‘୧୯୮୪’ କଥା ଚର୍ଚ୍ଚା କରିବା। ‘୧୯୮୪’ ମସିହା ନୁହେଁ, ଉପନ୍ୟାସ। ଜର୍ଜ ଅରୱେଲ୍ଙ୍କ ଅମର କୃତି। ଏହା ୧୯୪୮ ମସିହାରେ ରଚିତ ଏବଂ ୧୯୪୯ ମସିହାରେ ପ୍ରଥମେ ପ୍ରକାଶିତ। ଏହ ଉପନ୍ୟାସର ଏକ ବହୁଳ ଉଦ୍ଧୃତ ବାକ୍ୟ ଏମିତି : ‘ଦ ବିଗ୍ ବ୍ରଦର ଇଜ୍ ୱାଚିଙ୍ଗ୍ ୟୁ’। ପଦ୍ୟର ଲାଳିତ୍ୟ ଅନେକଙ୍କ ହୃଦୟରେ ଅନେକ ସମୟରେ ଝଙ୍କୃତ ହୁଏ। ଗଦ୍ୟ ଝଙ୍କୃତ ହେବାର ଦୃଷ୍ଟାନ୍ତ ବିରଳ। କିନ୍ତୁ ଏହି ଗଦ୍ୟାଂଶ ଆଜି ମଧ୍ୟ ଅନେକଙ୍କ ମଗଜ-ମଣ୍ଡିତ।
ଏକଦା ବିଶ୍ୱରେ ଚହଳ ସୃଷ୍ଟି କରିଥିବା ସେହି ଉପନ୍ୟାସର ଏମନ୍ତ ଧାଡ଼ିଟିର ଅର୍ଥ କ’ଣ, କ’ଣ ଏହାର ତାତ୍ପର୍ଯ୍ୟ? ବିଦଗ୍ଧ ପାଠକ ଓ ବିଜ୍ଞ ସମୀକ୍ଷକମାନଙ୍କ ମତରେ ଏହି ବାକ୍ୟଟି ଏକଛତ୍ରବାଦୀ ଶାସନର ପ୍ରତୀକ। ଖୁବ୍ ସମ୍ଭବତଃ ଏକ ସମ୍ଭାବ୍ୟ ‘ତାନାଶାହୀ’ ଶାସନ ପ୍ରତି ଏହା ଏକ ଶ୍ଳେଷୋକ୍ତି। ବିଗ୍ ବ୍ରଦର ପ୍ରଜାପାଟକଙ୍କର ଟିକିନିଖି ଖବର ରଖୁଥିଲା, ସେମାନଙ୍କ ଅଜାଣତରେ। କିଏ କ’ଣ କରୁଛି, କ’ଣ କହୁଛି, ଏପରିକି କ’ଣ ଭାବୁଛି- ସେ ସବୁର ନିର୍ଭୁଲ୍ ତଥ୍ୟ ପହଞ୍ଚୁଥିଲା ‘ବଡ଼ଭାଇ’ ପାଖରେ। ବ୍ୟକ୍ତିର ସ୍ୱାଧୀନତା ହେଉଥିଲା ବିପନ୍ନ। ପ୍ରଜାମାନଙ୍କ ଆଚାର କେବଳ ନୁହଁ, ବିଚାରର ଗତି ଉପରେ ନଜର ଥିଲା ବଡ଼ଭାଇଙ୍କର। ଉଭୟ ଶାରୀରିକ ଓ ମାନସିକ ଭାବରେ ପ୍ରଜାକୁଳ ଥିଲା ଶଙ୍କିତ ଓ ସଂକୋଚିତ।
