ଜୱାହର, କମଳା ଓ ମୁସୋଲିନି

ହିରଣ୍ୟ ମହାନ୍ତି

ସେ ଦିନଟି ଥିଲା ୧୯୩୫ ମସିହାର ସେପ୍‌ଟେମ୍ବର ୪ ତାରିଖ। ଆଲମୋଡ଼ା ବନ୍ଦୀଶାଳାରେ ଜଣେ ରାଜଦ୍ରୋହୀ ବନ୍ଦୀ ଭାବରେ ଥାଆନ୍ତି ଜୱାହରଲାଲ ନେହରୁ ଏବଂ ତାଙ୍କ କ୍ରିୟାକଳାପ ଉପରେ ତୀକ୍ଷ୍‌ଣ ନଜର ରଖିଥାଆନ୍ତି ବ୍ରିଟିସ ସରକାର। ହଠାତ୍‌ ବନ୍ଦୀଶାଳାର କର୍ତ୍ତୃପକ୍ଷଙ୍କ ପାଖରେ ସରକାରୀ ଆଦେଶନାମା ପହଞ୍ଚିଲା- ‘ଜୱାହରଲାଲଙ୍କୁ ଖଲାସ କର।’ କାରଣ, ତାଙ୍କ ପତ୍ନୀ କମଳା ନେହରୁଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜର୍ମାନିର ବ୍ଲାକ୍‌ ଫରେଷ୍ଟ’ ଅଞ୍ଚଳର ‘ବାଡେନ୍‌ ୱାଲିଅର’ (Badan wailer) ସାନାଟୋରିଅମ ଠାରେ ଦ୍ରୁତ ଗତିରେ ଅବନତି ଆଡ଼କୁ ମୁହାଁଇଥିଲା।

ଜୱାହର ପ୍ରଥମେ ଆହ୍ଲାବାଦରେ ପହଞ୍ଚି, ବାସି ଦିନ ଇଉରୋପ ଯାତ୍ରା କଲେ। ବିମାନଟି କରାଚୀ, ବାଗଦଦ, କାଇରୋ ଛୁଇଁ ଆଲେକ୍‌ଜାଣ୍ଡ୍ରିଆରେ ପହଞ୍ଚିଲା‌। ଯେଉଁଠାରୁ ଜଳ ଜାହାଜରେ ବ୍ରିଣ୍ଡିସ ଦେଇ ସୁଇଜରଲ୍ୟାଣ୍ଡର ବାସ୍‌ଲେ ବନ୍ଦର ଓ ତା’ ପରେ କିଛି ସମୟର ରହଣି ପରେ ପୁଣି ଯାତ୍ରା ଆରମ୍ଭ କରି ସେପ‌୍‌ଟେମ୍ବର ୯ ତାରିଖ ଦିନ ‘ବାଡେନ୍ ୱାଲିଅର’ ଠାରେ ପହଞ୍ଚିଥିଲେ ଜୱାହରଲାଲ, ଭାରତ ଛାଡ଼ିବାର ୫ ଦିନ ପରେ। ଏଇ ଯାତ୍ରା ଅବଧି‌େର ଜୱାହରଙ୍କ ହୃଦୟ ଆଶଙ୍କା, ଉଦ୍‌ବେଗ, ଦୁଶ୍ଚିନ୍ତା ଓ କୋହରେ ଭରା ଥିଲା।

