ଏବେ ପଦ୍ମପୁର ପରୀକ୍ଷା

ଧାମନଗର ଉପନିର୍ବାଚନର ଫଳାଫଳ ଓଡ଼ିଶା ବିଧାନସଭାର ଗଣିତକୁ ପ୍ରଭାବିତ କରିବାର ଅବକାଶ ନାହିଁ। ପୂର୍ବରୁ ଏହି ଆସନଟି ଭାରତୀୟ ଜନତା ପାର୍ଟି ଖାତାରେ ରହିଥିଲା ଏବଂ ଉପନିର୍ବାଚନରେ ସେହି ଆସନଟିକୁ ଏହି ଦଳ ବଜାୟ ରଖିଲା। ଆଲୋଚ୍ୟ ଉପନିର୍ବାଚନଟି ପୁଣି ନିର୍ବାଚନମଣ୍ଡଳୀର ପ୍ରତିନିଧି ବିଷ୍ଣୁ ସେଠୀଙ୍କ ବିୟୋଗଜନିତ କାରଣରୁ ହୋଇଥିବାରୁ ଏବଂ ଏଥିରେ ସ୍ବର୍ଗତ ବିଧାୟକଙ୍କ ପୁତ୍ର ବିଜେପିର ପ୍ରାର୍ଥୀ ହୋଇଥିବାରୁ ତାଙ୍କ ସପକ୍ଷରେ ସହାନୁଭୂତି ରହିବା ସ୍ବାଭାବିକ। ଏହିସବୁ କାରଣରୁ ଉପନିର୍ବାଚନର ଫଳାଫଳ ନେଇ ବିଜୁ ଜନତା ଦଳର ସଭାପତି ବିଚଳିତ ହେବାର ବିଶେଷ କାରଣ ନାହିଁ। ଏତଦ୍‌ଭିନ୍ନ ଏହି ବିଫଳତାର ଆଉ ଗୋଟିଏ ସକାରାତ୍ମକ ଦିଗ ମଧ୍ୟ ରହିଛି। କ୍ରମାଗତ ସଫଳତା ଜଣକୁ ଦାୟିତ୍ବଶୂନ୍ୟ ଆତ୍ମତୃପ୍ତି ଆଡ଼କୁ ମୁହାଇଁ ନେଉଥିବା ବେଳେ ସାମୟିକ ବିଫଳତା ଦାୟିତ୍ବପୂର୍ଣ୍ଣ ଆତ୍ମସଚେତନତା ଆଡ଼କୁ ତାକୁ ଭିଡ଼ି ଆଣିଥାଏ। ବିଜୁ ଜନତା ଦଳ ଧାମନଗର ଉପନିର୍ବାଚନର ପରିଣତିକୁ ଏହି ଦୃଷ୍ଟିରେ ବିଚାର କରି ଆତ୍ମସମୀକ୍ଷା କଲେ ତାହାର ପରିଣତି ଦଳ ପାଇଁ ଶୁଭଙ୍କର ହେବ।

