କୋମଳ ଶକ୍ତିର ଶାଶ୍ବତ ସୌନ୍ଦର୍ଯ୍ୟ

ଅଭିରାମ ବିଶ୍ବାଳ

ସେତେବେଳେ ଅବଶ୍ୟ ଆକାରରେ ଶସ୍ୟଦାନା ଅଣ୍ତା ଭଳିଆ ନ ଥିଲା କି ନଈମାନଙ୍କରେ କ୍ଷୀରମହୁ ବହିଯାଉ ନଥିଲା। ହେଲେ ଚଳଚ୍ଚିତ୍ର ଗୀତ ଶୁଣାଉଥିବା ଗ୍ରାମୋଫୋନ୍‌ର ରେକର୍ଡ ଉପରେ କାହାଳୀ-ଦୁଦୁରା ଫୁଲ ପ୍ରାୟ ଦିଶୁଥିବା ଉପକରଣ ଆଗରେ କୁକୁରଟିଏର ଚିତ୍ର ସଭିଁଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା। ଡାହାଣ ହାତରେ ଘଣ୍ଟା ପିନ୍ଧିଥିବା ଝରଣା ଦାସଙ୍କ ଅଭିନୟକାଳୀନ ଗୁଣ, ଲାବଣ୍ୟ ଓ ସମ୍ଭ୍ରମ ଦର୍ଶକଙ୍କୁ ବିମୋହିତ କରୁଥିଲା। ନିର୍ମଳା ମିଶ୍ରଙ୍କ (୨୦.୧୦.୧୯୩୮- ୩୧.୦୭.୨୦୨୨) ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିଲେ ଲାଗୁଥିଲା ମଣିଷର କଣ୍ଠରୁ ବି ଝରିପାରେ ଅମୃତର ଧାର। ବରଯାତ୍ରୀ ଶୋଭାଯାତ୍ରାରେ ଆସିଲାବେଳେ କନ୍ୟାଘର ତରଫରୁ ବଣ୍ଟାଯାଉିବା ଉପହାରପତ୍ର ଓ ବିବାହ ପତ୍ରିକାରେ ସ୍ଥାନ ପାଉଥିଲା ବିଭିନ୍ନ ବାଗରେ ଚଳଚ୍ଚିତ୍ର ଗୀତ ଯାହାକୁ କି ଉତ୍ସାହୀମାନେ ସ˚ଗ୍ରହ କରିନେଉଥିଲେ ଗାଁଦାଣ୍ତ ଧୂଳି ତଥା ଗୋବରରେ ବେଳେବେଳେ ସେସବୁ ପଡ଼ିବା ଆଗରୁ। ନିର୍ମଳା ମିଶ୍ରମାନଙ୍କ ଗାୟନର ପାଠ ବେଳେବେଳେ ପହଞ୍ଚି ଯାଉଥିଲା ଦୁଆରେ ଦୁଆରେ।

ବି˚ଶ ଶତାବ୍ଦୀର ଷଷ୍ଠ ଓ ସପ୍ତମ ଦଶକ ବେଳେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗାଇବା କ୍ଷେତ୍ରରେ ନିର୍ମଳା ମିଶ୍ର ଥିଲେ ପ୍ରମୁଖ ଗାୟିକା। ଯେମିତି ହିନ୍ଦୀରେ ଥିଲେ ଲତା ଓ ବଙ୍ଗଳାରେ ସନ୍ଧ୍ୟା ମୁଖାର୍ଜୀ। ଲୋକେ ସେଭଳି କହୁଛନ୍ତି ବୋଲି ନିଜେ ନିର୍ମଳା ବି ଏକଦା ଏକ ସାକ୍ଷାତକାରରେ କହିଥିଲେ। ୧୯୬୦ରେ ପ୍ରଥମେ ନିର୍ମଳା ଗାଇଥିଲେ ‘ଶ୍ରୀଲୋକନାଥ’ ଓଡ଼ିଆ ଚଳଚ୍ଚିତ୍ରର ପାଇଁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାଶ। ସେଥିରେ କାର୍ତ୍ତିକ ଘୋଷ ରଚିତ ‘ଆଜି ଆକାଶେ କି ରଙ୍ଗ ଲାଗିଲା’ ଗୀତଟି ନିର୍ମଳା ମିଶ୍ରଙ୍କ ଗାୟନରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲା। ପରେ ଯେଉଁସବୁ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସିଏ ଗାଇଥିଲେ ସେସବୁ ଭିତରୁ କେତୋଟି ହେଲା- ପରିଣାମ, ଦସ୍ୟୁ ରତ୍ନାକର, ସୂର୍ଯ୍ୟମୁଖୀ, ମାଣିକଯୋଡ଼ି, ନାରୀ, ଜୀବନସାଥୀ, ଅମଡ଼ାବାଟ, ନବଜନ୍ମ, ଅଭିନେତ୍ରୀ, କା’, ଭାଇଭାଉଜ, କିଏ କାହାର, ସ୍ତ୍ରୀ, ବନ୍ଧନ, ଅଦିନ ମେଘ, ଘରବାହୁଡ଼ା, ଧରିତ୍ରୀ, ଘରସ˚ସାର, ସ˚ସାର, ଅମରପ୍ରେମ, ଅନୁତାପ, ପ୍ରିୟତମା ଓ ଚିଲିକାତୀରେ। କୁହାଯାଏ ଓଡ଼ିଆ ଚଳଚ୍ଚିତ୍ର ଗୀତିସଙ୍ଗୀତର ସୁବର୍ଣ୍ଣଯୁଗ ସମ୍ଭବ କରେଇବାରେ ଅନ୍ୟ କେତେକଙ୍କ ସହ ବାଳକୃଷ୍ଣ-ନିର୍ମଳା ଯୋଡ଼ିଙ୍କ ନିର୍ଣ୍ଣାୟକ ଭୂମିକା ଥିଲା। ନିର୍ମଳା ମଧ୍ୟ ବାଳକୃଷ୍ଣଙ୍କ ଛଡ଼ା ଅକ୍ଷୟ ମହାନ୍ତି, ଭି. ବାଲ୍‌ସରା, ରାଖାଲ ମହାନ୍ତି, ଶାନ୍ତନୁ ମହାପାତ୍ର, ଶ୍ରୀକୁମାର, ଜଲାଲ୍‌ ଆଦେନୀ ଓ ଉପେନ୍ଦ୍ର କୁମାର ଆଦିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏବ˚ କାର୍ତ୍ତିକ ଘୋଷଙ୍କ ସାଙ୍ଗକୁ କାଳୀଚରଣ, ଜୀବନାନନ୍ଦ ପାଣି, ଗୁରୁକୃଷ୍ଣ ଗୋସ୍ବାମୀ, ଅକ୍ଷୟ ମହାନ୍ତି, ନରସି˚ହ ମହାପାତ୍ର, ନାରାୟଣ ପ୍ରସାଦ ସି˚ହ, ସାରଦା ନାୟକ, ପ୍ରମୋଦ ପାଣିଗ୍ରାହୀ, ପର୍ଶୁରାମ ପଟ୍ଟନାୟକ, ଶିବବ୍ରତ ଦାସ, ଦେବଦାସ ଛୋଟରାୟ, ନିଜାମ୍‌, ଗୌର ପଟ୍ଟନାୟକ ଓ ଶୀର୍ଷାନନ୍ଦ ଦାସ ପ୍ରଭୃତିଙ୍କ ରଚିତ ଗୀତ ଗାଇଥିଲେ।

