ଜେଣ ବ୍ରାହ୍ମଣ ପଣ୍ଡିତ ତାଙ୍କ ଘର ସାମନାରେ ପ୍ରସ୍ତୁତ କରିଥିବା ସୁନ୍ଦର ବଗିଚା ଲାଗି ଖୁବ୍ ଗର୍ବ ଅନୁଭବ କରୁଥିଲେ। ନିଜ ବନ୍ଧୁବାନ୍ଧବଙ୍କୁ ତାହା ଦେଖାଇଲା ବେଳେ କିଭଳି ତାହା ତାଙ୍କ ପରିଶ୍ରମ ଓ ଯତ୍ନର ଫଳ ତାହା ବାରମ୍ବାର କହି ଫାଟି ପଡୁଥିଲେ।
ଦିନେ ତାଙ୍କର ଜଣେ ବନ୍ଧୁଙ୍କୁ ବଗିଚାଟି ଦେଖାଇ ଆପଣା ଗୁଣଗାନ କରୁଥିବା ବେଳେ ଦୈବାତ୍ ଗୋଟିଏ ଗାଈ ପଶି ଆସି ଗଛଗୁଡ଼ିକୁ ଖାଇବାରେ ଲାଗିଲା। ବ୍ରାହ୍ମଣ ହିତାହିତି ଜ୍ଞାନ ହରାଇ ଜୋରରେ ବାଡ଼ିଟିଏ ଫିଙ୍ଗିଦେଲେ, ଯାହା ଗାଈର ଏକ ମର୍ମ ସ୍ଥାନରେ ବାଜି ତା’ର ମୃତ୍ୟୁର କାରଣ ହେଲା।
ଏବେ ବ୍ରାହ୍ମଣ ବିଚଳିତ ହୋଇଗେଲ। ବ୍ରାହ୍ମଣ ହୋଇ ପୁଣି ଗୋ ହତ୍ୟା! ତଥାପି ସେଥିରୁ ବର୍ତ୍ତିବା ଲାଗି ଗୀତା-ଜ୍ଞାନୀ ବ୍ରାହ୍ମଣ କହିଲେ- ବଗିଚା ନଷ୍ଟ ହେବା ଦେଖି ଭଗବାନ ସହି ପାରିଲେ ନାହିଁ ନିଶ୍ଚୟ। ତେଣୁ ମୋ ହାତରେ ଏ କାମଟି କରାଇଲେ। ମୁଁ ନିମିତ୍ତ ମାତ୍ର। ଗୀତାରେ ଯେମିତି ଧର୍ମଯୁଦ୍ଧରେ ଅର୍ଜୁନ ନିମିତ୍ତ ମାତ୍ର ଥିଲା।
ଏଭଳି ଯୁକ୍ତିରେ ବ୍ରାହ୍ମଣଙ୍କ ବନ୍ଧୁ ତଟସ୍ଥ ହେଲେ। ସେ ବ୍ରାହ୍ମଣଙ୍କୁ ଧୀର ସ୍ବରରେ କହିଲେ- ତୁମ ବଗିଚାଟି ଏଭଳି ହସି ଉଠିବା ପଛରେ ରହିଛି ଈଶ୍ବରଙ୍କ ପ୍ରଦତ୍ତ ସୂର୍ଯ୍ୟ କିରଣ, ବାୟୁ, ଜଳ, ମୃତ୍ତିକା ଏବଂ ସର୍ବୋପରି ବିହନ। ଈଶ୍ବରଙ୍କ ଏଭଳି ଅବଦାନ ସତ୍ତ୍ବେ ତୁମେ ଏହାକୁ ଦେଖାଇ କେବଳ ନିଜର ପ୍ରଶଂସା କରି ଚାଲିଥିଲ; ଥରେ ହେଲେ ବି କହିନାହଁ ଯେ ସବୁ ଈଶ୍ବରଙ୍କ କରୁଣା ଏବଂ ମୁଁ ନିମିତ୍ତ ମାତ୍ର। ଅଥଚ, ଏବେ ଗାଈଟି ମରିଗଲା ପରେ ନିଜକୁ ନିମିତ୍ତ ମାତ୍ର ବୋଲି କାହିଁକି କହୁଛ?
ବ୍ରାହ୍ମଣ ମୁଣ୍ଡ ପୋତି ନିରୁତ୍ତର ରହିଲେ।