ଈଶ୍ବର ମୋତେ ଦେଉଥିବା କଷ୍ଟ ବିଷୟରେ ଆପଣଙ୍କୁ କହି ସାରିବା ପରେ ସବୁ ଶୁଣି ଆପଣ ଈଶ୍ବରଙ୍କୁ ନ୍ୟାୟବାନ ବୋଲି କହିପାରୁଛନ୍ତି କେମିତି?

Advertisment

ଜଣେ ସାଧୁଙ୍କୁ ଅତି ବ୍ୟଥିତ ହୋଇ ପ୍ରଶ୍ନ କଲେ ଜଣେ ଦୁର୍ଭାଗ୍ୟପୀଡ଼ିତ ବ୍ୟକ୍ତି। ସାଧୁ କହିଲେ- ଏହାର ଉତ୍ତର ମୁଁ ଦେବି ନାହିଁ। ଆପଣଙ୍କ ଗାଁର ଜଣେ ବ୍ୟକ୍ତି ଦେବେ। ଏବେ ମୋ ପଛେ ପଛେ ଆସନ୍ତୁ।
ସେହି ବ୍ୟକ୍ତି ସାଧୁଙ୍କ ପଛେପଛେ ଚାଲିଲେ। ଦୁହେଁ ଗାଁର ଶେଷ ମୁଣ୍ତରେ ଥିବା ଏକ ଦଦରା କୁଡ଼ିଆରେ ପହଞ୍ଚିଲେ। ସାଧୁଙ୍କ ଡାକରାରେ ଗୃହକର୍ତା ବାହାରିଲେ। ସାଧୁ ତାଙ୍କ ସହିତ ଯାଇଥିବା ସେହି ବ୍ୟକ୍ତିଙ୍କୁ କହିଲେ- ଆପଣ ତ ଏହାଙ୍କୁ ଜାଣିଥିବେ? ୟେ ଆପଣଙ୍କ ଗାଁର ଜଣେ ବ୍ୟକ୍ତି। ମୋ ମତରେ ଏହାଙ୍କ ଠାରୁ ଦୁର୍ଭାଗା ଲୋକ ଆପଣଙ୍କ ଗାଁରେ କେହି ନଥିବେ। ଏହାଙ୍କ ସହିତ ଏମିତି ଦୁର୍ଭାଗ୍ୟଜନକ ଘଟଣା ମାନ ଘଟୁଛି ଓ ଘଟି ଚାଲିଛି ଯାହା ଆଉ କାହା ଭାଗ୍ୟରେ ଘଟିନାହିଁ କି ଘଟିବ ନାହିଁ। ତଥାପି ୟେ ଭଗବାନଙ୍କୁ ନ୍ୟାୟବାନ ବୋଲି କହନ୍ତି। ଏବେ ଏହାଙ୍କୁ କାରଣଟି କ’ଣ ବୋଲି ପଚାରନ୍ତୁ।

ଏହା ଶୁଣି ଗୃହକର୍ତା ଜଣକ କହିଲେ- କଥାଟି ଏମିତି, ଭଗବାନ ମୋ ଉପରେ ବିପତ୍ତି ଅଜାଡ଼ି ଦେବା ଯୋଗୁଁ ମୋ ପାଖରେ ଯେତିକି ସହନଶୀଳତା ଓ ଧୈର୍ଯ୍ୟ ଜାତ ହୋଇଛି, ତାହା ଆମ ଗାଁର ଆଉ କାହା ପାଖରେ ନାହିଁ। ମୁଁ ଭାବେ ମୋତେ ଦୃଢ଼ କରିବା ଲାଗି ୟେ ଈଶ୍ବରଙ୍କ ଭିଆଣ। ଏ କଷ୍ଟ ଆଉ କାହା ଭାଗ୍ୟରେ ଥିଲେ ମୁଁ ସେ ସୁଯୋଗ ପାଇଥାଆନ୍ତି କି? ଏବେ ମୁଁ ଉଭୟ ଶାରୀରିକ ଓ ମାନସିକ ଭାବେ ଏତେ ଶକ୍ତ ଯେ ମୋତେ କୌଣସି ବିପତ୍ତି ଭୟ ଦେଇ ପାରିବ ନାହିଁ। ମୁଁ ଏଭଳି ବିଜୟୀ ହେଲି କେମିତି?