ଶିରୋନାମା ଶିକାର

ନିକଟରେ ‘ଇଣ୍ତିଆ ଟୁଡେ କନ୍‌କ୍ଲେଭ୍‌’ରେ ସମାଜତତ୍ତ୍ବବିତ୍‌, ଜନ-ବିଦ୍ବାନ ଏବ˚ ସିଡ୍‌ନି ବିଶ୍ବବିଦ୍ୟାଳୟର ପ୍ରଫେସର ସାଲଭାଟର ବେବେନସଙ୍କ ଦ୍ବାରା ପ୍ରଦତ୍ତ ଏକ ବକ୍ତବ୍ୟ ବିବାଦ ସୃଷ୍ଟି କରିଛି; ଯାହା କହିଥାଏ ଯେ ବିଭିନ୍ନ ‘ବିଶ୍ବ ମାନ୍ୟତା ସୂଚକାଙ୍କ’ ତାଲିକାଗୁଡ଼ିକରେ ଭାରତର ନୈରାଶ୍ୟଜନକ ସ୍ଥିତି ପଛରେ ଏକ ବଡ଼ କାରଣ ହେଉଛି ବିଦେଶ ନିବାସୀ ଭାରତୀୟ ‘ଇଣ୍ଟେଲେକ୍‌ଚୁଆଲ’ ବା ବିଦ୍ବାନମାନେ ପୋଷଣ କରୁଥିବା ପୂର୍ବାଗ୍ରହ ଜର୍ଜର ଭାରତ ବିରୋଧୀ ଧାରଣା, ଯେଉଁମାନଙ୍କୁ ରିପୋର୍ଟ ପ୍ରସ୍ତୁତକାରୀ ଅନୁଷ୍ଠାନଗୁଡ଼ିକ ବିଶେଷଜ୍ଞ ରୂପେ ଗ୍ରହଣ କରିଥାନ୍ତି। କହିବା ଅନାବଶ୍ୟକ ଯେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଧାରଣ କରୁଥିବା ମତ ସହିତ ବେବେନସଙ୍କ ମନ୍ତବ୍ୟ ମେଳ ଖାଇଯାଇଥାଏ। ସୁତରା˚, ଏହା ସ୍ବାଭାବିକ ଯେ ଏଭଳି ମନ୍ତବ୍ୟ ସରକାରଙ୍କ ଲାଗି ଅଶେଷ ତୃପ୍ତିର କାରଣ ହୋଇଥିବ; ଯେଉଁ କାରଣରୁ ଏକ ଭୟ ପ୍ରକାଶ ପାଇଥାଏ ଯେ ଏମିତି ହେଲେ ଦୁର୍ବଳ ଦିଗଗୁଡ଼ିକୁ ତର୍ଜମା କରି ସ୍ଥିତିରେ ଉନ୍ନତି ସାଧନ କରିବାର ଉଦ୍ୟମରେ ଶିଥିଳତା ସୃଷ୍ଟି ହୋଇପାରେ!

କାରଣ, ଏଭଳି ସମସ୍ତ ରିପୋର୍ଟ ଯେ ଭାରତ ବିରୋଧୀ ପୂର୍ବାଗ୍ରହ ଦ୍ବାରା କଳୁଷିତ, ତାହା ମଧୢ ନୁହେଁ! କିନ୍ତୁ, ସମସ୍ତ ମାନ୍ୟତା ତାଲିକାଗୁଡ଼ିକୁ ସହଜରେ ବିଶ୍ବାସ କରିଗଲା ବେଳେ ଏହା ପଛରେ ରହିଥିବା ଅଭିସନ୍ଧିର ପ୍ରେତ-ଛାୟାକୁ ନଜରଅନ୍ଦାଜ କରିଯିବା ଏବ˚ ଆବଶ୍ୟକତା ସ୍ଥଳେ ପ୍ରଶ୍ନ ନ ଉଠାଇବା ମଧୢ ଅପରିପକ୍ବତା।

