ଦୀପାବଳି ପୂର୍ବଦିନ ଅଷ୍ଟ୍ରେଲିଆର ମେଲ୍‌ବୋର୍ଣ୍ଣ କ୍ରିକେଟ୍‌ ପଡ଼ିଆରେ ବିରାଟ କୋହଲିଙ୍କ ଶତାବ୍ଦୀର ଶ୍ରେଷ୍ଠ ଛକା ଖଚିତ୍‌ ଅତି ଚମତ୍କାର ବ୍ୟାଟିଂ ଯୋଗଁୁ ପାକିସ୍ତାନ ବିରୋଧରେ ଶେଷ ଯାଏ ଅସମ୍ଭବ ପ୍ରାୟ ମନେ ହେଉଥିବା ଭାରତର ବିଜୟ ଯେମିତି ଦେଶ ସାରା ଆନନ୍ଦର ଲହର ଖେଳେଇଦେଲା ସେମିତି ଦୀପାବଳି ପରଦିନ ଲଣ୍ଡ‌ନରେ ଘୋଷିତ ଫଳାଫଳ ଯେ ଋଷି ସୁନକ ଇଂଲାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ହେବେ ସେବେଠୁ ସେ ଖବର ଭାରତୀୟମାନଙ୍କ ଭିତରେ ଅତ୍ୟୁଲ୍ଲାସର ବାତାବରଣ ସୃଷ୍ଟି କରିଛି। ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ହେବାରେ ଋଷି ପ୍ରଥମ ଭାରତୀୟ ବଂଶୋଦ୍ଭବ, ପ୍ରଥମ ହିନ୍ଦୁ ଓ ଗୋରା ଦେଶରେ ଅଶ୍ବେତ ସାବନା ଶାସକ। ଧାର୍ମିକ ପ୍ରଜାତିକ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁନକ ହେଉଛନ୍ତି ଆଧୁନିକ ଇଂଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଯାହାଙ୍କ ବୟସ ଏବେ ୪୨। ଅବଶ୍ୟ ଏ କଥା ସତ ଯେ ତାଙ୍କ ପୂର୍ବରୁ ୧୮୬୮ ମସିହାରେ ଓ ତା’ପରେ ପୁଣି ୧୮୭୪ରେ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ ଇହୁଦୀ ସଂପ୍ରଦାୟର ବେଞ୍ଜାମିନ୍‌ ଡିଜ୍ରାଏଲି ଯିଏ ବି ଋଷିଙ୍କ ଭଳି ଥିଲେ ରକ୍ଷଣଶୀଳ ଦଳର ଏବଂ ୨୩୯ ବର୍ଷ ତଳେ ୧୭୮୩ ମସିହାରେ ପ୍ରାୟ ୨୪ ବର୍ଷ ବୟସରେ ଉଇଲିଅମ୍‌ ପିଟ୍‌ (ସାନ) ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ। ପିଟ୍‌ ମଧ୍ୟ ଥିଲେ ରକ୍ଷଣଶୀଳ ଦଳର।

Advertisment