ସାନାଟୋରିଅମରେ ଶଯ୍ୟା ଉପରେ ସ୍ଥବିର ପଦାର୍ଥଟିଏ ପରି ସ୍ଥିର ଭାବରେ ପଡ଼ି ରହିଥିଲେ କମଳା! ରୁଗ୍‌ଣ ଓ ଶୀର୍ଣ୍ଣା କମଳା କଡ଼ ଲେଉଟାଇ ପାରୁ ନ ଥିଲେ। କିନ୍ତୁ ସ୍ବାମୀଙ୍କୁ ସମ୍ମୁଖରେ ଦେଖି ତାଙ୍କ ଅଧର କୋଣରେ ଝଲସି ଉଠିଲା ଏକ ସ୍ମିତ ହାସ୍ୟ। ଜୱାହରଲାଲ ଆବେଗ ଅଭିଭୂତ ହୋଇଗ‌େଲ। ତାଙ୍କ ଚକ୍ଷୁରୁ ଅବାରିତ ଅଶ୍ରୁ ଧାର ତାଙ୍କର ଗଣ୍ଡ ଦେଶ ଦେଇ ବହି ଯାଉଥିଲା। କମଳାଙ୍କୁ ସେ ସବୁ ଦିନ ଅଳ୍ପ ପାଠୋଈ ଚପଳା ପତ୍ନୀଟିଏ ବୋଲି ଭାବି ଆସିଥିଲେ। ଏହି ମୁହୂର୍ତ୍ତରେ କିନ୍ତୁ ସେ ଜୱାହରଙ୍କ ଭାବନାରେ ଉତ୍ତୀର୍ଣ୍ଣ ହୋଇ ଉଠିଲେ ଜଣେ ବିଦଗ୍‌ଧା ପ୍ରେରଣାଦାତ୍ରୀର ଉଚ୍ଚାସନକୁ। କାଶ୍ମୀରର କନ୍ୟା, କମଳାଙ୍କ ଭିତରେ ଥିଲା ବାରି ନ ହୋଇ ପାରିବା ପରି କାଶ୍ମୀର ସଂସ୍କୃତିର ସ୍ପର୍ଶକାତରତା ଓ ଅହଂ; ପୁଣି ଶିଶୁସୁଲଭ ଚପଳତା, ନିରୀହପଣ ଓ କାଶ୍ମୀରୀ ପଣ୍ଡିତ ପରିବାରର ବେଶ୍‌ କିିଛି ଭାଗ ଗଉଁ। ଜୱାହରଙ୍କ ପରିବାରରେ ବିଭିନ୍ନ ବିଷୟରେ ଆଲୋଚନା ହେଉଥିଲା ବେଳେ ସେ ପ୍ରାୟତଃ ଚୁପ୍‌ ରହୁଥିଲେ; କାରଣ ସେଭଳି ପ୍ରସଙ୍ଗ ଉପରେ ତାଙ୍କର ପ୍ରବେଶ ନ ଥିଲା। ମାତ୍ର ଯେଉଁ ପ୍ରସଙ୍ଗ ବାବଦରେ ତାଙ୍କୁ ଜଣା ଥିଲା, ସେ ନିଃସଂକୋଚରେ ତାହା ଉପରେ ପ୍ରଗଳ୍‌ଭ ଆଲୋଚନା କରୁଥିଲେ ଏବଂ ତାଙ୍କୁ ସେଥିରେ ଉତ୍ସାହିତ କରୁଥିଲେ ଶ୍ବଶୁର ମୋତିଲାଲ ନେହରୁ। କିନ୍ତୁ ସ୍ବାମୀ ଜୱାହରଲାଲ ଏଥି ଲାଗି ତାଙ୍କ ବଡ଼ ପରିବାରର ଅନ୍ୟମାନଙ୍କ ପାଖରେ ବେଳେ ବେଳେ ଅସୁବିଧାରେ ପଡୁଥିଲେ ଏବଂ କମଳାଙ୍କୁ ବୁ‌ଝାଉଥିଲେ। କବିଗୁରୁ ରବୀନ୍ଦ୍ରନାଥଙ୍କର ‘ଚିତ୍ରା’ ନାମକ ନାଟକ ପଢ଼ି କମଳା ସବୁବେଳେ ନିଜକୁ ସ୍ପଷ୍ଟବାଦିନୀ ‘ଚିତ୍ରା’ ବୋଲି ଭାବି ସେମିତି ଆଚରଣ ପ୍ରଦର୍ଶନ କରୁଥିଲେ। ଏଥିପାଇଁ ଜୱାହର ମୁହଁରେ ନ କହିଲେ ବି ଅନ୍ତର ମଧ୍ୟରେ ତାଙ୍କୁ ଭଲ ପାଉଥିଲେ। ଆଜି ସେଇ ପ୍ରିୟତମା ପତ୍ନୀ ଥିଲେ ଆସନ୍ନ ମୃତ୍ୟୁର ଦ୍ବାର ଦେଶରେ।