ଉପର୍ଯ୍ୟୁକ୍ତ ମନ୍ତବ୍ୟ ସତ୍ତ୍ବେ ଧାମନଗର ଉପନିର୍ବାଚନର ଫଳାଫଳ ନେଇ ରାଜ୍ୟ ସହିତ ଜାତୀୟ ଗଣମାଧ୍ୟମ ବିଶେଷ ଉତ୍ସୁକତା ଦେଖାଇଛନ୍ତି। ଏହାର କାରଣ ହେଲା ୨୦୦୯ ମସିହା ପରେ, କୌଣସି ଉପନିର୍ବାଚନରେ ବିଜୁ ଜନତା ଦଳ ହାରି ନ ଥିଲା। ଯଦି କେବଳ ସହାନୁଭୂତି ହିଁ ନିର୍ବାଚନ ପରିଣତିର ନିୟାମକ ହୋଇଥାଆନ୍ତା ତାହାହେଲେ ବାଲେଶ୍ବର ଆସନଟିକୁ ବିଜେଡି ଭାରତୀୟ ଜନତା ପାର୍ଟି ହାତରୁ ଛଡ଼େଇ ଆଣିପାରିନଥାନ୍ତା। ଏହି ପ୍ରସଙ୍ଗଟି ହିଁ ବର୍ତ୍ତମାନ ଅଧିକ ଚର୍ଚ୍ଚାର ବସ୍ତୁ ପାଲଟିଛି, କାରଣ ବିଜୁ ଜନତା ଦଳର ନିର୍ବାଚନ ରଣକୌଶଳ ଯେ ଅବ୍ୟର୍ଥ ଏବଂ ଅପ୍ରତିହତ ଏହି ମିଥ୍‌ଟିକୁ ଧାମନଗର ଭାଙ୍ଗି ଦେଇଛି। ନିର୍ବାଚନୀ ଆଘାତ ଅପେକ୍ଷା ମନସ୍ତାତ୍ତ୍ବିକ ଆଘାତ ବିଜୁ ଜନତା ଦଳର ନିର୍ବାଚନ ମ୍ୟାନେଜରମାନଙ୍କୁ ଅଧିକ ଆହତ କରିଥିବା ସୁସ୍ପଷ୍ଟ। ଏହି ସବୁ କାରଣରୁ ବିଜୁ ଜନତା ଦଳ ପକ୍ଷେ ଆତ୍ମସମୀକ୍ଷାର ଅଧିକ ପ୍ରୟୋଜନ। ପ୍ରାର୍ଥୀ ମନୋନୟନ ଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା, ମିଶନଶକ୍ତି ଗୋଷ୍ଠୀର ସଦସ୍ୟାମାନଙ୍କ ଉପରେ ନିର୍ଭର କରିବା ନା ଜିଲ୍ଲା ବାହାରର ତାରକା ପ୍ରଚାରକମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା କେଉଁଟି ପରାଜୟ ପାଇଁ ବେଶି ଦାୟୀ ତାହାର ଅନାସକ୍ତ ସମୀକ୍ଷା ଆବଶ୍ୟକ। ନିର୍ବାଚନ ଫଳାଫଳ ଆସିବା ପରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନଙ୍କର ସନ୍ଦିଗ୍‌ଧ ନିରବତା ସେମାନଙ୍କ ବିସ୍ମୟ ଭାବର ମୁଖର ଚେହେରା ପ୍ରକଟ କରୁଅଛି।

ଗୋଟେ ପକ୍ଷରେ ଭାରତୀୟ ଜନତା ପାର୍ଟିର ତୁଙ୍ଗନେତାଙ୍କ ଠାରୁ ନେଇ ଜିଲ୍ଲା ସ୍ତରର ନେତାମାନେ ଆନନ୍ଦ ପ୍ରକାଶ କରି ବିବୃତି ଦେଉଥିବା ବେଳେ ଅନ୍ୟ ପକ୍ଷରେ ଶାସକ ଦଳ ନେତାମାନଙ୍କର ପ୍ରାୟ-ନିରବତା ‘ସଫଳତାର ଅନେକ ଜନକ, ମାତ୍ର ବିଫଳତା ଏକ ଛେଉଣ୍ଡ ଛୁଆ’ ଅତିରିକ୍ତ ଦଳ ଭିତରେ ଆତ୍ମବିଶ୍ବାସର ମୂଳ ଦୋହଲି ଯାଇଥିବା କଥା ପ୍ରମାଣିତ କରୁଛି। ଏହା ପୂର୍ବରୁ ଅନ୍ୟ କୌଣସି ଉପନିର୍ବାଚନ ଫଳାଫଳ ପରେ ଏପରି ପ୍ରସଙ୍ଗ ଆଲୋଚିତ ହେଉନଥିଲା। ଅନ୍ୟପକ୍ଷରେ ବିଜେଡିର ଯେଉଁ ନେତାମାନେ ନିର୍ବାଚନ ପୂର୍ବରୁ ଦଳର ପ୍ରାର୍ଥୀ ତିରିଶ ହଜାରରୁ ଊର୍ଦ୍ଧ୍ବ ବ୍ୟବଧାନରେ ଜିଣିବେ ବୋଲି ଘୋଷଣା କରିଥିଲେ, ସେମାନେ କେଉଁ ଆଧାରରେ ଏ କଥା କହୁଥିଲେ ତାହା ମଧ୍ୟ ଆଲୋଚିତ ହେଉଅଛି।

