ଗୁଜୁରାଟର ମୋର୍ବି ଝୁଲା ପୋଲ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଦୁର୍ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଦଣ୍ଡ ଦିଆଯାଉ। ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଅମୂଲ୍ୟ ଜୀବନକୁ ବଞ୍ଚାଇଛନ୍ତି, ସେମାନେ ପ୍ରଶଂସନୀୟ ଏବଂ ସମ୍ମାନ ପାଇବାର ଯୋଗ୍ୟ। ଆମ ଦେଶରେ ଏଭଳି ଦୁର୍ଘଟଣାମାନ ଘଟିବା ପରେ କିଛି ସମୟ ପର୍ଯ୍ୟନ୍ତ ହଇଚଇ ହୁଏ। ତା’ ପରେ ସମସ୍ତେ ତାହା ଭୁଲି ଯାଆନ୍ତି। ଏଭଳି ଦୁର୍ଘଟଣା ଲାଗି ଛୋଟକାଟିଆ ଲୋକଙ୍କୁ ଗିରଫ କରାଯାଏ ବା ସେମାନଙ୍କୁ ଚାକିରିରୁ ବାହାର କରି ଦିଆଯାଏ, ବଡ଼ବଡ଼ିଆମାନଙ୍କ ଦେହରେ ଧୂଳିମଳି ଲାଗେ ନାହିଁ।

Advertisment

ସେଥି ଲାଗି ବାରମ୍ବାର ଏମିତି ଘଟଣା ଘଟୁଛି। ନିକଟରେ ଦକ୍ଷିଣ କୋରିଆରେ ଏକ ‘ହାଲୋୱିନ୍’ ‌େଶାଭାଯାତ୍ରା ଚାଲିଥିବା ବେଳେ ଦଳାଚକଟା ହୋଇ ଦେଢ଼ ଶହ ଲୋକ ପ୍ରାଣ ହରାଇଲେ। ସେଥିଲାଗି କାର୍ଯ୍ୟାନୁଷ୍ଠାନ କ’ଣ କରାଯିବ, ତାହା ତ ପଛ କଥା; ବଡ଼ କଥା ହେଲା ଏଥି ସକାଶେ ଦକ୍ଷିଣ କୋରିଆର ପୁଲିସ ମୁଖ୍ୟ, ମନ୍ତ୍ରୀ ଇତ୍ୟାଦି ସମସ୍ତେ ନତଜାନୁ ହୋଇ ଦେଶ ସମକ୍ଷରେ କ୍ଷମା ଭିକ୍ଷା କଲେ ଏବଂ ସ୍ବୀକାର କଲେ ଯେ ଏହି ଦୁର୍ଘଟଣା ଲାଗି ‌େସମାନେ ଦାୟୀ। ଏକଦା ଏକ ରେଳ ଦୁର୍ଘଟଣା ଲାଗି ଦୋଷ ନିଜ ଉପରକୁ ନେଇ ଲାଲ ବାହାଦୁର ଶାସ୍ତ୍ରୀ ଇସ୍ତଫା ଦେଇଥିଲେ।

ଏବେ ସେମିତି ହେବାର ଉଦାହରଣ ନାହିଁ। ଅବଶ୍ୟ, ଏଭଳି ଉଦାହରଣ ମଧ୍ୟ ଅନାବଶ୍ୟକ। କାରଣ ସେମିତି ହେଲେ ଦେଶରେ କୌଣସି ମନ୍ତ୍ରୀ ଦୁଇ ମାସରୁ ଅଧିକ କାଳ ତିଷ୍ଠି ରହି ପାରିବେ ନାହିଁ। କିନ୍ତୁ ମନ୍ତ୍ରୀ ବା ଅଧିକାରୀମାନେ ଦୋଷ ସ୍ବୀକାର କରି କ୍ଷମା‌ ପ୍ରାର୍ଥନା ତ କରିପାରିବେ!

ଏହା ସେମାନଙ୍କ ଦାୟ ବୃଦ୍ଧି କରନ୍ତା। କିନ୍ତୁ ଆମର ଏଠାରେ କେବଳ ରାଜନୀତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗର ପୋଲ ଭୁଶୁଡ଼ିବା ନେଇ କ’ଣ କହିଥିଲେ, ତା’ର ଚର୍ଚ୍ଚା!
ଜୟ ପଧାନ
ବାଞ୍ଜିପାଳି, ବରଗଡ଼