ରମଣ ମହର୍ଷିଙ୍କ ଜଣେ ଘନିଷ୍ଠ ସହାୟକଙ୍କ ପାଖକୁ ବିଦେଶୀଙ୍କ ପତ୍ର ଆସିଲା। ବିଦେଶୀ ଜଣକ ଧ୍ୟାନ ଶିଖିବାକୁ ଚାହୁଁଥିଲେ। ସେ ତାଙ୍କ ପତ୍ରରେ ଲେଖିଥିଲେ ଯେ ତାଙ୍କ ବ୍ୟସ୍ତତାବହୁଳ ଜୀବନରେ ଶାନ୍ତି ପାଇବା ଲାଗି ସେ ଧ୍ୟାନ କରିବାକୁ ଚାହାଁନ୍ତି। ତେଣୁ ତାଙ୍କୁ ଏକ ସରଳ ବାଟଟିଏ ବତାଇ ଦିଆଯାଉ।

Advertisment

ରମଣ ମହର୍ଷିଙ୍କ ସହାୟକ ଲେଖିଲେ ଯେ ସବୁଠାରୁ ସରଳ ବାଟଟି ନିଜେ ରମଣ ମହର୍ଷି ଆପଣାଇଛନ୍ତି। ତାହା ହେଲା କେବଳ ବସି ରହିବା। ଆପଣ ତାହା କରି ପାରନ୍ତି।
ବିଦେଶୀ ଭଦ୍ରବ୍ୟକ୍ତି ତାଙ୍କ ଉତ୍ତରରେ ଅଜସ୍ର ଧନ୍ୟବାଦ ଦେଇ ମନ୍ତବ୍ୟ ପ୍ରଦାନ କରିଥଲେ- ବାସ୍‌, କେବଳ ଏତିକି ମାତ୍ର!

କିଛି ଦିନ ପରେ ପୁଣି ବିଦେଶୀଙ୍କ ନୈରାଶ୍ୟଭରା‌ ପତ୍ର ଆସିଲା। ସେଥିରେ ଲେଖା ଥିଲା- ଆପଣ ଯେମିତି କହିଥିଲେ ସେମିତି କଲି। ବସି ରହିଲି। କିନ୍ତୁ ଧ୍ୟାନରେ ସଫଳ ହେଉନାହିଁ।
ରମଣ ମହର୍ଷିଙ୍କ ସହାୟକ ଲେଖିଲେ- ଆପଣ ସରଳ ବାଟ ଜାଣିବାକୁ ଚାହିଁଥିଲେ, ସେଥି ଲାଗି ଏଇ ବାଟଟି ବିଷୟରେ ଲେଖିଥିଲି। କିନ୍ତୁ ଏହା ସହଜ ବାଟ ନୁହେଁ। କେବଳ ବସିଲେ ହେବ ନାହିଁ। ଆପଣଙ୍କୁ ରମଣ ମହର୍ଷିଙ୍କ ଭଳି ବସିବାକୁ ହେବ। ସେଭଳି ଏକାଗ୍ର ହୋଇ ବସି ରହିବାରେ ଦିନ ଦିନ ବିତ ଯାଇପାରେ। ଆପଣ ତାହା ପାରିବେ କି ଦେଖନ୍ତୁ।
ବିଦେଶୀଙ୍କ ଠାରୁ ଆଉ କୌଣସି ପତ୍ର ଆସିଲା ନାହିଁ।