ଏହି ପରିପ୍ରେକ୍ଷୀରେ ପ୍ରଥମେ ଏକ ଗମ୍ଭୀର ଗବେଷଣା-ସମ୍ଭୂତ ଏବ˚ ବିଶେଷଜ୍ଞ-ପରୀକ୍ଷିତ ରିପୋର୍ଟ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ, ଯାହା ୨୦୨୧ ମସିହାରେ ‘ଇଣ୍ତିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମାସ୍‌ କମ୍ୟୁନିକେସନ’ ଦ୍ବାରା ପ୍ରକାଶିତ ସମ୍ମାନାସ୍ପଦ ଜର୍ନାଲ ‘କମ୍ୟୁନିକେଟର’ରେ ଆତ୍ମପ୍ରକାଶ କରିଥିଲା। ଏଥିରେ ଏହାର ପ୍ରସ୍ତୁତକର୍ତ୍ତା ଅମୋଲ ପାର୍ଥ ‘ନ୍ୟୁୟର୍କ ଟାଇମ୍‌ସ’, ‘ଵାସି˚ଟନ ପୋଷ୍ଟ୍’, ‘ଦ ଵାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ’, ‘ଟାଇମ୍‌’, ‘ଦ ଗାର୍ଡିଆନ୍‌’ ଭଳି ବିଦେଶରେ ପ୍ରକାଶିତ ଅନେକ ଆନ୍ତର୍ଜାତିକ ଖ୍ୟାତିସ˚ପନ୍ନ ଇ˚ରେଜୀ ଖବରକାଗଜରେ ୨୦୧୯ରୁ ୨୦୨୧ ମସିହା ମଧୢରେ ପ୍ରକାଶିତ ପ୍ରାୟ ୩,୫୦୦ଟି ସମ୍ବାଦ, ସ˚ପାଦକୀୟ ମତ ଏବ˚ ଆଲେଖ୍ୟଗୁଡ଼ିକର ଅନୁଶୀଳନ କରି ଏକ ଧାରା ଆବିଷ୍କାର କରିଥିଲେ ଯେ ‘ଶିରୋନାମା ଶିକାର’ ଉଦ୍ଦେଶ୍ୟରେ ଏହି ସବୁ ଲେଖାର ଶୀର୍ଷକରେ ‘ଆତଙ୍କ’, ‘ହିଂସା’, ‘ଦଙ୍ଗା’, ‘ହିଂସ୍ର ଭିଡ଼’, ‘ହିନ୍ଦୁ’, ‘କାଶ୍ମୀର’ ଇତ୍ୟାଦି ଭଳି କେତେକ ଶବ୍ଦ ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହୃତ ହୋଇଛନ୍ତି ଏବ˚ ଭାରତ ବିରୋଧୀ

ଆଭିମୁଖ୍ୟଧାରୀ ଲେଖକ-ଲେଖିକାମାନଙ୍କୁ ସେ ସବୁ ପତ୍ରିକାରେ ଲେଖିବା ଲାଗି ସର୍ବାଧିକ ସୁଯୋଗ ମିଳିଛି, ଯେଉଁମାନେ ଅଧିକା˚ଶ ସ୍ଥଳେ ଗଭୀରତାକୁ ପ୍ରବେଶ ନ କରି ଉପରଠାଉରିଆ ମତ ଓ ନିଷ୍କର୍ଷମାନ ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ, ଏ ସବୁ ଖବରକାଗଜର ‘ଡିଜିଟାଲ ସ˚ସ୍କରଣ’ଗୁଡ଼ିକୁ ଅନୁଧୢାନ କରି ସେ ଆବିଷ୍କାର କରିଛନ୍ତି କିଭଳି ୨୦୧୯ରୁ ୨୦୨୧ ମସିହା ପର୍ଯ୍ୟନ୍ତ ସମୟ ଖଣ୍ତ ମଧୢରେ ବିଶ୍ବର ସର୍ବତ୍ର ‘ନ୍ୟୁୟର୍କ ଟାଇମ୍‌ସ’ର ପାଠକ ସ˚ଖ୍ୟାରେ ୮% ହ୍ରାସ ଘଟିଥିବା ବେଳେ ଭାରତ ସମ୍ବନ୍ଧୀୟ ବିବାଦୀୟ ଲେଖା ଯୋଗୁଁ ୨୨ ପ୍ରତିଶତ ଅଧିକ ଭାରତୀୟ ପାଠକପାଠିକା ଲାଭ କରିପାରିଥିଲା। ‘ଟାଇମ୍‌’ ପତ୍ରିକା ବା ବି.ବି.ସି. ଭଳି ଅନ୍ୟ ଗଣମାଧୢମ କ୍ଷେତ୍ରରେ ମଧୢ ସେହି ସମାନ ଦୃଶ୍ୟ ଦିଶିଥିଲା। ସୁତରା˚, ଏଥିରୁ ସାଲଭାଟର ବେବେନସଙ୍କ ମନ୍ତବ୍ୟରେ ନିହିତ ସତ୍ୟତା ଉପଲବ୍‌ଧି କରିହୁଏ, କାରଣ ‘ମାନ୍ୟତା ତାଲିକା’ ପ୍ରସ୍ତୁତି ସମୟରେ ଏହି ସବୁ ଭାରତୀୟ ବିଦ୍ବାନଙ୍କ ମତ ଲୋଡ଼ା ଯାଇଥାଏ।