ଏକାକୀ, ଯୁଗଳ ଓ ସମବେତ- ଏ ତିନି ପ୍ରକରଣର ଗାୟନ ବାଟେ ନିର୍ମଳାଙ୍କ ଅସାଧାରଣ ପ୍ରତିଭା ଫୁଟି ବାହାରୁଥିଲା। ସିଏ ଗାଇଥିବା କେତୋଟି ପ୍ରସିଦ୍ଧ ସମବେତ ଗାନ ହେଲା- ଜନ୍ମମାଟି ପଲ୍ଲୀଡାକେ, ଗଙ୍ଗା ଯେ ଦେଶେ ବହେ ଓ ପ୍ରଭୁ ପଦ ତଳେ ପ୍ରଣତି ଢାଳେ। ଯୁଗଳ ଗାୟନ କଥା ଉଠିଲେ ଉଲ୍ଲେଖ କରାଯାଇପାରିବ ଯେ ସେ ଅକ୍ଷୟ ମହାନ୍ତିଙ୍କ ସହ ଗାଇଛନ୍ତି ‘ଢେଉ ଢେଉକା ପାହାଡ଼ ତଳେ ଅଙ୍କାବଙ୍କା ନଈ’, ସିକନ୍ଦର ଆଲାମ୍‌ଙ୍କ ସାଥିରେ ‘ମାୟାବିନୀ ବନ ଜୋଛନା’, ପ୍ରଣବ ପଟ୍ଟନାୟକଙ୍କ ସାଙ୍ଗରେ ‘ତୁମେ ଜାଣନା ଜାଣନା’, ଶ୍ୟାମଲ୍‌ ମିତ୍ରଙ୍କ ସହିତ ‘ସପନ ବିଳାସୀ ମିଳନ ପିଆସୀ’, ତାନ୍‌ସେନ୍‌ ସି˚ହଙ୍କ ସହ ‘ମୁଁ ତୁମକୁ ଭଲ ପାଏ ଲୁଚିଲୁଚିକା’ ଏବ˚ ସିପ୍ରା ବୋଷଙ୍କ ସାଥିରେ ‘ହେମହରିଣୀ ମଥାର ମଣି’। ନିର୍ମଳା ଏକାକୀ ଗାଇଥିବା କେତୋଟି କାଳାତୀତ, କ୍ଲାସିକ୍‌ ଓଡ଼ିଆ ଗୀତ ହେଲା- ଆଜି ଆକାଶେ କି ରଙ୍ଗ ଲାଗିଲା, ଧୋ’ରେ ବାଇଆ ଧୋ’, ମୋ ମନ ବୀଣାର ତାରେ, ଜୀବନ ଯମୁନାରେ ଜୁଆର ଉଠେରେ, କଇଁଚି କାକୁଡ଼ି ନଳିତା ପିତା, ମଧୁର ଏ ଚାନ୍ଦରାତି, ସଞ୍ଜ ସକାଳେ ତୁମ ଛବି ଖୋଜେ, ତୁମେ ଯଦି ସାଥୀ ମୋର, ଆ ଜହ୍ନ ମାମୁଁ ଶରଦ ଶଶୀ, ଜୋଛନା ଲୁଚନା ଦୂର ନୀଳ ଗଗନେ, ମୋହନ ହେ ମୋହନ ମନେପଡ଼େ ସେଦିନ, ନିଦଭରା ରାତି ମଧୁଝରା ଜହ୍ନ ଓ ଯା’ ଯା’ରେ ଭାସି ଯା ମନ ପବନ ନଉକା।

ତାଙ୍କ ସ୍ବର ଏତେ କୋମଳ, ମଧୁର, ସୁଲଳିତ, ସ୍ବଚ୍ଛ, ରମ୍ୟ, ସ୍ପଷ୍ଟ, ପରିଚ୍ଛନ୍ନ, ବିଶୁଦ୍ଧ, ନିର୍ମଳ, ଉଚ୍ଛ୍ବାସଭରା, ଆତ୍ମାମୟ ଓ ପ୍ରାଣପ୍ରାଚୁର୍ଯ୍ୟଯୁକ୍ତ ଥିଲା ଯେ କହିବାରେ ଦ୍ବିଧା ରହୁ ନଥିଲା ଯେ ନିର୍ମଳାଙ୍କ କଣ୍ଠ ଓ କଲିଜା ଏକାକାର ହୋଇଯାଇଛି। ଜଣା ପଡୁନଥିଲା ଓ ଜାଣିବା ଆଦୌ ଦରକାର ନଥିଲା ତାଙ୍କ ମୂଳ ଭାଷାଗତ ଓ ପ୍ରାଦେଶିକ ପରିଚୟଟି କ’ଣ ବୋଲି। ତାଙ୍କ ପିତା ପଣ୍ତିତ ମୋହିନୀ ମୋହନ ମିଶ୍ର ଶାସ୍ତ୍ରୀୟ ଗୀତିସଙ୍ଗୀତ ବିଶାରଦ ଥିଲେ, ଯାହାଙ୍କ ପ୍ରକୃତ ସାଙ୍ଗିଆ ଥିଲା ବନ୍ଦୋପାଧ୍ୟାୟ ବା ବାନାର୍ଜୀ। ନିର୍ମଳାଙ୍କ ସଙ୍ଗୀତମୁଖର ଘରେ ଖୁନ୍ଦି ହୋଇଥିଲା ତାରଯନ୍ତ୍ର, ବାଦ୍ୟଯନ୍ତ୍ର। ତେଣୁ ଅଳ୍ପ ବୟସରୁ ସିଏ ନିୟମିତ ଗୀତିସଙ୍ଗୀତ ଅଭ୍ୟାସ ଆରମ୍ଭ କରିଦେଇଥିଲେ।