ଏ ତ ଗତ ଶତାବ୍ଦୀର ପଞ୍ଚମ/ଷଷ୍ଠ ଦଶକର କଥା। ଇତି ମଧ୍ୟରେ ଗଙ୍ଗା, ଯମୁନା, ଟେମ୍ସ, ଆମାଜନ୍ ଓ ହୋୱାଂହୋରେ ଅନେକ ଜଳ ପ୍ରବାହିତ ହୋଇଯାଇଛି। ଏକଛତ୍ରବାଦୀ ଶାସନ ବିଶ୍ୱରୁ ବିତାଡ଼ିତ ପ୍ରାୟ। ‘ବିଗ୍ ବ୍ରଦର’ କେବଳ ପୁରୁଣା ନୁହେଁ, ପୁରୁଣା କାଳିଆ ମଧ୍ୟ ପାଲଟି ସାରିଛି। କିନ୍ତୁ ଏକ ବିଂଶ ଶତାବ୍ଦୀର ଆରମ୍ଭରୁ ‘ବିଗ୍ ବ୍ରଦର’ର ସ୍ଥାନ ନେଲାଣି ‘ବିଗ୍ ଡେଟା’।
ଏକବିଂଶ ଶତାବ୍ଦୀରେ ବିଶ୍ୱର ବିଶ୍ୱକର୍ମା ଯେ ସୂଚନା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଏଥିରେ ଦ୍ୱିରୁକ୍ତି ନାହିଁ। ଆମ ଦୃଶ୍ୟମାନ ପୃଥିବୀ ଆଢୁଆଳରେ ଏକ ଅଦୃଶ୍ୟ ପୃଥିବୀ ମଧ୍ୟ ବିଦ୍ୟମାନ। ତାହା ହେଲା ଡିଜିଟାଲ ପୃଥିବୀ। ଏହି ଡିଜିଟାଲ୍ ପୃଥିବୀ ସୂକ୍ଷ୍ମ ଜାଲରେ ସଂଯୋଜିତ। ଏହି ଜାଲ ବା ନେଟ୍ ସାରା ପୃଥିବୀକୁ ଏକତ୍ର ବାନ୍ଧି ରଖିବାକୁ ସକ୍ଷମ ହୋଇଛି। ଏହାର ଏକ ଅଂଶ ସାମାଜିକ ମାଧ୍ୟମ ବା ସୋସିଆଲ୍ ମିଡିଆ। ପୃଥିବୀରେ ଅହୋରାତ୍ର ଘଟୁଥିବା ଘଟଣାଗୁଡ଼ିକର ବିବରଣୀ ନେଟ୍ ମାଧ୍ୟମରେ ସୁରକ୍ଷିତ ତଥା ପ୍ରସାରିତ। ଏହି ନେଟ୍ ଜରିଆରେ ପୃଥିବୀର ଭୂଗୋଳ, ରାଷ୍ଟ୍ରସମୂହର ସ୍ଥିତି, ଶାସନର ଯୋଜନା, ପ୍ରଶାସନର କାର୍ଯ୍ୟାନ୍ୱୟନ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ସମର ଓ ବିପର୍ଯ୍ୟୟ ଛନ୍ଦାଛନ୍ଦି ହୋଇ ରହିଛନ୍ତି।
ନେଟ୍ ମଣିଷକୁ ମଧ୍ୟ ଶାସନ ସହିତ ଯୋଡୁଛି, ଦେଶକୁ ଯୋଡ଼ୁଛି ଦେଶ ସାଙ୍ଗରେ। ଏ ବିଶାଳ ପୃଥିବୀକୁ ଗୋଟେ ଗାଁର ରୂପ ଦେଇସାରିଲାଣି ଏହି ସୂକ୍ଷ୍ମ ଜାଲ। ମାଛ ପରି ମଣିଷ ଏବେ ସେହି ମାୟାଜାଲରେ ପଡ଼ି ଛଟପଟ ହେଉଛି। କିନ୍ତୁ ଜାଲ ମଣିଷକୁ ଛାଡୁଛି ନା ମଣିଷ ଜାଲକୁ ଛାଡ଼ି ପାରୁଛି?
ଜଣେ ବ୍ୟକ୍ତି ଗୋଟେ ଐକାନ୍ତିକ ସତ୍ତା। ତା’ର ଜୀବନ ଓ ଜୀବନଯାପନ ଏକାନ୍ତ ବ୍ୟକ୍ତିଗତ। ଏପରିକି ଗୋପନୀୟ ମଧ୍ୟ। ସେହି ବ୍ୟକ୍ତି ସତ୍ତାଟି ଧୀରେଧୀରେ ସାର୍ବଜନୀନ ହେବାକୁ ବସିଲାଣି। ବ୍ୟକ୍ତିର ନାଁ, ଗାଁ ଓ ଠିକଣା କେବଳ ନୁହେଁ, ତା’ର ରୁଚି, ଅଭିରୁଚି, ଦୃଷ୍ଟି, ଦର୍ଶନ, ପ୍ରେମ, ପ୍ରତାରଣା ଏପରିକି ତା’ ବ୍ୟାଧି ଓ ବୈରାଗ୍ୟର ବିବରଣୀ ‘ବିଗ୍ ଡେଟା’ ଦ୍ୱାରା ଉପଲବ୍ଧ। ବ୍ୟକ୍ତି ଜଣକର ବାୟୋଡାଟାରେ ଯାହା ଅଛି ତାହା ତଥ୍ୟ ଭଣ୍ଡାରରେ ସୁରକ୍ଷିତ। ସେହି ଡେଟା ବିଶ୍ଳେଷଣ ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ୱର ଆକଳନ କରିସାରିିଛି ‘ବିଗ୍ ଡେଟା’। ଯଦି ବାୟୋଡାଟା ଯଥେଷ୍ଟ ନୁହେଁ, ଅନ୍ୟ ଅନେକ ଦୈନନ୍ଦିନ ଆଚରଣ, ବିଚରଣର ସୂଚୀ ମାଧ୍ୟମରେ ବ୍ୟକ୍ତି ବିଶେଷଙ୍କର ଚିତ୍ର ଓ ଚରିତ୍ର ସୂକ୍ଷ୍ମ ଭାବରେ ‘ବିଗ୍ ଡେଟା’ର ଆଇନାରେ ପ୍ରତିଫଳିତ।
ଲୋକଟି କ’ଣ ଖାଏ? ଆମିଷ ନା ନିରାମିଷ? ଚାଇନିଜ୍ ନା କଣ୍ଟିନେଣ୍ଟାଲ୍। କେଉଁ ପୋଷାକ ସେ ପିନ୍ଧେ? ଧୋତି ନା ପ୍ୟାଣ୍ଟସାର୍ଟ? ଶାଢ଼ି ନା ସାଲୱାର? କେଉଁ ଅତର ସେ ବ୍ୟବହାର କରେ? କେଉଁ ବହି ପଢ଼େ? ସିନେମା ଦେଖେ କି ନାହିଁ? ଯଦି ଦେଖେ, କି ପ୍ରକାର ସିନେମା ସବୁ ତା’ର ପ୍ରିୟ? ନୃତ୍ୟ-ସଙ୍ଗୀତରେ ତା’ର ରୁଚି ଅଛି କି? ସେ ଲେଖାଲେଖି କରେ କି? ଯଦି ଲେଖେ, କ’ଣ ଲେଖେ? କବିତା ନା ଗପ ନା ଉପନ୍ୟାସ। କି ପ୍ରକାର ଲେଖା ସେ ଲେଖେ? ପ୍ରେମ-ପ୍ରଣୟର କଥା କହେ ନା ଜୀବନ ସଂଗ୍ରାମ ଓ ସଂଘାତର କାହାଣୀ ଶୁଣାଏ? ସେ କେଉଁ କେଉଁ ନେତାଙ୍କ ସଭାକୁ ଯାଏ? କାହା ଭାଷଣ ତାକୁ ଭଲ ଲାଗେ? ସେ ପ୍ରେମ କରେ କି? ଯଦି ସେ ବିବାହିତ, ତା’ର କୌଣସି ପରକୀୟା ସଂପର୍କ ଅଛି କି? ସେ କାହା ସହିତ ଘଣ୍ଟା ଘଣ୍ଟା ଗପେ? କାହିଁକି ଗପେ? ଏସବୁ କଥା ‘ବିଗ୍ ଡେଟା’ ଜାଣେ।
