ଗଲା ଗୁରୁବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ‘ପାକିସ୍ତାନ ତେହରିକ ଏ ଇନସାଫ୍’ (‘ପି.ଟି.ଆଇ.’) ଦଳର ସୁପ୍ରିମୋ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ମରଣାନ୍ତକ ଗୁଳିମାଡ଼ ଘଟଣା ସମଗ୍ର ପୃଥିବୀରେ ଏକ ବିଚଳିତବୋଧ ସୃଷ୍ଟି କରିଥିଲେ ହେଁ ଅନେକଙ୍କ ସକାଶେ ବିସ୍ମୟ ସୃଷ୍ଟି କରି ପାରିନାହିଁ; କାରଣ ପାକିସ୍ତାନର କୁଚକ୍ରୀ ରାଜନୀତି ସମ୍ବନ୍ଧରେ ପରିଚିତ ପ୍ରାୟ ସମସ୍ତେ ଏଭଳି କିଛି ଅଚିରେ ଘଟିବ ବୋଲି ପୂର୍ବାନୁମାନ କରୁଥିଲେ। ଆଶ୍ବାସନାର ବିଷୟ ଆହତ ଇମ୍ରାନଙ୍କ ଜୀବନ ପ୍ରତି କୌଣସି ବିପଦର ଆଶଙ୍କା ନାହିଁ; ତେବେ, ଧରା ପଡ଼ିଥିବା ଆତତାୟୀ ତା’ର ଇମ୍ରାନ ବିରୋଧୀ ଆକ୍ରୋଶ ସକାଶେ ଯେଉଁ ନିରୀହ କାରଣ ଦ୍ବୟ ପ୍ରଦାନ କରିଛି, ତାହା ଅଗତ୍ୟା ବିଶ୍ବାସଯୋଗ୍ୟ ହୋଇ ନ ଥାଏ। ସେ ଦୁଇଟି ମଧୢରୁ ଗୋଟିଏ ହେଲା ‘ଆଜାନ’ ବା ସା˚ଧୢ ପ୍ରାର୍ଥନା ସମୟରେ ଇମ୍ରାନଙ୍କ ରାଲିରେ ଡାକବାଜି ଯନ୍ତ୍ରର ଉଚ୍ଚାଟ ଦ୍ବାରା ସୃଷ୍ଟି ହେଉଥିବା କୋଳାହଳ ଏବ˚ ଦ୍ବିତୀୟଟି ହେଲା ଇମ୍ରାନଙ୍କ ଦ୍ବାରା ପାକିସ୍ତାନୀ ନାଗରିକଙ୍କୁ ବିଭ୍ରାନ୍ତ କରାଯିବାର ଅପପ୍ରୟାସ। ଅଧିକା˚ଶ ପାକିସ୍ତାନୀ ପର୍ଯ୍ୟବେକ୍ଷକ ଏହି କାର୍ଯ୍ୟ ଅନ୍ତରାଳରେ ଏକ ବୃହତ୍ ଷଡ୍ଯନ୍ତ୍ରକୁ ଦେଖି ଥାଆନ୍ତି, ଯହିଁରେ ପାକିସ୍ତାନର ସାମରିକ ‘ଏଷ୍ଟାବ୍ଲିସ୍ମେଣ୍ଟ୍’ ତଥା କ୍ଷମତାସୀନ ସରକାରଙ୍କ ସ˚ପୃକ୍ତି ପ୍ରାୟ ସ୍ବାଭାବିକ ଭଳି ମନେ ହୋଇଥାଏ। ଏହି ସ˚ଦର୍ଭରେ ସ୍ବାଧୀନତା ପରବର୍ତ୍ତୀ ପାକିସ୍ତାନ ରାଜନୀତି କିଭଳି ଚକ୍ରାନ୍ତର ବ୍ୟୂହ, କ୍ଷମତା ହଡ଼ପ, ତୀବ୍ର ଅସୁରକ୍ଷାର ଭାବନା ଏବ˚ ରକ୍ତପାତ ଇତ୍ୟାଦି ଦ୍ବାରା ଜର୍ଜର, ତାହାର ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏଠାରେ ପ୍ରକାଶ ଥାଉ କି ଗଲା ୨୩ ତାରିଖରେ ଜଣେ ପ୍ରସିଦ୍ଧ ପାକିସ୍ତାନୀ ଯୁବ ସାମ୍ବାଦିକ ଏବ˚ ଟେଲିଭିଜନ ଆଙ୍କର ଅର୍ସାଦ ସରିଫ ସୁଦୂର କେନିଆର ରାଜଧାନୀ ନାଇରୋବିରେ ପୁଲିସ ଗୁଳରେ ପ୍ରାଣ ହରାଇଛନ୍ତି, ଯିଏ ଇମ୍ରାନଙ୍କ ଦୃଢ଼ ସମର୍ଥକ ତଥା ପାକିସ୍ତାନ ସାମରିକ ‘ଏଷ୍ଟାବ୍ଲିସ୍ମେଣ୍ଟ୍’ର ତୀବ୍ର ସମାଲୋଚକ ଥିଲେ। ସେହି କାରଣରୁ ପାକିସ୍ତିନରେ ନିଜ ଜୀବନ ପ୍ରତି ବିପଦର ଆଶଙ୍କା କରି କେନିଆ ପଳାୟନ କରିଥିଲେ। ତାଙ୍କ ହତ୍ୟା ସମ୍ବନ୍ଧରେ ନାଇରୋବି ପୁଲିସ ପକ୍ଷରୁ ମଧୢ ଅତ୍ୟନ୍ତ ନିରୀହ ଶୁଣାଯାଉଥିବା ସଫେଇ ପ୍ରଦାନ କରାଯାଇଛି, ଯାହା ହେଲା ‘ତାଙ୍କୁ ଚିହ୍ନି ନ ପାରି!’ କହିବା ବାହୁଲ୍ୟ ଯେ ଅର୍ସାଦ ସରିଫଙ୍କ ପରେ ଇମ୍ରାନଙ୍କ ଏଭଳି ଭାଗ୍ୟ ଭୋଗ ଅବଶ୍ୟମ୍ଭାବୀ ଥିଲା ବୋଲି ଅନେକ ପୂର୍ବାନୁମାନ କରିଥିଲେ ଏବ˚ ଇମ୍ରାନ ସ୍ବୟ˚ ଏ ନେଇ ଚିନ୍ତିତ ଥିଲେ।
ତେବେ, ଏଭଳି ଆଶଙ୍କା ବିଜଡ଼ିତ ପରିସ୍ଥିତି ପଛରେ ଥିବା କାରଣକୁ ବୁଝିବାକୁ ହେଲେ ପାକିସ୍ତାନ ରାଜନୀତି ଉପରେ ଏକ ବିହଙ୍ଗାବଲୋକନ ଆବଶ୍ୟକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୭୫ ବର୍ଷ ବୟସ୍କ ସ୍ବାଧୀନ ପାକିସ୍ତାନ ଦୀର୍ଘ ପ୍ରାୟ ୩୦ ବର୍ଷ କାଳ ରହିଛି ମାତ୍ର ଚାରି ଜଣ ଆର୍ମି ଜେନେରାଲଙ୍କ କର୍ତ୍ତୃତ୍ବରେ, ଯହିଁରୁ ୨୪ ବର୍ଷର କାଳଖଣ୍ତ ପ୍ରତ୍ୟକ୍ଷ କରିଛି ସ˚ପୂର୍ଣ୍ଣ ସାମରିକ ଶାସନ ଏବ˚ ଅବଶିଷ୍ଟ ଛଅ ବର୍ଷ ଦେଖିଛି ସେହି ସାମରିକ ଶାସକମାନଙ୍କ ଦ୍ବାରା ରଚିତ ମିଥ୍ୟା ନିର୍ବାଚନ ଏବ˚ ଛଳ ଗଣତନ୍ତ୍ରର କଣ୍ଢେଇ ନୃତ୍ୟ, ଯେଉଁଠି କତିପୟ ଖର୍ବକାୟ, ଅର୍ବାଚୀନ ଏବ˚ ବିସ୍ମୃତ ପ୍ରଧାନମନ୍ତ୍ରୀ କଣ୍ଢେଇ ଭଳି ଅବତୀର୍ଣ୍ଣ ହୋଇଛନ୍ତି। କିନ୍ତୁ କଥା ସେତିକିରେ ସରିନାହିଁ; ସ୍ବାଧୀନ ପାକିସ୍ତାନର ଅବଶିଷ୍ଟ ୪୫ ବର୍ଷ ଦେଖିଛି ପ୍ରାୟ ୨୫ରୁ ଅଧିକ ଥର ପ୍ରଧାନମନ୍ତ୍ରୀ ପରିବର୍ତ୍ତନ; ଯାହା ସାମରିକ ବାହିନୀର ହସ୍ତକ୍ଷେପ ଏବ˚ ଇଙ୍ଗିତରେ ରାଷ୍ଟ୍ରପତି ବା ସୁପ୍ରିମ୍ କୋର୍ଟ ଦ୍ବାରା ସ˚ଘଟିତ ହୋଇଛି; ଏପରିକି ସେଠାରେ ଅନୁଷ୍ଠିତ କେତେକ ପ୍ରକୃତ ନିର୍ବାଚନରେ ବିପୁଳ ଜନମତ ସହିତ କ୍ଷମତାସୀନ ହୋଇଥିବା ପ୍ରଧାନମନ୍ତ୍ରୀମାନେ ମଧୢ ଏଭଳି ଦଶା ଭୋଗିଛନ୍ତି, ଅଥଚ ମୃଦୁ କ˚ପନ ମଧୢ ସୃଷ୍ଟି ହୋଇନାହିଁ। ଏଭଳି ସ୍ଥଳେ ଇମ୍ରାନ ଖାଁଙ୍କ ଦ୍ବାରା ପାକିସ୍ତାନ ‘ଆର୍ମି’ ବିରୋଧରେ ତୀବ୍ର ବିଷୋଦ୍ଗାର ଏବ˚ ନିଜ ସପକ୍ଷରେ ବିପୁଳ ଜନ ସମର୍ଥନ ସୃଷ୍ଟି ନିଶ୍ଚିତ ଭାବେ ‘ସାମରିକ ଏଷ୍ଟାବ୍ଲିସମେଣ୍ଟ’କୁ ଅସହନୀୟ ଭାବେ ବିବ୍ରତ କରିଥିବ, ଯାହାର ପ୍ରମାଣ ସ୍ବରୂପ ଗଲା ସପ୍ତାହରେ ପାକିସ୍ତାନ ସେନାବାହିନୀ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନଙ୍କ ଆରୋପକୁ ଖଣ୍ତନ କରିବାର ଏକ ଦୟନୀୟ ଉଦ୍ୟମ ପରିଦୃଷ୍ଟ ହୋଇଥିଲା। କହିବା ବାହୁଲ୍ୟ ଯେ ପୂର୍ବରୁ କେବେ ହେଲେ ଦୃଶ୍ୟମାନ ହୋଇ ନ ଥିବା ଏଭଳି ଘଟଣାକ୍ରମରେ ଅସହାୟ ଦିଶୁଥିବା ପାକିସ୍ତାନ ସେନାବାହିନୀ ସ୍ବାଭାବିକ ଭାବେ ଅତ୍ୟନ୍ତ ପ୍ରତିଶୋଧ ପରାୟଣ ହୋଇ ଉଠିଥିବ, ଯାହାର ପରିଣାମ ହୁଏ’ତ ଇମ୍ରାନଙ୍କ ଉପରେ ହୋଇଥିବା ଏହି ଆକ୍ରମଣ।
ଏଠାରେ ଭୁଲିଗଲେ ହେବ ନାହିଁ ଯେ ପାକିସ୍ତାନର କୁଚକ୍ରୀ ରାଜନୀତିର ମୂଳଦୁଆ ପଡ଼ିଥିଲା ୧୯୫୨ ମସିହାରେ, ଯେତେବେଳେ ମାତ୍ର ୪୨ ବର୍ଷ ବୟସ୍କ ଯୁବ ଆର୍ମି ଅଫିସର ଆୟୁବ ଖାଁ ଅନେକ ବରିଷ୍ଠଙ୍କୁ ଅତିକ୍ରମ କରି ସେନାଧୢକ୍ଷ ପଦରେ ଆସୀନ ହୋଇଥିଲେ ଏବ˚ ଏହି ପଦୋନ୍ନତି ସମ୍ଭବ କରାଇଥିଲେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାଁ, ଯହିଁରେ ସମ୍ଭବତଃ ଲିଆକତଙ୍କ ଉଦ୍ଦେଶ୍ୟ ଥିଲା ଆୟୁବ ଖାଁଙ୍କ କୃତଜ୍ଞତା ରୂପରେ ସାମରିକ ବାହିନୀର ସମର୍ଥନ ହାସଲ କରିବା। କିନ୍ତୁ ଏହା ପରେ ଆୟୁବ ଖାଁ ପ୍ରାୟ ୧୫ ବର୍ଷ କାଳ (୧୯୬୭ ମସିହା ପର୍ଯ୍ୟନ୍ତ) ସେନାଧୢକ୍ଷ, ପ୍ରଧାନମନ୍ତ୍ରୀ ଏବ˚ ଏକଛତ୍ରବାଦୀ ସାମରିକ ଶାସକ ରୂପେ ପାକିସ୍ତାନର ଶୀର୍ଷ ନେତୃତ୍ବରେ ରହିଲେ ଏବ˚ ଲିଆକତ ଅଲ୍ଲୀ ଖୁବ୍ ଶୀଘ୍ର ଆତତାୟୀ ଗୁଳିରେ ପ୍ରାଣ ହରାଇଲେ, ଯେଉଁ ହତ୍ୟାର କାରଣ ଉନ୍ମୋଚିତ ନ ହୋଇ ରହିଗଲା। ଏହା ପରେ ସପ୍ତମ ଦଶକରେ ସେହି ସମାନ ଦୃଶ୍ୟ ଉଫନୀତ ହେଲା, ଯହିଁରେ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲ୍ଲୀ ଭୁଟ୍ଟୋ ଜନୈକ କନିଷ୍ଠ ଅଫିସର ଜିଆ ଉଲ୍ ହକ୍ଙ୍କୁ ଚାରିଟି ଧାପ ଉପରକୁ ଉଠାଇ ସେନାଧୢକ୍ଷ କଲେ; ଅଥଚ ଦୁଇ ବର୍ଷ ନ ପୂରୁଣୁ ଜିଆଙ୍କ ଇଚ୍ଛାରେ ଫାଶୀ ଖୁଣ୍ଟରେ ଝୁଲିଲେ ଏବ˚ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ ନ କରିବା ପର୍ଯ୍ୟନ୍ତ ଜିଆ ଉଲ୍ ହକ୍ ଦୀର୍ଘ ୯ ବର୍ଷ ୧୧ ମାସ ପାକିସ୍ତାନକୁ ସାମରିକ ଶାସନ ଅଧୀନରେ ରଖିଲେ। ୨୦୦୧ ମସିହାରେ ଇତିହାସର ପୁନରାବୃତ୍ତି ଘଟେ; ପ୍ରଧାନମନ୍ତ୍ରୀ ନଵାଜ ସରିଫଙ୍କ ଦ୍ବାରା ଅଯାଚିତ ପଦୋନ୍ନତି ପାଇ ପରଭେଜ ମୁସାରଫ ସେନାଧୢକ୍ଷ ହୁଅନ୍ତି, ଏବ˚ ଖୁବ୍ ଶୀଘ୍ର ସାମରିକ ବିଦ୍ରୋହ ଘଟାଇ ଶାସନକୁ ଅକ୍ତିଆର କରିବା ସହିତ ନଵାଜ ସରିଫଙ୍କୁ ପ୍ରଥମେ ଯାବଜ୍ଜୀବନ କାରାଦଣ୍ତରେ ଦଣ୍ତିତ ଓ ପରେ ନିର୍ବାସିତ କରାନ୍ତି। ପରଭେଜ ମୁସାରଫ ସାତ ବର୍ଷ ଲାଗି ପାକିସ୍ତାନକୁ ସାମରିକ ଶାସନ ଅଧୀନରେ ରଖନ୍ତି। ଇମ୍ରାନ ଖାଁଙ୍କ କ୍ଷେତ୍ରରେ ମଧୢ ସେଭଳି ଘଟିଛି। ଜେନେରାଲ କମର ଜାଭେଦ ବାଜଵାଙ୍କ କାର୍ଯ୍ୟକାଳକୁ ତିନି ବର୍ଷ ଲାଗି ବୃଦ୍ଧି କରିବାର ପ୍ରତିଶ୍ରୁତି ପ୍ରଦାନ କରି ଇମ୍ରାନ ଖାଁ ନିର୍ବାଚନରେ ସ˚ଖ୍ୟାଗରିଷ୍ଠତା ଲାଭ କରି ନ ଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ହୋଇ ପାରିଥିଲେ, ଯହିଁରେ ସେନାବାହିନୀର ଏକ ମୁଖ୍ୟ ଭୂମିକା ଥିଲା। କିନ୍ତୁ ଘଟଣା ଚକ୍ରରେ ଜେନେରାଲ ବାଜଵାଙ୍କ ସହିତ ମତାନ୍ତର ଘଟିବା ପରେ ସେ କ୍ଷମତାରୁ ଅପସାରିତ ହେଲେ। ଏଠାରେ ପ୍ରକାଶ ଥାଉ କି ପାକିସ୍ତାନ ସାମରିକ ‘ଏଷ୍ଟାବ୍ଲିସମେଣ୍ଟ’ ତା’ ବିପକ୍ଷରେ ଉଠୁଥିବା ସ୍ବରକୁ ନିରବ କରିବା ସକାଶେ ଜେଲ୍, ଫାଶୀ, ହତ୍ୟା ବା ନିର୍ବାସନ ଭଳି ପଦ୍ଧତିର ସାହାଯ୍ୟ ନେବାର ଦୃଷ୍ଟାନ୍ତମାନ ରହିଛି। ଭୁଟ୍ଟୋଙ୍କୁ ଫାଶୀ ଦେବା ସକାଶେ ଜେନେରାଲ ଜିଆଙ୍କ ଇଙ୍ଗିତରେ ସୁପ୍ରିମ୍ କୋର୍ଟ ଏକ ବିଡ଼ମ୍ବିତ ରାୟ ପ୍ରଦାନ କରିଥିଲେ। ୨୦୦୭ ମସିହାରେ ଜେନେରାଲ ପରଭେଜ ମୁସାରଫଙ୍କ ଘୋଷଣା କ୍ରମେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ଭାଗ ନେବାକୁ ଦୀର୍ଘ ନିର୍ବାସନ ପରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ‘ପାକିସ୍ତାନ ପିପୁଲ୍ସ ପାର୍ଟି’ର ନେତ୍ରୀ ବେନଜୀର ଭୁଟ୍ଟୋଙ୍କୁ ଏକ ଜନ ସଭାରେ ଗୁଳି କରି ହତ୍ୟା କରାଯାଇଥିଲା, ଯାହା ପଛରେ ମୁସାରଫଙ୍କ ସ˚ପୃକ୍ତି ଦିଶିଥାଏ। କାରଣ ବେନଜୀର ସେହି ସମୟରେ ବିପୁଳ ଜନସମର୍ଥନ ଲାଭ କରିବାର ସମ୍ଭାବନା ଅତ୍ୟନ୍ତ ଉଜ୍ଜ୍ବଳ ହୋଇ ଉଠିଥିଲା।
ତେବେ ଏହା ସ୍ବୀକାର୍ଯ୍ୟ ଯେ ପାକିସ୍ତାନ ‘ଆର୍ମି’ ବିରୋଧରେ ସ୍ବର ଉତ୍ତୋଳନ କରିବା ସହିତ ଜନମତ ଠୁଳ କରିବାରେ ଇମ୍ରାନ ଖାଁ ଯେଉଁ ସାହସ ପ୍ରଦର୍ଶନ କରିଛନ୍ତି, ତାହା ଏ ଯାବତ୍ ସେଠାରେ ଅଦୃଶ୍ୟ ଥିଲା। ଇମ୍ରାନଙ୍କ ଉପରେ ଏହି ଆାକ୍ରମଣ ପରେ ପାକିସ୍ତାନର ରାଜନୀତି ଏକ ସ୍ପର୍ଶକାତର ସ୍ଥିତିରେ ଅବତୀର୍ଣ୍ଣ ଏବ˚ ଏହା କେଉଁ ମୋଡ଼ ନେବ, ତାହା ଅନିଶ୍ଚିତ। ଅନେକ ଆଶଙ୍କା କଲେଣି ଯେ ପାକିସ୍ତାନ ପୁନର୍ବାର ସାମରିକ ଶାସନ ଅଧୀନକୁ ଚାଲିଯାଇପାରେ! କିନ୍ତୁ ଏହା ସତ୍ତ୍ବେ ଯାହା ପ୍ରଣିଧାନଯୋଗ୍ୟ ତାହା ହେଲା ତାଙ୍କ କ୍ରିକେଟ୍ ଖେଳାଳି ଜୀବନରେ ସର୍ବଦା ଅନ୍ତିମ ବଲ୍ ପର୍ଯ୍ୟନ୍ତ ପ୍ରାଣ ଦେଇ ଖେଳୁଥିବା ଜିଦ୍ଖୋର ଇମ୍ରାନ ରାଜନୀତିରେ ମଧୢ ସେଭଳି କରିଛନ୍ତି ଏବ˚ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହେବା ବେଳେ ‘ଅନ୍ତିମ ବଲ୍ ଯାଏ’ ଖେଳିବେ ବୋଲି ସେ କରିଥିବା ଦୃଢ଼ୋକ୍ତିକୁୁ ବଜାୟ ରଖିଛନ୍ତି।