ଧାମନଗର ଉପନିର୍ବାଚନର ବିଫଳତା ପାଇଁ ବିଜେଡିର ଯେଉଁ ଯେଉଁ ପଦକ୍ଷେପ ଦାୟୀ ତାହା ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଥିଲା ପ୍ରାର୍ଥୀ ମନୋନୟନ। ଗତ ନିର୍ବାଚନରେ ଅଳ୍ପ ବ୍ୟବଧାନରେ ହାରିଥିବା ଦଳୀୟ ପ୍ରାର୍ଥୀଙ୍କୁ ଏଥର ସୁଯୋଗ ନ ଦେଇ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରାର୍ଥୀ କରିବା ଉଚିତ ପଦକ୍ଷେପ ହୋଇନାହିଁ। ଯେଉଁମାନେ ଏ ପ୍ରକାର ନିଷ୍ପତ୍ତି ନେଇଥିଲେ ସେମାନଙ୍କ ମୁଣ୍ଡ ଭିତରେ ଧର୍ମାନ୍ଧତା ପରି ଏକ ଧରଣା ବସା ବାନ୍ଧିଥିଲା ଯେ ବିଜେଡି ଯାହାକୁ ନାହିଁ ତାହାକୁ ପ୍ରାର୍ଥୀ କରି ଦେଲେ ସୁଦ୍ଧା କ୍ଷତି ନାହିଁ, ସେ ନିର୍ବାଚନ ଜିଣିଯିବ। ପୁଣି ମହିଳା ସ୍ବୟଂ ସହାୟିକାଙ୍କ ବିଜୟ ଏକ ପ୍ରକାର ଅବଧାରିତ। ଏ ପ୍ରକାର ଦାମ୍ଭିକତା ଦଳ ପାଇଁ ଆତ୍ମଘାତୀ ହୋଇଛି। ବର୍ତ୍ତମାନ ସମଗ୍ର ରାଜ୍ୟରେ ବିଦ୍ରୋହୀ ରାଜେନ୍ଦ୍ର ଦାସ ମାନେ ମୁଣ୍ଡ ଟେକିବେ ଏବଂ ଏକଥା ଆଗରୁ ଅନୁମାନ କଲାପରି ଭାରତୀୟ ଜନତା ପାର୍ଟିର ‌ଓଡ଼ିଶା ସଭାପତି ସେମାନଙ୍କ ଉଦ୍ଦେଶ୍ୟରେ ମୁକ୍ତ ଆମନ୍ତ୍ରଣ ଜଣାଇ କହିଛନ୍ତି- ବିଦ୍ରୋହୀମାନଙ୍କ ପାଇଁ ଆମ ଦ୍ବାର ସର୍ବଦା ଉନ୍ମୁକ୍ତ।

୨୦୧୯ ଠାରୁ ସଂଘଟିତ ପାଞ୍ଚଟି ଯାକ ଉପନିର୍ବାଚନରେ ବିଜୁ ଜନତା ଦଳ ଜିଣିଥିଲା। ଏହି ପାଞ୍ଚଟି ମଧ୍ୟରୁ ତିନିଟି କ୍ଷେତ୍ରରେ ଦିବଂଗତ ନେତାଙ୍କ ଉତ୍ତରାଧିକାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା। ଧାମନଗର କ୍ଷେତ୍ରରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପୁରୁଣା ସଦସ୍ୟ ରାଜେନ୍ଦ୍ରଙ୍କୁ ଝୁଲାଇ ରଖି ସବାଶେଷରେ ଟିକେଟରୁ ବଞ୍ଚିତ କରାଯାଇଥିଲା। ବିଜେଡିର ନିର୍ବାଚନ ମ୍ୟାନେଜରମାନଙ୍କ ଏହି ନିଷ୍ପତ୍ତିକୁ ଧାମନଗରବାସୀ ଗ୍ରହଣ କରିନାହାନ୍ତି।
ଏକଥା ନିର୍ବିବାଦୀୟ ଭାବେ ସତ୍ୟ ଯେ ନବୀନ ପଟ୍ଟନାୟକଙ୍କର ନେତୃତ୍ବ ହିଁ ବିଜୁ ଜନତା ଦଳର ସବୁଠାରୁ ମୂଲ୍ୟବାନ ସଂପତ୍ତି। ଏହାସତ୍ତ୍ବେ ସ୍ଥାନୀୟ ପ୍ରସଙ୍ଗଗୁଡ଼ିକର ମଧ୍ୟ ଗୁୁରୁତ୍ବ ରହିଛି। ଧାମନଗର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ଧାମନଗର ଦାୟିତ୍ବ ତାଙ୍କର ଦାୟିତ୍ବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ବର୍ଷ ବର୍ଷ ଧରି ଅବହେଳିତ ମନେ କରୁଥିବା ସମଗ୍ର ଭଦ୍ରକବାସୀଙ୍କ ପାଇଁ ତାହା ଅତି ବିଳମ୍ବରେ ଅତି ଅଳ୍ପ ବୋଲି ଭାରତୀୟ ଜନତା ପାର୍ଟି ନେତାମାନେ ଭୋଟରଙ୍କୁ ବାରମ୍ବାର କହିଥିଲେ।