ପ୍ରକାଶ ଥାଉ କି, ନିକଟରେ ଏଭଳି ଏକ ତାଲିକା ପ୍ରକାଶ ପାଇଛି, ଯହିଁରେ ‘ପ୍ରେସ୍‌ ସ୍ବାଧୀନତା’ କ୍ଷେତ୍ରରେ ଭାରତର ସ୍ଥାନକୁ ୧୬୪ଟି ଦେଶ ମଧୢରେ ୧୫୦ରେ ରଖାଯାଇଛି, ଯାହା ଭାରତ ଏ ଯାବତ୍‌ ହାସଲ କରିଥିବା ସର୍ବକାଳୀନ ନିମ୍ନତମ ସ୍ଥାନ। ଏଠାରେ ପ୍ରକାଶଯୋଗ୍ୟ, ‘ରିପୋର୍ଟର୍ସ ସାନ୍‌ସ ଫ୍ରଣ୍ଟିଅର‌୍‌’ (ଆର‌୍‌.ଏସ୍‌.ଏଫ୍‌.) ଭଳି ଏକ ସମ୍ମାନାସ୍ପଦ ଆନ୍ତର୍ଜାତିକ ଅନୁଷ୍ଠାନ ଏହାର ପ୍ରସ୍ତୁତକର୍ତ୍ତା ହୋଇଥିବାରୁ ଏହି ତାଲିକା ସହସା ବିଶ୍ବାସଯୋଗ୍ୟ ହୋଇପଡ଼େ, କିନ୍ତୁ ଏହି ରିପୋର୍ଟ କିଭଳି ଅତ୍ୟନ୍ତ ବିଭ୍ରାନ୍ତିକର ଓ ସତ୍ୟର ଅପଳାପ, ତାହା ଟିକିଏ ଗଭୀର ଦୃଷ୍ଟିରେ ଦିଶିଯାଏ। କାରଣ ଅତ୍ୟନ୍ତ କ୍ରୂର ତଥା କଠୋର ଏକଛତ୍ରବାଦ ଏବ˚ ସ˚ଘର୍ଷ ପ୍ରପୀଡ଼ିତ ଲିବ୍ୟା, ତୁର୍କୀ, ସିଏରା ଲିଓନ, ମାଲେ, କାତାର, ୟୁ.ଏ.ଇ. ଏବ˚ ହଙ୍ଗେରୀ ଭଳି ଅନେକ ରାଷ୍ଟ୍ର ଏହି ତାଲିକାରେ ଭାରତ ତୁଳନାରେ ଅଧିକ ଉଚ୍ଚାସନ ଲାଭ କରିଛନ୍ତି। ସେହି ଭଳି ନିକଟରେ ପ୍ରକାଶିତ ଓ ଭାରତରେ ଆଲୋଡ଼ନ ସୃଷ୍ଟିକାରୀ ‘କ୍ଷୁଧା’ ରିପୋର୍ଟ ବାସ୍ତବରେ ହେଉଛି ‘ପୁଷ୍ଟିହୀନତାର’ ଗୋଟିଏ ଦଲିଲ, ଯାହାକୁ ‘କ୍ଷୁଧା’ ବୋଲି ଅଭିହିତ କରାଯିବା ପଛରେ ‘ଶିରୋନାମା ଶିକାର’ର ଆଗ୍ରହ ରହିଥିବା ଭଳି ମନେ ହୋଇଥାଏ।

ଏହା ସହିତ ପୁଣି ରହିଛି ପରିସ˚ଖ୍ୟାନର ବିଚିତ୍ର ଖେଳ, ଯାହା ଭାରତ ଭଳି ଏକ ଜନାକୀର୍ଣ୍ଣ ରାଷ୍ଟ୍ର ଲାଗି ସମସ୍ୟା ସୃଷ୍ଟି କରିଥାଏ। ଏକ ଉଦାହରଣ ସ୍ବରୂପ, ସ˚ଖ୍ୟା ଦୃଷ୍ଟିରୁ ୨୦୨୧ ମସିହାର ତଥ୍ୟ ଅନୁସାରେ ଭାରତରେ ଘଟୁଥିବା ଦୁଷ୍କର୍ମ (୩୨,୦୩୨) ପୃଥିବୀରେ ତୃତୀୟ ସର୍ବାଧିକ ଏବ˚ ମାତ୍ର ୬୫୦ଟି ଏଭଳି ଘଟଣା ସହିତ ସ୍ବିଡେନ୍‌ର ସ୍ଥିତି ଅତ୍ୟନ୍ତ ଉତ୍ତମ ଭଳି ବୋଧ ହୋଇପାରେ; କିନ୍ତୁ ଜନସ˚ଖ୍ୟା ଅନୁପାତରେ ଦୁଷ୍କର୍ମ ଘଟଣାର ହିସାବ କଲେ ଚିତ୍ର ସ˚ପୂର୍ଣ୍ଣ ଓଲଟି ଯାଇ ଦେଖିବାକୁ ମିଳିଥାଏ ଯେ ସ୍ବିଡେନ୍‌ରେ ଏକ ଲକ୍ଷ ଜନସ˚ଖ୍ୟାରେ ଦୁଷ୍କର୍ମର ହାର ୬୪ (ପୃଥିବୀରେ ସର୍ବାଧିକଙ୍କ ମଧୢରେ ଅନ୍ୟତମ) ହୋଇଥିବା ବେଳେ ଭାରତରେ ଏହା ହେଉଛି ମାତ୍ର ୪.୯। ଏହି କାରଣରୁ ‘କାର୍ବନ’ ନିର୍ଗମନ ଠାରୁ ଆରମ୍ଭ କରି ଆତ୍ମହତ୍ୟା ପର୍ଯ୍ୟନ୍ତ ବିଭିନ୍ନ ସ˚ଦର୍ଭରେ ପରିମାଣ ଏବ˚ ସ˚ଖ୍ୟା ଦୃଷ୍ଟିରୁ ଭାରତର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ହୋଇଥିବା ବେଳେ ଜନସ˚ଖ୍ୟା ଆନୁପାତିକ ପ୍ରତି-ଶତ ବା ପ୍ରତି-ଲକ୍ଷ ହିସାବରେ ଏହା ଅତ୍ୟନ୍ତ ସ୍ବଳ୍ପ ହୋଇଥାଏ। ସୁତରା˚, ବିଭିନ୍ନ ରିପୋର୍ଟମାନଙ୍କରେ ଥିବା ଏଭଳି ବିଡ଼ମ୍ବିତ ପରିସ˚ଖ୍ୟାନଗୁଡ଼ିକୁ ମଧୢ ଗୃଧ୍ର ତୁଲ୍ୟ ନୟନରେ ପଢ଼ିବାର ଆବଶ୍ୟକତା ରହିଛି।

କିନ୍ତୁ ଏଭଳି ସମସ୍ତ ରିପୋର୍ଟ ପଛରେ ଯେ କିଛି ଅଭିସନ୍ଧି ରହିଥିବ; ସେଭଳି ଧାରଣା ବଦ୍ଧମୂଳ ହେବା ମଧୢ ବିପଜ୍ଜନକ। ପ୍ରକାଶ ଥାଉ କି, କେନ୍ଦ୍ର ସରକାର ଏଭଳି ମାନ୍ୟତା ତାଲିକାକୁ ଗମ୍ଭୀରତାର ସହିତ ନେଇ ସମସ୍ୟାଗୁଡ଼ିକର ଆକଳନ ସହିତ ଉପଯୁକ୍ତ ପଦକ୍ଷେପ ନେବା ସକାଶେ ଏକ ବିଭାଗ ଖୋଲିବା ସହିତ ୪୭ ସଦସ୍ୟ ବିଶିଷ୍ଟ ଉଚ୍ଚ କ୍ଷମତା ସ˚ପନ୍ନ ‘ଆନ୍ତର୍ମାନ୍ତ୍ରିକ’ (ଇଣ୍ଟର ମିନିଷ୍ଟରିଆଲ) କମିଟି ଗଠନ କରିଛନ୍ତି। କିନ୍ତୁ ଏହି ଉଦ୍ୟମ ‘ସୂଚନା ସ˚ଗୋପନ’ ଭଳି ସନ୍ଦେହାସ୍ପଦ ପ୍ରକରଣକୁ ପ୍ରଶ୍ରୟ ନ ଦେବା ଉଚିତ। ପ୍ରକାଶ ଥାଉ କି, ‘ବିଶ୍ବ କ୍ଷୁଧା ସୂଚକାଙ୍କ’ରେ ପ୍ରଦତ୍ତ ଭାରତ ସ˚ପର୍କିତ ସୂଚନାମାନ ଭାରତ ସରକାରଙ୍କ ଦ୍ବାରା ପ୍ରସ୍ତୁତ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫’ର କୁପୋଷଣ ସମ୍ବନ୍ଧୀୟ ସୂଚନାମାନ ସହିତ ଅବିକଳ ମେଳ ଖାଇଥାଏ। ଏହା ଭାରତ ସରକାରଙ୍କ ପରିସ˚ଖ୍ୟାନ ପ୍ରଦାନ ଜନିତ ସ୍ବଚ୍ଛତାକୁ ଦର୍ଶାଏ। ଭାରତର ଉଜ୍ଜ୍ବଳ ଭାବମୂର୍ତ୍ତି ପ୍ରତିଷ୍ଠା ସକାଶେ ଏହା ବଳବତ୍ତର ରହିବା ଜରୁରୀ। ସ˚ପ୍ରତି କେତେକ କ୍ଷେତ୍ରରେ ସୂଚନା ଉପଲବ୍‌ଧତାରେ ହ୍ରାସ ଘଟିବା ବା ସୂଚନା ଆଦୌ ଉପଲବ୍‌ଧ ନ ହେବା କାରଣରୁ ସୂଚନା ଗୋପନୀୟ ରଖିବାର ଉଦ୍ୟମ ହେଉଥିବା ନେଇ ଅଙ୍ଗୁଳି ଉଠୁଛି। ଏଭଳି ସନ୍ଦେହ ଦୂର କରିବା ସରକାରଙ୍କ ଏକ ବଡ଼ ଦାୟିତ୍ବ।

