ଜଣେ ରୋଗଗ୍ରସ୍ତ ପିତା ତାଙ୍କ ପୁତ୍ରକୁ କହିଲେ- ବାବୁରେ, ମୋ ପାଖରେ େଗାଟିଏ ଅତି ପୁରୁଣା ଘଡ଼ି ଅଛି। ଏହି ଘଡ଼ିଟିକୁ ତୋ ଜେଜେବାପାଙ୍କୁ ତାଙ୍କ ବାପା ଦେଇଥିଲେ। ଏହା ଏବେ ବି ଚାବି ଦେଲେ ଚାଲିବ। ଏହାକୁ ନେଇ ବଜାରକୁ ଯାଆ। ବିକ୍ରି କରି ଯାହା ଟଙ୍କା ମିଳିବ ଆଣ। ଆମ ଲାଗି ତାହା ସହାୟକ ହେବ।
ପୁଅ ଘଡ଼ିଟିକୁ ନେଇ ଦେଖିଲା। ତାକୁ ଚାବି ଦେଲା ଏବଂ ଘଡ଼ିଟି ଚାଲିବାକୁ ଲାଗିଲା। ସେ ତାକୁ ଧରି ନିକଟସ୍ଥ ଘଣ୍ଟା ଦୋକାନକୁ ଗଲା ଏବଂ ଦୋକାନୀଙ୍କୁ କହିଲା- ଏହା ଏକ ଅତି ପୁରୁଣା ଘଡ଼ି। କିନ୍ତୁ ଚାଲୁଛି। ତେଣୁ ଆପଣ ଚାହିଲେ ତାହା ରଖି ମୋତେ କିଛି ଟଙ୍କା େଦଇ ପାରନ୍ତି।
ଘଡ଼ି ଦୋକାନରେ ଥିବା ଭଦ୍ରଲୋକ ତାକୁ ଦେଖିଲେ ଏବଂ ପରଖିଲେ। ଯୁବକଟି ଭାବୁଥିଲା କେଜାଣି କେତେ ଟଙ୍କା ଦେବେ ଏ ଅତି ପୁରୁଣା ଘଡ଼ି ଲାଗି?
ଘଡ଼ି ଦୋକାନୀ କହିଲେ- ବାବୁ ମୋତେ ଯଦି ବିକିବ ତେବେ ଦୁଇ ଶହ ଟଙ୍କା ପାଇବ। କିନ୍ତୁ ଆଉ ତିନି କିଲୋମିଟର ଦୂରରେ ମ୍ୟୁଜିଅମ ଅଛି। ତାର
କ୍ୟୁରେଟରଙ୍କୁ ଦେଖାଇ ଆସ। ସେ ନ ନେଲେ ମୁଁ ନେବି।
ଯୁବକ ଜଣକ କହିଲା- ଆଜ୍ଞା ଏତେ ଦୂର ଯିବି?
ଘଣ୍ଟା ଦୋକାନୀ ଚଢ଼ା ଗଳାରେ କହିଲେ- ତୁରନ୍ତ ଯାଅ।
ଅନିଚ୍ଛା ସତ୍ତ୍ବେ ଯୁବକ ମ୍ୟୁଜିଅମରେ ପହଞ୍ଚି ତାକୁ କ୍ୟୁରେଟରଙ୍କୁ ଦେଖାଇଲା। କ୍ୟୁରେଟର ତାକୁ ପରଖିବା ପରେ ବସିବା ସ୍ଥାନରୁ ଉଠି ପଡ଼ିଲେ ଏବଂ କହିଲେ ଆମ ମ୍ୟୁଜିଅମ ତୁମକୁ ଏଥି ଲାଗି ଦୁଇ ଲକ୍ଷ ଟଙ୍କା ଦେବ। ତୁମେ ଦେବାକୁ ରାଜି ତ?
ଯୁବକ ସତେ ଯେମିତି ଆକାଶରୁ ଖସି ପଡ଼ିଲା। ଫେରିଲା ବେଳେ ସେ ଘଣ୍ଟା ଦୋକାନୀଙ୍କୁ ଧନ୍ୟବାଦ ଦେବା ଲାଗି ଗଲା। ଦୋକାନୀ କହିଲେ- ଉଚିତ ପାତ୍ରକୁ ପାଇବାକୁ ହେଲେ ଅନେକ ସମୟରେ ଦୂର ବାଟ ଯିବାକୁ ହୁଏ।