‘‘ସୋରିଷ ଫୁଲର ବାସ/ ଅନ୍ତରେ ତୋର ଭରି ଦେଉନାହିଁ ମହୀୟାନ ପରକାଶ?’’ ସୁନେଲି ସୋରିଷ ଫୁଲ ଭର୍ତ୍ତି କିଆରି ବିଚ୍ଛୁରଣ କରୁଥିବା ମନମତାଣିଆ ମହକ ଅନନ୍ତ କାଳ ଧରି ମନୁଷ୍ୟକୁ ଆତ୍ମହରା କରି ଆସିଛି; କିନ୍ତୁ ଯନ୍ତ୍ର ସଭ୍ୟତାର ପ୍ରଭାବରେ ମନୁଷ୍ୟ ଯେ ବାସ୍ନା ପ୍ରତି କିପରି ସମ୍ପୂର୍ଣ୍ଣ ଉଦାସୀନ ହୋଇପଡ଼ିଛି, ସେଥିପ୍ରତି ଦୃଷ୍ଟି ଆକର୍ଷଣ କରି କବି ରାଧାମୋହନ ଗଡ଼ନାୟକ ଏ ପ୍ରଶ୍ନ ମାଧ୍ୟମରେ ନିଜର ମର୍ମ ବେଦନା ପ୍ରକାଶ କରିଥିଲେ। ଚାଷ ଛାଡ଼ି କଳ କାରଖାନା ଦିଗରେ ମୁହାଁଉଥିବା ‘ମାଟିର ମଣିଷ’ମାନଙ୍କ ପ୍ରତି ତାଙ୍କର ଏ ପ୍ରଶ୍ନ ଉଦ୍ଦିଷ୍ଟ ଥିଲା।
ଏହି ପରିପ୍ରେକ୍ଷୀରେ ମନରେ ଏକ ଅଳସ କୌତୂହଳ ଜାତ ହୋଇଥାଏ, କେନ୍ଦ୍ର ସରକାରଙ୍କ ପରିବେଶ ମନ୍ତ୍ରଣାଳୟ ଅଧୀନସ୍ଥ ‘ଜେନେଟିକ୍ ଇଞ୍ଜିନିଅରିଙ୍ଗ୍ ଆପ୍ରେଜାଲ୍ କମିଟି’ (‘ଜିଆକ୍’) ଏବେ ଯେଉଁ ଜିନ୍ ରୂପାନ୍ତରିତ ହାଇବ୍ରିଡ୍ ସୋରିଷ ବା ‘ଜିଏମ୍ ସୋରିଷ’ ଚାଷକୁ ଅନୁମତି ପ୍ରଦାନ ପାଇଁ ସୁପାରିସ କରିଛି, ସେଥିପ୍ରତି କବିଙ୍କର ପ୍ରତିକ୍ରିୟା କିଭଳି ହୁଅନ୍ତା? କୌତୂହଳର କାରଣ, କବିଙ୍କ ସମୟରେ ଯନ୍ତ୍ରର ଆକର୍ଷଣ (‘‘ଯନ୍ତ୍ର ତୋତେ କି ମନ୍ତ୍ର ଦେଇଛି ମାଟିର ମଣିଷ ଆରେ?’’) ଯେଉଁଭଳି ମଣିଷକୁ ସୋରିଷ କ୍ଷେତ ଠାରୁ ବିଚ୍ଛିନ୍ନ କରି ଦେଉଥିଲା, ଜିଏମ୍ ସୋରିଷରୁ ପ୍ରସୂତ ବିକର୍ଷଣ ସେହିପରି ସୋରିଷ କିଅାରିରେ ମନୁଷ୍ୟର ଉପସ୍ଥିତିକୁ ଅନାବଶ୍ୟକ କରି ତୋଳିବାର ସମ୍ଭାବନା ବହନ କରୁଛି ବୋଲି ଏହାର ବିରୋଧୀମାନେ ଅଭିଯୋଗ କରୁଛନ୍ତି।
