ବିଶ୍ବ ତାପମାତ୍ରା ବୃଦ୍ଧି କାରଣରୁ ଜଳବାୟୁ ପରିବର୍ତ୍ତନ ଘଟି ଭୟାବହ ସ୍ଥିତି ସୃଷ୍ଟି ହେଉଛି ବୋଲି ସମସ୍ତେ ଜାଣନ୍ତି। ଏ ନେଇ ବେଶ୍ ଗରମାଗରମ ଆଲୋଚନା ବି ଜମୁଛି। କିନ୍ତୁ ଅସଲ ସମୟରେ ପରିବେଶ ଚିନ୍ତା କାହାରି ମୁଣ୍ତରେ ନାହିଁ। ଏହା ପ୍ରମାଣିତ ହୋଇଛି ଗ୍ଲାସ୍ଗୋରେ ହେଉଥିବା ପରିବେଶ ସଂକ୍ରାନ୍ତ ‘କପ୍’ ଶୀର୍ଷ ସମ୍ମିଳନୀରୁ। କାରଣ ଏଥିରେ ଦେଖିବାକୁ ମିଳିଛି ଯେ ପ୍ୟାରିସ ଚୁକ୍ତି ହେଉ ବା ରିଓ ସଂକଳ୍ପ; କାହାକୁ ବି ପୂରଣ କରିବା ଦିଗରେ ବାସ୍ତବରେ ପ୍ରୟାସ କରାଯାଉନାହିଁ।
ଏହି ସମସ୍ୟାର ସମାଧାନ ଲାଗି ସରକାର, ପ୍ରଶାସନ ଓ ଜନସାଧାରଣ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ବୃକ୍ଷ ରୋପଣ, ବଡ଼ ବଡ଼ ବୃକ୍ଷର ଯତ୍ନ, ଆର୍ଦ୍ର ଭୂମିର ସଂରକ୍ଷଣ, ଜଳଉତ୍ସର ପୁନରୁଦ୍ଧାର, ବୃଷ୍ଟି ଜଳ ସଂରକ୍ଷଣ ଓ ତା’ର ପରିଚାଳନା ଇତ୍ୟାଦି ଉପରେ ଗୁରୁତ୍ବାରୋପ କରାଯିବା ଉଚିତ। ତା’ ସହିତ ଯାନବାହନର କମ୍ ବ୍ୟବହାର ଏବଂ ଅକ୍ଷୟ ଶକ୍ତିର ବିକାଶ ଏବଂ ଉପଯୋଗ ମଧ୍ୟ ଗୁରୁତ୍ବ ପାଇବା ଜରୁରୀ। ପରିବେଶକୁ ଶୀତଳ ନ କଲେ ପୃଥିବୀ ଅତ୍ୟନ୍ତ ଅଭିଶପ୍ତ ହୋଇପଡ଼ିବ। ଧନୀ ରାଷ୍ଟ୍ରମାନେ ଉପଭୋଗପୂର୍ଣ୍ଣ ଜୀବନଚର୍ଯ୍ୟା ଛାଡ଼ିବା ଉଚିତ। କାରଣ ତାହା ବିଶ୍ବ ଉତ୍ତପ୍ତୀକରଣର ଏକ ବଡ଼ କାରଣ। ପୃଥିବୀ ସମ୍ମୁଖୀନ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରକୃତରେ ହେଉଛି ପ୍ରକୃତି ମାନବ ଜାତି ଠାରୁ ପରିବେଶ ପ୍ରତି କରିଥିବା କ୍ଷତି ଲାଗି ଆଦାୟ କରୁଥିବା ପାଉଣା!
ପ୍ରଶାନ୍ତ କୁମାର ରାୟ
ଦୋଳମୁଣ୍ଡାଇ, କଟକ