ଜନ ଧାରଣା

ନିକଟରେ ପୂର୍ବତନ ଭାରତୀୟ ସାମରିକ ଅଧିକାରୀ ପ୍ରବୀଣ ସନିଙ୍କ ଏକ ପୁସ୍ତକ ପ୍ରକାଶିତ ହୋଇଛି, ଯାହାର ଶୀର୍ଷକ ହେଉଛି ‘ଦ ଲାଷ୍ଟ ୱାର୍: ହାଉ ଏ.ଆଇ. (କୃତ୍ରିମ ବୁଦ୍ଧିମତ୍ତା) ୱିଲ୍‌ ସେପ୍ ଇଣ୍ଡିଆସ୍‌ ଫାଇନାଲ ସୋଡାଉନ୍‌ ୱିଥ୍ ଚୀନା।’ କୁହାଯାଉଛି ଯେ ସେହି ବିଶ୍ଳେଷଣାତ୍ମକ ପୁସ୍ତକରେ ପ୍ରମାଣ କରିବାର ଉଦ୍ୟମ କରାଯାଇଛି ଯେ ସ˚ପ୍ରତି ଚୀନ ଏବ˚ ଭାରତ ମଧୢରେ ଏକ ଯୁଦ୍ଧ ସ˚ଘଟିତ ହେଲେ ମାତ୍ର ଦଶ ଦିନ ମଧୢରେ ଚୀନ ବିଜୟ ଲାଭ କରିବ। ପୁସ୍ତକଟିକୁ ସ˚ପୂର୍ଣ୍ଣ ପଢ଼ି ସାରିବା ପରେ ହୁଏ’ତ ଜଣେ ସାଧାରଣ ପାଠକ ଏହାର ନିଷ୍କର୍ଷ ସପକ୍ଷରେ ବା ବିପକ୍ଷରେ ମତ ପୋଷଣ କରିପାରେ; କିନ୍ତୁ କ˚ଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଦ୍ବାରା ଏହି ପୁସ୍ତକର ମଲାଟରେ ପୃଷ୍ଠପୋଷକତା ପ୍ରଦାନକାରୀ ମନ୍ତବ୍ୟ ଏକ ମୃଦୁ ଆଲୋଚନାର ସୂତ୍ରପାତ କରିଛି। ଏହା ସହିତ ଆସନ୍ତା ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାର କ୍ଷମତାଚ୍ୟୁତ ହେବାର ସମ୍ଭାବନା କାହିଁକି ପ୍ରାୟ ନଗଣ୍ୟ, ସେ ନେଇ ଇଙ୍ଗିତ ମଧୢ ତହିଁରୁ ମିଳିଥାଏ।

ଏହା ସତ ଯେ ପୁସ୍ତକଟିକୁ ପ୍ରଶ˚ସା କରି ରାହୁୁଳ ଗାନ୍ଧୀ ପ୍ରଦାନ କରିଥିବା ମନ୍ତବ୍ୟ ହୁଏ’ତ ଅତ୍ୟନ୍ତ ଯଥାର୍ଥ ହୋଇପାରେ; କିନ୍ତୁ ପ୍ରଶ୍ନ ଉଠେ ଯେ ପ୍ରଧାନମନ୍ତ୍ରୀ ପଦର ଜଣେ ଦାବିଦାର ହୋଇଥିବା ସତ୍ତ୍ବେ ତାଙ୍କ ଦ୍ବାରା ଏଭଳି ଏକ ଉପପାଦ୍ୟର ପୃଷ୍ଠପୋଷକତା ରାଜନୈତିକ ଦୃଷ୍ଟିକୋଣରୁ ଉଚିତ ଓ ଆବଶ୍ୟକ କି? ସ୍ମରଣରେ ଅଛି ଯେ ୨୦୧୯ ମସିହାରେ ବାଲାକୋଟ୍‌ ‘ସର୍ଜିକାଲ ଷ୍ଟ୍ରାଇକ୍‌’ର ସଫଳତା ପରେ ସରକାରଙ୍କ ଦାବିର ପ୍ରାମାଣିକତା ନେଇ ରାହୁଳ ଗାନ୍ଧୀ ଏବ˚ କ˚ଗ୍ରେସ ପକ୍ଷରୁ ଉଠା ଯାଇଥିବା ପ୍ରଶ୍ନ ସେତେବେଳେ ତୀବ୍ର ସମାଲୋଚନାକୁ ଆମନ୍ତ୍ରଣ କରିଥିଲା; ଯହିଁରେ ବିଜେପି ପକ୍ଷରୁ ଅସ˚ଖ୍ୟ ଭାରତୀୟ ନାଗରିକଙ୍କ ମନରେ ଧାରଣା ସୃଷ୍ଟି କରି ଦିଆଯାଇ ପାରିଥିଲା ଯେ ଭାରତୀୟ ସାମରିକ ବାହିନୀର ସମାର୍ଥ୍ୟକୁ ପ୍ରଶ୍ନ କରି କ˚ଗ୍ରେସର ମନ୍ତବ୍ୟ ପାକିସ୍ତାନୀ ପ୍ରତିକ୍ରିୟାର ପ୍ରତିଧ୍ବନି ତୁଲ୍ୟ ଶୁଭିଥାଏ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସକୁ କେନ୍ଦ୍ର କରି ସେହି ଧାରଣା ଦୃଢ଼ ହୋଇ ରହିଥିବାରୁ ଗଲା ୨୦୨୦ ମସିହାରେ ଗଲଵାନ ଉପତ୍ୟକାରେ ଚୀନ ଦ୍ବାରା ଭାରତୀୟ ସୀମା ଅତିକ୍ରମଣ ସ˚ଦର୍ଭରେ ମୋଦୀ ସରକାର ଆତ୍ମରକ୍ଷା ମୁଦ୍ରାରେ ରହିଥିବା ବେଳେ ମଧୢ କ˚ଗ୍ରେସର ବାଚନିକ ଆକ୍ରମଣ ସରକାରଙ୍କ ଲାଗି ବିଶେଷ କୌଣସି ଅଡୁଆ ପରିସ୍ଥିତି ସୃଷ୍ଟି କରି ପାରି ନ ଥିଲା ବା ସାଧାରଣରେ ଏହା ମୋଦୀଙ୍କ ଏକ ବିଫଳତା ରୂପେ ପ୍ରଦର୍ଶିତ ହୋଇ ପାରି ନ ଥିଲା। କହିବା ବାହୁଲ୍ୟ ଯେ ଏଭଳି ଧାରଣା ଯେତେ ଶୀଘ୍ର ଦୂର ହେବ, ତାହା ରାହୁଳ ଗାନ୍ଧୀଙ୍କ ଭବିଷ୍ୟତ୍‌ ରାଜନୀତି ସକାଶେ ମଙ୍ଗଳମୟ ହୁଅନ୍ତା; କିନ୍ତୁ ଉପର ବର୍ଣ୍ଣିତ ପୁସ୍ତକଟିର ପୃଷ୍ଠପୋଷକତା ତାଙ୍କ ଲାଗି ଏହା ହୁଏ’ତ ଶୀଘ୍ର ସମ୍ଭବ କରାଇ ନ ପାରେ।

ବର୍ତ୍ତମାନ ଆଉ ଏକ ଧାରଣା ସଂପର୍କରେ ଆଲୋଚନା କରିବା ଯାହା ୨୦୦୭ରୁ ୨୦୧୨ ମସିହା ମଧ୍ୟରେ ବଦ୍ଧମୂଳ ହୋଇଥିଲା। ୨୦୦୭ ମସିହାର ଟୁ-ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ସ୍କାଣ୍ତାଲ ଓ ତା’ର ଚାରି ବର୍ଷ ପରେ ଅର୍ଥାତ୍‌ ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସ˚ଘଟିତ ଦେଶବ୍ୟାପୀ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଯେଉଁ ସତ୍ତା ବିରୋଧୀ ଉତ୍ତାଳ ତରଙ୍ଗ ସୃ‌ଷ୍ଟି କରିଥିଲା, ତା’ରି ଉପରେ ସବାର ହୋଇ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ୨୦୧୪ ମସିହାରେ କ୍ଷମତାସୀନ ହୋଇଥିଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଦୁର୍ନୀତିଗ୍ରସ୍ତ, ସୁବିଧାବାଦୀ ଏବ˚ ଅମନଯୋଗୀ ବୋଲି ସୃଷ୍ଟ ଏକ ଜନ-ଧାରଣା ତତ୍କାଳୀନ ୟୁପିଏ ସରକାରକୁ କ୍ଷମତାଚ୍ୟୁତ କରିଥିଲା। କିନ୍ତୁ, ସତ କହିଲେ ୨୦୧୪ ମସିହାର ପରାଜୟ ପରେ ଏଭଳି ଏକ ଧାରଣାରେ ପରିବର୍ତ୍ତନ ଆଣିବା ଲାଗି କ˚ଗ୍ରେସ ବା ୟୁପିଏ ମେଣ୍ଟ ଦଳଗୁଡ଼ିକ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଉଦ୍ୟମ କରାଯାଇନାହିଁ।

ଅପର ପକ୍ଷରେ ବିଗତ ଆଠ ବର୍ଷର ଶାସନ କାଳ ମଧୢରେ ଅନେକ ତ୍ରୁଟି, ଅଲକ୍ଷଣ ଏବ˚ ବିଭ୍ରାଟ ସତ୍ତ୍ବେ ଏହି ଧାରଣା ସୃଷ୍ଟି କରାଯାଇ ପାରିଛି ଯେ କ୍ଷମତାସୀନ ଏନ୍‌ଡିଏ ହେଉଛି ଏକ ପରିଶ୍ରମୀ ଏବ˚ ଉଦ୍ୟମଶୀଳ ସରକାର ଏବ˚ ଏହା ପ୍ରାୟତଃ ଦୁର୍ନୀତିଗ୍ରସ୍ତ ନୁହେଁ। କହିବା ଅନାବଶ୍ୟକ ଯେ ଏହି କାରଣରୁ ହିଁ ମାତ୍ରାତିରିକ୍ତ ଦରଦାମ୍‌ ବୃଦ୍ଧି, ରେକର୍ଡ ସ˚ଖ୍ୟକ ବେକାରଙ୍କ ଉପସ୍ଥିତି, ନିଯୁକ୍ତି ଆଶାୟୀଙ୍କ ମଧୢରେ ହତାଶା ସୃଷ୍ଟିକାରୀ ‘ଅଗ୍ନିବୀର’ ଭଳି ଯୋଜନା, ନ୍ୟାୟପାଳିକା ବା ନିର୍ବାଚନ କମିସନ ବା ଇଡି ବା ସିବିଆଇ ଭଳି ସ୍ବୟ˚ଶାସିତ ସାମ୍ବିଧାନିକ ଅନୁଷ୍ଠାନର ଅବକ୍ଷୟ ଭଳି ଅନେକ ବିବାଦ ଓ ସମସ୍ୟା ଦ୍ବାରା ସାଂପ୍ରତିକ ସରକାର ଘେରାବନ୍ଦୀ ହୋଇ ରହିଥିବା ସତ୍ତ୍ବେ ତାହା ସରକାରଙ୍କ ଅସ୍ତିତ୍ବ ପ୍ରତି କୌଣସି ବିପଦ ସୃଷ୍ଟି କରି ପାରିନାହିଁ। ଏଭଳି ପ୍ରସଙ୍ଗକୁ ନେଇ କୌଣସି ସ୍ବତଃପ୍ରବୃତ୍ତ ଜନ ପ୍ରତିବାଦ ବା ଆନ୍ଦୋଳନ ସୃଷ୍ଟି ହେବା ତ ଦୂରର କଥା, ନିକଟରେ ସାରା ଦେଶରେ କ˚ଗ୍ରେସ ପକ୍ଷରୁ ଏହା ବିରୋଧରେ ସ˚ଘଟିତ ପ୍ରତିବାଦ ଆନ୍ଦୋଳନ ଜନସାଧାରଣଙ୍କ ମଧୢରେ ଲେଶ ମାତ୍ର ଆଲୋଡ଼ନ ମଧ୍ୟ ସୃଷ୍ଟି କରିପାରିନାହିଁ। ଏହି ପରିପ୍ରେକ୍ଷୀରେ କୁହାଯାଇ ପାରେ ଯେ ଯଦି କଂଗ୍ରେସ ଏକ ନିଷ୍ଠାପର ରାଜନୈତିକ ଦଳ ଭାବେ ଜନ-ଧାରଣା ସୃଷ୍ଟି କରିବାରେ କୌଣସିମତେ ସଫଳ ହୁଏ, ତେବେ ହୁଏ’ତ ଦଳର ଭା‌ଗ୍ୟରେ ପରିବର୍ତ୍ତନ ଘଟିପାରେ!

ପ୍ରକାଶ ଥାଉ କି ଅତ୍ୟନ୍ତ ବିଚକ୍ଷଣ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜନସ˚ଘ ବା ପରବର୍ତ୍ତୀ କାଳରେ ବିଜେପିକୁ କସ୍ମିନ କାଳେ ଏକ ହିନ୍ଦୁବାଦୀ ଦଳ ରୂପେ ସ˚ବୋଧନ କରୁ ନ ଥିଲେ। ତାଙ୍କ ଲାଗି ଏହି ଦଳ ଥିଲା ଏକ ‘ବଣିଆ’ (ବ୍ୟବସାୟୀ)ଙ୍କ ଦଳ। ଏହାର କାରଣ ଜନସ˚ଘ ବା ବିଜେପିକୁ ‘ହିନ୍ଦୁବାଦୀ’ଙ୍କ ଦଳର ପରିଚୟ ପ୍ରଦାନ କରି ‌େସ କ˚ଗ୍ରେସର କୋଟି କୋଟି ହିନ୍ଦୁ ସମର୍ଥକଙ୍କ ମନରେ ସେହି ଦଳ ପ୍ରତି ଆକର୍ଷଣର ପଥ ପ୍ରଶସ୍ତ କରିବାକୁ ଚାହୁ ନ ଥିଲେ। ସେ ଅବଗତ ଥିଲେ ଯେ ଗଭୀର ଭାବେ ଧର୍ମପରାୟଣ ହୋଇଥିବା ସତ୍ତ୍ବେ ହିନ୍ଦୁମନେ ମୁଖ୍ୟତଃ ଧର୍ମ ନିରପେକ୍ଷ ଏବ˚ ସେ ଏହା ମଧୢ ହୃଦୟଙ୍ଗମ କରିଥିଲେ ଯେ ଯଦି ହିନ୍ଦୁମାନଙ୍କ ମଧୢରେ ଏକ ଧର୍ମୀୟ ପରିଚୟ ମୁଣ୍ତ ଟେକେ, ତେବେ ହୁଏ’ତ ସେମାନଙ୍କ ଧର୍ମ ନିରପେକ୍ଷତା କ୍ଷୁଣ୍ଣ ହୋଇପାରେ! ତାଙ୍କର ଏ ଧାରଣା ଅବଲୀଳା କ୍ରମେ ସତ୍ୟରେ ପରିଣତ ହୋଇଛି। ହିନ୍ଦୁଙ୍କ ମଧୢରେ ସେମାନଙ୍କ ଧର୍ମୀୟ ପରିଚିତିକୁ ଦୃଢ଼ କରିବାରେ ସମର୍ଥ ହୋଇ ବିଜେପି ହିନ୍ଦୁବାଦୀ ସମର୍ଥକଙ୍କ ଏକ ଅତ୍ୟନ୍ତ ବିଶାଳ ଭିତ୍ତିଭୂମି ନିର୍ମାଣ କରିପାରିଛି, ଯେଉଁମାନେ କ˚ଗ୍ରେସ ବା ସମଧର୍ମା ଦଳଗୁଡ଼ିକ ଠାରୁ କ୍ରମେ ଦୂରେଇ ଯିବାରେ ଲାଗିଛନ୍ତି।

ଏଭଳି ସ୍ଥଳେ ଏହି ଧାରାକୁ ପ୍ରତିହତ କରିବା ଲାଗି କ˚ଗ୍ରେସ ବା ଧର୍ମ ନିରପେକ୍ଷ ବିରୋଧୀ ଦଳଙ୍କ ପକ୍ଷରୁ କିଭଳି ଉଦ୍ୟମ କରାଯାଉଛି, ତାହା ପ୍ରଣିଧାନଯୋଗ୍ୟ। ପ୍ରକାଶ ଥାଉ କି ଇନ୍ଦିରା ଗାନ୍ଧୀଙ୍କ ତୁଲ୍ୟ ଦୂରଦୃଷ୍ଟିର ଅଭାବରେ କଂଗ୍ରେସ ଓ ଧର୍ମ ନିରପେକ୍ଷ ଦଳଗୁଡ଼ିକ ପକ୍ଷରୁ ବିଜେପିକୁ ‘ହିନ୍ଦୁତ୍ବ’ବାଦୀ ସାଂପ୍ରଦାୟିକ ଦଳ ରୂପେ ନିରନ୍ତର ଓ କଟୁ ସମାଲୋଚନା କରାଯିବା ଉତ୍ତାରେ ତାହା ପ୍ରଭାବଶୂନ୍ୟ ଓ ଏପରିକି ଅନେକ ସ୍ଥଳେ ଆଶା ବିପରୀତ ପ୍ରତିକ୍ରିୟା ସୃଷ୍ଟି କରିଥିବାରୁ ରାହୁଳ ଗାନ୍ଧୀ ହୁଅନ୍ତୁ ବା ମମତା ବାନାର୍ଜୀ ବା ଅରବିନ୍ଦ କେଜ୍ରିଵାଲ; ସମସ୍ତେ କ୍ରମେ ସେମାନଙ୍କ ଆଚରଣରେ ପରିବର୍ତ୍ତନ ଘଟାଇ ହିନ୍ଦୁ ଧର୍ମ ପ୍ରତି ଅନୁରକ୍ତି ପ୍ରଦର୍ଶନ କରିବା ପ୍ରାରମ୍ଭ କରିଛନ୍ତି; ଯହିଁରେ ରାହୁଳ ଗାନ୍ଧୀଙ୍କ ଦ୍ବାରା ମନ୍ଦିର ଦର୍ଶନ ବା ମମତା ବାନାର୍ଜୀଙ୍କ ଦ୍ବାରା ଚଣ୍ତୀ ପାଠର ଆୟୋଜନ ବା ମନ୍ଦିରର ପୁରୋହିତମାନଙ୍କୁ ଭତ୍ତା ପ୍ରଦାନ ବା ଅରବିନ୍ଦ କେଜ୍ରିଵାଲଙ୍କ ଦ୍ବାରା ହନୁମାନ ପୂଜାର ବିଶାଳ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ। ଏହାର ଉଦ୍ଦେଶ୍ୟ ହିନ୍ଦୁ ଧର୍ମ ପ୍ରତି ସେମାନଙ୍କ ନୂତନ ମନୋଭାବ ନେଇ ଏକ ଧାରଣା ସୃଷ୍ଟିର ଉଦ୍ୟମ। କିନ୍ତୁ, ଏହା କେତେଦୂର ଫଳବତୀ ହେବ, ତାହା ଏକ ବଡ଼ ପ୍ରଶ୍ନ।

ଏଭଳି ଏକ ଆଲୋଚନା ପରିପ୍ରେକ୍ଷୀରେ ଯାହା ହୃଦ୍‌ବୋଧ ହୋଇଥାଏ, ତାହା ହେଲା ଯଦି ୨୦୨୪ ସାଧାରଣ ନିର୍ବାଚନରେ ଏକ ଶାସନ ପରିବର୍ତ୍ତନର ଆଶା ରଖାଯିବ, ତେବେ ତାହା ରାହୁଳ ଗାନ୍ଧୀ ବା ଶରଦ ପାଵାର ବା ନୀତୀଶ କୁମାର ବା ମମତା ବାନାର୍ଜୀ ଇତ୍ୟାଦିଙ୍କ ଭଳି ବ୍ୟକ୍ତିତ୍ବଙ୍କ କେବଳ ମାତ୍ର ଉପସ୍ଥିତି ଦ୍ବାରା ସମ୍ଭବ ହୋଇ ନ ପାରେ; ଏହା କେବଳ ସମ୍ଭବ ଯଦି ବିଜେପି ବା ଏନ୍‌ଡିଏ ସରକାରଙ୍କୁ କେନ୍ଦ୍ର କରି ନରେନ୍ଦ୍ର ମୋଦୀ ସୃଷ୍ଟି କରି ପାରିଥିବା ଧାରଣାର ଅବସାନ ଘଟାଯାଇପାରେ। କିନ୍ତୁ ଜନସାଧାରଣଙ୍କ ମଧୢରେ ନୂଆ ଧାରଣା ସୃଷ୍ଟି କରି ପ୍ରଚଳିତ ଧାରଣାର ବିସ୍ଥାପନ କରିବା ଲାଗି ଯେଉଁ ଶ୍ରମ, ନିଷ୍ଠା ଓ ସମୟର ଆବଶ୍ୟକତା ରହିଛି, ତାହା ୨୦୨୪ ଉପନୀତ ହେବା ପୂର୍ବରୁ କଂଗ୍ରେସ ବା ଅନ୍ୟ ବିରୋଧୀ ଦଳଗୁଡ଼ିକଙ୍କ ନିକଟରେ ଅଛି ତ?

ସମ୍ବନ୍ଧିତ ଖବର