କାମଧେନୁର ପ୍ରାୟେ ମହୀ

ବହୁବଚନ - ବିଜୟ ନାୟକ

ମାରିଆ ଓ ସାସା ଦିନେ ତାଙ୍କ ବାପାଙ୍କୁ କହିଲେ, “ବାପା, ତୁମେ ପୃଥିବୀର ସବୁଠାରୁ ବେଶୀ ପ୍ରଭାବଶାଳୀ ନେତା କାରଣ ତୁମେ ଆମେରିକାର ରାଷ୍ଟ୍ରପତି, କିନ୍ତୁ ବାଘମାନଙ୍କୁ ତୁମେ ସୁରକ୍ଷା ଦେଇ ପାରୁନାହଁ? କିଛି କରନା ବାପା, ଭବିଷ୍ୟତରେ ଆମେ ଖାଲି ଚିତ୍ରରେ ବାଘ ଦେଖିବୁ ଯାହା।” ଏହା ଶୁଣି ଓବାମା ଅଭିଭୂତ ହୋଇଗଲେ, ବିଚଳିତ ମଧ୍ୟ। ଛୋଟମାନଙ୍କ କଥାରେ ଏତେ ଗୁରୁତ୍ୱ ଥାଏ ଯେ ତାହା ବଡ଼ମାନଙ୍କୁ ଚକିତ କରେ, ସେମାନଙ୍କ ଚେତନାକୁ ଉଖୁରାଏ। ଏକଥା ଓବାମା ତାଙ୍କ ଆତ୍ମଜୀବନୀ ‘ଏ ପ୍ରମିସ୍‌ଡ ଲ୍ୟାଣ୍ଡ୍‌’ରେ ଉଲ୍ଲେଖ କରିଛନ୍ତି।

କେବଳ ବାଘଭାଲୁ ନୁହନ୍ତି, ସାପବେଙ୍ଗ, କୀଟପତଙ୍କ- ଏ ସଭିଙ୍କର ସଂଖ୍ୟା କମିକମି ଯାଉଛି। ଅରଣ୍ୟରେ ଘୋର ଖାଦ୍ୟାଭାବ। ହାତୀମାନେ କ୍ଷେତଖଳାରେ ପଶି ଖାଦ୍ୟ ଅନ୍ୱେଷଣ କରୁଛନ୍ତି। ଅନେକ ରାଜ୍ୟର ରାଜଧାନୀରେ ହାତୀ ପଲ ପଲ ହୋଇ ରାଲି କଲେଣି। ନଭଶ୍ଚୁମ୍ଭୀ ଅଟ୍ଟାଳିକାଗୁଡ଼ିକ ସମୀପରେ ମହାଦ୍ରୁମମାନେ ବାମନ ପ୍ରାୟେ ପ୍ରତୀୟମାନ ହେଉଛନ୍ତି। ନାନାଜାତିର ଦୁର୍ବା, ଦଳ ଓ ଗୁଳ୍ମାଦିର ବଂଶନାଶ ହୋଇ ସାରିଲାଣି। ମାଛ, କଙ୍କଡ଼ାମାନଙ୍କ ପାଇଁ ନଈନାଳ ଆଉ ସୁରକ୍ଷିତ ସ୍ଥାନ ହୋଇ ରହିନାହିଁ। ସାମୁଦ୍ରିକ ଜୀବମାନେ ଅହରହ ପ୍ରମାଦ ଗଣିଲେଣି। ଆକାଶ ଆଉ ପକ୍ଷୀମାନଙ୍କର କ୍ରୀଡ଼ାଙ୍ଗନ ନୁହେଁ। ଜଳ, ସ୍ଥଳ, ବନ, ଗିରି, ଆକାଶ- ସବୁଠି ମଣିଷକୃତ ଆତଙ୍କର ଛାଇ। ଉଭୟ ପ୍ରାଣୀ ଓ ଉଦ୍ଭିଦ ଜଗତରେ ମୃତ୍ୟୁର ଅଟ୍ଟହାସ୍ୟ। ପ୍ରକୃତିର ‘ତ୍ରାହିମାଂ’ ଆର୍ତ୍ତ ଚିତ୍କାର କିନ୍ତୁ ବିଜ୍ଞାନୀ ମଣିଷର କର୍ଣ୍ଣଭେଦ କରିପାରୁ ନାହିଁ।