ସେଠାରେ ପ୍ରଥମେ କିଛି ଦିନ ପରେ ତାଙ୍କ ସ୍ବାସ୍ଥ୍ୟ‌ାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଲା। ଜୱାହରଙ୍କ ପାଇଁ ସେଠାରେ ରହିବାର ସୁଯୋଗ ନ ଥିଲା। ସେ ସାନାଟୋରିଅମ୍‌ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଛୋଟ ହୋଟେଲରେ ରହୁଥିଲେ। ବରଫାଚ୍ଛନ୍ନ ପାହାଡ଼ିଆ ରାସ୍ତା ଅତିକ୍ରମ କରି ତାଙ୍କୁ ପ୍ରତିଦିନ ଦୁଇ ଥର ଯିବା ଆସିବା କରିବାକୁ ପଡୁଥିଲା। ସେହି ସମୟରେ ପ୍ରସିଦ୍ଧ ଲେଖିକା ପର୍ଲ ଏସ୍‌. ବକ୍‌ ସାହିତ୍ୟ ଲାଗି ନୋବେଲ ପୁରସ୍କାର ଲାଭ କରିଥିଲେ। ତାଙ୍କର ଯୁଗାନ୍ତକାରୀ ପୁସ୍ତକ ‘ଦ ଗୁଡ୍‌ ଆର୍ଥ‌୍’ରୁ ପ୍ରତିଦିନ କିଛି ପୃଷ୍ଠା ପଢ଼ି ତାଙ୍କୁ ବୁଝାଇଦେବା ଲାଗି କମଳା ନେହରୁ ସେଇ ଅବସ୍ଥାରେ ମଧ୍ୟ ତାଙ୍କ ସ୍ବାମୀଙ୍କୁ ଅନୁରୋଧ କରୁଥିଲେ। ଜୱାହରଙ୍କ ମୁହଁରୁ ତାହା ଶୁଣି ଶୁଣି କମଳା ଖୁବ୍‌ ଆନନ୍ଦ ଲାଭ କରୁଥିଲେ। ଚୀନର ନିଷ୍ପେଷିତ କୃଷକଙ୍କ ସେହି ମର୍ମଥରା କାହାଣୀ କମଳାଙ୍କ ଚକ୍ଷୁରେ ଲୋତକ ଭରି ଦେଉଥିଲା।

କିଛିଦିନ ପରେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟରେ ବିଲକ୍ଷଣ ପ୍ରକାଶ ପାଇଲା। ୧୯୩୬ ମସିହା ଜାନୁଆରି ମାସ ‌େଶଷ ଭାଗରେ କମଳାଙ୍କୁ ‘ବାଡେନ ୱାଲିଅର’ ସାନାଟୋରିଅମ୍‌ରୁ, ସୁଇଜରଲ୍ୟାଣ୍ଡର ‘ଲୁସାନେ’ ସାନାଟୋରିଅମକୁ ସ୍ଥାନାନ୍ତର କରାଗଲା। କିନ୍ତୁ ସେଠାରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେପରି କିଛି ଉନ୍ନତି ପରିଲକ୍ଷିତ ହେଲା ନାହିଁ। ସୁତରାଂ, କନ୍ୟା ଇନ୍ଦିରା ‘ବେକ୍‌ସ’ଠାରେ ପଢୁଥିବା ସ୍କୁଲରୁ ପାଠପଢ଼ାରେ ସମାପ୍ତି ଘଟାଇ ମାଆଙ୍କ ସେବାର ଦାୟିତ୍ବ ନେବା ପାଇଁ ବାପାଙ୍କ ସହିତ ମିଶିଥିଲେ। ଫେବ୍ରୁଆରି ୨୮ ତାରିଖ ଦିନ କମଳା ଶେଷ ନିଶ୍ବାସ ତ୍ୟାଗ କଲେ। ସେହି ନିଦାରୁଣ କ୍ଷଣରେ ଏହି ବିଶିଷ୍ଟ ଜନନାୟକଙ୍କୁ ସାନ୍ତ୍ବନା ଦେବାକୁ ପାଖରେ ଥିଲେ କେବଳ ତାଙ୍କର କନ୍ୟା ଇନ୍ଦିରା ପ୍ରିୟଦର୍ଶିନୀ।

‘ଜୱାହରଲାଲଙ୍କ ଜୀବନ ନାଟକର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍କରେ ଯବନିକା ପଡ଼ିବା ପରେ ସେ ଏକାନ୍ତ ନିଃସ୍ବ ଅନୁଭବ କରୁଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ମଣ୍ଟ୍ର୍ୟକ୍‌ସ ଠାରେ ଜୱାହରଲାଲ କିଛି ଦିନ ଲାଗି ବିଶ୍ରାମ ନେଲେ। ଏହି ରହଣି କାଳରେ ଇଟାଲିର ସର୍ବମୟ ଶାସନ କର୍ତ୍ତା ମୁସୋଲିନିଙ୍କ ବ୍ୟକ୍ତିଗତ ସଚିବ କମଳାଙ୍କ ବିୟୋଗ ପାଇଁ ସହାନୁଭୂତି ଜଣାଇ ଲେଖିଥିବା ପତ୍ର ଧରି ପହଞ୍ଚିଥିଲେ ଏବଂ ତାଙ୍କ ସହିତ ସାକ୍ଷାତ ପାଇଁ ନେହରୁଙ୍କୁ ନିମନ୍ତ୍ରଣ ଜଣାଇଥିଲେ। ମାନସିକ ଅବସାଦ କାରଣରୁ ଜୱାହର ମୁସୋଲିନିଙ୍କ ନିମନ୍ତ୍ରଣ ରକ୍ଷା କରି ପାରି ନ ଥିଲେ, କିନ୍ତୁ ଏହି ଏକଛତ୍ରବାଦୀ ଶାସକଙ୍କୁ ଅପ୍ରତିଭ ନ କରିବା ଲାଗି ଏହାର କାରଣ ସ୍ବରୂପ ସଂପର୍କୀୟ ମୃତ୍ୟୁଜନିତ ହିନ୍ଦୁ ପରଂପରାରେ ଥିବା ‘ଅଶୌଚ’କୁ ଆଳ ଭାବେ ଦର୍ଶାଇ ଥିଲେ। ଏହା ପରେ ଉଭୟ ନେତାଙ୍କ ମଧ୍ୟରେ ଟେଲିଫୋନ୍‌ ମାଧ୍ୟମରେ ଦୁଇ ଘଣ୍ଟା କାଳ କଥାବାର୍ତ୍ତା ହୋଇଥିଲା। ଉଭୟଙ୍କ ଆଲୋଚନା ଅନେକ ମତାନ୍ତର ସତ୍ତ୍ବେ ବନ୍ଧୁତ୍ବପୂର୍ଣ୍ଣ ହୋଇଥିଲା। ଶେଷର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦର୍ପୀ ମୁସୋଲିନ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଜୱାହରଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ଲାଗି ପର ଦିନ ବିମାନଘାଟୀକୁ ପଠାଇ ଥିଲେ।
ମୋ: ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର