ଚଳିତ ବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ନାଗପୁରରେ ଅନୁଷ୍ଠିତ ଗୋଟିଏ ପୁସ୍ତକ ଉନ୍ମୋଚନ ସମାରୋହରେ ଜାତି (ବର୍ଣ୍ଣ)ବାଦର ବିଲୋପ ପାଇଁ ଆହ୍ୱାନ ଦେଇଛନ୍ତି। ଅନେକଙ୍କର ଧାରଣା, ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଶାସନ ବ୍ୟବସ୍ଥା ନୀତି ନିର୍ଦ୍ଧାରଣରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ଭୂମିକା ରହିଛି। ସମ୍ଭବତଃ ଏ ଧାରଣା ସଂପୂର୍ଣ୍ଣ ଅମୂଳକ ନୁହେଁ। ସେହି ଦୃଷ୍ଟିରୁ ମୋହନ ଭାଗବତଙ୍କ ମନ୍ତବ୍ୟ ଗୁରୁତ୍ୱ ବହନ କରେ। ସେ କହିଛନ୍ତି- ‘ଜାତିଭେଦ ଆଳରେ ଆମ ପୂର୍ବଜମାନେ ଆମରି ଭାଇଭଉଣୀଙ୍କୁ ଅମାନବିକ ନିର୍ଯାତନା ଦେଇ ଯେଉଁ ପାପ କରିଥିଲେ ତାହାର ପ୍ରାୟଶ୍ଚିତ ଆବଶ୍ୟକ। ବର୍ତ୍ତମାନ ସମୟରେ ଜାତି/ବର୍ଣ୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ।’ ଏ ଉଦ୍ଘୋଷଣା ଅତ୍ୟନ୍ତ ଶୁଭଙ୍କର ଓ ସ୍ୱାଗତଯୋଗ୍ୟ। ଜାତିପ୍ରଥା ଓ ତହିଁ ଆଧାରିତ ଘୃଣିତ ଅସ୍ପୃଶ୍ୟତା, ହିନ୍ଦୁ ଧର୍ମର କଳଙ୍କିତ ଅଧ୍ୟାୟ। ସୁଦୀର୍ଘ ଅତୀତରେ ବର୍ଣ୍ଣ ବ୍ୟବସ୍ଥାର ପ୍ରଚଳନ ଥିଲା, କିନ୍ତୁ ବଂଶାନୁକ୍ରମିକ ନ ଥିଲା। ଗୁରୁକୁଳରେ ଶିକ୍ଷା ସମାପ୍ତି ପରେ ଶିଷ୍ୟ/ଶିଷ୍ୟାଙ୍କର ବୃତ୍ତିଗତ ଆଗ୍ରହ ଆଧାରରେ ଗୁରୁ ସେମାନଙ୍କୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ଭାବେ ଅଭିହିତ କରୁଥିଲେ। ବଂଶଗତ ନୁହେଁ, ଗୁଣ ଏବଂ କର୍ମ ଆଧାରରେ ବର୍ଣ୍ଣ ନିରୂପଣ କରାଯାଉଥିଲା ଏବଂ କୌଣସି ବୃତ୍ତି ଉଚ୍ଚ କିମ୍ବା ନୀଚ ନ ଥିଲା। କ୍ରମଶଃ ସମାଜ କୁସଂସ୍କାର ଓ ଅନ୍ଧବିଶ୍ୱାସରେ କବଳିତ ହେବା ପରେ ଜାତିବ୍ୟବସ୍ଥା ବଂଶାନୁକ୍ରମିକ ରୂପ ନେଲା।