କୋଭିଡ୍‌ ମହାମାରୀ ଓ ଘନଘୋର ଅର୍ଥନୀତିଜ୍ଞ ସଂକଟ ଜର୍ଜରିତ ଇଂଲାଣ୍ଡ ଗଲା ତିନିବର୍ଷ ଭିତରେ ତିନି ତିନି ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଖି ସାରିଲାଣି- ବୋରିସ୍‌ ଜନ୍‌ସନ୍‌, ଲିଜ୍‌ ଟ୍ରସ୍‌ ଓ ସଂପ୍ରତି ଋଷି ସୁନକଙ୍କୁ। ଜନ୍‌ସନ୍‌ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ସୁନକ ଏ ବର୍ଷ ଜୁଲାଇ ମାସରେ ମନ୍ତ୍ରିମଣ୍ଡଳରୁ ଆଗୁଆ ଇସ୍ତଫା ଦେଇ ଦେଇଥିଲେ। ପରେ ପରେ ବୋରିସ୍‌ଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଅନ୍ୟତମ କାରଣ ଥିଲା କରୋନାକାଳୀନ ବାରଣ ଓ ଲକ୍‌ଡାଉନ୍‌ ସତ୍ତ୍ବେ ଆୟୋଜିତ ବର୍ଣ୍ଣାଢ଼୍ୟ ଭୋଜି ବା ପାର୍ଟି ସହ ତାଙ୍କ ସମ୍ପୃକ୍ତି। ଜନ୍‌ସନ୍‌ଙ୍କ ପରେ ଲିଜ୍‌ ଟ୍ରସ୍‌ ଋ‌ଷି ସୁନକଙ୍କୁ ହରେଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ଦେଢ଼ ମାସ ନ ପୂରୁଣୁ ଟ୍ରସଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ପ୍ରମୁଖ କାରଣ ଥିଲା ଟିକସ କାଟ୍‌ ସମ୍ବଳିତ ମିନି ବଜେଟ୍‌ର ଚରମ ବିଫଳତା। ସେପ୍‌ଟେମ୍ବର ମାସରେ ପ୍ରଧାନମନ୍ତ୍ରୀ ପଦ ପାଇଁ ଦଉଡ଼ରେ ପରାଜିତ ଋଷି ସୁନକ ଅକ୍‌ଟୋବରରେ ଜୟଯୁକ୍ତ ଓ ‌େସଇ ପଦରେ ଅଭିଷିକ୍ତ। କୁହାଗଲାଣି ଏବେ ଇଂଲାଣ୍ଡରେ ‘ଋଷିରାଜ’; ବ୍ରିଟିସ୍‌ ରାଜନୀତି ସକାଶେ ‘ଓବାମା ମୁହୂର୍ତ୍ତ’!

ଋଷି ସୁନକଙ୍କ ଜନ୍ମ ଇଂଲାଣ୍ଡରେ। ସିଏ ବଢ଼ିଛନ୍ତି ଓ ପଢ଼ିଛନ୍ତି ସେଇ ଇଂଲାଣ୍ଡରେ। ଅକ୍ସଫୋର୍ଡରୁ ଦର୍ଶନ, ରାଜନୀତି ଓ ଅର୍ଥଶାସ୍ତ୍ରରେ ଉଚ୍ଚଶିକ୍ଷା ଲାଭ କରିବା ପରେ ସିଏ ଏମ୍‌ବିଏ ପଢ଼ିଥିଲେ ଆମେରିକାର ଷ୍ଟାନ୍‌ଫୋର୍ଡରୁ। ଅତି ଜଣାଶୁଣା କର୍ପୋରେଟ୍‌ ଓ ଘରୋଇ ସଂସ୍ଥାରେ ମଧ୍ୟ ସିଏ କାମ କରିଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅର୍ଥନୀତି ବଜାର, ବିନିବେଶ ଓ ବ୍ୟାଙ୍କିଙ୍ଗ୍‌ ସଂପର୍କିତ କାର୍ଯ୍ୟକଳାପ ସମ୍ଭାଳି। ତାଙ୍କ ବାପା ଜଣେ ଡାକ୍ତର ଓ ମା’ ଫାର୍ମାସିଷ୍ଟ। ରାଜନୀତି, କର୍ପୋରେଟ୍‌ ଜଗତ ଓ ଘରୋଇ ସଂସ୍ଥାରେ କର୍ତ୍ତବ୍ୟ ସମ୍ପାଦନ କରିବା ପୂର୍ବରୁ ସିଏ ମା’ଙ୍କ ଫାର୍ମାସିରେ ଓ ନିଜ ମୂଳ ସହର ସାଉଥ୍‌ଆମ୍ପଟନ୍‌ର ଏକ ରେସ୍ତୋରାଁରେ ୱେଟର୍‌ ଭାବେ କାମ କରୁଥିଲେ। ଏସବୁ ଶିକ୍ଷାଗତ ତାଲିମ, କାମଦାମ ଓ ଜୀବନାନୁଭବ ତାଙ୍କୁ ପରବର୍ତ୍ତୀ ସମୟରେ ବେଶ୍‌ ସାହାଯ୍ୟ କରିଥିଲା। ୨୦୧୫ ମସିହାରେ ସେ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ, ତା’ର ୫ ବର୍ଷ ପରେ ହେଲେ ଦେଶର ଅର୍ଥମନ୍ତ୍ରୀ ଏବଂ ଏବେ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ।

ନିଜ ବାପା ମା’ ଓ ସେମାନଙ୍କ ବଂଶଲତା ସୌଜନ୍ୟର ସୁନକଙ୍କ ଜୀବନ ଇତିହାସ ସହ ଇଂଲାଣ୍ଡ ଏବଂ ଲଣ୍ଡନ ଆଗରୁ ବ୍ରିଟିସ୍‌ ଭାରତ, ଅବିଭକ୍ତ ଭାରତ, ପଞ୍ଜାବ, ପୂର୍ବ ଆଫ୍ରିକା, କେନିଆ, ତାଞ୍ଜାନିଆ, ନାଇରୋବି ଓ ଦିଲ୍ଲୀ ଆଦି ଗୁନ୍ଥି ହୋଇ ରହିଛି। ବିଂଶ ଶତାବ୍ଦୀର ଷାଠିଏ ଦଶକରେ ତାଙ୍କ ପିତାମାତା ପୂର୍ବ ଆଫ୍ରିକାରୁ ଯାଇ ଇଂଲାଣ୍ଡରେ ପହଞ୍ଚିଥିଲେ ଏବଂ ଋଷିଙ୍କ ଭାଷାରେ ଇଂଲାଣ୍ଡ ସେମାନଙ୍କୁ ଉତ୍ତମତର ଜୀବନ-ଜୀବିକା ପାଇଁ ଯେଉଁ ସୁବିଧା ସୁଯୋଗ ଯୋଗାଇ ଦେଇଥିଲା ତାହା ସେମାନେ ହାତଛଡ଼ା ‌କରିନଥିଲେ। ଏଣୁ ସୁନକଙ୍କ ସାମଗ୍ରିକ ଅସ୍ମିତା କହିଲେ ସେଥିରେ ଏସିଆ, ଆଫ୍ରିକା ଓ ୟୁରୋପ ସାଙ୍ଗକୁ ଚର୍ଚ୍ଚିତ ‘ଗ୍ରୀନ୍‌ କାର୍ଡ’ ବାଟେ କିଛିଟା ହୁଏତ ଆମେରିକାର ଗୁଞ୍ଜନ ଶୁଭେ। କିନ୍ତୁ ଭାରତର ଓ ପଞ୍ଜାବର ପ୍ରତିଧ୍ବନି ସେଥିରେ ବେଶ ପ୍ରଭାବଶାଳୀ। ଯେମିତି ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କ ଅସ୍ମିତାରେ ଗର୍ଭିତ ତାମିଲନାଡୁ। କୁହାଯାଏ ଘର ଦୁଆରୁ ଗୋଡ଼ କାଢ଼ିଲେ ଦୁନିଆକୁ ବାଟ ଫିଟିଯାଏ। ପଞ୍ଜାବ ଓ ତାମିଲନାଡୁରୁ ଆଖିଦୃଶିଆ ସଂଖ୍ୟାରେ ଲୋକେ ପ୍ରବାସ ଗମନ କରିଛନ୍ତି, ସ୍ବ-ସ୍ଥାନାନ୍ତର ବରି ନେଇଛନ୍ତି ଏବଂ ସେଇ ପ୍ରକ୍ରିୟାରେ ବିଦେଶରେ ବିଭିନ୍ନ କ୍ଷେତ୍ରରେ ଅନେକ ସୋପାନ ଟପି ସଫଳତା ହାସଲ କରିପାରିଛନ୍ତି।

ଋଷି ସୁନକଙ୍କ ସଫଳତା ମଧ୍ୟ ପ୍ରବାସୀ ଭାରତୀୟ ପାରାବାର ବା ଇଣ୍ଡିଅାନ୍‌ ‘ଡାୟାସ୍ପୋରା’ର ସଫଳତାର ପ୍ରତୀକ ଏବଂ ବ୍ରିଟିସ ରାଜନୀତିରେ ସମୟକ୍ରମେ ଅଧିକରୁ ଅଧିକ ବହୁ ସାଂସ୍କୃତିକତାର, ବିବିଧତାର ପ୍ରତିନିଧିତ୍ବର ପ୍ରତିଫଳନ। ସେଥରୁ ପୁଣି ଆଧୁନିକ ରାଷ୍ଟ୍ରର ଓ ନାଗରିକତ୍ବର ନୂଆ ଅବଧାରଣା ଫୁଟି ବାହାରେ- ଯେ ଦେଶ ଗଠନ, ଜାତି ନିର୍ମାଣ, ରାଷ୍ଟ୍ର ସର୍ଜନା ଓ ନାଗରିକତ୍ବ ରଚନାରେ ନିଜ ସହ ପର ଏବଂ ସ୍ବ ସାଙ୍ଗକୁ ଅନ୍ୟର ଅବଦାନକୁ ସମ୍ମାନ ନ ଦେଲେ, ସ୍ବୀକାର ନ କଲେ ଅସୁବିଧା କୁଆଡ଼େ କ’ଣ। ଦୂରଦୂରାନ୍ତର ଦେଶମାନଙ୍କରେ ପିଜା, କେକ୍‌, ସୁପ୍‌, ମୋମୋ, ସାଲାଡ୍‌, କଷ୍ଟାର୍ଡ ଓ ବର୍ଗର ପ୍ରଭୃତି ଲୋକଙ୍କୁ ଭଲ ଲାଗିଲାଣି ମାନେ ଭାବି ହେବ ସର୍ବସାଧାରଣ ଓ ରାଜନୀତିକ ଇଲାକାରେ ଅନ୍ୟ, ଭିନ୍ନ ଓ ଅଲଗାକୁ ଗ୍ରହଣ କରି ସ୍ଥାନ ଦେବାର ଅନୁଚ୍ଚାରିତ ମାନସିକତା ଗଜୁରି ସାରିଲାଣି ସେମାନଙ୍କ ଭିତରେ।

ପ୍ରତିପକ୍ଷ ଓ ସମାଲୋଚକ ମହଲ ତରଫରୁ କୁହାଯାଏ ଋଷି ସୁନକ ହେଉଛନ୍ତି ଜଣେ ଅତି ଧନାଢ଼୍ୟ ବ୍ୟକ୍ତି, ଦେଶର ୨୫୦ ଜଣ ମହାବିତ୍ତଶାଳୀଙ୍କ ମଧ୍ୟରେ ଜଣେ। କୁହାଯାଏ ସିଏ କୁଆଡ଼େ ଇଂଲାଣ୍ଡର ଶ୍ରମିକ, ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଦୁଃଖ, ଅଭାବ ଓ ସମସ୍ୟା ବାବଦରେ ସମୁଚିତ ‌ଦରଦ ପ୍ରକାଶ କରନ୍ତିନି! ସଭିଏଁ ଜାଣନ୍ତି ରକ୍ଷଣଶୀଳ ଦଳ ଧନୀ ଓ ଧନ ସମ୍ପଦ ବିରୋଧୀ ନୁହେଁ। ଗଲା କିଛି ମାସ ଧରି ଇଂଲାଣ୍ଡର ଶ୍ରମିକ ଦଳ ଦାବି କରିଆସୁଛି ଯେ ରାଜନୈତିକ ଓ ଅର୍ଥନୀତିକ ଅସ୍ଥିରତାର ସ୍ଥାୟୀ ସମାଧାନ ସକାଶେ ଦେଶରେ ଶୀଘ୍ର ସାନି ନିର୍ବାଚନ ହେଉ ବୋଲି। ଋଷିଙ୍କ ଧର୍ମପତ୍ନୀ ହେଉଛନ୍ତି ଇନ୍‌ଫୋସିସ୍‌ର ପ୍ରାଣ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ। ଶ୍ରୀମତୀ ସୁନକ ଅର୍ବୁଦପତି ଅକ୍ଷତା ମୂର୍ତ୍ତି କୁଆଡ଼େ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଣବ୍ରିଟିସ ନାଗରିକତ୍ବର ରିହାତି ବଳରେ ଯାହା ଟିକସ ଦେବା କଥା ଦେଇନଥିଲେ ଯେଉଁଥିପାଇଁ ‌ଋଷି ଘୋର ସମାଲୋଚନାର ଶରବ୍ୟ ହୋଇଥିଲେ।

ପରେ ଅବଶ୍ୟ ସିଏ ଟିକସ ପୈଠ କରି ଦେଇଥିଲେ। ଏସବୁ ସ‌େତ୍ତ୍ବ ଋଷି ସୁନକଙ୍କ ଦକ୍ଷତା, କର୍ମକୁଶଳତା, ପେସାଦାରପଣିଆ, ପ୍ରତିଭା ଓ ୨୪x୭ ପରିଶ୍ରମକୁ କେହି ଫାଙ୍କି ଦେବାକୁ ସାହସ କରିପାରନ୍ତି ନାହିଁ। ମହାମାରୀ କାଳରେ ଅର୍ଥମନ୍ତ୍ରୀ ଭାବେ ତାଙ୍କ ପ୍ରକୃଷ୍ଟ, ସମୟୋଚିତ ଓ ଫଳବତୀ କାର୍ଯ୍ୟାନୁଷ୍ଠାନ କରୋନା ମୁକାବିଲାରେ ଅତ୍ୟନ୍ତ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଏବେ ବି ତାଙ୍କ ବାବଦରେ ପଢ଼ିବାକୁ ମିଳେ କେତେକ କଟାକ୍ଷ ଯାହା ତାଙ୍କ ଇଂଲାଣ୍ଡ ଓ ଆମେରିକା ଘର, ଜୋତା, ପୋଷାକ ଓ ସନ୍ତରଣ ଜଳାଶୟ ସମ୍ପର୍କିତ! ଉତ୍ତରରେ ନିଜ ବାଗରେ ସିଏ କହନ୍ତି- ଜଣେ ନିଜ କାମ, ନିଷ୍ଠା ଓ ଦାୟିତ୍ବ ସମ୍ପନ୍ନତା ପାଇଁ ପରିଚୟ ତଥା ପ୍ରତିଷ୍ଠା‌ ଅର୍ଜନ କରେ; ବ୍ୟାଙ୍କ୍‌ ବାଲାନ୍‌ସ ସକାଶେ ନୁହେଁ।

