ଗଣତନ୍ତ୍ରର ସୁରକ୍ଷା

‘ଅନ୍ଧ ଦିଗନ୍ତ’ ଉପନ୍ୟାସର ଚକ୍ରପାଣି ପଟ୍ଟନାୟକ ଚରିତ୍ର ମାଧ୍ୟମରେ ପ୍ରଖ୍ୟାତ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଗଣତନ୍ତ୍ର ସମ୍ବନ୍ଧରେ କହିଛନ୍ତି, ‘‘ଗଣତନ୍ତ୍ର ନାମରେ ଯେତେ ଯାହା କୁହାଯାଉ ପଛେ, ତାହା ଏକ ମତାନ୍ଧ ଦଳତନ୍ତ୍ର। ଦଳ ପୁଣି ସମଶକ୍ତି ଓ ବିଚାରବୁଦ୍ଧି ସ˚ପନ୍ନ ବ୍ୟକ୍ତିମାନଙ୍କର ମିଳନପୀଠ ନୁହେଁ। ମୁଷ୍ଟିମେୟ କେତେକଙ୍କ ମଧ୍ୟରେ କ୍ଷମତା ବଣ୍ଟନ ଓ ଉପଭୋଗ ପାଇଁ ଏହା ଏକ ସ˚କୀର୍ଣ୍ଣ ଗୋଷ୍ଠୀ ମାତ୍ର। ସେ ଗୋଷ୍ଠୀ ଗଠିତ ପୁଣି ଗୋଟିଏ ବ୍ୟକ୍ତିର କେନ୍ଦ୍ରବିନ୍ଦୁକୁ ଅବଲମ୍ବନ କରି। ବୁଦ୍ଧିଦୀପ୍ତ ମସ୍ତିଷ୍କର ବିଚାର ଅପେକ୍ଷା, ଶୂନ୍ୟଗର୍ଭ ମୁଣ୍ତସୁମାରି ଏହାର ପ୍ରାଣ। ନିର୍ବାଚନ ବୋଲି ଯାହା କୁହାଯାଉଅଛି, ତାହା ସମାଜରେ ବୁଦ୍ଧିମାର୍ଜିତ ବିଚାରର ପ୍ରତିନିଧିତ୍ବ ଅପେକ୍ଷା, ଅଜ୍ଞତା ଓ ଅମାର୍ଜିତ ମସ୍ତିଷ୍କର ସ˚ଖ୍ୟାଗଣନା ହିଁ କରୁଛି ବେଶି! ଦଳେ କ୍ଷମତାନ୍ଧ ବାବଦୁକ, ଜନତା ସ˚ଖ୍ୟାଧିକ୍ୟର ଦ୍ବାହି ଦେଇ କ୍ଷମତାସୀନ ହେବା ପରେ ନିଜକୁ ରାଷ୍ଟ୍ର ରୂପେ ଆସ୍ଫାଳନ କରୁଛନ୍ତି।’’

ଲେଖକ ଗଣତନ୍ତ୍ରକୁ ନେଇ ମୋହଭଙ୍ଗର ଏହି ବାକ୍ୟଗୁଡ଼ିକ ଲେଖିଥିଲେ ୧୯୬୪ ମସିହାରେ, ଯେତେବେଳେ ଭାରତର ଗଣତନ୍ତ୍ର ତଥାପି ଥିଲା ତାର ଜୀବନର ପ୍ରାକ୍‌କାଳ ଅଥବା କୈଶୋରାବସ୍ଥାରେ। ଅବଶ୍ୟ ଗଣତନ୍ତ୍ର ସମ୍ବନ୍ଧରେ ଏପ୍ରକାର ମୋହଭଗ୍ନ ମନ୍ତବ୍ୟ ଦେବା ବର୍ଗରେ କେବଳ ‘ଅନ୍ଧ ଦିଗନ୍ତ’ର ଲେଖକ ନାହାନ୍ତି, ପୃଥିବୀର ବହୁ ସମାଜଶାସ୍ତ୍ରୀ, ଜନନେତା ଏବ˚ ବୁଦ୍ଧିଜୀବୀ ସେହି ବର୍ଗରେ ରହିଛନ୍ତି ଏବ˚ ସେମାନେ ଭିନ୍ନ ଭିନ୍ନ ଭାବରେ ତାଙ୍କର ମନୋବେଦନା ପ୍ରକାଶ କରିଅଛନ୍ତି। ଆମେରିକାର ଜଣାଶୁଣା ଅଭିନେତା ଉଇଲ୍‌ ରୋଜର୍ସ ତ ଦୁଇପାଦ ଆଗକୁ ଯାଇ କହିଥିଲେ ଯେ, ‘‘ମନେରଖ, ଗଣତନ୍ତ୍ର କେବେ ଦୀର୍ଘକାଳ ତିଷ୍ଠି ରହିବ ନାହିଁ।  ଖୁବ୍‌ ଶୀଘ୍ର ଏହା ନିଜର ଅନ୍ତର୍ବିରୋଧ ଯୋଗୁଁ ଦିଶାହୀନ ହୋଇ ନିଜକୁ ହତ୍ୟା କରିବସିବ।’’

ଗଣତନ୍ତ୍ର ସମ୍ବନ୍ଧରେ ଏସବୁ ଉଦ୍ଧାର କରିବାର ଉପଲକ୍ଷ୍ୟ ହେଉଛି, ଗତ ୧୭ ତାରିଖରେ ଅନୁଷ୍ଠିତ ରାଜସ୍ଥାନ ବିଧାନସଭାରେ ଏକ ବିଶେଷ କାର୍ଯ୍ୟକ୍ରମରେ ଭାରତର ମୁଖ୍ୟ ବିଚାରପତି ଏନ୍‌.ଭି. ରମଣା ଦେଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ ମନ୍ତବ୍ୟର ଅନୁଶୀଳନ। ନ୍ୟାୟମୂର୍ତ୍ତି ରମଣା ତାଙ୍କର ଭାଷଣ ପ୍ରସଙ୍ଗରେ କହିଥିଲେ ଯେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତଭେଦ, ବିରୋଧ ଅଥବା ଭିନ୍ନମତ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଙ୍କୁଚିତ ହୋଇ ଚାଲିଛି ଯାହା ଆଦୌ ଶୁଭ ଲକ୍ଷଣ ନୁହେଁ। ଭାରତର ସମ୍ବିଧାନ ପ୍ରଣେତାମାନେ କଦାପି ଚାହି ନ ଥିଲେ ଯେ ଆମ ବ୍ୟବସ୍ଥାର ବହୁମତ ଅଳ୍ପସ˚ଖ୍ୟକଙ୍କ ମତକୁ ଚାପିଦେବ ଏବ˚ ତାହାର ପ୍ରତିଫଳନ ଶାସନ ବ୍ୟବସ୍ଥାରେ ପ୍ରତିଫଳିତ ହେବ ନାହିଁ।

ଏ ପରିସ୍ଥିତି ଗୋଟେ ସୁସ୍ଥ ଗଣତନ୍ତ୍ରର ଲକ୍ଷଣ ନୁହେଁ ବୋଲି ଭାରତର ସୁପ୍ରିମ୍‌ କୋର୍ଟର ଏହି ମୁଖ୍ୟ ବିଚାରପତି ବଡ଼ କ୍ଷୋଭର ସହ ଉଲ୍ଲେଖ କରିଛନ୍ତି। ସ˚ସଦୀୟ ଗଣତନ୍ତ୍ର ଏବ˚ ସ˚ସଦୀୟ ସରକାର ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇବାକୁ ଯାଇ ନ୍ୟାୟମୂର୍ତ୍ତି ରମଣା କହିଛନ୍ତି ଯେ ଆମମାନଙ୍କୁ ମନେରଖିବାକୁ ହେବ ଯେ ଆମର ହେଉଛି ସ˚ସଦୀୟ ଗଣତନ୍ତ୍ର, ସ˚ସଦୀୟ ସରକାର ନୁହେଁ। ଭିନ୍ନ ଭିନ୍ନ ମତ, ଚିନ୍ତାଧାରା ଏବ˚ ଯୁକ୍ତିଶୀଳ ତର୍କ ସ˚ସଦୀୟ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ। ମାତ୍ର ଆଜି ଭାରତର ପାର୍ଲାମେଣ୍ଟ୍‌ରେ ବିନା ବିତର୍କରେ ଓ ବିନା ଅନୁଶୀଳନରେ ଗୁରୁତ୍ବପୂର୍ଣ୍ଣ ବିଲ୍‌ଗୁଡ଼ିକୁ ପାରିତ କରାଇ ନିଆଯାଉଛି, ତାହା ସମ୍ପର୍କରେ ଆଲୋଚନା ହେଉନାହିଁ କିମ୍ବା ଦେଶବାସୀ ସେ ଆଇନ ଅଥବା ବ୍ୟବସ୍ଥାର ଭଲମନ୍ଦ ଦିଗ ସମ୍ବନ୍ଧରେ ଜାଣିବାର ଅବକାଶ ପାଉନାହାନ୍ତି।’’

ନ୍ୟାୟମୂର୍ତ୍ତି ରମଣା ଭାରତର ପାର୍ଲାମେଣ୍ଟ୍‌ ସମ୍ବନ୍ଧରେ ଦେଇଥିବା ଏହି ମନ୍ତବ୍ୟ ବିଭିନ୍ନ ପ୍ରଦେଶର ବିଧାନସଭାଗୁଡ଼ିକ ପାଇଁ ପ୍ରଯୋଜ୍ୟ। ଜରୁରୀକାଳୀନ ସମୟରେ ସ୍ବେଚ୍ଛାଚାରୀ ଭାବେ ପରିଚିତ ହୋଇପଡ଼ିଥିବା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଗୋଟେ ସମୟରେ କହିଥିଲେ, ‘‘ମଣିଷର ପ୍ରଗତିର ମୂଳ ଭିତ୍ତି ହେଉଛି ପ୍ରଶ୍ନ ପଚାରିବାର କ୍ଷମତା।’’ ଅଥଚ ଆଜି କୌଣସି ସରକାର କୌଣସି ପ୍ରଶ୍ନର ସମ୍ମୁଖୀନ ହେବାକୁ ଚାହୁନାହାନ୍ତି। ଅତୀତରେ ବହୁବାର, ଆମେ, ଓଡ଼ିଶା ପରିପ୍ରେକ୍ଷୀରେ ସମାନ ମତ ପୋଷଣ କରି ଆଇନ ହେବାକୁ ଯାଉଥିବା ବିଲ୍‌ଗୁଡ଼ିକ ସମ୍ବନ୍ଧରେ ଯଥୋଚିତ ତକ-ବିତର୍କର ପ୍ରୟୋଜନୀୟତା ସମ୍ବନ୍ଧରେ ଯୁକ୍ତି ଉପସ୍ଥାପନ କରିଅଛୁ। ମାତ୍ର ଆମ୍ଭର ସେ ଯୁକ୍ତି ବଧିର ବିଦ୍ୟାଳୟରେ ଘଣ୍ଟାଶବ୍ଦ ପରି ଉଦାସୀନ ବ୍ୟବସ୍ଥାର ଅନାଗ୍ରହ ମଧ୍ୟରେ କୁଆଡ଼େ ନିଶ୍ଚିହ୍ନ ହୋଇଯାଇଅଛି।

ଗଣତନ୍ତ୍ରର କାର୍ଯ୍ୟକାରିତା କ୍ଷେତ୍ରରେ ଶାସନ କ୍ଷମତାରେ ଥିବା ସରକାରୀ ଦଳର ପ୍ରମୁଖ ଭୂମିକା ଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକର ଭୂମିକା ଗୌଣ ନୁହେଁ। ଆମ୍ଭେମାନେ ଏକଥା ଏଠାରେ ଆଲୋଚନା କରିବାବେଳେ, ଭାରତର ସଂସଦୀୟ ଆଲୋଚନାରେ କେଉଁ କେଉଁ ଶବ୍ଦ ବାଦ୍‌ ଦିଆଯିବ ସେ ପ୍ରସଙ୍ଗ ନେଇ ଉତ୍ତପ୍ତ ବିତର୍କ ଚାଲିଛି। ଗୋଟେ ପଟେ ଲୋକସଭାର ବାଚସ୍ପତି, କୌଣସି ଶବ୍ଦକୁ ଅଣସ˚ସଦୀୟ ଘୋଷଣା କରାଯାଇ ନ ଥିବା ଯୁକ୍ତିକରି କେବଳ ପ୍ରସଙ୍ଗାନୁସାରେ ଶବ୍ଦର ଉପଯୋଗକୁ ଗୃହ ବିବରଣୀରୁ ବାଦ୍‌ ଦିଆଯିବ କି ନାହିଁ ତାହାର ବିଚାର କରାଯିବା କଥା ଉଲ୍ଲେଖ କରୁଥିବାବେଳେ ଅନ୍ୟପକ୍ଷରେ ବିରୋଧୀ ଦଳଗୁଡ଼ିକ, ସେହି ପ୍ରସଙ୍ଗକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରୁଛନ୍ତି। ସକଳ ନମ୍ରତାର ସହ ଆମ୍ଭେ ବିରୋଧୀ ଦଳଗୁଡ଼ିକୁ ପଚାରିବାକୁ ଚାହିବୁ ଯେ, ଭାରତୀୟ ସ˚ସଦୀୟ ପରମ୍ପରାର ଦ୍ରୁତ ଅବକ୍ଷୟ ଦିଗରେ ସେମାନଙ୍କର କିଛି ଭୂମିକା ଅଛି ନା ନାହିଁ।

