ଗାନ୍ଧୀଜୀଙ୍କ ଦିନଚର୍ଯ୍ୟା

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

୧୯୩୧ ମସିହା ନଭେମ୍ବରରେ ଗୋଲ ଟେବଲ ବୈଠକ ପାଇଁ ଗାନ୍ଧୀଜୀ ଲଣ୍ଡନରେ ଥିବା ବେଳେ ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ଚିତ୍ରଶିଳ୍ପୀ ମିସ୍ କ୍ଲାରେ ସେରିଡାନଙ୍କର ଗାନ୍ଧୀଙ୍କ ସହ ଏକ ସାକ୍ଷାତକାର ସ୍ଥାନୀୟ ଖବର କାଗଜମାନଙ୍କରେ ପ୍ରକାଶ ପାଇଥିଲା। ସାକ୍ଷାତକାରରେ ଗାନ୍ଧୀଙ୍କ ଦିନଚର୍ଯ୍ୟା କଥା ଉଲ୍ଲେଖ ଥିଲା। ଚରଖା ସହ ଗାନ୍ଧୀଙ୍କର ଏକ ଚିତ୍ର ଅଙ୍କିବାକୁ ଗାନ୍ଧୀ ରହୁଥିବା କୁମାରୀ ମୁରିଏଲ ଲେଷ୍ଟରଙ୍କ ଅନାଥାଶ୍ରମର ହଷ୍ଟେଲକୁ ଦିନେ ସେରିଡାନ ଯାଇଥିଲେ। ଗାନ୍ଧୀଙ୍କ ଛବି ଆଙ୍କି ଶେଷ କରିବାରେ ସନ୍ଧ୍ୟା ହୋଇଯାଇଥିଲା। ସେଦିନ ବେଶୀ ଶୀତ ପଡ଼ିଥିଲା ଲଣ୍ଡନରେ। ଗାନ୍ଧୀଙ୍କ ଅନୁରୋଧ କ୍ରମେ ସେରିଡାନ ରାତିରେ ସେଠି ରହିଯାଇଥିଲେ। ମିସ୍ ସେରିଡାନ ତାଙ୍କ ରିପୋର୍ଟରେ ଲେଖନ୍ତି, ‘ରାତି ପ୍ରାୟ ଦୁଇଟା ହେବ। ମୀରାବେହନ ମୋତେ ନିଦରୁ ଉଠାଇ ଦେଲେ ଏବଂ ପ୍ରାର୍ଥନା ସଭାରେ ଯୋଗ ଦେବାକୁ ଅନୁରୋଧ କଲେ। ରାତି ସାଢ଼େ ତିନିଟାରେ ଗାନ୍ଧୀଙ୍କ ପ୍ରାର୍ଥନା ସଭା ହେବାର ଥିଲା। ମୁଁ ଗାନ୍ଧୀ ରହୁଥିବା ତଳ କୋଠରିକୁ ଯାଇ ଦେଖିଲି, ଗାନ୍ଧୀ ଧଳା ଖଦଡ଼ ଚାଦରଟିଏ ଘୋଡ଼ି ହୋଇଥିଲେ ଏବଂ ଚଟାଣ ଉପରେ ପଡ଼ିଥିବା ଏକ ମସିଣା ଉପରେ ଚକା ପକାଇ ବସିଥିଲେ। ପ୍ରାର୍ଥନା ଯଥା ସମୟରେ ଆରମ୍ଭ ହୋଇଥିଲା। ଏହା ଏକ ସର୍ବଧର୍ମ ପ୍ରାର୍ଥନା ସଭା ଥିଲା।

ପ୍ରାର୍ଥନା କାର୍ଯ୍ୟକ୍ରମ ପରେ ଠିକ୍ ପାଞ୍ଚଟାରେ ଗାନ୍ଧୀ ପ୍ରାତଃ ଭ୍ରମଣରେ ବାହାରି ପଡ଼ିଲେ। ଆଣ୍ଠୁ ଲୁଚି ନ ଥିବା ଲୁଗାଟି ସହ ଦେହରେ ଖାଲି ଚାଦରଟିଏ ଥିଲା ଗାନ୍ଧୀଙ୍କର।

