ପ୍ରଥମେ ଇତିହାସ ପୃଷ୍ଠାରୁ ଏକ କାହାଣୀ। ସପ୍ତଦଶ ଶତାବ୍ଦୀର କଥା। ମୋଗଲ ସେନାପତି ତକି ଖାଁ ପୁରୀ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କଲା। ଏହାର ଦୃଢ଼ ମୁକାବିଲା କଲେ ପୁରୀ ଗଜପତି ରାମଚନ୍ଦ୍ର ଦେବ। କିନ୍ତୁ, ଦୁର୍ଭାଗ୍ୟ, କତିପୟ ଭେଦିଆଙ୍କ ଚକ୍ରାନ୍ତ କାରଣରୁ ସେ ତକି ଖାଁର ସେନା ଦ୍ବାରା ବନ୍ଦୀ ହେଲେ। ଏବେ ତକି ଖାଁ ତାଙ୍କ ମୁକ୍ତି ପାଇଁ ତିନିଟି ସର୍ତ୍ତ ରଖିଲା ଯେ ରାମଚନ୍ଦ୍ର ଦେବ ତକି ଖାଁ ପ୍ରତି ଅାନୁଗତ୍ୟ ପ୍ରଦର୍ଶନ କରିବେ, ଇସଲାମ ଧର୍ମ ଗ୍ରହଣ କରିବେ ଏବଂ ତକି ଖାଁର ଭଗ୍ନୀ ରିଜିଆ ବେଗମଙ୍କୁ ବିବାହ କରିବେ। ରାମଚନ୍ଦ୍ର ଦେବ ବିଚାର କଲେ ଯେ ତକି ଖାଁ କବଳରୁ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ଏହା ଏକ ବଡ଼ ସୁଯୋଗ। ସୁତରାଂ, ସେ ସବୁ ସର୍ତ୍ତ ମାନି ନେଲେ। ଏହା ପରେ ରାମଚନ୍ଦ୍ର ଦେବ ପୁରୀ ଫେରିଥିଲେ ସତ, କିନ୍ତୁ ଧର୍ମ ପରିବର୍ତ୍ତନ କରିଥିବା କାରଣରୁ ମନ୍ଦିର ମଧ୍ୟକୁ ତାଙ୍କର ପ୍ରବେଶକୁ ବାରଣ କରାଗଲା। ତେଣୁ, ତାଙ୍କ ଭଳି ଧର୍ମାନ୍ତରିତ ଭକ୍ତମାନଙ୍କ ଦର୍ଶନ ସକାଶେ ସେ ଶ୍ରୀମନ୍ଦିରର ପ୍ରବେଶ ଦ୍ବାର ଠାରେ ପତିତପାବନଙ୍କ ସ୍ଥାପନ କରାଇଲେ।
କିନ୍ତୁ ସେ ପର୍ଯ୍ୟନ୍ତ ରାମଚନ୍ଦ୍ର ଦେବଙ୍କ ବିରୋଧୀ ଚକ୍ରାନ୍ତକାରୀଙ୍କ ମନସାଧ ମେଣ୍ଟି ନ ଥିଲା। ସେମାନଙ୍କ ପ୍ରରୋଚନାରେ ତକି ଖାଁ ପୁଣି ଶ୍ରୀମନ୍ଦିର ଲୁଟ୍ ପାଇଁ ଯୋଜନା କଲା। କିନ୍ତୁ ଇତିମଧ୍ୟରେ ରାମଚନ୍ଦ୍ର ଦେବଙ୍କ ପତ୍ନୀ ରିଜିଆ ବେଗମଙ୍କ ମନରେ ଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ଅନୁରକ୍ତି ଜାତ ହୋଇ ସାରିଥିଲା। ତେଣୁ, ସେ ଏହାର ଖବର ରାମଚନ୍ଦ୍ର ଦେବଙ୍କୁ ଆଗତୁରା ଦେଇଦେଲେ। ସୁତରାଂ, କାଳ ବିଳମ୍ବ କରା ନ ଯାଇ ତିନି ଠାକୁରଙ୍କୁ ଶ୍ରୀମନ୍ଦିରରୁ ଅପସାରଣ କରାଯାଇ ଚିଲିକାର କେଉଁ ଏକ ଅଜ୍ଞାତ ଟାପୁରେ ପାତାଳି କରାଯିବା ସମ୍ଭବପର ହେଲା। କିନ୍ତୁ କଥା ଏତିକିରେ ସରି ନ ଥିଲା। କିଛି ଦିନ ପରେ ତକି ଖାଁର ମୁର୍ସିଦାବାଦ ଅଭିଯାନର ଖବର ପାଇ ରାମଚନ୍ଦ୍ର ଦେବ ତିନି ଠାକୁରଙ୍କୁ ପୁରୀ ଅଣାଇବାର ବ୍ୟବସ୍ଥା କରନ୍ତେ, ପୁଣି ପଥ ଓଗାଳିଲେ ତକି ଖାଁର ସେନା। ଏଥର ଯୁଦ୍ଧରେ ବିଜୟୀ ହେଲେ ରାମଚନ୍ଦ୍ର ଦେବ, ଯହିଁରେ ରିଜିଆଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଏବେ ବଡ଼ ଠାକୁର ପୁଣି ଶ୍ରୀମନ୍ଦିରରେ ବିରାଜମାନ ହେଲେ।
ଗଳ୍ପ ତୁଲ୍ୟ ବୋଧ ହେଉଥିବା ଏହି ଦୃଷ୍ଟାନ୍ତଟି କେବଳ ତ୍ୟାଗ ଓ ପ୍ରେମର ଉଜ୍ଜ୍ବଳ ପ୍ରମାଣ ନୁହେଁ, ସହିଷ୍ଣୁତା ଏବଂ ସମନ୍ବୟର ଉଚ୍ଚ ପରାକାଷ୍ଠାର ନିଦର୍ଶନ। ମହାପ୍ରଭୁଙ୍କ ପ୍ରତି ରିଜିଆ ବେଗମଙ୍କ ଅନୁରକ୍ତି ଏବଂ ଭକ୍ତି ଧର୍ମ ବିଶ୍ବାସର ପ୍ରାଚୀର ଅତିକ୍ରମ କରି ଓଡ଼ିଶାର ସର୍ବ ଧର୍ମ ସମନ୍ବୟର ପରଂପରା ଉପରେ ଏକ ମୋହର ମାରିଥିଲା।
ଓଡ଼ିଶା ଭୂମିରେ ସହିଷ୍ଣୁତା ଓ ସମନ୍ବୟର କଥା ଆଲୋଚନା କଲା ବେଳେ ଷୋଡ଼ଶ ଶତାବ୍ଦୀର କବି ଭକ୍ତ ସାଲବେଗଙ୍କ ବିଷୟ ସର୍ବପ୍ରଥମେ ମନକୁ ଆସିଥାଏ। ସାଲବେଗ ଜନ୍ମ ହୋଇଥିଲେ ଏକ ମୁସଲିମ ପରିବାରରେ। ତାଙ୍କ ପିତା ଲାଲବେଗ ଥିଲେ କଳାପାହାଡ଼ ଭଳି ମନ୍ଦିର ଏବଂ ମୂର୍ତ୍ତିବିଧ୍ବଂସୀ ସେନାପତିର ସୈନ୍ୟ ଦଳର ଜଣେ ସଦସ୍ୟ। କିନ୍ତୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ସାଲବେଗଙ୍କ ଠାରେ ଭକ୍ତିର ଯେଉଁ ନିର୍ଝର ଉଦ୍ରେକ କଲା, ତାହା ତାଙ୍କୁ ଜଣେ ଅନନ୍ୟ ଭକ୍ତରେ ପରିଣତ କଲା ଏବଂ ଓଡ଼ିଆଙ୍କ ହୃଦୟ କନ୍ଦରରେ ଭକ୍ତ ସାଲବେଗ ଭାବେ ସେ ଚିର କାଳ ଲାଗି ଅମର ହୋଇ ରହିଗଲେ। ସାଲବେଗ ତାଙ୍କ ଜୀବଦ୍ଦଶାରେ ମନ୍ଦିର ମଧ୍ୟରେ ପ୍ରବେଶ କରିପାରି ନ ଥିଲେ। କିନ୍ତୁ ପ୍ରତି ବର୍ଷ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଏହି ମହାନ ଭକ୍ତଙ୍କ ସମାଧି ନିକଟରେ କିଛି କ୍ଷଣ ପାଇଁ ଅଟକି ରହିବା ଆଜି ଯାଏ ଏକ ପରଂପରା ହୋଇ ରହି ଆସିଛି।
ଏବେ ଊନବିଂଶ ଶତାବ୍ଦୀକୁ ଯିବା। ୧୮୮୫ ମସିହାରେ ବ୍ରିଟିସ ସରକାର ପୁରୀ ଗଜପତିଙ୍କ କର୍ତ୍ତୃତ୍ବ ହଟାଇ ଶ୍ରୀମନ୍ଦିରର ପରିଚାଳନା ଭାର ନିଜେ ନେବାକୁ ଉଦ୍ୟମ କଲେ। ଏହାର ତୁମୂଳ ବିରୋଧ କଲେ ଖ୍ରୀଷ୍ଟ ଧର୍ମରେ ଧର୍ମାନ୍ତରିତ ହୋଇ ସାରିଥିବା ଉତ୍କଳଗୌରବ ମଧୁସୂଦନ ଦାସ। ସେ କଲିକତା ହାଇକୋର୍ଟରେ ବ୍ରିଟିସ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ମାମଲା ଲଢ଼ିଲେ ଏବଂ ପରିଶେଷରେ ବିଜୟୀ ହେଲେ। ହାଇକୋର୍ଟର ଡିଭିଜନ ବେଞ୍ଚରେ ତିନି ଘଣ୍ଟା ଧରି ମଧୁବାବୁ ଯେଉଁ ଭଳି ଢଙ୍ଗରେ ଅକାଟ୍ୟ ଯୁକ୍ତିମାନ ଉପସ୍ଥାପନ କଲେ, ତା’ର ଦ୍ବିତୀୟ ଉଦାହରଣ ମିଳିବ ନାହିଁ। ଏହା ସହିତ ସର୍ବ ଧର୍ମ ସମନ୍ବୟର ଆଉ ଏକ ମାଇଲ ଖୁଣ୍ଟ ଓଡ଼ିଶା ମାଟିରେ ପୋତା ହୋଇଗଲା।
ଓଡ଼ିଶାର ପବିତ୍ର ମାଟିର ଆକର୍ଷଣ ସୁଦୂର ବାଗଦାଦ ଏବଂ ସମରକନ୍ଦରୁ ସୁଫି ସନ୍ଥମାନଙ୍କୁ ଏକଦା ଟାଣି ଆଣିଥିଲା। ଅସ୍ତରଙ୍ଗର ପୀର ଜହାନିଆ ବା କାଇପଦରର ବୋଖାରୀ ବାବା ଅଥବା ବାଲେଶ୍ବରର ଭୁଜାଖିଆ ପୀର; ଏମାନେ ଏହାର ଉଦାହରଣ। ଷୋଡ଼ଶ ଶତାବ୍ଦୀରେ ବାଗଦାଦରୁ ଓଡ଼ିଶା ଆସିଥିବା ହଜରତ ସ୍ବାଲେହ ମହମ୍ମଦ ବାଲେଶ୍ବରରେ ରହି ଯାଇଥିଲେ, ଯିଏ ଭୁଜାଖିଆ ପୀର ରୂପେ ପରିଚିତ। ଏଠାରେ ପ୍ରତି ବର୍ଷ ପାଳିତ ହେଉଥିବା ଉର୍ସ ଉତ୍ସବର ପ୍ରଥମ ଦିବସରେ ବୁଢ଼ାବଳଙ୍ଗ ନଦୀରୁ ଅଣା ଯାଉଥିବା ୭୫ଟି କଳସ ପାଣିରେ ଚନ୍ଦନ ମିଶାଇ ‘ମଜ୍ଜାର’ର ପରିଷ୍କରଣ କରାଯିବାର ପରଂପରା ଆରମ୍ଭ କରିଥିଲେ କବିରାଜ ଲମ୍ବୋଧର ଦାସ ନାମକ ଜଣେ ହିନ୍ଦୁ। ସେମିତି ସପ୍ତଦଶ ଶତାବ୍ଦୀରେ ସମରକନ୍ଦରୁ ଖୋର୍ଧା ଜିଲ୍ଲାର କାଇପଦରକୁ ଆସିଥିବା ବୋଖାରୀ ବାବାଙ୍କ ଲାଗି ଆଶ୍ରମ ତୋଳାଇ ଦେଇଥିଲେ ଗଜପତି ରାମଚନ୍ଦ୍ର ଦେବ। ସେଠାରେ ଗଜପତିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ପୂଜାର ପରଂପରା ଆଜି ପର୍ଯ୍ୟନ୍ତ ଚାଲୁ ରହିଛି।
ଏହା କେବଳ ହାତ ଗଣତି କିଛି ଉଦାହରଣ ମାତ୍ର। କିନ୍ତୁ ଏହା ସ୍ବୀକାର କରିବାକୁ ହେବ ଯେ ଓଡ଼ିଶାବାସୀଙ୍କ ଶୋଣିତରେ ଯେଉଁଭଳି ସହିଷ୍ଣୁତା ଏବଂ ସମନ୍ବୟ ଭାବନାର କଣିକା ଖେଳି ବୁଲୁଛି, ତାହା ଅନ୍ୟତ୍ର ବିରଳ।