ଧାମନଗର ପରେ ପଦ୍ମପୁର ଉପନିର୍ବାଚନ ପାଇଁ ଘଣ୍ଟା ବାଜି ସାରିଛି। ଧାମନଗର ଅପେକ୍ଷା ପଦ୍ମପୁର ବିଜେଡି ଓ ବିଜେପି ଉଭୟ ଦଳ ପାଇଁ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ। ବିଜେଡି ହାତରେ ଏଇ ଆସନଟି ଅଛି ଏବଂ ଏହାକୁ ପୁଣି ନିଜ ହାତରେ ରଖିବାକୁ ଏହି ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବ। କୌଣସି କାରଣରୁ ଯଦି ପଦ୍ମପୁର ବିଜୁ ଜନତା ଦଳର ହାତଛଡ଼ା ହୋଇଯାଏ ତାହାହେଲେ ଦଳର କ୍ୟାଡରମାନଙ୍କର ମନୋବଳ ଭାଙ୍ଗିପଡ଼ିବ। ଠିକ୍‌ ସେହି କାରଣରୁ ପଦ୍ମପୁର ଆସନ ଭାରତୀୟ ଜନତା ପାର୍ଟି ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ଯଦି ପଦ୍ମପୁରରେ ପଦ୍ମ ଫୁଟିପାରିବ ତାହା‌େହଲେ, ‘ଧାମନଗରରୁ ସୂର୍ଯ୍ୟୋଦୟ ହୋଇଛି’ ସ୍ଲୋଗାନ ଦେଇଥିବା ଏହି ଦଳର ନେତା ଓ କର୍ମୀମାନେ ବିରାଟ ବଡ଼ ମନସ୍ତାତ୍ତ୍ବିକ ବିଜୟ ହାସଲ କରିବେ। ଧାମନଗରର ବିଫଳତା କଥାରେ ବେଶି ସମୟ ବ୍ୟୟ ନ କରି ବିଜୁ ଜନତା ଦଳ ପଦ୍ମପୁର ନିର୍ବାଚନ ଲାଗି ରଣକୌଶଳ ସ୍ଥିର କରିବା ଆବଶ୍ୟକ। ପ୍ରାର୍ଥୀ ମନୋନୟନ ଠାରୁ ପ୍ରଚାର ପରିଚାଳନା ‌ଇତ୍ୟାଦି ସବୁ କ୍ଷେତ୍ରରେ ବାସ୍ତବବାଦୀ, ବ୍ୟାବହାରିକ ଓ ଫଳପ୍ରସୂ ପନ୍ଥା ନିର୍ଦ୍ଧାରଣ କରିବା ପାଇଁ ବିଜୁ ଜନତା ଦଳ ସୁଖ୍ୟାତ। ଧାମନଗରର କ୍ଷେତ୍ରରେ ଦଳ ପାଖରେ ଯେଉଁ ସହାନୁଭୂତି ବାହାନା-ବିଳାସ ଥିଲା ଦୁର୍ଭାଗ୍ୟବଶତଃ ପଦ୍ମପୁର କ୍ଷେତ୍ରରେ ସେ ବିଳାସ ନ ଥିବାରୁ ବିଜେଡି ଅଧିକ ସତର୍କ ରହିବା ପ୍ରୟୋଜନ।

ସମ୍ବନ୍ଧିତ ଖବର