ପିଲାଦିନେ ତାଙ୍କୁ ଥରେ ଭୀଷଣ ଟାଇଫଏଡ୍‌ ହୋଇଥାଏ। ଖବର ପାଇ ଆସିଥାନ୍ତିି ଭାରତରତ୍ନ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ବିଖ୍ୟାତ ଡାକ୍ତର ବିଧାନ ରାୟ। ନିର୍ମଳାଙ୍କ ଡାକ୍ତରୀ ପରୀକ୍ଷା କରି କହିଲେ ଆଗକୁ ଯଦି ସିଏ ଉଚ୍ଚାଙ୍ଗ ସଙ୍ଗୀତ ଗାଇବାକୁ ଅଗ୍ରାଧିକାର ଦିଅନ୍ତି ତେବେ ସବୁଦିନ ପାଇଁ ତାଙ୍କ ଗଳା ଖରାପ ହୋଇଯିବ। ଲଘୁ, ଲୋକ, ସୁଗମ ଓ ଆଧୁନିକ ଗୀତ ବିକଳ୍ପ ପସନ୍ଦ ଭାବେ ଗାଇବା ନେଇ ନିର୍ମଳା ଚାହିବାରୁ ଘରେ ଅନେକ ଘୋର ବିରୋଧ କରି କହିଲେ- କ’ଣ ହେଲା? ଉଚ୍ଚାଙ୍ଗ ସଙ୍ଗୀତର ମୁଖ୍ୟ ପୀଠ ମିଶ୍ର-ବନ୍ଦୋପାଧ୍ୟାୟ ପରିବାରରେ ଲଘୁ ସଙ୍ଗୀତ ପଶିବ? କଦାପି ନୁହେଁ? ନିର୍ମଳାଙ୍କର ଜଣେ ଆତ୍ମୀୟ ସାହସ ବାନ୍ଧି ଯୁକ୍ତି କଲେ- ଉଚ୍ଚାଙ୍ଗ ସଙ୍ଗୀତରେ ଯେଉଁ ସାରେଗାମାପାଧାନି ଲଘୁ ସଙ୍ଗୀତରେ ବି ସେଇ ସାରେଗାମାପାଧାନି। ବଙ୍ଗଳା ଗାୟିକା ଭାବେ ବେଶ୍‌ ପ୍ରସିଦ୍ଧି ଓ ପ୍ରତିଷ୍ଠା ଅର୍ଜନ କରିଥିବା ନିର୍ମଳା ଓଡ଼ିଆ ଛଡ଼ା ଅନ୍ୟ କେତେକ ଭାରତୀୟ ଭାଷାରେ ମଧୢ ଗାଇଛନ୍ତି। ଓଡ଼ିଆ ଚଳଚ୍ଚିତ୍ର ଗୀତ ସାଙ୍ଗକୁ ଆକାଶବାଣୀ ପାଇଁ ଏବ˚ ଦୁର୍ଗାପୂଜା ଓ ରଥଯାତ୍ରା ଅବସର ନିମନ୍ତେ ସ୍ବତନ୍ତ୍ର ଗୀତ ରେକର୍ଡି˚ କରିଛନ୍ତି। ତାଙ୍କ ଜନାଦୃତ ଗୀତ ‘ଫୁଲ ଫୁଟି ମହକିଲା, ଭଅଁର ପାଗଳ ହେଲା’ ଏବେ ବି ଅନେକ ଗୁଣୁଗୁଣେଇ ଗାଆନ୍ତି।