‘ବିଗ୍ ଡେଟା’ ଜାଣେ ବିଚରା ଲୋକଟି କି କି ଔଷଧ ଖାଏ। ତା’ ରକ୍ତରେ ଶର୍କରାର ମାତ୍ରା କେତେ? ତା’ ରକ୍ତଚାପ, ପଲ୍ସରେଟ୍- କ’ଣ ବା ‘ବିଗ୍ ଡେଟା’କୁ ଅଜଣା? ଲୋକଟି ମାନସିକ ରୋଗ-ଗ୍ରସ୍ତ କି? ତା’ ଚିକିତ୍ସକ କିଏ? ଲୋକଟିର ଶରୀରରେ କେବେ ଅସ୍ତ୍ରୋପଚାର ହୋଇଛି କି? ଦୁର୍ଘଟଣାର ସମ୍ମୁଖୀନ କେବେ ହୋଇଛି କି? ଲୋକଟି ପୁଣି କେଉଁ କେଉଁ ସ୍ଥାନକୁ ବୁଲିଯାଏ? କେଉଁ ସହରକୁ ଭଲପାଏ। କେଉଁଠି ତା’ର ଆତ୍ମୀୟ ସ୍ୱଜନ ବା ବନ୍ଧୁବାନ୍ଧବ ରହନ୍ତି? ସେ ବିଦେଶ ଭ୍ରମଣ କରିଛି କି? ଯଦି କରିଛି, ସେ ଜାପାନ, ଆମେରିକା ନା ଇଂଲଣ୍ଡ ଯାଇଛି ନା ଯାଇଛି ଇଣ୍ଡୋନେସିଆ?
ବ୍ୟକ୍ତିର ଏସବୁ ଅତି ବ୍ୟକ୍ତିଗତ ତଥ୍ୟକୁ ବିଶ୍ଳେଷଣ କରି ବ୍ୟକ୍ତିଟିର ଭିତର-ବାହାର ସବୁ କଥା ଜାଣିପାରେ ‘ବିଗ୍ ଡେଟା’-ବ୍ୟକ୍ତି ଜଣକ ଧନୀ ନା ନିର୍ଧନ, ମୂର୍ଖ ନା ପଣ୍ଡିତ, ସାମ୍ୟବାଦୀ ନା ରାଷ୍ଟ୍ରବାଦୀ, ସୁସ୍ଥ ନା ରୁଗ୍ଣ ଇତ୍ୟାଦି ଇତ୍ୟାଦି। ଜାଣିପାରେ ବୋଲି ସିନା ବ୍ୟକ୍ତିର ରୁଚି ଅନୁକୂଳ ପରିବେଶ ‘ବିଗ୍ ଡେଟା’ ସୃଷ୍ଟି କରିଦିଏ। ଯିଏ ସାମ୍ୟବାଦୀ, ତା’ ପାଖରେ ସାମ୍ୟବାଦ ସଂପର୍କିତ ବହିର ତାଲିକା ପହଞ୍ଚିଯାଏ ତ ଯିଏ ସଙ୍ଗୀତକୁ ଭଲ ପାଏ, ତା’ ପାଖରେ ଅସଂଖ୍ୟ ଗୀତର ସୂଚୀ ଆସି ପହଞ୍ଚେ। ସବୁଠାରୁ ବଡ଼ କଥା ଏହି ଯେ କାଳକ୍ରମେ ବ୍ୟକ୍ତିଟିର ରୁଚିକୁ ନିୟନ୍ତ୍ରଣ କରେ ‘ବିଗ୍ ଡେଟା’। ସେ ମାୟାଜାଲରୁ ମୁକୁଳି ପାରେ ନାହିଁ ଏବଂ ‘ବିଗ୍ ଡେଟା’ର ଦାସାନୁଦାସ ପାଲଟି ଯାଏ।
ଏହାକୁ ସମାଜ ବିଜ୍ଞାନୀମାନେ ‘ଡିଜିଟାଲ୍ ଡିକ୍ଟେଟରସିପ୍’ ବୋଲି କହିଲେଣି। ଏହି ମାୟାଜାଲ ବ୍ୟତୀତ ଜୀବନ-ଯାତ୍ରା ପଙ୍ଗୁ ତ ଏହା ସହିତ ଜୀବନ-ଯାପନ ଦୁର୍ବିଷହ। ଦୋ’ଛକିରେ ଏବେ ମଣିଷ ଜାତି।
ମୋ: ୯୪୩୭୧୪୩୮୯୬