ଆମର ପାରମ୍ପରିକ ଚାଷ ପଦ୍ଧତିରେ ଫସଲ କିଆରିରୁ ଅନାବନା ଘାସ (ୱିଡ୍) ବାଛି ନିର୍ମୂଳ କରିବା କାର୍ଯ୍ୟରେ କୃଷି ଶ୍ରମିକମାନେ ନିୟୋଜିତ ହୋଇଥାନ୍ତି। ଅନାବନା ଘାସକୁ ମାରି ସଫା କରିବାର ଅନ୍ୟ ଏକ ଉପାୟ ହେଉଛି ତା’ ଉପରେ ଏକ ଘାସପତ୍ର ଧ୍ବଂସକାରୀ ରାସାୟନିକ ପଦାର୍ଥ (ହର୍ବିସାଇଡ୍) ସିଞ୍ଚନ କରିବା। କିନ୍ତୁ ଏହାର ଏକ ବିପଦ ହେଲା, ଏହାର ପ୍ରଭାବରେ ଫସଲ ଗଛ (ଏଠାରେ ସୋରିଷ ଗଛ) ମଧ୍ୟ ମରିଯାଇ ପାରେ। ଯେଉଁ ବୈଜ୍ଞାନିକମାନେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ‘ସେଣ୍ଟର୍ ଫର୍ ଜେନେଟିକ୍ ମାନିପୁଲେସନ୍ ଅଫ୍ କ୍ରପ୍ ପ୍ଲାଣ୍ଟସ୍’ ଠାରେ ‘ଡିଏମ୍ଏଚ୍-୧୧’ ନାମକ ଏହି ସୋରିଷ ସୃଷ୍ଟି କରିଛନ୍ତି, ସେମାନେ ଏହାର ଜେନେଟିକ୍ ଗଠନ ଏପରି କରିଛନ୍ତି ଯେ ଏହି ସୋରିଷ ଗଛ ସଫଳ ଭାବରେ ଉଚ୍ଚ ମାତ୍ରାର ହର୍ବିସାଇଡ୍କୁ ପ୍ରତିରୋଧ କରି ବଞ୍ଚି ରହି ପାରିବ।
କବି ଗଡ଼ନାୟକଙ୍କୁ ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କରିବାକୁ ବିଳମ୍ବ ହୁଅନ୍ତା ନାହିଁ: ସୋରିଷ କିଆରିରୁ ଘାସ ବାଛିବା ପାଇଁ ଆଉ ମାନବ ଶ୍ରମିକ ଆବଶ୍ୟକ ହେବେ ନାହିଁ; ସେମାନଙ୍କ ସ୍ଥାନ ନେବ ରାସାୟନିକ ହର୍ବିସାଇଡ୍। କବିଙ୍କ ଦୃଷ୍ଟିରେ ଫଳ ସେଇ ଏକା ହୁଅନ୍ତା: ସୋରିଷ ଫୁଲର ବାସ ଅାଉ ମନୁଷ୍ୟମାନଙ୍କର ଘ୍ରାଣେନ୍ଦ୍ରିୟ ସ୍ପର୍ଶ କରିବ ନାହିଁ। ବର୍ତ୍ତମାନ ଯେଉଁମାନେ କିନ୍ତୁ ଜିଏମ୍ ସୋରିଷ ଚାଷର ତୀବ୍ର ବିରୋଧ କରୁଛନ୍ତି, ସେମାନେ ଅବଶ୍ୟ ଏଭଳି କୌଣସି କବି ସୁଲଭ ରୋମାଣ୍ଟିକ୍ ଚିନ୍ତାଧାରା ଦ୍ବାରା ପରିଚାଳିତ ନୁହଁନ୍ତି; ସେମାନେ ଏଥିଯୋଗୁଁ କୃଷି ଶ୍ରମିକମାନେ ନିଯୁକ୍ତି ହରାଇବାର ସମ୍ଭାବନା ଯୋଗୁଁ ବିବ୍ରତ।