ଓଡ଼ିଆ ଚଳଚ୍ଚିତ୍ର ଇତିହାସ ଓଡ଼ିଆ ଚଳଚ୍ଚିତ୍ରର ଓଡ଼ିଆତ୍ବ, ନିଖିଳ ଓଡ଼ିଶା ଚରିତ୍ର ଓ ଭାରତୀୟତା ବାବଦରେ ଅନେକ କଥା କହେ। ଯେଉଁ ବର୍ଷ ଓଡ଼ିଆ ଭାଷା ଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାର ଜନ୍ମ ସେଇ ୧୯୩୬ ମସିହାରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତାବିବାହ’ର ଜନ୍ମ। ତାହା ଅାତ୍ମପ୍ରକାଶ କରିଥିଲା ମଧୁସୂଦନ ଦାସଙ୍କ ଜୟନ୍ତୀ ଦିନ ପୁରୀର ଲକ୍ଷ୍ମୀ ଟକିଜ୍‌ ସିନେମାରେ। ଚଳଚ୍ଚିତ୍ରଟି ମୁଖ୍ୟତଃ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ଯୋଗୁଁ ସମ୍ଭବ ହୋଇଥିବାରୁ ତାଙ୍କୁ ଓଡ଼ିଆ ଚଳଚ୍ଚିତ୍ରର ଜନକ କୁହାଯାଏ। ତାଙ୍କ ପୂର୍ବପୁରୁଷମାନେ ନଦିୟା ଆଡୁ ଆସିଥିଲେ। ଯେଉଁ ସମୟରେ ଓଡ଼ିଆ ଚଳଚ୍ଚିତ୍ରର ଗାୟିକା ଭାବେ ନିର୍ମଳା ମିଶ୍ର ଶିଖରରେ ପହଞ୍ଚିଥିଲେ ସେ ସମୟରେ ଓଡ଼ିଆ ଚଳଚ୍ଚିତ୍ର ଦେଶର ଅନ୍ୟ ଭାଗରୁ ଲତା, ଉଷା ମଙ୍ଗେଶ୍‌କର, ଆଶା ଭୋଁସ୍‌ଲେ, ସନ୍ଧ୍ୟା ମୁଖାର୍ଜୀ, ଆରତୀ ମୁଖାର୍ଜୀ, ସିପ୍ରା ବୋଷ, ସୁମନ୍‌ ନିଲ୍ୟାନ୍‌ପୁର‌୍‌, ବାଣୀ ଜୟରାମ, ପି. ସୁଶିଳା ଓ ଏସ୍‌. ଜାନକୀ ପ୍ରଭୃତିଙ୍କୁ ସ୍ବାଗତ କରିଥିଲା। ସେତେବେଳେ ବି ଗାଉଥିଲେ ଗୀତା ପଟ୍ଟନାୟକ ଓ ତୃପ୍ତି ଦାସ ଆଦି। ଏଭଳି ଗାୟିକାମାନେ ତାଙ୍କ ସମୟରେ ଗାଉଥିବାରୁ ନିର୍ମଳାଙ୍କ ଗାୟନର ମାନ ଆଦୌ ଅଧମ କି ମଧ୍ୟମ ନହୋଇ ଅତି ଉତ୍ତମ ହେଉଥିଲା। ଓଡ଼ିଆ ଗୀତିସଙ୍ଗୀତର ବ୍ୟାପ୍ତି, ଉଚ୍ଚତା, ବିବିଧତା ଓ ଗଭୀରତା ମଧ୍ୟ ନିର୍ମଳାଙ୍କ ଉତ୍ତରୋତ୍ତର ଆତ୍ମ ଆବିଷ୍କାର ତଥା ସ୍ବଉପଲବ୍‌ଧି ଦିଗରେ ବେଶ୍‌ ସହାୟକ ହୋଇଥିବ।

ଗୀତ, ସଙ୍ଗୀତ ଓ କଳା ଜଗତର କୋମଳ ଶକ୍ତିର ଶାଶ୍ବତ ମାଧୁର୍ଯ୍ୟ ଆଉ ସୌନ୍ଦର୍ଯ୍ୟ ଏଭଳି ଯେ ସେ ମାଧ୍ୟମମାନ ଦେଇ ଅତୀତ ନାମକ ମନୋରମ ଦୂରଦେଶ, ସ୍ମୃତି ଭୂଖଣ୍ତକୁ ଯିବା ପାଇଁ କୌଣସି ପାସ୍‌ପୋର୍ଟ ଓ ଭିସାର ଆବଶ୍ୟକତା ନଥାଏ। ସେଭଳି ମାଧ୍ୟମର ପ୍ରତୀକ ଓ ପ୍ରତିନିଧି ଥିଲେ ନିର୍ମଳା ମିଶ୍ର ଯାହାଙ୍କ ‘ଆ ଜହ୍ନ ମାମୁଁ ଶରଦ ଶଶୀ’ ଶୁଣି ସଅଳ ଶୋଇଯାଉଥିବା ପିଲାଏ ଉଠିଲାବେଳକୁ ସେମାନଙ୍କ ହାତମୁଠାରେ ମା’ମାନେ ଦେଖିବାକୁ ପାଉଥିଲେ ଜହ୍ନରାତିର କାକରଭିଜା ଓ ସକାଳର ସୂର୍ଯ୍ୟସ୍ନାତ ତରାଟ ଫୁଲ।
ମୋ: ୯୪୩୭୩୦୭୦୭୯

ସମ୍ବନ୍ଧିତ ଖବର