ଇଂଲାଣ୍ଡ ଏବେ ନାହିଁ ନ ଥିବା ଅର୍ଥନୀତିକ ଦୁଃସ୍ଥିତି ଦେଇ ଗତି କରୁଛି। କ୍ରମାଗତ ବଢ଼ି ଚାଲିଥିବା ବ୍ୟାଙ୍କ ସୁଧହାର, ଦୈନନ୍ଦିନ ଜୀବନଯାପନ ଖର୍ଚ୍ଚ ନେଇ ସଂକଟ, ଟିକସ ବୋଝ, ଉପରମୁହାଁ ମୁଦ୍ରାସ୍ଫୀତି ଓ ଉର୍ଜା ବ୍ୟୟ ଲୋକଙ୍କୁ ଅସ୍ତବ୍ୟସ୍ତ କରି ଦେଉଛି। ଗଲା ୪୦ ବର୍ଷ ଭିତରେ ଇଂଲାଣ୍ଡର ଏବେକାର ମୁଦ୍ରାସ୍ଫୀତି ସ୍ଥିତି ସବୁଠୁ ଶୋଚନୀୟ ଅବସ୍ଥାରେ ରହିଛି। ଘରୋଇ ବିନିବେଶକୁ ଆକର୍ଷିତ କରିବା ପାଇଁ ବ୍ୟାଙ୍କ୍‌ ଅଫ୍‌ ଇଂଲାଣ୍ଡ ସୁଧହାର ବଢ଼େଇ ଚାଲିଛି; କାରଣ ବ୍ୟାଙ୍କ ଜାଣି ସାରିଲାଣି ‌ସରକାରୀ ପୁଞ୍ଜି ଦ୍ବାରା ସମସ୍ୟାର ସମାଧାନ ସେତେ ଶୀଘ୍ର ଓ ସେତେ ସ୍ଥାୟୀ ହୋଇପାରିବ ନାହିଁ। ଋଷିଙ୍କ ମତ ଟିକସ ‌େବାଝ ସମସ୍ୟାର କାରଣ ନୁହେଁ, କ‌ାରଣ ହେଉଛି ମୁଦ୍ରାସ୍ଫୀତି। ଟିକସ କମେଇ ସମାଧାନ ହାସଲ କରିବା ପରୀ କାହାଣୀରେ ସମ୍ଭବ ହୋଇପାରେ। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଇଂଲାଣ୍ଡ ଅନ୍ୟ ଅନେକ ପାଶ୍ଚାତ୍ୟ ଦେଶଙ୍କ ଭଳି ୟୁକ୍ରେନ୍‌ ପଟିଆ ହୋଇଥିବାରୁ ଇଂଲାଣ୍ଡରେ ଉର୍ଜା ସମସ୍ୟା ନିକଟ ଭବିଷ୍ୟତରେ ଦୂର ହେଲା ଭଳି ଦିଶୁନି। ଆଗକୁ ଆସୁଥିବା ଭୀଷଣ ଶୀତ ବେଳେ ତ ଦର ଆହୁରି ବଢ଼ିବ। ଅର୍ଥନୀତି, ବଜାର, ଟିକସ ହାର ନିର୍ଦ୍ଧାରଣ, ମୁଦ୍ରାସ୍ଫୀତି, ଉର୍ଜା ଦର, ଜଳବାୟୁ ପରିବର୍ତ୍ତନ ଓ ବହୁବିଭାଜିତ ନିଜ ଦଳ- ଏସବୁ ପ୍ରସଙ୍ଗମାନଙ୍କୁ ସାମ୍ନା କରି ନିଜ ଦେଶରେ ଅର୍ଥନୀତିକ ସ୍ଥିରତା ସୁନିଶ୍ଚିତ କରିବା ଋଷି ସୁନକଙ୍କ ଆଗରେ ବଡ଼ ଅାହ୍ବାନ। ନ ହେଲେ କିଏ ଜାଣେ ନୂଆ ବର୍ଷ ବେଳକୁ ଇଂଲାଣ୍ଡରେ ଆଉ ଜଣେ କିଏ ପ୍ରଧାନମନ୍ତ୍ରୀ ହୋଇପାରନ୍ତି କିମ୍ବା ନିର୍ବାଚନ ହୋଇଯାଇପାରେ! ପ୍ରଧାନମନ୍ତ୍ରୀ ସୁନକ ଅବଶ୍ୟ ଗଣମାଧ୍ୟମକୁ ସମ୍ବୋଧନ କରି କାମ ବଳରେ ଦେଶକୁ ଏକାଠି କରି ଲୋକଙ୍କ ଆସ୍ଥା ଲାଭ କରିବାକୁ ନିଜ ମନ କଥା ଜଣେଇ ସାରିଲେଣି। ସୁନକଙ୍କୁ ବଜାର ବି ବେଶ୍ ସମର୍ଥନ କରୁଥିବାର ଜଣାପଡୁଛି।