ଜାତିପ୍ରଥା ଲୋପ ପାଇଲେ ଜାତି ଆଧାରିତ ଦୁଇଟି ବ୍ୟବସ୍ଥାର ଅନ୍ତ ଘଟିବ: କଳଙ୍କିତ ଅସ୍ପୃଶ୍ୟତା ଓ ଜାତିଭିତ୍ତିକ ଆରକ୍ଷଣ ବ୍ୟବସ୍ଥା। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆମେ ଅବଶ୍ୟ ସ୍ୱୀକାର କରିବା, ଗ୍ରାମାଞ୍ଚଳରେ ଘୃଣିତ ଅସ୍ପୃଶ୍ୟତାର ଉତ୍କଟ ପ୍ରଭାବ ହ୍ରାସ ପାଇବାରେ ଲାଗିଛି; ଯଦିଓ ସଂପୂର୍ଣ୍ଣ ଲୋପ ପାଇଛି ବୋଲି ସନ୍ତୋଷ ପ୍ରକଟ କରିପାରିବା ନାହିଁ। ଆଶା କରିବା, ଆଗାମୀ କିଛି ଦଶନ୍ଧିରେ ଏହାର ବଂଶ ନାଶ ହେବ। ଦ୍ୱିତୀୟତଃ ସରକାରୀ ସ୍ତରରେ ଆରକ୍ଷଣ ବ୍ୟବସ୍ଥା ରହିଥିବାରୁ ଜାତିବାଦ ଭୟଙ୍କର ରୂପରେ କାୟା ବିସ୍ତାର କରିଚାଲିଛି। ଜାତିପ୍ରଥା ଲୋପ ପାଇଲେ ସଂରକ୍ଷଣ ବ୍ୟବସ୍ଥାର ଆଉ ଆବଶ୍ୟକତା ରହିବ ନାହିଁ।
ପ୍ରଶ୍ନ ଉଠୁଛି- ଜାତିବାଦର ଅନ୍ତ ହେବ କେମିତି? ଏହି କ୍ରମରେ ଦୁଇ ଜଣ ମହାତ୍ମା ସ୍ମରଣକୁ ଆସନ୍ତି: ମହାତ୍ମା ଗାନ୍ଧୀ ଏବଂ ମହାତ୍ମା ଆମ୍ବେଦକର। ୧୯୩୬ ମସିହାରେ ପ୍ରଖ୍ୟାତ ବିଦ୍ୱାନ ବି.ଆର. ଆମ୍ବେଦକର ଦେଶରୁ ଜାତିପ୍ରଥାର ବିଲୋପ ନିମନ୍ତେ ଗୋଟିଏ ନିବନ୍ଧ ଲେଖିଥିଲେ- ‘ଆନାଇହିଲେସନ୍ ଅଫ୍ କାଷ୍ଟ୍’ (ଜାତିର ନିପାତ)। ଏଥିରେ ସେ ଜାତିପ୍ରଥାର ଘୃଣିତ, ଜଘନ୍ୟ ଏବଂ କଳଙ୍କିତ ରୂପ ବର୍ଣ୍ଣନା କରିବା ସହିତ ଏହା କିପରି ହିନ୍ଦୁ ଧର୍ମକୁ କଳୁଷିତ କରୁଛି ତାହାର ବିସ୍ତୃତ ବ୍ୟାଖ୍ୟା କରିଥିଲେ। ଅତୀତର ଯେଉଁ ସମୟରେ ଜାତିପ୍ରଥାର ପ୍ରଭାବ ନଗଣ୍ୟ ଥିଲା, ସେ ସମୟରେ ଭାରତ ବର୍ଷ କିପରି ସାରା ବିଶ୍ୱର ନେତୃତ୍ୱ ନେଇଥିଲା, ମୌର୍ଯ୍ୟ ସାମ୍ରାଜ୍ୟର (ଖ୍ରୀ.ପୂ. ୩୨୨-୧୮୫) ଦୃଷ୍ଟାନ୍ତ ଦେଇ ଏହା ବଖାଣିଥିଲେ। ସେହି ବର୍ଷ ‘ହରିଜନ’ ପତ୍ରିକାର ଅଗଷ୍ଟ ୧୫ ସଂଖ୍ୟାରେ ଆମ୍ବେଦକରଙ୍କ ଯୁକ୍ତି ଖଣ୍ଡନ କରି ମହାତ୍ମା ଗାନ୍ଧୀ ଲେଖିଥିଲେ- ‘ଏ ଭିଣ୍ଡିକେସନ୍ ଅଫ୍ କାଷ୍ଟ୍: ଡଃ ଆମ୍ବେଦକରସ୍ ଇନ୍ଡାଇଟମେଣ୍ଟ (ଜାତିପ୍ରଥା ସମର୍ଥନରେ: ଡଃ ଆମ୍ବେଦକରଙ୍କ ଅଭିଯୋଗ)।
ତାଙ୍କ ଉକ୍ତିର ନିର୍ଯାସ ହେଉଛି- ‘ଜାତିପ୍ରଥା ନୁହେଁ, ଅସ୍ପୃଶ୍ୟତାର ବିଲୋପ ଆବଶ୍ୟକ। ଜାତିପ୍ରଥାର ବିଲୋପ ଘଟିଲେ, ହିନ୍ଦୁଧର୍ମର ବିନାଶ ଘଟିବ। ତେଣୁ ହିନ୍ଦୁ ଧର୍ମର ସୁରକ୍ଷା ନିମନ୍ତେ ଜାତିପ୍ରଥାକୁ ବଞ୍ଚେଇ ରଖିବାକୁ ପଡ଼ିବ।’ ଏହାର ଉତ୍ତରରେ ଆମ୍ବେଦକର ଲେଖିଥିଲେ: ‘ମହାତ୍ମା ଗାନ୍ଧୀ ହେଉଛନ୍ତି ଅନ୍ତରରେ ସନ୍ଥ, ବାହ୍ୟତଃ ରାଜନେତା। ତେଣୁ ତାଙ୍କ ଅନ୍ତରାତ୍ମା ଅସ୍ପୃଶ୍ୟତା ବରଦାସ୍ତ କରିପାରୁନାହିଁ। କିନ୍ତୁ ଜଣେ ରାଜନୈତିକ ବ୍ୟକ୍ତି ଭାବେ ସେ ଏହା ବୁଝିବା ପାଇଁ ନାରାଜ ଯେ ଜାତିପ୍ରଥାରୁ ହିଁ ଅସ୍ପୃଶ୍ୟତାର ଜନ୍ମ।’ ଆଜି ନଅ ଦଶନ୍ଧି ପରେ ମହାତ୍ମା ଆମ୍ବେଦକର ସମସାମୟିକ ଜଣାପଡ଼ନ୍ତି।
ଆମ ରାଜ୍ୟରେ ୨୦୦ ଜାତି/ଉପଜାତି ଓବିସି ତାଲିକା ଅନ୍ତର୍ଭୁକ୍ତ। ଦୀର୍ଘ ଅତୀତରେ ଏମାନେ କୌଣସି ନିର୍ଦ୍ଦିଷ୍ଟ ବୃତ୍ତିରେ ଲିପ୍ତ ଥିବାରୁ ସେହି ଜାତି ସୃଷ୍ଟି ହୋଇଥିଲା। ଆଜି ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜର ଯୋଗ୍ୟତା ବଳରେ ଉଚ୍ଚ ପଦରେ ଅଧିଷ୍ଠିତ। କୌଳିକ ବୃତ୍ତିରୁ ଓହରିଯାଇ ଭିନ୍ନ ବୃତ୍ତି ଆପଣେଇ ଥିବାରୁ, ସେମାନଙ୍କ ନିମନ୍ତେ ମୂଳ ଜାତି ଆଜି ମୂଲ୍ୟହୀନ। ଯଦି ଜାତି ଅପ୍ରାସଙ୍ଗିକ, ତେବେ ଜାତି ଆଧାରରେ ସଂରକ୍ଷଣ ବ୍ୟବସ୍ଥା କାହିଁକି? ଜାତିବାଦ ବିଲୋପ ନିମନ୍ତେ ଆମେ ଦୁଇଟିି କ୍ଷେତ୍ର ପରିଦର୍ଶନ କରିବା ଯେଉଁଠି ଏହା ଉଜ୍ଜୀବିତ ରହିଛି: ଧାର୍ମିକ ଓ ରାଜନୈତିକ। ଧାର୍ମିକ ରୀତିନୀତି ଓ ଚଳଣିରୁ ଛୁଆଁଅଛୁଆଁ ଭେଦଭାବ ସୃଷ୍ଟି ହେବା ପରେ ସବର୍ଣ୍ଣ ଓ ଅସବର୍ଣ୍ଣ- ଏହି ଦୁଇ ଖଣ୍ଡରେ ସମାଜ ବିଭକ୍ତ ହୋଇଗଲା। ଯେହେତୁ ଧାର୍ମିକ ରୀତିନୀତିରୁ ଜାତିବାଦର ସୃଷ୍ଟି, ଏହାର ବିଲୋପ ନିମନ୍ତେ ଧର୍ମଗୁରୁଙ୍କର ପ୍ରମୁଖ ଭୂମିକା ରହିଛି। ଆଦିଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ପ୍ରଥମ ଧର୍ମଗୁରୁ ଯିଏ ଜାତିଭେଦ ଉପରେ କଠୋର ପ୍ରହାର କରିଥିଲେ। ତାଙ୍କ ରଚିତ ‘ମନୀଷା ପଞ୍ଚକମ୍’ ଶ୍ଳୋକ ଏହାର ସମୁଜ୍ଜ୍ବଳ ଦୃଷ୍ଟାନ୍ତ।
ଏହାର ପୃଷ୍ଠଭୂମି ଏହିଭଳି- ଦିନେ ଗୁରୁ ଶଙ୍କରାଚାର୍ଯ୍ୟ ଗଙ୍ଗା ନଦୀରୁ ସ୍ନାନ ସାରି ଫେରୁଥିଲେ। ସାମନାରୁ ଆସୁଥିଲେ ଜଣେ ଚଣ୍ଡାଳ। ରାସ୍ତା ଅଣଓସାରିଆ ଥିବାରୁ ଶଙ୍କରାଚାର୍ଯ୍ୟ ଧରି ନେଇଥିଲେ, ଅସ୍ପୃଶ୍ୟ ଚଣ୍ଡାଳ ରାସ୍ତାରୁ ଓହରିଯିବ। ମୁହାଁମୁହିଁ ହେବା ପରେ ଶଙ୍କରାଚାର୍ଯ୍ୟ ତାଙ୍କୁ ଅପସରି ଯିବା ପାଇଁ ନିର୍ଦ୍ଦେଶ ଦେଲେ। କିନ୍ତୁ ଅପସରିଯିବା ପରିବର୍ତ୍ତେ ଚଣ୍ଡାଳର ପ୍ରଶ୍ନରେ ପ୍ରଜ୍ଞାଦୀପ୍ତ ଶଙ୍କର ସ୍ତମ୍ଭୀଭୂତ ହୋଇଗଲେ। ପ୍ରଶ୍ନ ଥିଲା- ହେ ବ୍ରାହ୍ମଣ! ଆପଣ କାହାକୁ ହଟିିଯିବା ପାଇଁ କହୁଛନ୍ତି? ଆପଣ ଯେଉଁ ଅଦ୍ୱୈତବାଦ ପ୍ରସାର କରୁଛନ୍ତି, ସେହି ମର୍ମରେ ଆପଣ ଓ ମୋ ମଧ୍ୟରେ ପାର୍ଥକ୍ୟ ଅଛି କି? ଏଭଳି ପ୍ରଶ୍ନ ଶୁଣିବା ପରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଚଣ୍ଡାଳଙ୍କୁ ପ୍ରଣିପାତ କରି ସେମାନଙ୍କ ବାର୍ତ୍ତାଳାପ ‘ମନୀଷାପଞ୍ଚକମ୍’ ଶ୍ଳୋକରେ ଲିପିବଦ୍ଧ କରିଥିଲେ। ଏହାର ନିର୍ଯାସ ହେଉଛି- ଯଦି ସୂର୍ଯ୍ୟଦେବ ରଶ୍ମି ବିକିରଣ କରୁଥିବାବେଳେ ଗଙ୍ଗା ଜଳ ଓ ନର୍ଦ୍ଦମା ଜଳ ମଧ୍ୟରେ ପାର୍ଥକ୍ୟ ଦେଖୁନାହାନ୍ତି, ଆମେ ସଭିଁଏ ଈଶ୍ୱରଙ୍କ ସନ୍ତାନ ହୋଇଥିବାରୁ ଆମ ଭିତରେ ଭେଦଭାବ ରହିବ କିପରି? ଯଦି ଆଦିଗୁରୁ ଶଙ୍କରାଚାର୍ଯ୍ୟ ଜଣେ ଚଣ୍ଡାଳଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥିଲେ, ଆଜିର ଶଙ୍କରାଚାର୍ଯ୍ୟମାନେ ହରିଜନଙ୍କୁ ଶ୍ରଦ୍ଧାରେ କୋଳେଇ ନେବାରେ ଆପତ୍ତି କାହିଁକି? ଧର୍ମଗୁରୁମାନେ ଆଉ ପାଦେ ଆଗକୁ ଯାଇ ଦଳିତଙ୍କ ସହ ସେମାନଙ୍କ ବାସଗୃହରେ ସାଥିରେ ବସି ଭୋଜନ କଲେ, ଜାତିବାଦର ଅନ୍ତ ଘଟିବ।
ଏହା ସ୍ୱତଃସିଦ୍ଧ; ଆରକ୍ଷଣ ବ୍ୟବସ୍ଥାର କାର୍ଯ୍ୟପରିଣତି ଭ୍ରମାତ୍ମକ ଥିବାରୁ, ଯେଉଁ ଉଦ୍ଦେଶ୍ୟରେ ଏହା ପ୍ରଣୟନ କରାଯାଇଥିଲା, ସେଥିରୁ ଏହା ବିଚ୍ୟୁତ ହୋଇ କ୍ଷମତା-ରାଜନୀତି ଏବଂ ନିର୍ବାଚନୀ-ରଣନୀତିର ଆୟୁଧରେ ପରିଣତ ହୋଇଯାଇଛି। ଏହି କ୍ରମରେ ‘ପ୍ରଥମ ପଛୁଆ ବର୍ଗ କମିଶନ’ ଦ୍ୱାରା ପ୍ରସ୍ତୁତ ‘କାଲେଲକର ରିପୋର୍ଟ’ର ଶେଷ ଭାଗରେ କମିଶନ ଅଧ୍ୟକ୍ଷ କାକା କାଲେଲକରଙ୍କ ମନ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ। “ଦୁଇ ବର୍ଷର ଅଭିଜ୍ଞତାରେ ଆମର ବିଶ୍ୱାସ ଆହୁରି ଦୃଢ଼ୀଭୂତ ହୋଇଛି ଯେ ଜାତିବାଦର ପ୍ରସାର ଫଳରେ ଦେଶ ସଙ୍କଟର ସମ୍ମୁଖୀନ ହେବ। ଅନଗ୍ରସରତା ନିରୂପଣ କରିବା ପାଇଁ ଜାତିକୁ ଆଧାର ନ କରି ଅର୍ଥନୈତିକ ମାନଦଣ୍ଡକୁ ବିବେଚନା କରିଥିଲେ ଭଲ ହୋଇଥାନ୍ତା।” ଯଦିଓ ସରକାର ଏହି ରିପୋର୍ଟକୁ ପ୍ରତ୍ୟାଖାନ କରିଥିଲେ, ତଥାପି ପାର୍ଲାମେଣ୍ଟରେ ମତ ରଖିଥିଲେ- ‘ଏହା ଅନସ୍ୱୀକାର୍ଯ୍ୟ, ଦେଶରେ ସମାନତା ପ୍ରତିଷ୍ଠା କ୍ଷେତ୍ରରେ ଜାତିପ୍ରଥା ହେଉଛି ମୁଖ୍ୟ ପ୍ରତିବନ୍ଧକ। କୌଣସି ନିର୍ଦ୍ଦିଷ୍ଟ ଜାତିକୁ ଅନଗ୍ରସର ଅଭିହିତ କଲେ ସବୁଦିନ ସକାଶେ ଦେଶରେ ଭେଦଭାବ ଜାଗରୂକ ରହିବ।... ଯଦି ସାମଗ୍ରିକ ଭାବେ ଗୋଟିଏ ଜାତିକୁ ପଛୁଆ ବର୍ଗର ମାନ୍ୟତା ପ୍ରଦାନ କରାଯାଏ, ସେହି ବର୍ଗର ନିମ୍ନରେ ରହୁଥିବା ଗୋଷ୍ଠୀଙ୍କ ପ୍ରତି ବିଶେଷ ଧ୍ୟାନ କିମ୍ବା ସେମାନଙ୍କ ପାଖରେ ସ୍ୱତନ୍ତ୍ର ସୁବିଧା ପହଞ୍ଚି ପାରିବ ନାହିଁ।’ ସେହି ପର୍ଯ୍ୟାୟରେ ୧୯୫୮-୫୯ ଆର୍ଥିକ ବର୍ଷରେ ପାର୍ଲାମେଣ୍ଟର ଏଷ୍ଟିମେଟସ୍ କମିଟି ୪୮ତମ ରିପୋର୍ଟରେ ୧୯୫୬-୫୭ ମସିହା ଅନୁସୂଚିତ ଜାତି ଓ ଜନଜାତିର କମିଶନରଙ୍କ ମତ ଉଲ୍ଲେଖ କରି କହିଥିଲେ- ‘ଜାତିଭିତ୍ତିକ ଅନଗ୍ରସରତା ଏକ ସ୍ୱୟଂବୃଦ୍ଧି ପ୍ରକ୍ରିୟା। ଯେଉଁମାନେ ଏହି ତାଲିକାଭୁକ୍ତ ହୁଅନ୍ତି, ସେମାନେ ସବୁଦିନ ପାଇଁ ଆହୁରି ଅଧିକ ସୁବିଧା ସୁଯୋଗ ପାଇବା ନିମନ୍ତେ ଉଦ୍ୟମ କରିଥାନ୍ତି।... ପ୍ରତି ବର୍ଷ ତାଲିକାର ପୁନର୍ବିଚାର କରାଯିବା ଉଚିତ।’
ବିଡ଼ମ୍ବନା, ଜାତିଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ବର୍ତ୍ତମାନ ଆମ ରାଜନୀତିକୁ ଏମିତି କବଳିତ କରିସାରିଛି ଯେ ପୁନର୍ବିଚାର ତ ଦୂରର କଥା, ଅନୁସୂଚିତ ଜାତି ଓ ଜନଜାତିର ସ୍ୱଚ୍ଛଳବର୍ଗଙ୍କୁ ତାଲିକାରୁ ବାଦ ଦେବା ପାଇଁ ସରକାର ପ୍ରସ୍ତୁତ ନୁହନ୍ତି। ୨୦୧୮ ମସିହାରେ ସମତା ଆନ୍ଦୋଳନ ସମିତି ନାମକ ସଂସ୍ଥା ଏହି ନବୋନ୍ନତ ବର୍ଗଙ୍କୁ ଜାତିଭିତ୍ତିକ ସଂରକ୍ଷଣ ସୁବିଧାରୁ ବାଦ ଦେବା ପାଇଁ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। ଆବେଦନରେ ଉଲ୍ଲେଖ ଅଛି- “ଅନୁସୂଚିତ ଜାତି ଓ ଜନଜାତିର ୫% ସମୃଦ୍ଧଗୋଷ୍ଠୀ ସଂରକ୍ଷଣଭିତ୍ତିକ ସୁବିଧାର ସିଂହଭାଗ ସୁବିଧା ହାସଲ କରୁଥିବାବେଳେ, ସେହି ସମୁଦାୟର ୯୫% ଜନସଂଖ୍ୟା ପ୍ରତିକୂଳ ପରିସ୍ଥିତିରେ ଜୀବନ ବିତାଉଛନ୍ତି। ସଂରକ୍ଷଣର ସୁଫଳ-ଧାରା ଶିଡ଼ିର ଶେଷ ପାହାଚକୁ ପ୍ରବାହିତ ହୋଇପାରୁନାହିଁ। ଫଳରେ ଦରିଦ୍ର ଆହୁରି ଦରିଦ୍ର ହେଉଥିବାବେଳେ ଭାଗ୍ୟଶାଳୀମାନେ ସବୁକିଛି ରୁଣ୍ଡେଇ ନେଉଛନ୍ତି।
୧୯୯୨ ମସିହାରେ ସୁପ୍ରିମ୍କୋର୍ଟ, ଓବିସିଙ୍କ ପ୍ରତି ସଂରକ୍ଷଣ ସୁବିଧା ଲାଗୁହେବ ବୋଲି ରାୟ ଦେଇଥିବାବେଳେ ସେହି ସମୁଦାୟର ସ୍ୱଚ୍ଛଳବର୍ଗଙ୍କୁ ସେଥିରୁ ବାଦ ଦେଇଥିଲେ। ସେହି ନିୟମ ଅନୁସୂଚିତ ଜାତି ଓ ଜନଜାତିଙ୍କ ପ୍ରତି ଲାଗୁ ହେବ ନାହିଁ କାହିଁକି?’ ଯଦି ସ୍ୱାଧୀନତା ପ୍ରାପ୍ତିର ସାତ ଦଶନ୍ଧି ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତିର ମାତ୍ର ୫% ଜନସଂଖ୍ୟା ଆରକ୍ଷଣ ବ୍ୟବସ୍ଥାର ସୁଫଳ ପାଇଛନ୍ତି, ତେବେ ଏହି ବ୍ୟବସ୍ଥାର ପ୍ରଚଳନ ଏକ ପ୍ରହସନ ମାତ୍ର। କେବଳ ରାଜନୈତିକ ଦଳମାନେ ହିଁ ଏଥିରୁ ଲାଭବାନ ହେଉଛନ୍ତି, ଏଥିରେ ସନ୍ଦେହ ନାହିଁ। ଆମେ ପୁନଶ୍ଚ ମୋହନ ଭାଗବତଙ୍କ ନିକଟକୁ ଫେରିବା। ୨୦୧୯ ମସିହାରେ ଆରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ନିମନ୍ତେ ସେ ଆହ୍ୱାନ ଦେଇଥିଲେ।
ଯଦି ସେ ଅନୁଭବ କରୁଛନ୍ତି, ବର୍ତ୍ତମାନ ସମୟରେ ଜାତି/ବର୍ଣ୍ଣ ବ୍ୟବସ୍ଥା ଅପ୍ରାସଙ୍ଗିକ ଏବଂ ଆରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ଆବଶ୍ୟକ, ସେଥି ନିମନ୍ତେ ସେ କାର୍ଯ୍ୟପନ୍ଥା ନିରୂପଣ କରନ୍ତୁ। ବିରୋଧୀଙ୍କ ଅଭିଯୋଗ, ନିକଟରେ କିଛି ଦଳିତ ଗୋଷ୍ଠୀ ହିନ୍ଦୁଧର୍ମ ପରିତ୍ୟାଗ କରି ବୌଦ୍ଧଧର୍ମ ଗ୍ରହଣ କରିଥିବାରୁ ଦଳିତଙ୍କୁ ସୁହାଇଲା ଭଳି ଏଭଳି ଆହ୍ୱାନ ଦିଆଯାଇଛି ଏବଂ ଏହା କେବଳ ‘ଧୁଆଁବାଣ ଏବଂ ରାଜନୈତିକ ଅଭିସନ୍ଧିମୂଳକ’। ଜାତିପ୍ରଥାର ବିଲୋପ ଓ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ନିମନ୍ତେ ମୋହନ ଭାଗବତ ବିଭିନ୍ନ ଅଂଶୀଦାରଙ୍କ ସହିତ ବିଚାର ବିମର୍ଶ କରି ଏହାର ତାର୍କିକ ନିଷ୍କର୍ଷରେ ଉପନୀତ ହୁଅନ୍ତୁ; ନଚେତ ବିରୋଧୀଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହେବ।
ମୋ: ୯୪୩୭୧୯୧୩୫୦