙ୍ଗ ରୂପେ ବିଚାର କରାଯାଉଛି। ଏହାର କାରଣ ହେଲା, ପାରମ୍ପରିକ ଭାବରେ ଅତୀତରେ ପାଶ୍ଚାତ୍ୟ ଜଗତ୍‌ରେ ଭାରତକୁ ଯେଉଁ ସାପୁଆ କେଳାମାନଙ୍କର ଦେଶ ରୂପେ ଉପହାସ କରା ହୋଇ ଆସୁଥିଲା, ‘ଲା ଭାନ୍‌ଗାର୍ଡିଆ’ର କାର୍ଟୁନ୍‌ ଭାରତ ପ୍ରତି ସେଇ ମାନସିକତା ବହନ କରିଥାଏ ବୋଲି ବିଚାର କରାଯାଉଛି। ଏହି କାର୍ଟୁନ୍‌ର ପରିକଳ୍ପନା କେଉଁ ଚିନ୍ତାଧାରା ବହନ କରିଥାଏ, ତାହା ଜଣା ନାହିଁ; କିନ୍ତୁ ପ୍ରଶଂସା ଛଳରେ ଯଦି ଭାରତ ପ୍ରତି ଉପହାସ ଏହାର ଉଦ୍ଦେଶ୍ୟ ହୋଇଥାଏ, ତେବେ ତାହାର ଫଳ ଯେ ବିପରୀତ ହୋଇଥାଏ, ଏଥିରେ ସନ୍ଦେହ ନାହିଁ।

ଉଭୟ ପାଶ୍ଚାତ୍ୟ ଜଗତରେ ଓ ଭାରତରେ ସାପ ଏକ ଶକ୍ତିଶାଳୀ ପ୍ରତୀକ ରୂପେ ବ୍ୟବହୃତ ହୋଇ ଆସିଛି। କିନ୍ତୁ ଏଥିରେ ଏକ ଗୁରୁତ୍ବପୂର୍ଣ୍ଣ ତଫାତ୍ ରହିଛି: ପାଶ୍ଚାତ୍ୟ ସଂସ୍କୃତିରେ ସାପକୁ ମନ୍ଦ ଶକ୍ତିର ପ୍ରତିନିଧି ରୂପେ ବିଚାର କରାଯାଉଥିବା ବେଳେ, ଭାରତୀୟ ସଂସ୍କୃତିରେ ସାପକୁ ସର୍ବଦା ସମ୍ମାନ ପ୍ରଦର୍ଶନ କରା ହୋଇ ଆସିଛି। ଆଡାମ୍‌ ଓ ଇଭ୍‌ ସ୍ବର୍ଗର ନନ୍ଦନକାନନ ବା ‘ଗାର୍ଡନ ଅଫ୍‌ ଇଡେନ୍‌’ରୁ ନିର୍ବାସିତ ହୋଇ ମର୍ତ୍ତ୍ୟରେ ନିପତିତ ହେବା ଓ ଏଠାରେ ମନୁଷ୍ୟକୁ ଅସରନ୍ତି ଦୁଃଖ ଯନ୍ତ୍ରଣା ମଧ୍ୟକୁ ଠେଲି ଦେବା ପଛରେ ରହିଥିବା ସାପର ମୁଖ୍ୟ ଭୂମିକା କାହାକୁ ଅଗୋଚର ନୁହେଁ।
ଭାରତୀୟ ସଂସ୍କୃତିରେ କିନ୍ତୁ ଖୋଦ୍‌ ଦେବଦେବ ମହାଦେବ ସାପକୁ ଆଦରରେ ଭୂଷଣ ରୂପେ ଗଳାରେ ଝୁଲାଇ ‘ଫଣୀଭୂଷଣ’ ନାମ ବହନ କରିଥାନ୍ତି। ସଂସାରର ପାଳନକର୍ତ୍ତା ବିଷ୍ଣୁ ଶେଷ ନାଗ ଉପରେ ଅନନ୍ତ ଶୟନ କରିଥିବାର ଚିତ୍ର ସହିତ କିଏ ବା ପରିଚିତ ନୁହେଁ? ଏକ ପୌରାଣିକ ଆଖ୍ୟାନ ଅନୁସାରେ ସାପମା‌େନ ତ ହେଉଛନ୍ତି ଖୋଦ୍‌ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ଦାୟାଦ: ବ୍ରହ୍ମାଙ୍କ ପୁତ୍ର କାଶ୍ୟପଙ୍କ ପତ୍ନୀ କଦ୍ରୁଙ୍କ ଔରସରୁ ହିଁ ସର୍ପମାନେ ଜନ୍ମ ଲାଭ କରିଥିଲେ। ଭାରତୀୟମାନେ ବିଶ୍ବାସ କରିଥାନ୍ତି ଯେ ବାସୁକୀ ନାମକ ସର୍ପ ହିଁ ତା’ର ମସ୍ତକରେ ଏ ପୃଥିବୀକୁ ବହନ କରି ସମ୍ଭାଳି ରଖିଛି; ଭାରସାମ୍ୟ ରକ୍ଷାକରି ପୃଥିବୀ ପୃଷ୍ଠରେ ଜୀବଜଗତ୍‌କୁ ସୁରକ୍ଷିତ ରଖିବା ପାଇଁ ସେ ସତତ ଚେଷ୍ଟା କରିଥାଏ (ସେ ସାମାନ୍ୟ ହଲଚଲ ହେଲେ ଭୂମିକମ୍ପ ହୋଇଥାଏ)। କୃତଜ୍ଞ ଭାରତୀୟମାନେ‌ ତେଣୁ ନାଗ ପଞ୍ଚମୀରେ ସାପକୁ ପୂଜା କରିଥାନ୍ତି।

ସାପୁଆ କେଳା ହେଉଛି ଏହି ସଂସ୍କୃତିର ଏକ ଅଂଶ, ଯିଏ ସାପମାନଙ୍କୁ ‌େକବଳ ମିତ୍ର ନୁହେଁ, ନିଜ ପରିବାରର ସଦସ୍ୟ ରୂପେ ଦେଖିଥାଏ। (୨୦୨୦ର ‘ସମ୍ବାଦ’ର ବାର୍ଷିକ ବିଶେଷାଙ୍କରେ ଗାଳ୍ପିକ ତରୁଣକାନ୍ତି ମିଶ୍ରଙ୍କର ଏକ ଭିନ୍ନ ସ୍ବାଦର ମର୍ମସ୍ପଶୀ ଗଳ୍ପ ‘ବାସୁ’ର ଅର୍ଜୁନ, ସୁଲତାନ୍‌, ରାଜକପୁର, କପିଳେନ୍ଦ୍ର ଦେବ ଆଦି ନାମ ବହନ କରୁଥିବା ସାପୁଆ କେଳା ବାଳକ ‘ବାସୁ’ର ପରିବାରର ସାପମାନଙ୍କ ଭଳି)। ପିଟର୍‌ ସିଙ୍ଗର୍‌ଙ୍କ ପରି ଦାର୍ଶନିକମାନେ ଦାବି କରି ଆସୁଥିବା ଭଳି ଏ ପୃଥିବୀ ଯେ କେବଳ ମନୁଷ୍ୟର ନୁହେଁ, ସବୁ ଜୀବମାନଙ୍କର, ଏହି ଆଦର୍ଶକୁ ଯଦି କେଉଁ ଦେଶ ବାସ୍ତବତାରେ ପରିଣତ କରିଥାଏ, ସେ ଦେଶ ହେଉଛି ଯେ ଭାରତ, ‘ଲା ଭାନ୍‌ଗାର୍ଡିଆ’ର କାର୍ଟୁନ୍‌ ସେଇ ସନ୍ଦେଶ ବହନ କରିଥାଏ। କାର୍ଟୁନ୍‌ଟି ତେଣୁ ଭାରତ ହାସଲ କରିଥିବା ଅର୍ଥନୈତିକ ସଫଳତାର ପ୍ରତିନିଧିତ୍ବ କରିବା ସଙ୍ଗେ ସଙ୍ଗେ ଅଙ୍କନକାରୀଙ୍କ ଅଜାଣତରେ ଭାରତର ଏହି ସାଂସ୍କୃତିକ ଉତ୍କର୍ଷର ସ୍ବାକ୍ଷର ମଧ୍ୟ ଯେ ବହନ କରିଥାଏ, ତାହା କେହି ଅସ୍ବୀକାର କରିପାରିବେ ନାହିଁ।

ସମ୍ବନ୍ଧିତ ଖବର