ଏକଦା ଯୁକ୍ତି, ମେଧା ଓ ମସ୍ତିଷ୍କର ରଣକ୍ଷେତ୍ର ଭାବେ ପରିଚିତ ପାର୍ଲାମେଣ୍ଟ ହେଉଛି ବିଚାରର ଯୁଦ୍ଧକ୍ଷେତ୍ର ଯେଉଁଠି ଯୁକ୍ତି ଓ ଶାସ୍ତ୍ର ହିଁ ଆୟୁଧ, ଟେବୁଲ୍‌ ଉପରେ ଠିଆହୋଇ ଫାଇଲ୍‌ ଫିଙ୍ଗିବା, ମାଇକ୍‌ ଫୋପାଡ଼ିବା, ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା, ଚିତ୍କାର କରି ସ୍ଲୋଗାନ ଦେବା କିମ୍ବା ଦିନ ଦିନ ଧରି ଗୃହକୁ ଚଳାଇ ନ ଦେବା ଭଳି ବିରୋଧ ନୁହେଁ। ଦୁର୍ଭାଗ୍ୟବଶତଃ, ଭାରତ ପରି ଗଣତନ୍ତ୍ରରେ ଯେଉଁମାନେ ପ୍ରକୃତ ଶାସକ, ସେହି ନାଗରିକ ଥରେ ଗୋଟିଏ ସରକାରକୁ କ୍ଷମତାକୁ ଆଣିସାରିଲା ପରେ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ତାହାର ସମସ୍ତ କାର୍ଯ୍ୟକଳାପକୁ ବରଦାସ୍ତ କରିବା ଭିନ୍ନ ଅଧିକ କିଛି କରିପାରେ ନାହିଁ।

ମାତ୍ର ତାହାର ଅର୍ଥ ନୁହେଁ ଯେ ସେ ନିର୍ବାଚିତ କରିଥିବା ନେତାମାନଙ୍କର ଏହିପ୍ରକାର ମର୍କଟୋଚିତ କାର୍ଯ୍ୟକଳାପକୁ ସର୍ବଦା ଅନୁମୋଦନ କରିଥାଏ। ଏ ବ୍ୟାପାରରେ କେବଳ ସ୍ବଳ୍ପଜ୍ଞାତ ବା ଅପରିଚିତ ଜନନେତା ନୁହନ୍ତି, କ˚ଗ୍ରେସର ତୁଙ୍ଗନେତା ଶ୍ରୀମାନ ରାହୁଳ ଗାନ୍ଧୀ ମଧ୍ୟ କିଛି ପଛରେ ନାହାନ୍ତି। ସାଧାରଣ ସଭାଗୁଡ଼ିକରେ ଏବ˚ ଗୁରୁତ୍ବପୂର୍ଣ୍ଣ ବୈଠକରେ ସେ ଯେଉଁ ଧରଣର ଔଦ୍ଧତ୍ୟ-ଅହଙ୍କାରପୂର୍ଣ୍ଣ ଅଶାଳୀନ ମନ୍ତବ୍ୟ ଦେଇଥାଆନ୍ତି ତାହାକୁ ତାଙ୍କର ଜଣେ ପ୍ରଥମ ଶ୍ରେଣୀୟ ଅନ୍ଧ ସମର୍ଥକ ସୁଦ୍ଧା ଅନୁମୋଦନ କରିପାରିବ ନାହିଁ। ତାଙ୍କର ଏ ଧରଣର ଏକାଧିକ ଆପତ୍ତିଜନକ ମନ୍ତବ୍ୟ ମଧ୍ୟରୁ ଦୁଇବର୍ଷ ତଳେ, ‘ଯୁବକମାନେ ଛଅମାସ ମଧ୍ୟରେ ବାଡ଼ିଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପିଟିବାଲାଗି ବାହାରିବେ’ ବିବୃତି ଅନ୍ୟତମ ଯାହାର ତୀବ୍ର ପ୍ରତିବାଦ, ତତ୍କାଳୀନ ମନ୍ତ୍ରୀ ହର୍ଷବର୍ଦ୍ଧନ ସ˚ସଦରେ ଉପସ୍ଥାପନ କରିଥିଲେ। କେବଳ ରାହୁଳ ଗାନ୍ଧୀ ନୁହନ୍ତି, ବାକ୍‌ସ˚ଯମ ଆଚରଣ, ପ୍ରତିପକ୍ଷ ପ୍ରତି ସମ୍ମାନ ପ୍ରଦର୍ଶନ, ଭିନ୍ନମତ ପ୍ରତି ଶ୍ରଦ୍ଧା ପରି ବିଶେଷ ଗୁଣଗୁଡ଼ିକ ଆଜି ଆମର ସ˚ସଦ, ବିଧାନସଭା ବା ପରିଷଦର ଗର୍ଭଗୃହ ସହ ଅଳିନ୍ଦ, ନିଳୟରୁ ନିର୍ବାସିତ। ତାହା ବଦଳରେ ଆମେ କେବଳ ଜାନ୍ତବ ଚିତ୍କାର, ପ୍ରମତ୍ତ ଉଲ୍ଲାସ, ଅର୍ଥହୀନ ଚିତ୍କାର କିମ୍ବା ଦୁର୍ବଳ ସର୍କସ୍‌ ଅବଲୋକନ କରୁଛୁ, ଯାହା ଗ୍ରହଣୀୟ ନୁହେଁ।

ଭାରତର ଅବକ୍ଷୟିଷ୍ଣୁ ସ˚ସଦୀୟ କାର୍ଯ୍ୟାବଳୀକୁ ଲକ୍ଷ୍ୟ କରି ଏକାଧିକ ଚିନ୍ତାଶୀଳ ବ୍ୟକ୍ତି ଉଦ୍‌ବେଗ ପ୍ରକଟ କରିବା ସହ ଆମର ବ୍ୟବସ୍ଥା ଆଉ ସକ୍ରିୟ ନାହିଁ ଭଳି ଅତ୍ୟନ୍ତ ନୈରାଶ୍ୟଜନକ ଶେଷବାଣୀ ଶୁଣାଇଦେଲେଣି। ମାତ୍ର ଗଣତନ୍ତ୍ରର କଠୋର ସମାଲୋଚକ ମଧ୍ୟ ଏକଥା ସ୍ବୀକାର କରିଛନ୍ତି ଯେ ଏହା “ଆମ ନିକଟରେ ଉପଲବ୍ଧ ସବୁ ପ୍ରକାର ନିକୃଷ୍ଟ ଶାସନ ବ୍ୟବସ୍ଥାଗୁଡ଼ିକ ମଧ୍ୟରୁ ସର୍ବୋତ୍କୃଷ୍ଟ।’’ ଆମ ଶାସନର ତିନି ଅଙ୍ଗ ଯଦି ଯଥାର୍ଥ ଢଙ୍ଗରେ କାର୍ଯ୍ୟ କରିଚାଲିବେ ଏବ˚ ଏମାନଙ୍କ ମଧ୍ୟରୁ ହୃତ୍‌ପିଣ୍ତ ଭାବେ ପରିଚିତ ପାର୍ଲାମେଣ୍ଟ୍‌ ସଦସ୍ୟଗଣ ନିଜ ନିଜର ଅସହାୟତା, ବିଫଳତା ଏବ˚ ସ˚କୀର୍ଣ୍ଣ ସ୍ବାର୍ଥକୁ ପଛକୁ ରଖି ସେମାନଙ୍କୁ ନିର୍ବାଚିତ କରିଥିବା କୋଟି କୋଟି ଲୋକଙ୍କ ସମସ୍ୟା ପ୍ରସଙ୍ଗ ମନେପକେଇବେ ତାହାହେଲେ ଔପନ୍ୟାସିକ, ଅଭିନେତା ଅଥବା ନ୍ୟାୟମୂର୍ତ୍ତିମାନଙ୍କ ଆଶଙ୍କା ବାସ୍ତବତାର ରୂପ ନେବା ପରି ଦୁର୍ଯ୍ୟୋଗ କଦାପି ଆସିବ ନାହିଁ।

ସମ୍ବନ୍ଧିତ ଖବର