ଆମ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ନିଜ ରାଜ୍ୟ ଓଡ଼ିଶା ଆଗମନ ସମୟରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବଡ଼ଦାଣ୍ଡରେ ଚାଲି ଚାଲି ଯିବା, ଗୋପବନ୍ଧୁଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିବା, ରାଜଧାନୀରେ ଆଠଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ପୂର୍ବକ ସମ୍ମାନ ଜଣାଇବା ଓ ଆଦିବାସୀଙ୍କ ଦାରୁ ଦେବତା ଓ ଓଡ଼ିଆ ଜାତିର ପ୍ରାଣ ଶ୍ରୀଜଗନ୍ନାଥଙ୍କୁ ଆଭୂମ ପ୍ରଣିପାତ କରିବା ଆଦି ଜନମନକୁ ବେଶ୍ ଛୁଇଁଛି। ସେମିତି ସିଏ ରାଷ୍ଟ୍ରପତି ଭାବେ ଶପଥ ନେବା ଦିନ ଭୀମଭୋଇଙ୍କ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’ କଥା ଉଲ୍ଲେଖ କରନ୍ତେ ତା’ର ଗଭୀର ଓ ଗମ୍ଭୀର ସନ୍ଦେଶ ସର୍ବତ୍ର ପହଞ୍ଚି ଯାଇଥିଲା। ଗତ କାଲି ଗଲା ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଜନଜାତୀୟ ଗୌରବ ଦିବସ ଏବଂ ସେ ଗୁରୁତ୍ବପୂର୍ଣ୍ଣ ଦିବସ ପାଳନରେ ମଧ୍ୟ ଦେଶର ପ୍ରଥମ ନାଗରିକ ନିଜକୁ ସାମିଲ କରିଥିଲେ ବିର୍ସାଙ୍କ ଜନ୍ମ ଗାଁ ଝାଡ଼ଖଣ୍ଡର ଉଲିହାତୁ ଠାରେ। କହିବା ବାହୁଲ୍ୟ ଯେଉଁ ଆଠ ଜଣ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ଅର୍ପଣ ବିଷୟ ଟିକକ ଆଗରୁ କୁହାଯାଇଛି, ସେଥିରେ ଥିଲେ ବିର୍ସା ମୁଣ୍ଡାଙ୍କ ସାଙ୍ଗକୁ ବକ୍ସି ଜଗବନ୍ଧୁ, ମଧୁବାବୁ, ଗୋପବନ୍ଧୁ, ଗଙ୍ଗାଧର ମେହେର, ରଘୁନାଥ ମୁର୍ମୁ, ଲକ୍ଷ୍ମଣ ନାୟକ ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ।
