ପ୍ରସିଦ୍ଧ ପ୍ରାଚୀନ ଚୀନ କବି ଝାନ ଝିନ୍ଗ ଥିଲେ ଜଣେ ସୌନ୍ଦର୍ଯ୍ୟ ପିପାସୁ। ସୌନ୍ଦର୍ଯ୍ୟ ଦର୍ଶନକୁ ନେଇ ତାଙ୍କର ରଚନା ଅଦ୍ବିତୀୟ। କୁହାଯାଏ ସେ ଅନେକ ବର୍ଷ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟବୋଧ ସଂପର୍କିତ ଶାସ୍ତ୍ରମାନ ପଢ଼ିବାରେ ସମୟ କାଟିଥିଲେ।
ଦିନକର ଘଟଣା। ସମୟ ନିଶାର୍ଧ। ଝାନ ଝିନ୍ଗ ତାଙ୍କ ଶାସ୍ତ୍ର ଅଧ୍ୟୟନରେ ମଗ୍ନ। କିଛି କ୍ଷଣ ଉତ୍ତାରୁ କ୍ଳାନ୍ତି ଅପନୋଦନ ଲାଗି ସେ କ୍ଷଣକ ପାଇଁ ଅଧ୍ୟୟନରୁ ଉଠିଲେ। ଝରକା ଆଡ଼କୁ ଗଲେ। ପରଦାକୁ ହଠାତ୍ ମେଲି ଦେଲେ। ତା’ ପରେ ଯାହା ଦେଖିଲେ ସେଥିରେ ଚମକି ପଡ଼ିଲେ।
ବାହାରେ ପୂର୍ଣ୍ଣ ଚନ୍ଦ୍ର। ଚନ୍ଦ୍ରର ରଜତ ଶୁଭ୍ର ଜ୍ୟୋତ୍ସ୍ନାରେ ଚତୁର୍ଦ୍ଦିଗ ଝଟକି ଉଠୁଛି। ଚିନାର ବୃକ୍ଷମାନ ଧ୍ୟାନସ୍ଥ ଅବସ୍ଥାରେ ଦଣ୍ଡାୟମାନ। କିଛି ଦୂରରେ ଏକ ସରୋବର, ଯାହାର ଜଳରାଶି ଯେମିତି ଚନ୍ଦ୍ର କିରଣର ଶୁଭ୍ର ନିଆଁରେ ଜଳି ଉଠୁଛି। ଏହି ସମୟରେ କୌଣସି ଜଳ ପକ୍ଷୀର ରାବ ଭାସି ଆସିଲା। କ୍ଷଣିକ ଲାଗି ଝାନ ଝିନ୍ଗଙ୍କ ଛାତି ତଳେ କ’ଣ ଗୋଟାଏ ଘଟିଗଲା। ସେ ହଠାତ୍ ବିଭୋର ହୋଇ ଉଠିଲେ ଏବଂ ସ୍ବଗତୋକ୍ତି କଲେ- ପରଦା ଅପସାରଣ କର ଏବଂ ପୃଥିବୀକୁ ଦେଖ।
ସେହି ଦିନ ଏହି ବିଶିଷ୍ଟ ସୌନ୍ଦର୍ଯ୍ୟ ପିପାସୁ ଯେମିତି ଜୀବନର ଏକ ନୂଆ ଅର୍ଥ ପାଇଗଲେ। ସେ ବୁଝି ପାରିଲେ ଯେ ଅତୁଳନୀୟ ସୌନ୍ଦର୍ଯ୍ୟର ରସରେ ହୃଦୟକୁ ଭରି ଦେବା ଲାଗି ଜ୍ଞାନ, ବିଚାର ଏବଂ ବୁଦ୍ଧିର ପରଦା ଅପସାରଣ କରି ଦେବା ଦରକାର। କେବଳ ଉନ୍ମୁକ୍ତ ହୃଦୟ ହିଁ ସୌନ୍ଦର୍ଯ୍ୟରେ ବୁଡ଼ି ଯିବାର ଏକମାତ୍ର ମାଧ୍ୟମ।