କେବଳ କୃଷି ଶ୍ରମିକ ନୁହଁନ୍ତି, ମହୁମାଛିମାନଙ୍କ ଭଳି ପରାଗସଙ୍ଗମକାରୀ ପତଙ୍ଗମାନଙ୍କ ଉପରେ ଏହି କୃତ୍ରିମ ସୋରିଷର କ୍ଷତିକାରକ ପ୍ରଭାବ ନେଇ ମଧ୍ୟ ସେମାନେ ଚିନ୍ତିତ। ଏହି ଜିଏମ୍ ସୋରିଷରେ ଉପସ୍ଥିତ ଥିବା ଏକ ଜିନ୍ ମହୁମାଛିମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଏଥିଯୋଗୁଁ ମହୁମାଛି ସଂଖ୍ୟା ହ୍ରାସ ପାଇଲେ, କେବଳ ସୋରିଷ ନୁହେଁ, ଅନ୍ୟାନ୍ୟ ଫସଲମାନଙ୍କର ପରାଗସଙ୍ଗମ ବ୍ୟାହତ ହୋଇ ଅମଳ ହ୍ରାସ ପାଇବ ବୋଲି ସେମାନେ ସତର୍କବାଣୀ ଶୁଣାଉଛନ୍ତି।
ତେବେ କୌଣସି ଜିଏମ୍ ଖାଦ୍ୟଶସ୍ୟ ଓ ନିର୍ଦ୍ଦିଷ୍ଟ ଭାବରେ ଜିଏମ୍ ସୋରିଷ ଚାଷ ପ୍ରତି ଏଭଳି ବିରୋଧ ନୂଆ ନୁହେଁ। ବାସ୍ତବରେ ୨୦୧୭ରେ ‘ଜିଅାକ୍’ ଏହି ‘ଡିଏମ୍ଏଚ୍-୧୧’ (‘ଧାରା ମଷ୍ଟାର୍ଡ ହାଇବ୍ରିଡ୍-୧୧’) ଜିଏମ୍ ସୋରିଷକୁ ପ୍ରଥମେ ଅନୁମୋଦନ ପ୍ରଦାନ କରିଥିଲା। ସେତେବେଳେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସହିତ ସଂଶ୍ଳିଷ୍ଟ ‘ସ୍ବଦେଶୀ ଜାଗରଣ ମଞ୍ଚ’ ଓ ଅନ୍ୟାନ୍ୟ ଜିଏମ୍-ବିରୋଧୀ ଗୋଷ୍ଠୀମାନେ ଏଥିପ୍ରତି ତୀବ୍ର ବିରୋଧ ପ୍ରଦର୍ଶନ କରିବା ଯୋଗୁଁ ପରିବେଶ ମନ୍ତ୍ରଣାଳୟ ଏହି ଜିଏମ୍ ସୋରିଷର ଚରିତ୍ର ଓ ସମ୍ଭାବ୍ୟ ପ୍ରଭାବକୁ ଆହୁରି ଭଲ ଭାବରେ ପରୀକ୍ଷାନିରୀକ୍ଷା କରିବା ପାଇଁ ‘ଜିଆକ୍’କୁ ନିର୍ଦ୍ଦେଶ ଦେଇ ଏହି ସୋରିଷର ପ୍ରସାର ଉପରେ ସ୍ଥଗିତାଦେଶ ଜାରି କରି ଦେଇଥିଲା। ବର୍ତ୍ତମାନ ମଧ୍ୟ ‘ସ୍ବଦେଶୀ ଜାଗରଣ ମଞ୍ଚ’ ପ୍ରଶ୍ନ ଉଠାଇଲାଣି ଯେ ଜିଏମ୍ ସୋରିଷ ପ୍ରତି ବ୍ୟାପକ ବିରୋଧ ସତ୍ତ୍ବେ ‘ଜିଆକ୍’ ପୁଣି କାହିଁକି ଏହାର ବ୍ୟବହାରକୁ ଏବେ ଅନୁମୋଦନ ପ୍ରଦାନ କରିଛି?
ଉପରୋକ୍ତ ଯେଉଁ ଦୁଇଟି ପ୍ରଧାନ କାରଣ ଯୋଗୁଁ ଜିଏମ୍ ସୋରିଷ ପ୍ରତି ଏପରି ବିରୋଧ ପ୍ରକାଶ ପାଉଛି, ସେ ଦୁଇଟି ବିଶେଷ ଦୃଢ଼ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବା ଭଳି ମନେ ହୁଏ ନାହିଁ। ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ହାସଲ କରିବା ବେଳେ କୃଷିକ୍ଷେତ୍ରର ବଳକା ଶ୍ରମିକମାନେ ଶିଳ୍ପ ବାଣିଜ୍ୟ ଓ ସେବା କ୍ଷେତ୍ରମାନଙ୍କରେ ନିଯୁକ୍ତି ସନ୍ଧାନରେ ବାହାରି ପଡ଼ିବା ହେଉଛି ଏକ ଅନିବାର୍ଯ୍ୟ ପ୍ରକ୍ରିୟା। ସୋରିଷ କ୍ଷେତର ଶ୍ରମିକମାନେ ଚିର କାଳ ସେଠାରେ ପଡ଼ିରହିବା ଅର୍ଥନୈତିକ ପ୍ରଗତିର ପରିଚାୟକ ନୁହେଁ। ମହୁମାଛିମାନଙ୍କ ଉପରେ ‘ଡିଏମ୍ଏଚ୍-୧୧’ର କ୍ଷତିକାରକ ପ୍ରଭାବ ରହିଛି ବୋଲି ହେଉଥିବା ଅଭିଯୋଗ ସମ୍ବନ୍ଧରେ ଅଧିକ ଅନୁସନ୍ଧାନ ନିମିତ୍ତ ‘ଜିଆକ୍’ ୨୦୧୮ରେ ଯେଉଁ ପଦକ୍ଷେପ ନେଇଥିଲା, ତାହାର ଫଳାଫଳରୁ ମଧ୍ୟ ଏଭଳି ଆଶଙ୍କା ଭିତ୍ତିହୀନ ବୋଲି ସାବ୍ୟସ୍ତ ହୋଇଛି। ‘ଇଣ୍ଡିଆନ୍ ଏଗ୍ରିକଲ୍ଚରାଲ୍ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍’ର ବୈଜ୍ଞାନିକମାନେ କରିଥିବା ଅନୁସନ୍ଧାନରୁ ମହୁମାଛି ଓ ଅନ୍ୟାନ୍ୟ ପରାଗ ସଙ୍ଗମକାରୀଙ୍କ ପ୍ରତି ଏଭଳି କୌଣସି ବିପଦ ଥିବା ଆବିଷ୍କୃତ ହୋଇନାହିଁ। ସେଇଭଳି ପୃଥିବୀ ସାରା କେତେକ ମହଲରେ ଜିଏମ୍ ଖାଦ୍ୟଶସ୍ୟ ବ୍ୟବହାର ମନୁଷ୍ୟର ସ୍ବାସ୍ଥ୍ୟପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ବିଶ୍ବାସ କରାଯାଉଥିଲେ ମଧ୍ୟ, ଏହା ଏ ପର୍ଯ୍ୟନ୍ତ ବିଜ୍ଞାନସମ୍ମତ କୌଣସି ପରୀକ୍ଷା ଦ୍ବାରା ସାବ୍ୟସ୍ତ ହୋଇନାହିଁ।