ଋତୁମାନେ ପୃଥିବୀଠାରୁ ମୁହଁ କାଢ଼ିନେଲେଣି। ଅନ୍ତତଃ ଋତୁଚକ୍ର ଆବର୍ତ୍ତନ ଦ୍ୱାହିରେ ସେମାନେ ଯଦିବା ଆସୁଛନ୍ତି, ଆସୁଛନ୍ତି ରୁକ୍ଷ ରୂପ ଧାରଣ କରି। ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ତ ବର୍ଷା ଋତୁରେ ମେଘ, ବିଜୁଳିର ତାଣ୍ଡବ। କେତେବେଳେ ଝଡ଼ି ତ କେତେବେଳେ ବଢ଼ି। କେତେବେଳେ ଭୂକମ୍ପ ତ ଆଉ କେତେବେଳେ ଭୂସ୍ଖଳନ। କେବେ ପୁଣି ତୁଷାରପାତ ଅଥବା ତୁଷାରସ୍ଖଳନ। କୋପିତା ପ୍ରକୃତିର କୋପ ପ୍ରକାଶର ଏସବୁ ଭିନ୍ନଭିନ୍ନ ବାହାନା ମାତ୍ର।

ଏସବୁ ବ୍ୟତିକ୍ରମକୁ ବୈଜ୍ଞାନିକମାନେ ପାଣିପାଗ ପରିବର୍ତ୍ତନ ବୋଲି କହୁଛନ୍ତି। ଏହା ଏବେ ବିଜ୍ଞାନୀ ଓ ବିବୁଧ, କବି ଓ କର୍ଣ୍ଣଧାର, ଏପରିକି ସାଧାରଣ ଜନତାଙ୍କ ମନରେ କିଞ୍ଚିତ୍ ଉଦ୍‌ବେଳନ ସୃଷ୍ଟି କଲାଣି। ବିଶ୍ୱ ସମ୍ମିଳନୀରେ ଏ ସମସ୍ତ ବିଷୟରେ ବାରମ୍ବାର ଚର୍ଚ୍ଚା ହେଉଛି। ସମୟୋଚିତ ପଦକ୍ଷେପ ମାଧ୍ୟମରେ ନିର୍ବାକ୍ ବସୁଧାକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପ ଗ୍ରହଣ କରାଯାଉଛି। ରାଷ୍ଟ୍ରମାନଙ୍କ ଦ୍ୱାରା ସେ ଦିଗରେ କିଛି କିଛି ପଦକ୍ଷେପ ଅବଶ୍ୟ ଗ୍ରହଣ କରାଯାଉଛି। କିନ୍ତୁ ସେସବୁ କାର୍ଯ୍ୟ ତ ସମୁଦ୍ରକୁ ଶଙ୍ଖେ ସଦୃଶ।

ଯାଯାବର ମଣିଷ ଯେତେବେଳେ ନଦୀକୂଳରେ ବସତି ସ୍ଥାପନ କଲା, ଶିକାର ମାଧ୍ୟମରେ ଖାଦ୍ୟସଂଗ୍ରହ ଶସ୍ୟ ଉତ୍ପାଦନରେ ରୂପାନ୍ତରିତ ହେଲା। ମଣିଷ ହେଲା ସ୍ଥାୟୀ ବାସିନ୍ଦା। ସେହିଦିନରୁ ମଣିଷ ପ୍ରକୃତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କଲା। ଜଙ୍ଗଲକୁ ଚାଷଜମିରେ ପରିଣତ କଲା। ପ୍ରକୃତିର ସାମ୍ରାଜ୍ୟରେ ମଣିଷର ଏହି ଯେଉଁ ହସ୍ତକ୍ଷେପ, ତାହା ବ୍ୟାପକ ହେଲା ଶିଳ୍ପ ବିପ୍ଳବ ସମୟରେ। ଶିଳ୍ପ ସମାଜ ପ୍ରକୃତିର ସମସ୍ତ ସଂପଦକୁ କେବଳ ଉପଯୋଗ କଲାନାହିଁ, ପ୍ରକୃତିର ସମସ୍ତ ଉତ୍ସକୁ ପ୍ରଦୂଷିତ ମଧ୍ୟ କଲା।

ପୂର୍ବେ ଭୟରେ ମଣିଷ ପ୍ରକୃତିକୁ ସର୍ବଶକ୍ତିମାନ ମନେ କରି ପୂଜାର୍ଚ୍ଚନା କରୁଥିଲା। କିନ୍ତୁ ବୈଜ୍ଞାନିକ ଉଦ୍ଭାବନ ପ୍ରମାଣିତ କଲା ଯେ ପ୍ରକୃତି ଉପରେ ନିୟନ୍ତ୍ରଣ ଜାରି କରିବା ସମ୍ଭବ। କାହିଁ କେଉଁ କାଳରୁ ପ୍ରକୃତି ଉପରେ ଆରୋପିତ ଦୈବୀସତ୍ତା ଅନ୍ଧବିଶ୍ୱାସ ଭାବରେ ବିବେଚିତ ହେଲା। ପ୍ରକୃତିଠାରୁ ମଣିଷ ଧୀରେ ଧୀରେ ଦୂରେଇ ଯିବାକୁ ଲାଗିଲା। ବିଜ୍ଞାନ ମଣିଷକୁ କେବଳ ପ୍ରକୃତିଠାରୁ ଦୂରେଇ ଦେଲା ତା’ ନୁହେଁ, ମଣିଷର ଭୌତିକ ସୁଖସ୍ୱାଚ୍ଛନ୍ଦ୍ୟକୁ ସୁଲଭ କଲା। ପାଦରେ ଚାଲୁଥିବା ମଣିଷ ଯାନବାହନ ବ୍ୟବହାର କଲା। ମାଛପରି ପାଣିରେ ଯାତାୟାତ କଲା ତ ପକ୍ଷୀପରି ଆକାଶରେ ଉଡ଼ିଲା। ବିଜ୍ଞାନର ଆଶୀର୍ବାଦରୁ ପୃଥିବୀରେ ଯାନବାହନ ସଂଖ୍ୟା ବଢ଼ିଲା, କଳ-କାରଖାନା ଛତୁ ପରି ଫୁଟିଲା ଏବଂ ମାଟିତଳେ ଥିବା ଖଣିଜ ସଂପଦ ଓ ସମୁଦ୍ର ଗର୍ଭରେ ଥିବା ନାନା ଦ୍ରବ୍ୟ ଆପଣାର କଲା ମଣିଷ। କାଳେକାଳେ କାମନା, ବାସନା, ଭୋଗ ଓ ବିଳାସର ଗନ୍ତାଘରେ ମଣିଷର ମନ। ବୈଜ୍ଞାନିକ ଉଦ୍ଭାବନ ସେସବୁର ପ୍ରାପ୍ତିକୁ ସୁଗମ କଲା। ମଣିଷ ଯେତେ ସଭ୍ୟ ହେଲା, ତା’ ଜୀବନଯାପନର ଶୈଳୀ ତଦନୁଯାୟୀ ବଦଳିଗଲା। ଏହି ପରିବର୍ତ୍ତିତ ଜୀବନଶୈଳୀ ପ୍ରକୃତିକୁ ଶୋଷଣ କରିବା ପାଇଁ ମୁଖ୍ୟତଃ ଦାୟୀ। ସଭ୍ୟତା ପ୍ରକୃତିର ଚିରଶତ୍ରୁ।

ଆସ୍ତେ ଆସ୍ତେ ନଦୀମାନେ ଶୁଷ୍କ ହୋଇ ଆସୁଛନ୍ତି। ଅନେକ ନଦୀ ମଣିଷ ଓ ଶିଳ୍ପର ବର୍ଜ୍ୟବସ୍ତୁ ବହନ କରି ନର୍ଦମାରେ ପରିଣତ ହେଲେଣି। ଭୂତଳ ଜଳସ୍ତର କମିକମି ଯାଉଛି। ତାପମାତ୍ରାରେ ଅଭୂତପୂର୍ବ ବୃଦ୍ଧି ମେରୁମାନଙ୍କୁ ତରଳାଇ ଦେଲାଣି। ବୃଦ୍ଧି ପାଇଲାଣି ସମୁଦ୍ର ପତ୍ତନ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ମାତ୍ରା ବଢ଼ିଲାଣି।

ପୃଥିବୀ ପ୍ରକୃତିର ଅସରନ୍ତି ଦ୍ରବ୍ୟର ପସରା। ଭାରତୀୟ ମୁନୀମନୀଷାରେ ପୃଥିବୀ କାମଧେନୁ। ପୂଜ୍ୟପାଦ ଅତିବଡ଼ୀ ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି “କାମଧେନୁର ପ୍ରାୟେ ମହୀ, ପ୍ରଜାକଳ୍ପିତେ ଶସ୍ୟ ଦେଇ।” ଯାହା ମାଗିଲେ, କାମଧେନୁ ତାହା ଅବିଳମ୍ବେ ପ୍ରଦାନ କରନ୍ତି। କିନ୍ତୁ କାମଧେନୁ ପରାୟେ ଧାତ୍ରୀ ଧରିତ୍ରୀ ଆଜି କ୍ଷତାକ୍ତ। ମଣିଷର ଭୋଗଭାର ବହନ କରି ସେ କ୍ଳାନ୍ତ। ପ୍ରକୃତିର ବିପୁଳତା କ’ଣ ମଣିଷର ଭୋଗ ବିଳାସ ପାଇଁ ଅଭିପ୍ରେତ? କଦାପି ନୁହେଁ। ଏହା ଅବଶ୍ୟ ବୁଝିଥିଲେ ଗାନ୍ଧୀ ମହାତ୍ମା। ତାଙ୍କ ମତରେ ମଣିଷ ଜୀବନର ଦୈନନ୍ଦିନ ଆବଶ୍ୟକତାର ପୂର୍ତ୍ତି ପାଇଁ ପ୍ରକୃତି ପ୍ରାଚୁର୍ଯ୍ୟରେ ପରିପୂର୍ଣ୍ଣ। କିନ୍ତୁ ପ୍ରକୃତିର ଏହି ପ୍ରାଚୁର୍ଯ୍ୟ ମଣିଷର ଲାଭ, ଲୋଭ, ଭାଗ ଓ ଭୋଗ ପାଇଁ ଉଦ୍ଦିଷ୍ଟ ନୁହେଁ। କାମଧେନୁ ବଞ୍ଚିରହିଲେ ସିନା ମଣିଷର ମନୋବାଞ୍ଛା ପୂରଣ ହେବ? କାମଧେନୁ ସଦୃଶ ମହୀକୁ ବଞ୍ଚାଇ ରଖିବାର ଦାୟିତ୍ୱ ମଣିଷର। ମହୀର ମହନୀୟତା ନିକଟରେ ଜ୍ଞାନ, ବିଜ୍ଞାନ, ସଭ୍ୟତା ଓ ସଂସ୍କାର- ସବୁକିଛି ତୁଚ୍ଛ।
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର