ମଣିଷର ଗୁଣ

କଥାଟିଏ - ଯାଯାବର

ଗୋଟିଏ ଜନପଦ ଉପରେ ଶତ୍ରୁ ସୈନ୍ୟ ଆକ୍ରମଣ କଲେ। ସେମାନଙ୍କ କବଳରୁ ଖସି ଯାଇ ଗୋଟିଏ ଦ˚ପତି ପାଖ ଏକ ଜନପଦକୁ ପଳାଇଲେ। ସେଠାରେ ଜଣେ ଧନୀ ବ୍ୟକ୍ତିଙ୍କ ଘରେ ସେମାନେ ଆଶ୍ରୟ ଭିକ୍ଷା କରି ତାଙ୍କ ପାଦ ଧରି ପକାଇଲେ। ଧନୀ ବ୍ୟକ୍ତି ଜଣକ ଥିଲେ ଖୁବ୍‌ ବଦାନ୍ୟ। ସେ ସେମାନଙ୍କୁ ଆଶ୍ରୟ ଦେଲେ।

କିଛି ଦିନ ବିତିଲା। ଘର କୋଣରେ ଆଶ୍ରୟ ନେଇଥିବା ସ୍ବାମୀ ଓ ସ୍ତ୍ରୀ ଧନୀ ବ୍ୟକ୍ତିଙ୍କ ଘରେ ପୁରୁଣା ହୋଇଗଲେ। ଦିନେ ସେମାନେ ସେମାନଙ୍କ ଭିତରେ ବିଚାର କଲେ- ଆମେ ଘର କୋଣରେ ଆଶ୍ରୟ ମାଗିଥିଲୁ ବୋଲି କଅଣ ସାରା ଜୀବନ ଏମିତି ପଡ଼ିଥିବୁ? ଆମେ ତ ପୁଣି ଘରର କେତେ ଦାୟିତ୍ବ ସମ୍ଭାଳିଛୁ। ଆମକୁ ଅଧିକ ଲୋଡ଼ା।

ଦିନେ ସେମାନେ ଯାଇ ଧନିକଙ୍କୁ ସେୟା କହି ସେମାନେ କରୁଥିବା କାମ ବଦଳରେ କିଛି ଅର୍ଥ ମାଗିଲେ।
ଧନୀ ବ୍ୟକ୍ତି କହିଲେ- ତାହା ହେଉ।

ଏମିତି ଅନେକ ଦିନ ଗଲା। ପୁଣି ନିଜ ସ୍ଥିତିକୁ ନେଇ ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଲା। ସେମାନେ ଭାବିଲେ- ଏମିତି ଜୀବନଟା ମାଟି ହୋଇଯିବ। ବାହାରେ ଭଲ ସୁଯୋଗ ଅଛି, ଚାଲ ଦେଖିବା।

ଏମିତି ବିଚାର କରି ସେମାନେ ଲୁଚି କରି ପଳାଇ ଗଲେ। ବାହାରେ କୌଣସି ସ୍ଥାନରେ କାମ କରି ବେଶ୍‌ ଦୁଇ ପଇସା ରୋଜଗାର କଲେ ଏବ˚ ଖୁସିରେ ରହିଲେ।
କିଛି ଦିନ ପରେ ଧନୀକ ଜଣକ ଶୁଣିବାକୁ ପାଇଲେ ଯେ ସେହି ସ୍ବାମୀ ସ୍ତ୍ରୀ ହଳକ ବାହାରେ କହୁଛନ୍ତି ଯେ ଧନୀକ ଜଣକ ଭାରି କୃପଣ ଥିବାରୁ ସେଠାରେ ରହିବା ଆଉ ସମ୍ଭବ ହେଲା ନାହିଁ। ତେଣୁ ସେମାନେ ତାଙ୍କ ଘର ଛାଡ଼ିଦେଲେ। ଧନିକ ଏହା ଶୁଣି ଟିକିଏ ବି ବିଚଳିତ ନ ହୋଇ କହିଲେ- ସେମାନେ ତ ମଣିଷର ଗୁଣ ଦେଖାଇଛନ୍ତି। କାରଣ ସେମାନଙ୍କ ଘୋର ବିପଦରେ ମୁଁ ହିଁ ସେମାନଙ୍କୁ ସାହାଯ୍ୟ କରିଥିଲି! ତେଣୁ ଏବେ ମୁଁ ସେମାନଙ୍କର ଏକ ଶତ୍ରୁ!

ସମ୍ବନ୍ଧିତ ଖବର