ଗାନ୍ଧୀ ଟିକିଏ ଜୋରରେ ଚାଲନ୍ତି। ତାଙ୍କ ସହ ମୁଁ ଚାଲୁଥିଲି। ଆମ ସହ ଦୁଇ ଜଣ ସରକାରୀ ଗୁପ୍ତଚର ଚାଲୁଥିଲେ। ମୋର କିଛି ଅଣ ରାଜନୈତିକ ପ୍ରଶ୍ନର ଉତ୍ତର ଦେଇ ଗାନ୍ଧୀ କହିଦେଲେ, ସେ କେବଳ ସତ୍ୟର ଜଣେ ଉପାସକ, ଶାନ୍ତିର ଅନ୍ୱେଷଣରେ ହିଁ ଅଛନ୍ତି। ସେ ଇଂରେଜମାନଙ୍କୁ ଘୃଣା କରନ୍ତି ନାହିଁ। ଭାରତକୁ ସ୍ୱାଧୀନ କରିବାକୁ ସେ ଶେଷ ପର୍ଯ୍ୟନ୍ତ କିନ୍ତୁ ଇଂରେଜ ଶାସନ ବିରୋଧରେ ସଂଗ୍ରାମ କରିବେ।
ଗାନ୍ଧୀଙ୍କ ସହ ସେଦିନ ରାସ୍ତାରେ କଥା ହୋଇ ମୋର ମନେ ହୋଇଥିଲା, ଏମିତି ହୁଏତ ଦିନେ ବୁଦ୍ଧ, ଯୀଶୁ ଏବଂ ସେଣ୍ଟ ଫ୍ରାନସିସ୍‌ଙ୍କ ସହ ତାଙ୍କ ଶିଷ୍ୟମାନେ ପ୍ରଶ୍ନୋତ୍ତର ବେଳେ ଦିବ୍ୟ ଅନୁଭୂତି ପାଇଥିବେ।’
ମିସ୍ ସେରାଡିନଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ଗାନ୍ଧୀଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ସମ୍ପର୍କରେ ଜାଣିବା ପାଇଁ ଇଂଲଣ୍ଡର ଲୋକଙ୍କ ଭିତରେ ବେଶ୍ ଉତ୍କଣ୍ଠା ବଢ଼ି ଯାଇଥିଲା।

ଗାନ୍ଧୀଙ୍କ ଦିନଚର୍ଯ୍ୟା ଥିଲା ଖୁବ୍ ଶୃଙ୍ଖଳିତ। ବିଶେଷ ପରିସ୍ଥିତିରେ କେତେବେଳେ କେମିତି ଏଥିରେ ସାମୟିକ ପରିବର୍ତ୍ତନ ଆସୁଥିଲା। ଭୋର ଠିକ୍ ସାଢ଼େ ତିନିଟାରେ ଗାନ୍ଧୀଜୀ ନିଦରୁ ଉଠୁଥିଲେ। ଉଠିବାକୁ ଆଲାର୍ମ ଦେବାକୁ ପଡୁ ନଥିଲା। ଗାନ୍ଧୀ କହୁଥିଲେ, ଭାରତ ପରି ସମଶୀତୋଷ୍ମ ଦେଶରେ ସୂର୍ଯ୍ୟୋଦୟ ପୂର୍ବରୁ ବିଛଣା ଛାଡ଼ିଦେବା ଉଚିତ। କାମର ଚାପ ଥିଲେ ଗାନ୍ଧୀ ରାତି ଅଧରେ ଉଠି ଯାଇ କିଛି ଗୁରୁତ୍ୱପୂର୍ଣ୍ଣ ଚିଠି ଲେଖୁଥିଲେ।
ଗାନ୍ଧୀଙ୍କ ସର୍ବଧର୍ମ ପ୍ରାର୍ଥନା ସଭା ହେଉଥିଲା ସକାଳ ଚାରିଟାରେ। ଗାନ୍ଧୀ ବବୁଲ ଦାନ୍ତକାଠିରେ ଦାନ୍ତ ଘସି ଏବଂ ସର୍ବତ ପିଇ ପ୍ରାର୍ଥନା ସଭାକୁ ଆସୁଥିଲେ।

ସର୍ବଧର୍ମ ପ୍ରାର୍ଥନା ଥିଲା ଗାନ୍ଧୀଙ୍କ ଦିନଚର୍ଯ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ଗାନ୍ଧୀଙ୍କ ସ୍ପଷ୍ଟୋକ୍ତି, ଶରୀର ନିମନ୍ତେ ଖାଦ୍ୟ ଯେପରି ଅପରିହାର୍ଯ୍ୟ ଆତ୍ମା ପାଇଁ ପ୍ରାର୍ଥନା ସେମିତି ଅପରିହାର୍ଯ୍ୟ। ପ୍ରାର୍ଥନାରେ ଏକାଦଶ ବ୍ରତ, ବୌଦ୍ଧ ମନ୍ତ୍ର, ଉପନିଷଦ୍‌, ଗୀତା, ବାଇବେଲ, କୋରାନର କିଛି ପଙ୍‌କ୍ତି ଆବୃତ୍ତି କରାଯାଉଥିଲା। ତାଳ ସହ ରାମଧୁନ୍ ବୋଲାଯାଉଥିଲା। ଗୁଜୁରାଟି ସନ୍ଥ କବି ନରସିଂହ ମେହେଟାଙ୍କ ‘ବୈଷ୍ଣବ ଜନ ତୋ’ ଏବଂ ଇଂରେଜୀ ପ୍ରାର୍ଥନା ‘ଲିଡ୍, କାଇଣ୍ଡ୍‌ଲି ଲାଇଟ’ ଥିଲା ଗାନ୍ଧୀଙ୍କର ଅତି ପ୍ରିୟ ଭଜନ। ପ୍ରାର୍ଥନାରେ ଅଧିକାଂଶ ସମୟରେ ତାନପୁରା ବାଜୁଥିଲା। ପ୍ରତି ଦିନର ପ୍ରାର୍ଥନା ପରେ ଗାନ୍ଧୀ ସଂକ୍ଷିପ୍ତ ଭାଷଣ ଦେଉଥିଲେ। ଗାନ୍ଧୀ ତାଙ୍କର ପ୍ରାତଃଭ୍ରମଣ ପୂର୍ବରୁ ସକାଳର ଶୌଚ କାର୍ଯ୍ୟ ଏବଂ ଜଳଖିଆ ଖାଇବା ଶେଷ କରି ଦେଇଥାଆନ୍ତି। ଗାନ୍ଧୀ ଜଳଖିଆ ଖାଆନ୍ତି ସକାଳ ୬ଟାରେ। ଜଳଖିଆରେ କେବଳ ଦୁଇ ପଟ ରୁଟି ଏବଂ ଆଠ ଆଉନସ୍ ଛେଳି କ୍ଷୀର ଥାଏ। କେତେବେଳେ କେମିତି ଏଥିରେ କିସମିସ ଓ ଗୁଡ଼ ମିଶିଥାଏ।