ଚଳିତ ବର୍ଷ ଭାରତବର୍ଷର ସ୍ବାଧୀନତାର ଅମୃତ ମେହାତ୍ସବ କାଳରେ ସ୍ବାଧୀନତା ଆନ୍ଦୋଳନର ଯେଉଁ ପ୍ରମୁଖ ଦିଗଟି ଚର୍ଚ୍ଚାର କେନ୍ଦ୍ରରେ ରହୁଛି, ତାହା ହେଲା ଆମ ଦେଶର ସ୍ବାଧୀନତା ଆନ୍ଦୋଳନ ଥିଲା ପ୍ରକୃତରେ ସହସ୍ର ସଂଗ୍ରାମର ସଂଗମ ଏବଂ ସେଭଳି ସଂଗମ ସମ୍ଭବ କରେଇବାରେ ଅନ୍ୟ ଅନେକଙ୍କ ଭିତରେ ବିର୍ସା ମୁଣ୍ଡାଙ୍କର ନିର୍ଣ୍ଣାୟକ ଭୂମିକା ଥିଲା। ମାତ୍ର ୨୫ ବର୍ଷର (୧୮୭୫-୧୯୦୦) ଶରୀରାୟୁଷ ଥିଲା ବିର୍ସାଙ୍କର। ହେଲେ ତାଙ୍କର ଅବଦାନ ଓ ଭୂମିକା ଏତେ ପ୍ରଭାବଶାଳୀ ଥିଲା ଯେ ଲୋକେ ତାଙ୍କୁ ବିର୍ସା ଭଗବାନ ଡାକୁଥିଲେ, ‘ଧର୍ତୀ ଆବା’ ବା ଧରିତ୍ରୀର ପିତା ମାନ୍ୟ କରୁଥିଲେ ଏବଂ ତାଙ୍କ ସଂଗ୍ରାମକୁ ‘‘ଉଲ୍ଗୁଲାନ୍’’ ବା ତୁମୁଳ ବିପ୍ଳବର ନାଁ ଦେଇଥିଲେ। ସିଏ ବ୍ରିଟିସ ରାଜ, ସାହୁକାର, ଜମିଦାର, ଠିକାଦାର, ଧର୍ମର କଣ୍ଟ୍ରାକ୍ଟର ଓ ବହୁରୂପୀ ଦଲାଲଙ୍କ ବିରୋଧରେ ସଂଗଠିତ ପ୍ରତିବାଦ, ପ୍ରତିରୋଧ ତଥା ସଂଘର୍ଷ କରିଥିଲେ। ତାହା ଏଭଳି ଛାପ ପକେଇଥିଲା ଯେ ବିଭିନ୍ନ ମହଲ ବିଶ୍ବାସ କରିବା ଆରମ୍ଭ କରି ଦେଇଥିଲେ ଯେ- ରାଣୀଙ୍କ ରାଜୁତି ଗଲା, ଆଦିମ ଅଧିବାସୀଙ୍କ ରାଜ୍ ଆସିଲା ଜାଣ!
ଏମିତି ନୁହେଁ ଯେ ବିର୍ସା ମୁଣ୍ଡାଙ୍କ ଆନ୍ଦୋଳନ ଧନୁ, ତୀର, ବର୍ଚ୍ଛା ଓ ପଥର ଆଧାରିତ ସଶସ୍ତ୍ର ଗରିଲା ଲଢ଼େଇ ମାତ୍ର ଥିଲା। ବରଂ କହିବା ଠିକ୍ ହେବ ତାଙ୍କ ସଂଗ୍ରାମର ଏକ ବୃହତ୍ତର ଓ ବିଧିବଦ୍ଧ ବିଶ୍ବଦୃଷ୍ଟି ଥିଲା, ଯାହା ଆଗରେ ଅନେକ ତଥାକଥିତ ଆଧୁନିକ-ପ୍ରଗତିଶୀଳ ମତାଦର୍ଶ କିଛି ନୁହେଁ। କାରଣ ତାଙ୍କ ଆନ୍ଦୋଳନର ସ୍ବଭାବ ଥିଲା ମୋଟାମୋଟା ‘‘ମିଲେନାରିଆନ୍’’ ବା ସହସ୍ରାବ୍ଦୀ ଆନ୍ଦୋଳନ ସୁଲଭ ସ୍ବଭାବର, ଯାହାର ଖସଡ଼ା ଉତ୍ପୀଡ଼ନର ପ୍ରତିରୋଧ ସହିତ ଯୁଗାନ୍ତକାରୀ ପରିବର୍ତ୍ତନ ଆଉ ଭବିଷ୍ୟ ଆଶାର ମୂର୍ତ୍ତ ନକ୍ସା ଯୋଗାଇ ଦିଆଯାଏ। ବ୍ରିଟିସ୍ ସରକାରଙ୍କ ପ୍ରିୟ ଧର୍ମ ବିର୍ସା ଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ସିଏ ଜାଣିଲେ ଯେ ଶିକ୍ଷା ବାଟେ ଧର୍ମାନ୍ତରଣ ଘଟୁଛି, ସେତେବେଳେ ସିଏ ଗ୍ରହଣ କରିଥିବା ଧର୍ମ ତ୍ୟାଗ କରିଥିଲେ। କର୍ମ ଅନ୍ବେଷଣରେ ତାଙ୍କ ପରିବାର ସହ ସିଏ ସ୍ଥାନାନ୍ତର ଦୁର୍ଦ୍ଦଶା ଭୋଗିଛନ୍ତି। କାରଣ ସିଏ ଖୋଜି ପାଇଛନ୍ତି ଯେ ନୂଆ ବ୍ରିଟିସ୍ କୃଷି ଓ ରାଜସ୍ବ ବ୍ୟବସ୍ଥା ବଳରେ ଅଣ ଆଦିବାସୀ ବା ଡିକୁମାନେ ଜମିର ମାଲିକାନା ଲାଭ କରୁଛନ୍ତି ଏବଂ କ୍ରମଶଃ ଜନଜାତୀୟ କୃଷି ଢାଞ୍ଚାକୁ ସାମନ୍ତବାଦୀ ଆୟୋଜନ କବଳିତ କରୁଛି।
ଜନଜାତିର ଲୋକଙ୍କର ଜମି, ଜଳ, ଜଙ୍ଗଲ, ଜୀବଜନ୍ତୁ ଓ ଜଳବାୟୁ ସନ୍ତୁଳନ ସହ ଜୈବିକ ସଂପର୍କ ବିର୍ସା ନିଜ ଜୀବନାନୁଭବରୁ ବେଶ୍ ହୃଦୟଙ୍ଗମ କରିଥିଲେ। ସେଇଥି ପାଇଁ ସିଏ ଠିକାଦାର ଶ୍ରେଣୀ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଏବଂ ରୟତଙ୍କୁ କର ନ ଦେବାକୁ କହିଥିଲେ। ସ୍ବାଧୀନତା ସଂଗ୍ରାମୀ ଓ ଲୋକ-ବିଗ୍ରହ ବିର୍ସା ମୁଣ୍ଡାଙ୍କର ସିନା ୧୯୦୦ ମସିହାରେ ରାଞ୍ଚିରେ କାରାଗାରରେ ତିରୋଧାନ ଘଟିଥିଲା; କିନ୍ତୁ ତାଙ୍କ ଉଲଗୁଲାନ୍ ଯୋଗୁଁ ୧୯୦୮ରେ ଇଂରେଜ ସରକାର ଛୋଟନାଗପୁର ଟେନାନ୍ସି ଅଧିନିୟମ ଆଣିବାକୁ ବାଧ୍ୟ ହୋଇଥିଲେ। ସେ ଅଧିନିୟମଟିର ଅନ୍ୟତମ ସୁଦୂରପ୍ରସାରୀ ବ୍ୟବସ୍ଥାଟି ହେଲା- ଆଦିବାସୀ ଜମି ଅଣଆଦିବାସୀମାନଙ୍କୁ ହସ୍ତାନ୍ତରିତ ନ ହେବା।
ବିର୍ସା ମୁଣ୍ଡାଙ୍କୁ ନେଇ ଅନେକ ସତ ଲୋକ କଥା ଅଛି ଓ ରାଶି ରାଶି ଉପାଦେୟ କୃତି ଉପଲବ୍ଧ ହେଉଛି। ନିଜ ଜୀବନର ପ୍ରାରମ୍ଭିକ ଭାଗରେ ସିଏ ମଇତ୍ରଙ୍କ ମେଳରେ ଧୂଳି ଓ ବାଲି ଘର କରି ଖେଳୁଥିଲେ, ବଂଶୀ ବଜାଉ ଥିଲେ, ବର୍ଷା ବିପର୍ଯ୍ୟସ୍ତ ପୋଖରୀ ମରାମତି କରୁଥିଲେ ଓ ଗୋଷ୍ଠୀ କେନ୍ଦ୍ର ଆଖଡ଼ା ଘରେ ବେଳେବେଳେ ସମୟ ଅତିବାହିତ କରୁଥିଲେ। ତାଙ୍କ ଅଣ୍ଟାରେ ବଂଶୀ ଥିଲା ବେଳେ ହାତରେ ଥିଲା ଲାଉତୁମ୍ବା। ଅନେକଙ୍କ ମତରେ ଚାଷବାସ ଓ ପଶୁପାଳନ ସହିତ ତାଙ୍କର ଭୁକ୍ତଭୋଗୀସମ ସଂପର୍କ ଥିଲା। ମୌଖିକ ଇତିହାସ କହେ ଯେଉଁ ଦିନ ସିଏ ଜନ୍ମଗ୍ରହଣ କରିଥିଲେ, ସେଦିନ ଆକାଶ ସାରା ଘୋଟି ଯାଇଥିଲା ଅପରୂପ ରଙ୍ଗ ଓ ଉପରୁ ଖସି ପଡୁଥିଲେ ପବିତ୍ର ଉଲ୍କା ପିଣ୍ଡ। ଆଉ ଯେଉଁଦିନ ତାଙ୍କର ଦେହାନ୍ତ ଘଟିଥିଲା, ସେଦିନ ଜଙ୍ଗଲର ଗଛ ଓ ପଥରରୁ ନିର୍ଗତ ହେଉଥିଲା ଅବିରତ ରକ୍ତଧାର।
ବିଖ୍ୟାତ ଲେଖିକା ମହାଶ୍ବେତା ଦେବୀଙ୍କ ‘‘ଅରଣ୍ୟେର ଅଧିକାର’’ (୧୯୭୭) ପୁସ୍ତକଟି ବିର୍ସା ଓ ବିର୍ସାଙ୍କ ଆନ୍ଦୋଳନକୁ ନେଇ। ସୁବିଦିତ ନୃତତ୍ତ୍ବବିତ୍ ଓ ବିଦ୍ବାନ୍ ପ୍ରଶାସକ କୁମାର ସୁରେଶ ସିଂ ରଚନା କରିଛନ୍ତି ବିର୍ସାଙ୍କ ଉପରେ ପଥପ୍ରଦର୍ଶକ ଲେଖା। ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକ୍ଙ୍କ ଭଳି ବିରଳ ବିଦୁଷୀ ବିର୍ସା ମୁଣ୍ଡାଙ୍କ କର୍ମପ୍ରବଣତା ବୁଝି ନିଶ୍ଚୟ ଭାବିଥିବେ ଯେ ଅପାଂକ୍ତେୟମାନେ ମଧ୍ୟ ବିନା ଫିଲ୍ଟର୍ରେ, ମଧ୍ୟସ୍ଥିରେ ସେମାନଙ୍କ ପକ୍ଷ ରଖିପାରନ୍ତି। ଅବଶ୍ୟ ସକାରାତ୍ମକ ‘ସବ୍ଆଲ୍ଟର୍ନ’ ଅର୍ଥରେ ବିର୍ସା ମୁଣ୍ଡା ଓ ତାଙ୍କ ଧରଣର ବ୍ୟକ୍ତିତ୍ବ ଅପାଂକ୍ତେୟ, ନକାରାତ୍ମକ ଅର୍ଥରେ ଆଦୌ ନୁହେଁ। ବିର୍ସା ଏଭଳି ଜନନାୟକ ଥିଲେ ଯିଏ ଲୋକଙ୍କ ସହିତ ଥିଲେ; କେବଳ ଉପରେ ଓ ଆଗରେ ନୁହେଁ। ରାଞ୍ଚିର କାରାଗାର େକାଠା ବାବଦରେ ସିଏ କହିଥିଲେ- ଇଏ ଚୂନ ଧଉଳା ଘର, ଆମ ମାଟିଘର ଆଗରେ ତୁଚ୍ଛ। ସିଏ ଯେ ଜେଲ୍ରେ ହଇଜାରେ ଚାଲିଗଲେ ତାହା ତାଙ୍କ ଅନୁଗାମୀମାନେ ଏବେ ବି ଗ୍ରହଣ କରିପାରୁନାହାନ୍ତି। କାହିଁକି ନା ତାଙ୍କ ଶରୀରରେ ସେଭଳି କୌଣସି ଲକ୍ଷଣ ନ ଥିଲା।
ସମସ୍ତ ପ୍ରତିମା ବା ପ୍ରତିମୂର୍ତ୍ତି ସବୁବେଳେ ସେ ପ୍ରତିମା ବା ପ୍ରତିମୂର୍ତ୍ତି ପଛର ବ୍ୟକ୍ତି ବିଶେଷଙ୍କର ଅମର ପ୍ରତୀକ ସାଜି ତାଙ୍କ ବ୍ୟକ୍ତିତ୍ବର ମହନୀୟତା ସ୍ମରଣକୁ ଆଣନ୍ତି ଏବଂ ସେ ଦିଗରେ ବ୍ରତୀ ହେବାକୁ ପ୍ରେରଣା ଦିଅନ୍ତି। ବିର୍ସା ମୁଣ୍ଡା ଏମିତି ‘ଉର୍ଜା’ ସଂଚାର କରିପାରନ୍ତି ଯେ ବିହାର ରେଜିମେଣ୍ଟ ଯୁଦ୍ଧ ବେଳେ ଉଚ୍ଚାରଣ କରେ- ବିର୍ସା ମୁଣ୍ଡା କି ଜୟ। ୧୯୪୦ ମସିହାର ରାମଗଡ଼ କଂଗ୍ରେସ ଅଧିବେଶନ ସମୟରେ ମୁଖ ଦ୍ବାରର ନାଁ ରଖାଯାଇଥିଲା ବିର୍ସା ମୁଣ୍ଡା ଗେଟ୍ ଏବଂ ସେଥିପାଇଁ ପ୍ରସ୍ତାବ ଦେଇଥିଲେ ସୁଭାଷ ବୋଷ। ବିର୍ସାଙ୍କ ଆନ୍ଦୋଳନ ଯୋଗୁଁ ଜନଜାତି ଗୋଷ୍ଠୀ କିଷାନ ସଭା ଆରମ୍ଭ କରି ଦେଇଥିେଲ। ସେ ଆନ୍ଦୋଳନରେ ମହିଳାମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ବ୍ରିଟିସ୍ ଉପନିବେଶବାଦ ଓ ସ୍ଥାନୀୟ ସାମନ୍ତବାଦ ବିରୋଧୀ ବିର୍ସାଙ୍କ ଆନ୍ଦୋଳନ ଦେଶର ସ୍ବାଧୀନତା ସାଙ୍ଗକୁ ଲୋକଙ୍କ ମୁକ୍ତି ପ୍ରସଂଗ ରଖୁଥିଲା ବେଳେ ପ୍ରକୃତି, ସଂସ୍କୃତି, ଅର୍ଥନୀତି, ଅସ୍ମିତା, କୃଷି, ରାଜନୀତି ଓ ଲୋକନୀତି ସହ ଗୁନ୍ଥା ସହସ୍ର ସଂଗ୍ରାମର ସଂଗମ କଥା ବି କହିଥିଲା। ଲୋକ ବିଗ୍ରହ ବିର୍ସା ମୁଣ୍ଡା ଥିଲେ ଶକ୍ତି, ସାମର୍ଥ୍ୟ, ସାହସ, ସଂଗ୍ରାମ ଓ ସର୍ଜନାର ଭଗବାନ ବିର୍ସା। ଏବେ ବି ତାଙ୍କ ଗାଁ ପାଖ ବନସ୍ତରେ ଅନ୍ଧାରରେ କାହାର ତାଳି ଶୁଭିଲେ ଲୋକେ କହନ୍ତି ବିର୍ସାଙ୍କ ତାଳି ଶୁଭିଲାଣି, ସବୁ ଅସୁବିଧା ହଟିଯିବ। ପୁଣି ସେ ତାଳି ସହ ତାଳ ମେଳ ରଖି ବାଘ କହେ ବିର୍ସା, ଭାଲୁ କହେ ବିର୍ସା, ସାପ କହେ ବିର୍ସା, ପାଣି କେହ ବିର୍ସା, ପବନ କହେ ବିର୍ସା, ପତ୍ର କହେ ବିର୍ସା ଏବଂ ଚାରିଆଡ଼େ ଶୁଭେ- ବିର୍ସା, ବିର୍ସା, ବିର୍ସା।
ମୋ: ୯୪୩୭୩୦୭୦୭୯