ପରିଶେଷରେ ଏ ସ˚ଦର୍ଭରେ ଏକ କ୍ଷୁଦ୍ର କାହାଣୀର ଅବତାରଣା କରାଯାଇପାରେ। ଏକ ବିଚାରାଳୟରେ ଜଣେ ବ୍ୟକ୍ତିଙ୍କ ଚାରିତ୍ରିକ ଦୋଷ ପ୍ରମାଣ କରିବାକୁ ଯାଇ ଓକିଲ ମହାଶୟ ପ୍ରଶ୍ନ କରିଥିଲେ ଯେ ସେହି ବ୍ୟକ୍ତିଙ୍କ ସହିତ ରହୁଥିବା ମହିଳା ଜଣକ ତାଙ୍କ ପତ୍ନୀ ବା ତାଙ୍କ ମା’ ବା ଭଉଣୀ ବା ଝିଅ କି? ଏଭଳି ପ୍ରଶ୍ନରେ ବ୍ୟକ୍ତି ଜଣକ ନାସ୍ତିସୂଚକ ଉତ୍ତର ଦିଅନ୍ତେ ଓକିଲ ଜଣକ ତାଙ୍କ ଚରିତ୍ରଗତ ଦୋଷ ପ୍ରମାଣିତ ହୋଇଗଲା ବୋଲି ନିଷ୍କର୍ଷ ପ୍ରଦାନ କଲେ। ସେହି କ୍ଷଣି ଅଗତ୍ୟା ବିଚାରପତି ମହାଶୟ ପଚାରି ଦେଇଥିଲେ- ତାହା ହେଲେ ସେ ମହିଳା ଆପଣଙ୍କର କ’ଣ ହୁଅନ୍ତି? ଉତ୍ତରରେ ବ୍ୟକ୍ତି ଜଣକ କହିଥିଲେ- ‘ମୋ ଜେଜେମା’। ସେ ଦିନ ବିଚାରପତିଙ୍କ ପ୍ରଶ୍ନ ହିଁ ସତ୍ୟ ଉଜାଗର କରିଥିଲା। କହିବା ବାହୁଲ୍ୟ ଯେ ବର୍ତ୍ତମାନର କିଛି ଅନୁଷ୍ଠାନ ସେହି ଓକିଲଙ୍କ ତୁଲ୍ୟ ଉଦ୍ଦେଶ୍ୟପୂର୍ଣ୍ଣ ଭାବେ ସନ୍ଦେହର ଧୂମପଟଳ ସୃଷ୍ଟି କରି ଶିରୋନାମା ଶିକାର ଲାଗି ଉଦ୍ୟତ। ଏଭଳି ସ୍ଥଳେ ସେହି ବିଚାରପତିଙ୍କ ଭଳି ପ୍ରଶ୍ନ ପଚାରିବା ମଧୢ ଆମ ପକ୍ଷରେ ଅତ୍ୟନ୍ତ ଜରୁରୀ।

ସମ୍ବନ୍ଧିତ ଖବର