ସକାଳ ଭ୍ରମଣ ଗାନ୍ଧୀଜୀଙ୍କ ଦିନଚର୍ଯ୍ୟାର ଏକ ଅନିବାର୍ଯ୍ୟ ଅଂଶ। ପ୍ରଭାତ ଚାଲିକୁ ଗାନ୍ଧୀ ନାଁ ଦେଇଥିଲେ ‘କସରତ୍ କୀ ରାଣୀ’। ସକାଳେ ବାହାରେ ଚାଲିବା ବେଳେ ଗାନ୍ଧୀ କିନ୍ତୁ କେବେ ଏକାକୀ ଯାଆନ୍ତି ନାହିଁ। ସାକ୍ଷାତ କରିବାକୁ ଆସିଥିବା କୌଣସି ଜଣେ ବିଶିଷ୍ଟ ଅତିଥିଙ୍କୁ ଗାନ୍ଧୀଙ୍କ ସହ ପ୍ରାତଃ ଭ୍ରମଣରେ ଯିବାକୁ ସୁଯୋଗ ମିଳିଥାଏ। ନିୟମିତ ପ୍ରାତଃ ଭ୍ରମଣ ଓ ପଦଯାତ୍ରା ଯୋଗୁଁ ଯେ ଗାନ୍ଧୀଙ୍କର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ଥିଲା ଏବଂ କୌଣସି ଔଷଧ ନ ଖାଇ ବି ରକ୍ତ ସର୍କରା ସ୍ୱାଭାବିକ ଥିଲା, ଏ ତଥ୍ୟ ଏବେ ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ତାଙ୍କର ‘ଗାନ୍ଧୀ ଆଣ୍ଡ ହେଲ୍‌ଥ@୧୫୦’ ପତ୍ରିକାରେ ଦେଇଛନ୍ତି।

ଗାନ୍ଧୀଙ୍କର ସକାଳ ‘କୁର୍ନେସ୍ନାନ’ର ବେଶୀ ଚର୍ଚ୍ଚା ଥିଲା ଇଂଲଣ୍ଡରେ। ଗାନ୍ଧୀ ପ୍ରତିଦିନ ଥଣ୍ଡା ଓ ଗରମ ପାଣିରେ ଗାଧୋଉଥିଲେ। ଗାଧୋଇବା ପୂର୍ବରୁ ତେଲ ଲଗାଉଥିଲେ। ସେ ତେଲରେ ଲେମ୍ବୁ ରସ ମିଶିଥାଏ। ଶୀତ ଦିନେ ସୋରିଷ ତେଲ ଏବଂ ଖରାଦିନେ ନଡ଼ିଆ ତେଲ ବ୍ୟବହାର କରୁଥିଲେ ଗାନ୍ଧୀ। ସେ କେବେ ସାବୁନ ଲଗାଉ ନ ଥିଲେ। ଛୋଟ ଘଷା ପଥରଟିଏରେ ନିଜ ପାଦ ସଫା କରି ଦେଉଥିଲେ। ଏ ଥିଲା ଗାନ୍ଧୀଙ୍କର ପୂର୍ବାହ୍‌ଣ ଦିନଚର୍ଯ୍ୟା।
ଗାନ୍ଧୀଜୀଙ୍କର ରାଜନୈତିକ ବା ସାମାଜିକ ବିଚାର ନେଇ କାହାର ହୁଏତ ମତଭେଦ ଥାଇପାରେ, କିନ୍ତୁ ଗାନ୍ଧୀଙ୍କ ଜୀବନଶୈଳୀରୁ ପ୍ରାୟ ସମସ୍ତଙ୍କ ପାଇଁ ଅନେକ କିଛି ଶିଖିବାର ଅଛି।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର