ଗୋଲମରିଚ ଚାଷୀଙ୍କ ମରମ ଜଳୁଛି କାହିଁକି?

ବଣିଜ ବିଚାର - ପୂର୍ଣ୍ଣେନ୍ଦୁ କର

ଆମ ରୋଷେଇ ଘରେ ଆମ ବ୍ୟଂଜନକୁ ସ୍ବାଦିଷ୍ଠ କରୁଥିବା ଗୋଲମରିଚର ବ୍ୟବହାର କଲା ବେଳେ ଆମ ଦେଶର ଗୋଲମରିଚ ଚାଷୀ କି ବିଚିତ୍ର ସ୍ଥିତିର ସାମନା କରୁଛନ୍ତି, ସେ ବିଷୟରେ କିଛି ଶୁଣିଛନ୍ତି କି? ସେମାନେ ପୃଥିବୀର ସର୍ବଶ୍ରେଷ୍ଠ ଗୁଣମାନର ଗୋଲମରିଚ ଉତ୍ପାଦନ କରନ୍ତି, ଅଥଚ ଅତ୍ୟନ୍ତ ଶସ୍ତା ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇ ବିପୁଳ କ୍ଷତି ସହନ୍ତି। ଏବେ ଆସନ୍ତୁ ଜାଣିବା ତା’ର କାରଣ କ’ଣ?

ଯଦିଓ ଭିଏତନାମ୍ ହେଉଛି ବିଶ୍ୱର ଅଗ୍ରଣୀ ଗୋଲମରିଚ ଉତ୍ପାଦକ (ବିଶ୍ୱ ଉତ୍ପାଦନର ପ୍ରାୟ ୩୫ ପ୍ରତିଶତ) ଭାରତ ଏ ଦିଗରେ ଊଣା ନୁହେଁ; ଏହାର ସ୍ଥାନ ହେଉଛି ବିଶ୍ବର ତୃତୀୟ (ବିଶ୍ବ ଉତ୍ପାଦନର ୧୬ ପ୍ରତିଶତ)। ଗୁଣାତ୍ମକ ମାନ ଆଧାରରେ ଭାରତୀୟ ଗୋଲମରିଚ ହେଉଛି ପୃଥିବୀରେ ଶ୍ରେଷ୍ଠ। ଆମ ଦେଶରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ହେଉଛନ୍ତି ମୁଖ୍ୟ ଗୋଲମରିଚ ଉତ୍ପାଦନକାରୀ ରାଜ୍ୟ। ଭାରତରେ ଉତ୍ପାଦିତ ଗୋଲମରିଚର ପ୍ରାୟ ୮୫-୯୦% ଆମ ଦେଶରେ ହିଁ ଖିଆ ହୁଏ ଏବଂ ମାତ୍ର ୧୫-୨୦% ରପ୍ତାନି କରାଯାଏ। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ଭାରତୀୟ ବଜାରରେ ଗୋଲମରିଚର ମୂଲ୍ୟ ଯେତିକି ବଢ଼ିବ, ଗୋଲମରିଚ ଚାଷୀ ସିଧାସଳଖ ସେତିକି ଉପକୃତ ହେବେ। ତେଣୁ ବିଦେଶୀ ବଜାର ତୁଳନାରେ ଭାରତୀୟ ବଜାର ଉପରେ ହିଁ ଗୋଲମରିଚ ଚାଷୀମାନଙ୍କ ସ୍ଥିତି ନିର୍ଭର କରେ। ସରକାରଙ୍କ ତଥ୍ୟ ଅନୁସାରେ ଭାରତରେ ଗୋଲମରିଚର ଚାହିଦା ବାର୍ଷିକ ୫% ହାରରେ ବଢ଼ିବାରେ ଲାଗିଛି। ‘ଇଣ୍ଡିଆନ ପିପର୍‌ ଏଣ୍ଡ ସ୍ପାଇସ ଟ୍ରେଡ୍‌ ଆସୋସିଏସନ’ର ତଥ୍ୟ ଅନୁସାରେ ୨୦୧୫-୧୬ରେ ଏକ କିଲୋ‌ଗ୍ରାମ ଗୋଲମରିଚର ଦର ଭାରତୀୟ ପାଇକାରୀ (ହୋଲସେଲ୍‌) ବଜାରରେ ଥିଲା ୬୫୫ ଟଙ୍କା। କିନ୍ତୁ ପ୍ରଶ୍ନ ହେଲା ଚାହିଦା ବୃଦ୍ଧି ପାଉଥିବା ସତ୍ତ୍ବେ ଭାରତୀୟ ବଜାରରେ ଗୋଲମରିଚର ଦର‌େର ଧୀରେ ଧୀରେ ହ୍ରାସ ଘଟୁଛି କାହିଁକି? ପରିସଂଖ୍ୟାନ କହେ ଯେ ୨୦୧୮-୧୯ରେ ଗୋଲମରିଚ ଦର କିଲୋ ପିଛା ୩୭୮ ଟଙ୍କାରେ ପହଞ୍ଚିଥିଲା। ଏବେ ପାଇକାରୀ ବଜାରରେ ଏହା କିଲୋ ପିଛା ୩୫୦ରୁ ୪୦୦ ଟଙ୍କା ଦରରେ ବିକ୍ରି ହେଉଛି। କିନ୍ତୁ ଚାଷୀ କହନ୍ତି ଯେ ଉତ୍ତମ ମାନର ଭାରତୀୟ ଗୋଲମରିଚର ଦର ଅତି କମ୍‌ରେ କେଜି ପ୍ରତି ୮୫୦ ଟଙ୍କା ହେବା କଥା।

ଏବେ ଗୋଲମରିଚ ଚାଷ ବିଷୟରେ ଟିକିଏ ଜାଣିବା, ତା’ ପରେ ବ୍ୟବସାୟକୁ ଯିବା। କଥା ହେଲା, ଯେଉଁମାନେ କଫି ଚାଷ କରନ୍ତି ସେଇମାନେ ହିଁ ସେଇ ଜମିରେ ଗୋଲମରିଚ ଚାଷ ବି କରନ୍ତି। କଫି ଗଛ ମଝିରେ ହିଁ ଗୋଲମରିଚ ଗଛ ଲାଗିଥାଏ, କଫି ବଢ଼ିବା ସାଙ୍ଗେ ସାଙ୍ଗେ ଗୋଲମରିଚ ଚାଷ ହେଉଥାଏ। ବୁନ୍ଦା ଜଳସେଚନ ବା ‘ଡ୍ରିପ ଇରିଗେସନ’ ପ୍ରଣାଳୀରେ ଗୋଟେ ଜମିରେ ଦୁଇ ପ୍ରକାର ଫସଲକୁ ଜଳସେଚିତ କରାଯାଇପାରେ। କ୍ଷେତ୍ର ଅନୁଧ୍ୟାନରୁ ଜଣାଯାଏ ଯେ କଫି ଚାଷରେ ଭଲ ଲାଭ ହେଉ ନ ଥିବାରୁ ଚାଷୀମାନେ ଗୋଲମରିଚ ଚାଷରୁ ହିଁ ଲାଭ ପାଆନ୍ତି।

ଆଗରୁ କୁହାଯାଇଛି ଯେ ଆମ ଦେଶରେ ଗୋଲମରିଚ ଉତ୍ପାଦନ ଅଧିକ ହେଉଥିବାରୁ ତାହାର ପ୍ରାୟ ୧୫ ପ୍ରତିଶତ ରପ୍ତାନି ହୋଇଥାଏ। କିନ୍ତୁ ଅନେକ ଜାଣି ବିସ୍ମିତ ହେବେ ଯେ ଆମ ବଜାର ଲାଗି ଗୋଲମରିଚ ମଧ୍ୟ ବିଦେଶରୁ ଆମଦାନି କରାଯାଏ। ଅବଶ୍ୟ, ଏକ ସୂତ୍ର ଅନୁସାରେ ଦେଶ କେତେ ଗୋଲମରିଚ ଆମଦାନି କରିବ, ତାହା ସ୍ଥିର କରାଯାଇଥାଏ। ଦେଶର ଉତ୍ପାଦନ ଅନୁସାରେ ତହିଁରୁ କେତେ ପରିମାଣର ରପ୍ତାନି ଅଗ୍ରିମ ଅଛି ଓ ତହିଁରୁ ଯେତିକି ବଳିଲା, ତାହା ଆଧାରରେ ‌େଦଶର ଚାହିଦାକୁ ଦେଖି ଏକ ହିସାବ ଅନୁସାରେ କେତେ ଆମଦାନି ଆବଶ୍ୟକ ତାହା ନିର୍ଣ୍ଣୟ କରାଯାଏ। ସୁତରାଂ, ୨୦୧୫-୧୬ରେ ଏହି ହିସାବ ଥିଲା ୪,୫୪୫ ଟନ, ୨୦୧୬-୧୭ରେ ୧୦,୫୨୦ ଟନ, ୨୦୧୭-୧୮ରେ ୩,୯୬୨ ଟନ ଏବଂ ୨୦୧୮-୧୯ରେ ୯,୩୯୬ ଟନ; ଅଥଚ ସେହି ସବୁ ବର୍ଷରେ ବିଦେଶରୁ ଆମଦାନି କରାଯାଇଥିଲା ଯଥାକ୍ରମେ ୨୨,୩୧୧ ଟନ, ୨୩,୦୭୬ ଟନ, ୩୧,୩୩୨ ଟନ ଓ ୨୭,୯୨୦ ଟନ। ଏହା ଏକ ବିଚିତ୍ର ସ୍ଥିତି ନୁହେଁ କି? ଏତେ ଅଧିକ ପରିମାଣର ବିଦେଶୀ ଗୋଲମରିଚ (ମୁଖ୍ୟତଃ ଭିଏତନାମ୍ ଏବଂ ଶ୍ରୀଲଙ୍କା) ଆମ ଦେଶ ବଜାରରେ ପଶିବା ଆଶ୍ଚର୍ଯ୍ୟକର ନୁହେଁ କି? ଏହି କାରଣରୁ ବଜାର ଗୋଲମରିଚରେ ଉଛୁଳୁଛି ଏବଂ ତାହା ତୁଳନାରେ ଚାହିଦା କମ୍‌ ଥିବାରୁ ଗୋଲମରିଚ ଦରରେ ହ୍ରାସ ଘଟିଛି। ତେଣୁ ଏହାର କାରଣ କ’ଣ?

ଏହାର କାରଣ ହେଲା କିଛି ଲାଭଖୋର ବ୍ୟବସାୟୀ ଗୋଷ୍ଠୀଙ୍କ ଲୋଭ। ଆଗରୁ କୁହାଯାଇଛି ଯେ ଭାରତୀୟ ଗୋଲମରିଚର ଗୁଣାତ୍ମକ ମାନ ଯେହେତୁ ଉନ୍ନତ, ଏହାର ଦର ଅଧିକ। ତେଣୁ ବିଦେଶର ଅନୁନ୍ନତ ମାନ ଏବଂ ତୁଳନାତ୍ମକ ଭାବେ ସ୍ବଳ୍ପ ମୂଲ୍ୟର ଗୋଲମରିଚ କିଣି ଭାରତୀୟ ବଜାରରେ ଚଢ଼ା ଦରରେ ବିକ୍ରି କରି ମୋଟା ଲାଭ ଅର୍ଜନ କରିବା ଭାରତୀୟ ବ୍ୟବସାୟୀଙ୍କ ଲାଗି ଏକ ସ୍ବାଭାବିକ କଥା। ତେବେ ଏ ସଂଦର୍ଭରେ ଅନ୍ତର୍ଜାତୀୟ ବାଣିଜ୍ୟ ବିଭାଗର ଅନେକ ନିୟମ ରହିଛି; ଯେମିତିକି ବିଦେଶରୁ ଗୋଲମରିଚ ଆମଦାନିରେ ‘ମିନିମମ୍ ଇମ୍ପୋର୍ଟ ପ୍ରାଇସ’ ବା ‘ସର୍ବନିମ୍ନ ଆମଦାନି ଦର’କୁ ୫୦୦ ଟଙ୍କା ରଖାଯାଇଛି, ଯାହାର ଅର୍ଥ ୫୦୦ ଟଙ୍କା ତଳକୁ ଗୋଲମରିଚ ଦେଶ ଭିତରକୁ ପଶିପାରିବ ନାହିଁ। କିନ୍ତୁ, ଏଣେ ଏଥିରେ ବି ଗୋଟିଏ ବଡ଼ କେଁ ରହିଛି; ଯେମିତି କି ଏସୀୟ ରାଷ୍ଟ୍ରମାନଙ୍କ ସହିତ ଭାରତ ସଂପାଦନ କରିଥିବା ‘ଫ୍ରି ଟ୍ରେଡ୍‌ ଏଗ୍ରିମେଣ୍ଟ’ ଅନୁସାରେ କେତେକ ରାଷ୍ଟ୍ର କେତେକ କ୍ଷେତ୍ରରେ ଆମଦାନି କର ଛାଡ଼ର ସୁବିଧା ପାଆନ୍ତି, ଯାହା ଘଟିଛି ଶ୍ରୀଲଙ୍କା ଠାରୁ ଗୋଲମରିଚ ଆମଦାନିରେ। ଅନ୍ୟାନ୍ୟ ଦେଶ ଲାଗି ଗୋଲମରିଚ ଆମଦାନି କର ୫୨% ଥିଲା ବେଳେ ଏହି ‘ଏଗ୍ରିମେଣ୍ଟ’ ମୁତାବକ ଶ୍ରୀଲଙ୍କା ପାଇଁ ଏହି କର ମାତ୍ର ୮ ପ୍ରତିଶତ। କେବଳ ସେତିକି ନୁହେଁ, ଏହି ‘ଏଗ୍ରିମେଣ୍ଟ’ ନିୟମ ମୁତାବକ ଶ୍ରୀଲଙ୍କା ଗୋଲମରିଚ ଉପରେ ୨୦ ହଜାର ଟନ ପର୍ଯ୍ୟନ୍ତ ଭାରତ ଆମଦାନି କର ଆଦୌ ଲଗାଏ ନାହିଁ। ସୁତରାଂ, ଶ୍ରୀଲଙ୍କା ଗୋଲମରିଚର ମୂଲ୍ୟ ଭାରତରେ ଅନ୍ୟ ବିଦେଶୀ ଗୋଲମରିଚ ଦର ତୁଳନାରେ ଅନେକ ଶସ୍ତା।

କିନ୍ତୁ ସମସ୍ୟା ହେଲା ଏହାର ସୁଯୋଗ ନେଇ ଭିଏତନାମ ଶ୍ରୀଲଙ୍କା ବାଟ ଦେଇ ଭାରତରେ ଗୋଲମରିଚ ପ୍ରବେଶ କରୁଥିବାର ସନ୍ଦେହ ଅମୂଳକ ନୁହେଁ। କାରଣ ବିଗତ କିଛି ବର୍ଷ ଭିତରେ ଭାରତ ଦ୍ବାରା ଶ୍ରୀଲଙ୍କାରୁ ଗୋଲମରିଚ କ୍ରୟରେ ୩୦% ବୃଦ୍ଧି ଘଟିଛି, ଯହିଁର ଏକ ବଡ଼ ଅଂଶ ଭିଏତନାମୀ ଗୋଲମରିଚ ହୋଇଥାଇପାରେ। କେବଳ ସେତିକି ନୁହେଁ, ପାଞ୍ଚ ବର୍ଷ ତଳେ ନେପାଳ ମାତ୍ର ୫୦ରୁ ୬୦ ଟନ ଗୋଲମରିଚ ଭିଏତନାମ ଠାରୁ ଆମଦାନି କରୁଥିଲା। କିନ୍ତୁ, ୨୦୨୦ ଠାରୁ ଭିଏତନାମ ଠାରୁ ଗୋଲମରିଚ ଆମଦାନି ପ୍ରାୟ ୫ ହଜାର ଟନ ହେଲାଣି। ତେଣୁ ଏଭଳି ସନ୍ଦେହ ମଧ୍ୟ ପ୍ରକାଶ ପାଉଛି ଯେ ନେପାଳ ଏବଂ ବାଂଲାଦେଶ ଜରିଆରେ ଖରାପ ମାନର ଭିଏତନାମୀ ଗୋଲମରିଚ ଆମ ଦେଶକୁ ପ୍ରବେଶ କରୁଛି। ଏ ନେଇ ଅନେକ ଅଭିଯୋଗ ମଧ୍ୟ ଭାରତ ସରକାରଙ୍କ ପାଖରେ କରାଗଲାଣି। ତେଣୁ ଲାଭଖୋର ବ୍ୟବସାୟୀମାନେ ଅଧିକ ମୁନାଫା ଆଶା‌ରେ ଶସ୍ତା ଅଥଚ ନିକୃଷ୍ଟ ମାନର ଗୋଲମରିଚ ଆଣି ବଜାରରେ ଭରି ଦେଉଥିବାରୁ ବଜାର ଦର କମିବାରେ ଲାଗିଛି। ତେଣୁ ଭାରତୀୟ ଚାଷୀଙ୍କ ଗୋଲମରିଚ ଉନ୍ନତ ମାନର ହୋଇଥିଲେ ସୁଦ୍ଧା ତାହାର ଉଚ୍ଚ ଦର ହେତୁ କେହି କ୍ରେତା ନାହାନ୍ତି। କମ୍‌ ମାନର ଗୋଲମରିଚ ଶସ୍ତାରେ ବିକି ବିଦେଶୀ ଚାଷୀ ଲାଭବାନ ହେଉଛନ୍ତି। କର୍ଣ୍ଣାଟକ ପ୍ରତ୍ୟେକ ବର୍ଷ ପ୍ରାୟ ୩୬ ହଜାର ମେଟ୍ରିକ ଟନ ଗୋଲମରିଚ ଉତ୍ପାଦନ କରେ, ଯାହାର ଦର ଗୋଲମରିଚର ଉତ୍କର୍ଷ ଦୃଷ୍ଟିରୁ କେଜି ପିଛା ୮୫୦ ଟଙ୍କା ହେବା କଥା। କିନ୍ତୁ କେଜି ପିଛା ୫୦୦ ଟଙ୍କାରେ ଆମଦାନି ହେଉଥିବା ଗୋଲମରିଚ ଆଧାରରେ ଚାଷୀଙ୍କର କ୍ଷତି କେଜି ପିଛା ୩୫୦ ଟଙ୍କା; ସୁତରାଂ, କର୍ଣ୍ଣାଟକ ଚାଷୀଙ୍କ ସମୁଦାୟ କ୍ଷତିର ପରିମାଣ ବାର୍ଷିକ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା। ଏହି ସ୍ଥିତି ପ୍ରାୟ ସମସ୍ତ ଗୋଲମରିଚ ଚାଷୀଙ୍କର।

ଏହି ମର୍ମରେ ଆଉ ଏକ ବିଡ଼ମ୍ବନା ଦେଖନ୍ତୁ। ପାର୍ଲିଆମେଣ୍ଟର ତଥ୍ୟ ଅନୁସାରେ ଦେଶରେ ଗୋଲମରିଚର ବାର୍ଷିକ ହାରାହାରି ଉତ୍ପାଦନ ପ୍ରତି ବର୍ଷ ବଢୁଛି। ଯଦି ଦେଶରେ ଉତ୍ପାଦନ ବଢୁଛି ତେବେ ଅର୍ଥନୈତିକ ସୂତ୍ରରେ ଆମେ ଅଧିକ ରପ୍ତାନି କରିବା ଜରୁରୀ। କିନ୍ତୁ ରପ୍ତାନି ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ କୌଣସି ବିଶେଷ ଉଦ୍ୟମ ନାହିଁ। ଏ ପରିପ୍ରେକ୍ଷୀରେ ବିଗତ ପାଞ୍ଚ ବର୍ଷରେ ଦେଶର ରପ୍ତାନି ପରିସଂଖ୍ୟାନକୁ ନଜର ପକାଇଲେ ଜଣାଯିବ ଯେ ୨୦୧୬-୧୭ରେ ଭାରତ ୧୧୪୪ କୋଟି ଟଙ୍କା ମୂଲ୍ୟର ଗୋଲମରିଚ ରପ୍ତାନି କରିଥିଲା। ଅଥଚ ୨୦୨୦-୨୧ରେ ତାହା ମାତ୍ର ୫୭୦ କୋଟି ଟଙ୍କା। ଅନ୍ୟପକ୍ଷରେ ଆମଦାନି ବଢୁଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ କେତୋଟି ପ୍ରଶ୍ନ। ‘ମିନିମମ୍ ଇମ୍ପୋର୍ଟ ପ୍ରାଇସ୍‌’ ୫୦୦ ଟଙ୍କା ସ୍ଥିର ହୋଇଥିବା ବେ‌ଳେ ଆମଦାନିର ପରିମାଣ ଉପରେ କଟକଣା ଲଗା ନ ଯାଇ ଏତେ ବିପୁଳ ପରିମାଣରେ ଗୋଲମରିଚ ବିଦେଶରୁ କିଣାଯାଉଛି କାହିଁକି? କେନ୍ଦ୍ର ସରକାରଙ୍କର ‘ଡିରେକ୍ଟୋରେଟ ଜେନେରାଲ ଅଫ ଫରେନ ଟ୍ରେଡ୍‌’ ବିଭାଗ ପାଖରେ ଏ ସବୁ ତଥ୍ୟ ଥାଇ ମଧ୍ୟ ସରକାର ଏଥି ପ୍ରତି ଆଖି ବୁଜି ଦେଇଛନ୍ତି କାହିଁକି? ଅଧିକରୁ ଅଧିକ ଗୋଲମରିଚ ଆମଦାନି କରୁଥିବା ଏଜେଣ୍ଟମାନଙ୍କ କାରବାରର ସରକାରୀ ଅଡିଟ ହେଉଛି କି? ସରକାର ‘ଆଣ୍ଟି ଡମ୍ପିଂ ଡ୍ୟୁଟି’ କାହିଁକି ଲାଗୁ କରୁନାହାନ୍ତି? ଏ ସବୁର ଉତ୍ତର ମିଳିବା ଆବଶ୍ୟକ। ଉନ୍ନତ ମାନର ଗୋଲମରିଚ ଅଧିକ ମାତ୍ରାରେ ଉତ୍ପାଦନ କରୁଥିବା ସ‌ତ୍ତ୍ବେ ଭାରତୀୟ ଚାଷୀମାନେ ବିପୁଳ କ୍ଷତି ସହିବା ଏକ ମରମ ଜଳା ବିଡ଼ମ୍ବନା ନୁହେଁ କି?
ମୋ: ୯୭୯୧୧୨୧୦୬୮

ସମ୍ବନ୍ଧିତ ଖବର