ଦେଶରେ ଓ ଦେଶ ବାହାରେ ଥିବା ଭାରତୀୟମାନେ ଋଷି ସୁନକଙ୍କ ସଫଳତା ନେଇ ଗର୍ବ ଓ ଗୌରବ ଅନୁଭବ କରିବା ସ୍ବାଭାବିକ। ପଢ଼ିବାକୁ ଓ ଶୁଣିବାକୁ ମିଳୁଛି ସୁନକ ଦମ୍ପତି ମନ୍ଦିର ଯାଆନ୍ତି, ଗୋ-ପୂଜନ କରନ୍ତି, ତାଙ୍କ ଝିଅ ଶାସ୍ତ୍ରୀୟ ଭାରତୀୟ ନୃତ୍ୟ ଶିଖେ; ରୁଷି ତାଙ୍କ ଟେବୁଲ ଉପରେ ଗଣେଶ ମୂର୍ତ୍ତି ରଖିଥାନ୍ତି, ସାଂସଦ ଭାବେ ଶପଥ ନେଲାବେଳେ ସିଏ ଗୀତା ଛୁଇଁ ଶପଥ ନେଇଥିଲେ ଓ ଦେଶର ଅର୍ଥମନ୍ତ୍ରୀ ଥିଲାବେଳେ ସିଏ ୧୧ ଡାଉନିଂ ଷ୍ଟ୍ରିଟ୍‌ରେ ଦୀପ ଜଳେଇ ଦୀପାବଳି ପାଳିଥିଲେ। ଏହି ପୃଷ୍ଠଭୂମିରେ ଭାବନାର ଆବେଗରେ ଯଦି କେହି କେହି ଋଷି ସୁନକଙ୍କୁ ପ୍ରସ୍ତାବ ଦିଅନ୍ତି ଭାରତକୁ କୋହିନୂର ହୀରା ଫେରସ୍ତ ଦେବାକୁ ଏବଂ ଜାଲିଆନୱାଲାବାଗ ଗଣସଂହାର ପାଇଁ ବିଧିବଦ୍ଧ କ୍ଷମା ପ୍ରାର୍ଥନା କରିବାକୁ ତେବେ ସିଏ କ’ଣ କହିବେ ଓ କରିବେ କେଜାଣି? ଋଷି ସୁନକ ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ‌େହବା ଇଂଲାଣ୍ଡର ରାଜନୀତିରେ ଏକ ଐତିହାସିକ ଘଟଣା। କିନ୍ତୁ ତାହା ଦ୍ବାରା ଭାରତରେ ଔପନିବେଶିକ ଇଂଲାଣ୍ଡ ସଂଘଟିତ କରିଥିବା ସ୍ବେଚ୍ଛାଚାରର ସ୍ମୃତି ଲିଭିଯିବ କିମ୍ବା ସାମ୍ରାଜ୍ୟ ବିରୋଧରେ ଉପନିବେଶର ପ୍ରତିଶୋଧ ବୋଲି କହିବା ଅନୁଚିତ ଓ ଅବାନ୍ତର ହେବ। ନିଜ ଦେଶ କହିଲେ ସୁନକ ଇଂଲାଣ୍ଡକୁ ବୁଝନ୍ତି, ସେଠାକାର ସିଏ ନାଗରିକ ଓ ସେଇଠି ସିଏ ବର୍ତ୍ତମାନ ପ୍ରଧାନମନ୍ତ୍ରୀ। ତାଙ୍କ ଦେଶର ସ୍ବାର୍ଥ ଓ ହିତ ସିଏ ଆଗ ଦେଖିବେ। କମଳା ହାରିସ୍‌ ଆମେରିକାର ଉପରାଷ୍ଟ୍ରପତି ହେଲା ପରେ ଭାରତକୁ ଅଧିକା ଲାଭ କିଛି ମିଳିଲା କି?
ମୋ: ୯୪୩୭୩୦୭୦୭୯