ଅପରପକ୍ଷେ ଚୀନ୍ ଭଳି ଯେଉଁ ଦେଶେର ଜିଏମ୍ ଶସ୍ୟ ଚାଷ କରାଯାଉଛି, ସେଠାରେ ଅମଳ ଚମକପ୍ରଦ ଭାବରେ ଅଧିକ ହେବା ଦେଖାଯାଇଛି। ‘ଡିଏମ୍ଏଚ୍-୧୧’ର ଅମଳ ମଧ୍ୟ ଗତାନୁଗତିକ ସୋରିଷର ଅମଳ ଅପେକ୍ଷା ପ୍ରାୟ ୨୫-୩୦ ପ୍ରତିଶତ ଅଧିକ ହେବ ବୋଲି କୃଷିବିଜ୍ଞାନୀମାନେ ଦାବି କରିଛନ୍ତି। ଭାରତ ପରିପ୍ରେକ୍ଷୀରେ ଏହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ। ଖାଇବା ତେଲରେ ଭାରତ ସର୍ବଦା ଏକ ନିଅଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ, ଯେଉଁଥିପାଇଁ କେବଳ ୨୦୨୧-୨୨ରେ ଆମକୁ ଏହାର ଆମଦାନି ବାବଦରେ ୧୯ ବିଲିଅନ୍ ଡଲାର୍ ଖର୍ଚ୍ଚ କରିବାକୁ ପଡ଼ିଛି। ଏହା ସତ ଯେ ପାମ୍ ଅଏଲ୍ ଓ ସୂର୍ଯ୍ୟମୁଖୀର ତେଲ ଆଦି ହେଉଛନ୍ତି ପ୍ରମୁଖ ଆମଦାନି କରାଯାଉଥିବା ତେଲ। ଯଦି ଦେଶରେ ଅଧିକ ସୋରିଷ ତେଲ ଉତ୍ପାଦିତ ହୁଏ ଓ ତାହା ଆମଦାନି ହେଉଥିବା ତେଲର ସ୍ଥାନ ନିଏ, ତେବେ ଆମର ଖାଇବା ତେଲ ଆମଦାନି ଆବଶ୍ୟକତାରେ ହ୍ରାସ ଘଟିବ ଓ ମୂଲ୍ୟବାନ ବୈଦେଶିକ ମୁଦ୍ରା ସଞ୍ଚିତ ହେବ।
ମନେ ରଖିବା କଥା ଜଳବାୟୁ ପରିବର୍ତ୍ତନ ଜନିତ ବନ୍ୟା, ମରୁଡ଼ି ଆଦି ଯୋଗୁଁ ଯେତେବେଳେ କୃଷି ଉତ୍ପାଦନଶୀଳତା ବାଧାପ୍ରାପ୍ତ ହେଉଛି, ସେତେବେଳେ ଜିଏମ୍ ଶସ୍ୟ ଭଳି ଅଧିକ ଅମଳକ୍ଷମ ଶସ୍ୟମାନ ମାନବଜାତିକୁ ଉଦ୍ଧାର କରିବାର ସମ୍ଭାବନା ବହନ କରିଥାନ୍ତି। ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ଏହି କାରଣରୁ ଅେଷ୍ଟ୍ରଲିଆ ଭଳି ବାୟୋ ଟେକ୍ନୋଲୋଜି କ୍ଷେତ୍ରରେ ଏକ କଠୋର ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ କରିଥିବା ଦେଶ ସେଠାରେ ଭାରତ ପୂର୍ବରୁ ‘ଡିଏମ୍ଏଚ୍-୧୧’ର ଚାଷ ପାଇଁ ଅନୁମତି ପ୍ରଦାନ କରି ସାରିଛି। ଆଶା ରାଜନୈତିକ ପ୍ରତିବନ୍ଧ ଅତିକ୍ରମ କରି ଯଦି ‘ଜିଆକ୍’ର ଏହି ଦ୍ବିତୀୟ ପ୍ରଚେଷ୍ଟା ସଫଳ ହୁଏ, ତେବେ ଦେଶରେ ସୋରିଷ ତେଲର ସୁଅ ଛୁଟିବା ସହିତ ଅସୁମାରି ଜିଏମ୍ ‘ସୋରିଷ ଫୁଲର ବାସ’ରେ ଅାମର ଗାଁ ଗଣ୍ଡା ମହକି ଉଠିବ।